Unknown

 

 

 

 

 

 

 

 

 

 

ପାରିବାରିକ ପ୍ରବନ୍ଧ

ଶ୍ରୀ ପଦ୍ମଚରଣ ପଟ୍ଟନାୟକ

 

ସୂଚୀପତ୍ର

 

୧.

ପରିବାର

୨.

ପରିବାରରେ କର୍ତ୍ତାର ଦାୟିତ୍ୱ

୩.

ପରିବାରରେ ସଂଯମ ଓ ମିତବ୍ୟୟିତା

୪.

ପାରିବାରିକ ସ୍ୱାସ୍ଥ୍ୟବିଧି

୫.

ପରିବାରରେ ସୁନୀତି ଓ ସଦାଚାର

୬.

ପରିବାରରେ ଗୃହିଣୀର ସ୍ଥାନ

୭.

ପାରିବାରିକ ସ୍ୱାସ୍ଥ୍ୟ

୮.

ପରିବାରରେ କାର୍ଯ୍ୟର ବ୍ୟବସ୍ଥା

୯.

ପାରିବାରିକ ଗୃହଶ୍ରୀ

୧୦.

ପରିବାରରେ ପାଳିତ ପଶୁପକ୍ଷୀ

୧୧.

ପରିବାରରେ ଶୈଶବର ଶିକ୍ଷା

୧୨.

ପରିବାରରେ ଯୌବନର ଯତ୍ନ

୧୩.

ପରିବାରରେ ବାର୍ଦ୍ଧକ୍ୟର ବ୍ୟବସ୍ଥା

୧୪.

ପରିବାରରେ ସନ୍ତାନ ଶିକ୍ଷା

୧୫.

ପରିବାରରେ ରୋଗର ବ୍ୟବସ୍ଥା ଓ ରୋଗୀ ପରିଚର୍ଯ୍ୟା

୧୬.

ପରିବାରରେ ସାରବାନ୍ ଖାଦ୍ୟ

୧୭.

ପରିବାରରେ ନାରୀର ସ୍ଥାନ

୧୮.

ପରିବାରରେ ଅର୍ଥର ମୂଲ୍ୟ ଓ ବ୍ୟବହାର

୧୯.

ପରିବାରରେ ସଜ୍ଜନ ସଙ୍ଗ

୨୦.

ପରିବାରରେ ଧନର ସଦ୍‌ବ୍ୟବହାର

୨୧.

ପରିବାରରେ ନାରୀର କଳାବିଦ୍ୟା

୨୨.

ପରିବାରରେ ସ୍ତ୍ରୀଲୋକମାନଙ୍କର ସ୍ୱାସ୍ଥ୍ୟ

୨୩.

ପରିବାରରେ ଜୀବନର ପବିତ୍ରତା

୨୪.

ପରିବାରର ବାସଭୂମି ଓ ବାସଗୃହ

୨୫.

ପରିବାରରେ ଈଶ୍ୱର ଚିନ୍ତା

୨୬.

ପରିବାରରେ ଛୋଟ ଛୋଟ ଅଭ୍ୟାସ

୨୭.

ପରିବାରର ପରିଣତି

୨୮.

ପରିବାରର ସାର୍ଥକତା

Image

 

ପରିବାର

 

‘‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,

ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।’’

ମଧୁସୂଦନ ।

 

ଉପରେ ଯେଉଁ କବିତା ଦୁଇଧାଡ଼ି ଉଦ୍ଧାର କରାଗଲା, ସେଥିରେ କବିଙ୍କର କବିତ୍ୱ ଅପେକ୍ଷା ତାଙ୍କର ସଂସାରଜ୍ଞାନଲବ୍‌ଧ ଉଚ୍ଚ ପାରିବାରିକ ଆଦର୍ଶର ପରିଚୟ ବେଶି ପରିମାଣରେ ମିଳୁଅଛି । ଆଜିକାଲି ଯୁଗରେ ବଡ଼ ବଡ଼ ଜ୍ଞାନ ବିଜ୍ଞାନର ଏତେ ଆଲୋଚନା ହେଉଅଛି ଯେ, ତାହା ନିକଟରେ କ୍ଷୁଦ୍ର ପରିବାର ତାହାର କ୍ଷୁଦ୍ର ମସ୍ତକଟିକୁ ଲୁଚାଇ ଦେଇ ରହିଯାଏ । କିନ୍ତୁ ଭଲକରି ଦେଖିଲେ ବଡ଼ ବଡ଼ ରାଷ୍ଟ୍ରନୀତି ଓ ସମାଜ ନୀତିର ମୂଳମନ୍ତ୍ରଗୁଡ଼ିକ କ୍ଷୁଦ୍ର ପାରିବାରିକ ଜୀବନ ଭିତରେ ଲୁଚି ରହିଥାଏ । ବିଚକ୍ଷଣ ବ୍ୟକ୍ତି ସେଗୁଡ଼ିକର ଅନୁସନ୍ଧାନ କରିଥାନ୍ତି । ଛୋଟ ହେଉ, ବଡ଼ ହେଉ, ବହୁ କୁଟୁମ୍ବ ନେଇ ହେଉ ବା ଅଳ୍ପ କେତେଜଣଙ୍କୁ ନେଇ ହେଉ, ସଂସାରରେ ସମସ୍ତଙ୍କୁ ଘର କରିବାକୁ ହୁଏ । ମାନବ ଜୀବନ ସର୍ବଦା ସୁଖପାଇଁ ବ୍ୟାକୁଳ । ଏହି ସୁଖ ବହୁ ପରିମାଣରେ ନିଜ ନିଜ ପରିବାରର ସୁଖ ଶାନ୍ତି ଉପରେ ନିର୍ଭର କରେ । ଜୀବନ ସଂଗ୍ରାମରେ ମନୁଷ୍ୟକୁ ପ୍ରତି ମୁହୂର୍ତ୍ତରେ କ୍ଷତ ବିକ୍ଷତ ହେବାକୁ ପଡ଼େ । ସେ ତା’ର କ୍ଷତବିକ୍ଷତ ଶରୀର ଓ ମନ ନେଇ ସୁଖ ଶାନ୍ତି ଆଶାରେ ନିଜ ଘରକୁ ପଳାଇ ଆସେ । ସେଠାରେ ଯଦି ସେ ସୁଖ ଶାନ୍ତି ନ ପାଏ, ସେଠାରେ ଯଦି ତାକୁ ତା’ର କ୍ଷତର ପ୍ରଲେପ ନ ମିଳେ, କେବେ ତାହା ଜୀବନରେ ସୁଖଭୋଗ ଆକାଶକୁସୁମ ଛଡ଼ା ଆଉ କିଛି ନୁହେଁ ।

 

ବର୍ତ୍ତମାନ ଭଲ ମନ୍ଦ ଛଡ଼ା ଭବିଷ୍ୟତ ଜୀବନର ଗଠନ କାର୍ଯ୍ୟରେ ପରିବାର ବହୁ ପରିମାଣରେ ସାହାଯ୍ୟ କରେ । ପରିବାର ଭବିଷ୍ୟତ ସଂସାରର କମାରଶାଳ । ଏଠାରେ ଛୁଞ୍ଚିଠାରୁ ଆରମ୍ଭ କରି ବଡ଼ ବଡ଼ ମେସିନ୍‌ଗନ୍ ପର୍ଯ୍ୟନ୍ତ ସବୁ ତିଆରି ହେଉଥାଏ । ଏ କମାରଶାଳ ବା କାରଖାନାର ବିଶେଷତ୍ୱ ଏତିକି ଯେ, ଅଲକ୍ଷିତଭାବରେ ସବୁ କାର୍ଯ୍ୟ ହୋଇଯାଏ । ଭବିଷ୍ୟତ ସଂସାରର ଧର୍ମଧର୍ମ, ପାପପୁଣ୍ୟ, ହିତାହିତ ପ୍ରତି କ୍ଷୁଦ୍ର ପରିବାରର କ୍ଷୁଦ୍ର ପ୍ରକୋଷ୍ଠ ଭିତରେ ଲୋକଲୋଚନର ଅଗୋଚରରେ ଗଠିତ ହେଉଅଛି । ଆହୁରି ଗୋଟିଏ ବିଶେଷତ୍ୱ ଯେ, ମନୁଷ୍ୟର ଅଜ୍ଞାନ ଅବସ୍ଥା ଯାହାକୁ କହନ୍ତି, ସେହି ଶୈଶବକାଳରୁ ଏହି ଗଠନ କାର୍ଯ୍ୟର ଆରମ୍ଭ ହୁଏ । ଧର୍ମ କହ, ନୀତି କହ, ଆଚାର ବ୍ୟବହାର କହ, ଯାହା ଜାତୀୟ ସମ୍ପଦରୂପେ ସ୍ୱଦେଶରେ ଓ ବିଦେଶରେ ପୂଜା ପାଏ ଏବଂ ଯାହାର ଆଲୋଚନାରେ ବଡ଼ ବଡ଼ ଦାର୍ଶନିକ ପଣ୍ଡିତମାନେ ଗଳଦ୍‌ଘର୍ମ ହୁଅନ୍ତି, ସେ ସବୁର ଆରମ୍ଭ କ୍ଷୁଦ୍ର ସାମାନ୍ୟ ପରିବାର ଭିତରେ ଅଜ୍ଞାନ ଶିଶୁର କୁଣ୍ଢେଇ ଖେଳରୁ ତେଣୁ ଶିଶୁବିଜ୍ଞାନରେ ପାରଦର୍ଶୀ କେହି କେହି ପଣ୍ଡିତ କହିଥାନ୍ତି ‘‘ଆମକୁ ଶିଶୁର ପ୍ରଥମ ଛଅ ବର୍ଷ ମାତ୍ର ଦିଅ, ସେହି ଛଅ ବର୍ଷ ଭିତରେ ଆମେ ତା’ ଭିତରୁ ତା’ର ଭବିଷ୍ୟତ ଜୀବନକୁ ଟାଣି ଆଣି ଠିକ କରି ରଖିଦେବୁ, ତାହା ହିଁ ତାହାର ଜୀବନ ହେବ ।’’ ଏହି ସତ୍ୟ ଉପରେ ନିର୍ଭର କଲେ ଜଣାଯିବ ଯେ, ଭବିଷ୍ୟତ ସଂସାର ଭଲ ମନ୍ଦ କ୍ଷୁଦ୍ର ପରିବାରର କ୍ଷୁଦ୍ର ଶିଶୁର ଦୈନନ୍ଦିନ ଜୀବନ ଭିତରେ ନିହିତ ଅଛି । ଏ ସବୁ ଦେଖି ମନେ ହୁଏ, ଆମ୍ଭମାନଙ୍କର ପରିବାର ଓ ପାରିବାରିକ ଜୀବନକୁ ଆମ୍ଭେମାନେ ଯେତେ କ୍ଷୁଦ୍ର, ଯେତେ ତୁଚ୍ଛ, ଯେତେ ସାମାନ୍ୟ ବୋଲି ସାଧାରଣତଃ ମନେ କରିଥାଉ, ତାହା ସେପରି ନୁହେଁ । ସେଠାରେ ଅବହେଳା ବା ଅସାବଧାନତା ଅଲକ୍ଷିତ ଭାବରେ ଆମ୍ଭମାନଙ୍କର ବ୍ୟକ୍ତିଗତ ବା ଜାତୀୟ ଜୀବନର ଉନ୍ନତି ମୂଳରେ କୁଠାରାଘାତ କରିଥାଏ । ସେହି କ୍ଷୁଦ୍ର ପ୍ରାଙ୍ଗଣରେ ଯେଉଁ ତୁଳସୀ ବା ବିଛୁଆତି ଗଛଟି ଲାଗେ, ତାହା ଦେଶଯାକ ମାଡ଼ିଯାଏ ।

 

କେବଳ ସେତିକି ନୁହେଁ । ପାପପୁଣ୍ୟ ଧର୍ମାଧର୍ମର ସଂକ୍ରାମକ ଗୁଣ ଅଛି । ଗୋଟିଏ ପରିବାର ଭିତରେ କୌଣସି ଦୋଷ ବା ଗୁଣ କିଛି ଦିନ ରହିଗଲେ ତାହା ଶାଖା ପ୍ରଶାଖା ବିସ୍ତାର କରି ମାଡ଼ିଯାଏ । ଶେଷରେ ତାହା ବଂଶପରମ୍ପରାଗତ ଦୋଷ ବା ଗୁଣରେ ପରିଣତ ହୁଏ । ସେଥିପାଇଁ ‘‘ଖାନଦାନି ଘର’’ ‘‘ଜଣା ଶୁଣା ଘର’’ ବୋଲି ଯାହା ପରିଚିତ ହୁଏ, ତାହାର ଅର୍ଥ ଏହା ହିଁ ଯେ, ସେ ଘରେ ବା ସେ ବଂଶରେ କେତେଗୁଡ଼ିଏ ସଦ୍‌ଗୁଣ ବା ମଙ୍ଗଳଜନକ ବିଧିବିଧାନ ବହୁକାଳ ଧରି ଚାଲିଆସିଅଛି ଏବଂ ତାହା ସେ ପରିବାରର ରକ୍ତଗତ ଗୁଣରେ ପରିଣତ ହୋଇଅଛି-। ସଦଭ୍ୟାସ ବା ସଦାଚାର କିଛି ଦିନ ଧରି ଗୋଟିଏ ପରିବାରରେ ଲୋକେ ପାଳିଲେ ତାହା ଗୋଟିଏ ଆଲୋକସ୍ତମ୍ଭ ପ୍ରାୟ ରହି ଦୁର୍ଦିନରେ ଅନ୍ଧାର ରାତିରେ ସେ ପରିବାରର ପରିଚାଳକ ହୁଏ-। ସେ ବଂଶ ବା ପରିବାରରେ ଜନ୍ମଗ୍ରହଣ କଲେ ପ୍ରତି ବ୍ୟକ୍ତିର ସେଥିପ୍ରତି ସ୍ୱତଃ ଆଖି ପଡ଼େ । କୌଣସି ପରିବାରର କୌଣସି ଅତୀତ ଯୁଗରେ କେହି ଜଣେ ସ୍ୱାଧୀନଚେତା ପୁରୁଷ ନିଜର ଅଭାବ, ଅସୁବିଧା ବା ଦାରିଦ୍ର୍ୟ ସତ୍ତ୍ୱେ ଜଣେ ହୀନଚେତା ଦାତାର ଦାନ ଗ୍ରହଣ କରିବାକୁ ମନୁଷ୍ୟୋଚିତ କାର୍ଯ୍ୟ ବୋଲି ମନେ କଲେ ନାହିଁ । ସେ ମନେ କଲେ, ଦାରିଦ୍ର୍ୟର ନିର୍ଯାତନାଠାରୁ ହୀନଜନଠାରୁ ଦାନଗ୍ରହଣ ଶତଗୁଣରେ କ୍ଲେଶକର ଏବଂ ଏହା ଯୁଗ ଯୁଗକୁ ତାଙ୍କର ପରବର୍ତ୍ତୀ ବଂଶଧରଙ୍କର ଗ୍ରାସାଚ୍ଛାଦନର ବ୍ୟବସ୍ଥା କଲେ ମଧ୍ୟ ସେ ନିଷ୍କଳଙ୍କ ବଂଶ ଦେହରେ କଳଙ୍କ କାଳିମା ଲେପନ କରିବ । ଦାତାଙ୍କ ନିକଟକୁ ଯିବା ମାର୍ଗରେ ସେ ହସି ହସି ନିଜର ସଙ୍ଗୀମାନଙ୍କୁ କହିଲେ, ‘‘ଚାଲ ଫେରିଯିବା, ଗଲେ ଅବଶ୍ୟ କିଛି ଦାନ ମିଳିଥାନ୍ତା। କେତେଦିନ ବଞ୍ଚି ରହିବା ଯେ, ଏଥିପାଇଁ ଲାଳାୟିତ ହେବା । ଏ ହାତ ଦେବକଳ୍ପ ସାଧୁସଜ୍ଜନମାନଙ୍କ ଉଦ୍ଦେଶ୍ୟରେ ଟେକା ହୋଇଅଛି । ଆଜି କ୍ଷୁଦ୍ର ଦାନର ଲୋଭରେ ଯେ କୌଣସି ଲୋକର ସମ୍ମାନରେ ଟେକା ହେବା କଥାଟା ମନକୁ ଭଲ ଲାଗୁ ନାହିଁ । ପରବର୍ତ୍ତୀ ବଂଶଧରଙ୍କର ଅନ୍ନସଂସ୍ଥାନ ଭଗବାନ କରିବେ । ସେଥିପାଇଁ ହୀନ କାର୍ଯ୍ୟ କରି ସେମାନଙ୍କପାଇଁ କିଛି ରଖିଯିବା ଉଚିତ ବୋଧ ହେଉ ନାହିଁ ।’’ ଏପରି ଦାନ ପ୍ରତ୍ୟାଖ୍ୟାନ କରି ଦାରିଦ୍ର୍ୟ ବରଣ କରିବାକୁ ସମ୍ମାନଜନକ ମନେ କରିବା ଏହି ଦରିଦ୍ର ଦେଶର ପରିବାର ମଧ୍ୟରେ କେତେବର୍ଷ ତଳେ ମଧ୍ୟ ସମ୍ଭବପର ଥିଲା । ପରିବାର ମଧ୍ୟରେ ଏସବୁ ଦୃଷ୍ଟାନ୍ତ ବହୁକାଳ ପର୍ଯ୍ୟନ୍ତ ଆଲୋକସ୍ତମ୍ଭର କାର୍ଯ୍ୟ କରେ । ଦେଉଳ ତୋଳାଇ, ପୁଷ୍କରିଣୀ ଖୋଳାଇ, ଅନ୍ନଛତ୍ର, ଜଳଛତ୍ର ଦେଇ ଏ ଦେଶର ସାଧାରଣ ଲୋକେ ମଧ୍ୟ ଯେଉଁ ଦାନଧର୍ମର ମହିମା ରକ୍ଷା କରିବାକୁ ନିଜର କର୍ତ୍ତବ୍ୟ ବୋଲି ମନେ କରୁଥିଲେ, ସେ ସବୁ ଆଜି ପର୍ଯ୍ୟନ୍ତ ଏ ଦେଶର ପରିବାର ଭିତରେ ସାଧୁତା, ସଦାଚାର, ପରାର୍ଥପରତା ପ୍ରଭୃତି ଗୁଣକୁ କେତେକ ପରିମାଣରେ ଜୀବିତ ରଖିଅଛି । ସେହି ହେତୁରୁ ସେହି ରକ୍ତଗତ ଗୁଣରୁ ଆଜି ମଧ୍ୟ ଏ ଦେଶରେ ଅତି ଦରିଦ୍ର ପରିବାର ଦୁଆରୁ ଭିକ ମୁଠାଏ ନ ପାଇ ଭିକ୍ଷୁକ ନିରାଶ ହୋଇ ଯାଏ ନାହିଁ । ପରିବାର ମଧ୍ୟରେ ଏ ସବୁର ପ୍ରଭାବ ଖୁବ୍ ବେଶି ।

 

କିନ୍ତୁ ନାନା କାରଣରୁ ଆଜିକାଲି ଏସବୁର ବଡ଼ ଅଭାବ ଦେଖାଯାଏ । ପାରିବାରିକ ଜୀବନରେ, ତଥା ସାମାଜିକ ଜୀବନରେ ଆଧୁନିକ ଯୁଗର ନାନା ଅନୀତି, ଅନାଚାର, ଅସଂଯମ ଦେଖି ମନେ ହୁଏ, ପୂର୍ବର ପାରିବାରିକ ଆଦର୍ଶର କି ଅଧଃପତନ ହୋଇଗଲା ଦୁଆର ମୁହଁରେ ତୁଳସୀ ଚଉରାଟି କିଛି ଧର୍ମ ଦିଏ ନାହିଁ, କିନ୍ତୁ ଧର୍ମ ଦିଗରେ ତାହା ମନୁଷ୍ୟର ମନକୁ ଆକର୍ଷଣ କରେ । କାର୍ତ୍ତିକ ମାସରେ ଗୃହସ୍ଥର ଦ୍ୱାରଦେଶରେ ଥିବା ଆକାଶଦୀପ ବାଉଁଶଟା କିଛି ସ୍ୱର୍ଗର ବାଟ ଦେଖାଇ ଦିଏ ନାହିଁ, କିନ୍ତୁ ଗୃହସ୍ଥ ପ୍ରାଣରେ ସାଧୁଚିନ୍ତାର ଉଦ୍ରେକ କରାଇ ତାକୁ ଅଳ୍ପସମୟ ପାଇଁ ହେଲେ ମଧ୍ୟ ସ୍ୱର୍ଗର ସମ୍ବାଦ ଶୁଣାଇ ଦିଏ । ପାରିବାରିକ ଜୀବନର ଏସବୁ ନିୟମ ଶିଥିଳ ହୋଇ ଆଜି ଜାତି ବା ସମାଜର ଜୀବନକୁ ଶିଥିଳ କରି ଦେଇଅଛି । ପରିଣତ ବୟସରେ ଆଜିକାଲି ଲୋକମାନଙ୍କର ଆଚାର ବ୍ୟବହାର, ପାନ ଭୋଜନ ପ୍ରଭୃତିରେ ଯେଉଁ ସବୁ ଅସଂଯମ ଦେଖାଯାଏ, ତାହାର ମୂଳ କାରଣ ଏ ଦେଶର ଆଧୁନିକ ପାରିବାରିକ ଜୀବନରେ ସଂଯମ, ସଦାଚାର ବା ନିଷ୍ଠାର ଆଦର୍ଶର ଅଭାବ । ଯେଉଁ ସବୁ ଗୁଣ ଭବିଷ୍ୟତ ଜୀବନରେ ମନୁଷ୍ୟକୁ ତାହାର ନିଜର ପଦୋଚିତ ସମ୍ମାନ ଦିଏ, ତାହା କିଛି ଦିନକରେ କୁହୁକବଳରେ ଆସେ ନାହିଁ । ତାହା ତାହାର ଜୀବନର ପ୍ରାକ୍‌କାଳରେ ସେ ଲାଭ କରେ ଏବଂ କ୍ରମେ କ୍ରମେ ତାହା ଅଙ୍କୁର ଅବସ୍ଥାରୁ ମହାଦ୍ରୁମରେ ପରିଣତ ହୁଏ ।

 

ପାରିବାରିକ ଜୀବନର ଦାୟିତ୍ୱ କମ୍ ନୁହେ । ସେଥିପାଇଁ କଥା ଅଛି- ରାଜ୍ୟଶାସନଠାରୁ ପରିବାରଶାସନ କାର୍ଯ୍ୟ ଗୁରୁତର । ବାସ୍ତବିକ କଥାଟା ଖୁବ୍ ସତ୍ୟ । ଏ ଦାୟିତ୍ୱକୁ କେତେଜଣ ପରିବାର ଭିତରେ ଗ୍ରହଣ କରିଥାନ୍ତି ? ଦେଶ, ସମାଜ, ଜାତିର ସମୂହ ଉନ୍ନତି ଲାଗି ଆମ୍ଭମାନଙ୍କ ପ୍ରାଣରେ ଆଜିକାଲି ଯେଉଁ ଆକାଂକ୍ଷା ଜାଗି ଉଠିଅଛି, ତାହାର ସମାଧାନ ଲାଗି କ୍ଷୁଦ୍ର ପରିବାରଟିକୁ ସର୍ବ ପ୍ରଥମେ ସମ୍ଭାଳିବାକୁ ଚେଷ୍ଟା ନକଲେ ଆଉ ଚଳିବ କି ?

Image

 

ପରିବାରରେ କର୍ତ୍ତାର ଦାୟିତ୍ୱ

 

ଜଣେ ପଣ୍ଡିତ କହିଅଛନ୍ତି ଯେ, ରାଜ୍ୟଶାସନଠାରୁ ପରିବାର ଶାସନ କଠିନ ଭାବି ଦେଖିଲେ ଏ କଥାଟା ଯେ ଅନେକ ପରିମାଣରେ ସତ୍ୟ, ତାହା ଜଣାପଡ଼ିବ । ପରିବାର ଶାସନରେ ଯଦି କିଛି ଦୋଷ, ବିଶୃଙ୍ଖଳା ରହେ, ତାହା ହଠାତ୍ ଜଣା ପଡ଼େ ନାହିଁ ବା ସେହି ଶାସନର ଦୋଷରେ ଯଦି କାହାର କିଛି ଅଭାବ ଅସୁବିଧା ଘଟେ, ତାହା ସେହି ମୂହୁର୍ତ୍ତରେ ଦୃଷ୍ଟିଗୋଚର ହୁଏ ନାହିଁ; କିନ୍ତୁ ତାହାର ପ୍ରଭାବ ଏକାବେଳକେ ଲୋପ ପାଏ ନାହିଁ- ସେ ଅସନ୍ତୋଷ କିଛି ସମୟ ପରେ ଭୀଷଣ ଆକାର ଧାରଣ କରି ଉପସ୍ଥିତ ହୁଏ ଏବଂ ସମଗ୍ର ପରିବାରଟିର ଅମଙ୍ଗଳ ସାଧନ କରେ । ସେଥିପାଇଁ ପରିବାରର ଶାସନକର୍ତ୍ତାଙ୍କର ଖୁବ୍ ଧୀରସ୍ଥିର ସତର୍କଭାବରେ ତାଙ୍କର ଶାସନ କାର୍ଯ୍ୟ ସମାଧାନ କରିବା ଉଚିତ । ନଚେତ୍ ତାଙ୍କର ସାମୟିକ ଅସାବଧାନତା ବା ଅବହେଳା ସମୟରେ ସମଗ୍ର ପରିବାରର ସୁଖ ଶାନ୍ତି ନଷ୍ଟ କରେ ।

 

ପରିବାରରେ ଯେଉଁମାନେ ଥାଆନ୍ତି, ସମସ୍ତଙ୍କର ପ୍ରକୃତି କିଛି ଏକରକମର ନୁହେଁ ଏବଂ ସେହି ହେତୁରୁ ଏକ ପ୍ରକାରର ଶାସନ ସମସ୍ତଙ୍କ ପାଇଁ ପ୍ରଯୋଜ୍ୟ ନୁହେ । ପ୍ରତ୍ୟେକଙ୍କର ବ୍ୟକ୍ତିଗତ ପ୍ରକୃତିର ପାର୍ଥକ୍ୟ ହୃଦୟଙ୍ଗମ କରି ସେହି ଅନୁସାରେ ଶାସନକାର୍ଯ୍ୟ ପରିଚାଳନା କରିବା ଗୃହକର୍ତ୍ତାଙ୍କର ଅବଶ୍ୟ କର୍ତ୍ତବ୍ୟ ।

 

ସହିଷ୍ଣୁତା ଗୃହକର୍ତ୍ତାଙ୍କର ଗୋଟିଏ ପ୍ରଧାନ ପ୍ରୟୋଜନୀୟ ଗୁଣ । ଏ ଗୁଣଟି ନଥିଲେ କେହି ପରିବାର ଭିତରେ କର୍ତ୍ତାପଦର ଉପଯୁକ୍ତ ହୋଇ ପାରିବେ ନାହିଁ । ଅସହିଷ୍ଣୁ ବା ଚପଳାପ୍ରକୃତି ହେଲେ ଗୃହସ୍ଥ କୌଣସି କାର୍ଯ୍ୟ ସୁଚାରୁରୂପେ ସମାଧାନ କରି ପାରିବେ ନାହିଁ । ପରିବାର ଭିତରେ ରହିବାକୁ ହେଲେ ଭିନ୍ନ ଭିନ୍ନ ପ୍ରକୃତିର ଲୋକଙ୍କ ସଙ୍ଗେ ବ୍ୟବହାର କରିବାକୁ ପଡ଼ୁଥିବାରୁ ସବୁଥିରେ ତରତର କରି ମତ ପ୍ରକାଶ ନ କରି ଖୁବ୍ ସହିଷ୍ଣୁତା ସହିତ ଅନେକ କଥା ସହିବାକୁ ପଡ଼େ । ‘‘ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି’’ ଯେଉଁ କଥାଟି ଅଛି, ତାହା ବିଶେଷଭାବରେ ପରିବାରର କର୍ତ୍ତାଙ୍କ ପକ୍ଷରେ ପ୍ରଯୋଜ୍ୟ । ପରିବାର ଭିତରେ ଅନେକ କଥା ଗୃହକର୍ତ୍ତାଙ୍କୁ ଶୁଣିବାକୁ ପଡ଼ି ପାରେ, ସେଥି ମଧ୍ୟରୁ କେତେ ବିଷୟରେ ନୀରବ ରହିବାକୁ ହେବ, କେତେ ବିଷୟରେ ପାଟି ଫିଟାଇବାକୁ ହେବ, ସେତକ ଗୃହକର୍ତ୍ତା ବିବେଚନାର ସହିତ ନ କଲେ ପାରିବାରିକ ଜୀବନରେ ଶାନ୍ତି, ସଦ୍‌ଭାବ ମିଳିବା କଠିନ ହୋଇ ପଡ଼େ । ଧୈର୍ଯ୍ୟ ଓ ସହିଷ୍ଣୁତା ପରିବାରର କର୍ତ୍ତାଙ୍କର ଗୋଟିଏ ଅପରିହାର୍ଯ୍ୟ ଗୁଣ । ତାହାର ଅଭାବରେ ତାଙ୍କର ଶାସନକାର୍ଯ୍ୟ ସୁନ୍ଦରରୂପେ ଚଳି ନ ପାରେ ।

 

ଧୈର୍ଯ୍ୟ ଓ ସହିଷ୍ଣୁତା ସଙ୍ଗରେ ଗୃହକର୍ତ୍ତାଙ୍କୁ ମଧ୍ୟ ବୁଦ୍ଧି ଓ ବିଚକ୍ଷଣତା ସହିତ କାର୍ଯ୍ୟ କରିବାକୁ ହେବ । ସେ ସବୁ କାର୍ଯ୍ୟର ଆଗ ପଛ ଭାବି ତାଙ୍କର ପାରିବାରିକ ଶାସନ କାର୍ଯ୍ୟରେ ଅଗ୍ରସର ହେବେ । କାରଣ ତାଙ୍କର ଅସାବଧାନତା କେବଳ ତାଙ୍କର ଅମଙ୍ଗଳ କରିବ ନାହିଁ, ତା ସଙ୍ଗରେ ଆଉ ଦଶ ଜଣଙ୍କର ମଧ୍ୟ କ୍ଷତି ବା ଅମଙ୍ଗଳ କରିବ । କେବଳ ଯେ ତାହା ବର୍ତ୍ତମାନ ଯୁଗରେ ତାଙ୍କର ନିଜ ପରିବାରର କ୍ଷତି ବା ଅପକାର କରିବ ତାହା ନୁହେଁ, ତାହା ହୁଏତ ସେହି ପରିବାରର ପରବର୍ତ୍ତୀ ବଂଶଧରମାନଙ୍କର କ୍ଷତିଜନକ ହୋଇପାରେ । ପରିବାରର କର୍ତ୍ତା ଏପରି କିଛି କାର୍ଯ୍ୟ କରିବେ ନାହିଁ, ଯାହା କୌଣସି କାଳେ ତାଙ୍କର ନିଜର ପରିବାରର ଖ୍ୟାତି ବା ସମ୍ମାନକୁ ହାନି କରିଦେବ । ସେ ଦୂରଦୃଷ୍ଟିରେ ନିଜର ପରିବାରର ଭୂତ ଭବିଷ୍ୟତ ବର୍ତ୍ତମାନକୁ ଦେଖି ଯାହା ଚିରକାଳ ପାଇଁ ମଙ୍ଗଳକର, କେବଳ ସେହିପରି କାର୍ଯ୍ୟ କରିବେ ବା ଅନ୍ୟର ସେହିପରି କାର୍ଯ୍ୟର ଅନୁମୋଦନ କରିବେ ।

 

ପରିବାରର କର୍ତ୍ତା ନିରଳସ ଓ କର୍ମଠ ହେବା ଆବଶ୍ୟକ । ଆଜିକାଲି ଯେପରି ସମୟ ପଡ଼ିଲାଣି, ସେଥିରେ ପ୍ରତି ଲୋକ ଅହୋରାତ୍ର ପରିଶ୍ରମ କଲେ ମଧ୍ୟ ଜୀବନ ଯାତ୍ରା ନିର୍ବାହର ଉପାୟ ମିଳିବା କଠିନ ହେଲାଣି । ସେଥିରେ ଗୃହର କର୍ତ୍ତା ଅଳସୁଆ ହେଲେ ଗୃହ ଚଳିବା କଠିନ ହୋଇ ପଡ଼ିବ । ଆହୁରି ମଧ୍ୟ ଯେଉଁ ଗୃହର କର୍ତ୍ତା ଅଳସୁଆ ବା ବିଳାସପରାୟଣ, ସେ ପରିବାରର ଅନ୍ୟ ବ୍ୟକ୍ତିମାନେ ତାଙ୍କର ଆଦର୍ଶରେ ସେହିପରି ହୋଇଥାନ୍ତି । ଯେଉଁ ପରିବାରର ଲୋକମାନେ ପରିଶ୍ରମ କରିବାକୁ କଷ୍ଟକର ବୋଧ କରନ୍ତି ବା ନିଜ ନିଜର କାର୍ଯ୍ୟ କରିବାକୁ ଅପମାନଜନକ ମନେ କରନ୍ତି, ବୁଝିବାକୁ ହେବ, ସେ ପରିବାରର ଅଧଃପତନ ଆରମ୍ଭ ହେଲାଣି । ଆଳସ୍ୟ ଏବଂ ବିଳାସ ବ୍ୟକ୍ତିଗତ ଜୀବନ ପକ୍ଷରେ ଯେପରି, ପରିବାର ପକ୍ଷରେ ମଧ୍ୟ ସେହିପରି ମହା ଅମଙ୍ଗଳକର । ଗୃହର କର୍ତ୍ତା ସର୍ବଦା ସାବଧାନ ହୋଇ ଦେଖୁଥିବେ, ଯେପରି ବିଳାସ ଓ ଆଳସ୍ୟ ପରିବାର ଭିତରେ ପ୍ରବେଶ ନ କରେ । ଆଳସ୍ୟ ଓ ବିଳାସ ବ୍ୟକ୍ତିବିଶେଷଠାରେ ବା ପରିବାରରେ ପ୍ରବେଶ ଲାଭ କଲେ ତାହା ସେ ବ୍ୟକ୍ତି ବା ପରିବାରକୁ ଅନ୍ତଃସାରଶୂନ୍ୟ କରି କ୍ରମେ କ୍ରମେ ତାକୁ ମୃତ୍ୟୁମୁଖକୁ ନେଇଯାଏ ।

 

ଗୃହକର୍ତ୍ତାଙ୍କର ଆଦର୍ଶ ସର୍ବଦା ଉଚ୍ଚ ଥିବା ଆବଶ୍ୟକ । ଆଦର୍ଶ ଉଚ୍ଚ ରଖିବାର ଅର୍ଥ ଏହା ନୁହେଁ ଯେ, ସବୁ ପରିବାରର କର୍ତ୍ତାମାନେ ଦେଶର ବା ଜାତିର ମୁକ୍ତିବିଧାତା ହେବାର ଆଦର୍ଶ ମନରେ ପୋଷଣ କରି ବସିବେ । ଭଗବାନ ଯାହାକୁ ଯେପରି ଅବସ୍ଥାରେ ରଖିଅଛନ୍ତି ବା ଯେପରି ଦୁଃଖ ସୁଖ ଭିତରେ ଜନ୍ମ ଦେଇ ଅଛନ୍ତି, ସେଥିରେ ରହି ଜୀବନଟି ଯେତେ ଦୂର ନିର୍ମଳ, ଦୋଷଶୂନ୍ୟ ହୋଇପାରେ, ସେଥିପ୍ରତି ଗୃହକର୍ତ୍ତା ସର୍ବଦା ଦୃଷ୍ଟି ରଖିବେ । ଦାରିଦ୍ର୍ୟ ଅବଶ୍ୟ ଶତ ଶତ ଦୋଷର ଓ ପାପର ଜନ୍ମଦାତା ଏବଂ ଏ ଦେଶରେ ଦରିଦ୍ର ପରିବାରର ସଂଖ୍ୟା ଶତକଡ଼ା ଅନେଶ୍ୱତ, ତଥାପି ଅଭାବ, ଅସୁବିଧା ଓ ଦାରିଦ୍ର୍ୟ ଭିତରେ ହୃଦୟର ବଳ ଓ ମନର ବଳ ଥିଲେ ଚରିତ୍ରର ପବିତ୍ରତା ରକ୍ଷା କରାଯାଇ ପାରେ । ଯଦି ଜୀବନର ଆଦର୍ଶ ପ୍ରତି ବ୍ୟକ୍ତିବିଶେଷର ଦୃଷ୍ଟି ଥାଏ, ତେବେ ଅଭାବର ତାଡ଼ନାରେ ବା ଦାରିଦ୍ର୍ୟର କଷାଘାତରେ ହୀନ କାର୍ଯ୍ୟ କରି ନିଜ ଉପରେ ବା ନିଜର ପରିବାର ଉପରେ ମନୁଷ୍ୟ କେବେହେଁ କଳଙ୍କକାଳିମା ଲେପି ଦିଏ ନାହିଁ । ଦାରିଦ୍ର୍ୟ ଯେପରି ଏକ ପକ୍ଷରେ ଶତ ଦୋଷର ଆକର, ତାହା ମଧ୍ୟ ପକ୍ଷାନ୍ତରରେ ମନୁଷ୍ୟତାର ନିକଷପଥର-। ଅଭାବ, ଅସୁବିଧା ଓ ଦାରିଦ୍ର୍ୟ ମଧ୍ୟରେ ଯେ ନିଜର ଜୀବନର ଆଦର୍ଶକୁ ଖର୍ବ କରି ନ ଦିଏ ବା ହୀନ କାର୍ଯ୍ୟ କରିବାର ପ୍ରଲୋଭନର ବଶବର୍ତ୍ତୀ ନ ହୁଏ, ସେହି ଏକା ପ୍ରକୃତ ବୀରପୁରୁଷ । ତାହାରି ନାମ ଯୁଗେ ଯୁଗେ କୀର୍ତ୍ତିତ ହୁଏ । ଏକଶତ ବର୍ଷ ପୂର୍ବେ ଓଡ଼ିଶାର ଗୋଟିଏ ସମ୍ଭ୍ରାନ୍ତ ଅଥଚ ଦରିଦ୍ର ପରିବାରରେ ଏପରି ଗୋଟିଏ ଆଦର୍ଶର ପରିଚୟ ମିଳିଥିବାର ଲେଖକକୁ ଜଣାଅଛି । ସେଥିରେ ଅତିରଞ୍ଜନର ମାତ୍ରା କିଛି ନାହିଁ । କୌଣସି ନୂତନ ଶାସନକର୍ତ୍ତା ତାଙ୍କର ଶାସନ କାର୍ଯ୍ୟର ଶୃଙ୍ଖଳା ନିମିତ୍ତ ଓଡ଼ିଶାର କୌଣସି ଜିଲ୍ଲାର ପ୍ରଧାନ ପ୍ରଧାନ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କୁ ଡକାଇ ନିଷ୍କର ଭାବରେ ବା ସ୍ୱଳ୍ପ କରରେ ବହୁ ଭୂସମ୍ପତ୍ତି ଦାନ କରିବାକୁ ବସି କୌଣସି ସ୍ଥାନର ଜଣେ ସମ୍ଭ୍ରାନ୍ତ ଅଥଚ ଦରିଦ୍ର ପରିବାରର କର୍ତ୍ତାଙ୍କୁ ଆହ୍ୱାନ କରି ସେ ଗ୍ରାମର କିଛି ଦୂରରେ ନିଜର ସୈନ୍ୟସାମନ୍ତଙ୍କ ସହିତ ଅପେକ୍ଷା କରି ରହିଲେ । ସେହି ସମ୍ଭ୍ରାନ୍ତ ଦରିଦ୍ର ପରିବାରର କର୍ତ୍ତାଙ୍କୁ ତାଙ୍କର ପାର୍ଶ୍ୱଚରମାନେ ଅନୁରୋଧ କରି କହିଲେ, ‘‘ଆପଣ ଚାଲନ୍ତୁ, ଆପଣଙ୍କର ପାର୍ଶ୍ୱବର୍ତ୍ତୀ ସ୍ଥାନର ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କୁ ଉକ୍ତ ଦାତା ଶତ ଶତ ବାଟି ଜମି ଦେଉଅଛନ୍ତି । ଆପଣଙ୍କୁ ଆପଣଙ୍କ ବଂଶୋଚିତ ମର୍ଯ୍ୟାଦା ତୁଳନାରେ ସେ ବହୁଗୁଣରେ ଅଧିକ ଭୂସମ୍ପତ୍ତି ଦେବେ । ଏ ଦରିଦ୍ର ପରିବାରର ଅଭାବ ଅସୁବିଧା ବହୁକାଳ ପାଇଁ ଦୂର ହୋଇଯିବ ।’’ ସେ ପରିବାରର କର୍ତ୍ତା ଏ ସବୁ ଶୁଣି କ୍ଷଣିକ ଦୁର୍ବଳତାର ବଶବର୍ତ୍ତୀ ହୋଇ ନିଜର ପାର୍ଶ୍ୱଚର ଅନୁଚରମାନଙ୍କୁ ଦାନଗ୍ରହଣ ନିମିତ୍ତ ଯିବାର ସବୁ ଆୟୋଜନ କରିବାକୁ ଅନୁମତି ଦେଲେ; କାଳୋଚିତ ଯାନବାହାନ ଓ ଖାଦ୍ୟ ପ୍ରଭୃତିର ଆୟୋଜନ ହେଲା । ଉକ୍ତ ସମ୍ଭ୍ରାନ୍ତ ପରିବାରର କର୍ତ୍ତା ଯାନାରୋହଣ କରି ନିଜର ଅନୁଚରମାନଙ୍କୁ ସଙ୍ଗରେ ନେଇ ନିଜର ଗ୍ରାମ ନିକଟର୍ତ୍ତୀ ନଦୀକୁଳ ପର୍ଯ୍ୟନ୍ତ ଅଗ୍ରସର ହେବାର ଦେଖି ନଦୀଠାରୁ କିଛି ଦୂରରେ ଶିବିରରେ ଅବସ୍ଥାନ କରୁଥିବା ଶାସନକର୍ତ୍ତା ଏହାଙ୍କୁ ସସମ୍ମାନରେ ଗ୍ରହଣ କରିବାକୁ ଆୟୋଜନ କରି ବସିଲେ-। ଗୃହକର୍ତ୍ତା ଉକ୍ତ ନଦୀକୂଳରେ ପହଞ୍ଚି କ’ଣ ଭାବି ନିଜର ସଙ୍ଗୀମାନଙ୍କୁ କହିଲେ, ‘‘ଯିବାର ହେବ ନାହିଁ, ସମସ୍ତେ ଫେରି ଚାଲ । ନିଜର ଗ୍ରାସାଚ୍ଛାଦନର ବ୍ୟବସ୍ଥା କରିବା ପାଇଁ ଆଗନ୍ତୁକଙ୍କ ନିକଟରେ ମସ୍ତକ ଅବନତ କରିବାକୁ ହେବ- ଏ ହୀନତା ଆଉ କେତେଦିନ ପାଇଁ କରିବାକୁ ମନ ବଳୁ ନାହିଁ । କେତେ ଦେବକଳ୍ପ ସାଧୁ ସନ୍ଥମାନଙ୍କ ଉଦ୍ଦେଶ୍ୟରେ ଯେଉଁ ହସ୍ତ ଉତ୍ତୋଳିତ ହୋଇଥିଲା, ତାହା ଆଜି ନିଜର ପରିବାରର ଅନ୍ନସଂସ୍ଥାନ ଲାଗି ନବାଗତଙ୍କ ନିକଟରେ ଟେକା ହେବା ଠିକ୍ ନୁହେଁ । ପରବର୍ତ୍ତୀ ବଂଶଧରମାନଙ୍କର ଭରଣ ପୋଷଣର ଭାର ଭଗବାନ ନେବେ । ସେଥିପାଇଁ ଏତେ ବ୍ୟାକୁଳ ହୋଇ ଏ କାର୍ଯ୍ୟ କରିବାକୁ ଯିବାକୁ ମନ ହେଉନାହିଁ ।’’ ଆଦେଶ ସଙ୍ଗେ ସଙ୍ଗେ ଅନୁଚରମାନେ କର୍ତ୍ତାଙ୍କୁ ନେଇ ଫେରିଗଲେ । ଏଣେ ଶାସନକର୍ତ୍ତା ଏ ସମ୍ବାଦ ପରସ୍ପରରେ ଅବଗତ ହୋଇ ଏ ପରିବାରକୁ ତ ନୂତନ ଦାନ କିଛି ଦେଲେ ନାହିଁ, ବରଂ ସେ ପରିବାରର ଯାହା କିଛି ଭୂସମ୍ପତ୍ତି ଥିଲା, ତାହାର ବିଲୋପ ସାଧନ କରିଦେଇ ଚାଲିଗଲେ । ଅବଶ୍ୟ ସେ କାଳର ସେ ପରିବାରର କର୍ତ୍ତାଙ୍କର ଦୂରଦୃଷ୍ଟି ଥିଲା କି ନ ଥିଲା, ସେ କଥା ବର୍ତ୍ତମାନ କହି ହେଉ ନାହିଁ, କିନ୍ତୁ ନିଜ ବଂଶର ବା ପରିବାରର ଆଦର୍ଶ ପ୍ରତି ଯେ ସେମାନଙ୍କର ଗୋଟାଏ ଦାୟିତ୍ୱଜ୍ଞାନ ଥିଲା, ତାହା ଆଜିକାଲି ମିଳିବା କଠିନ ହୋଇ ପଡ଼ୁଅଛି । ଯେଉଁ ଗୋଟିଏ ଚିତ୍ର ଦିଆଗଲା, ସେହିପରି ଶତ ଶତ ଆଦର୍ଶ ଚିତ୍ର ଏହି ଦରିଦ୍ର ଦେଶରେ ବହୁ ଦରିଦ୍ର ପରିବାରର କର୍ତ୍ତାମାନେ କିଛିକାଳ ଆଗରେ ରଖି ଯାଇଅଛନ୍ତି । ସେ ସବୁର ମହିମା ଆଜିକାଲି କ୍ରମେ କ୍ରମେ ଲୋପ ପାଉଅଛି । ଗୋଟିଏ ଯୁଗରେ ଗୋଟିଏ ପରିବାରରେ କେହି ଜଣେ ବ୍ୟକ୍ତି କିଛି ଗୋଟିଏ ଆଦର୍ଶ ରଖିଗଲେ ତାହା ବ୍ୟକ୍ତିବିଶେଷର ମୃତ୍ୟୁ ସଙ୍ଗେ ସଙ୍ଗେ ଲୋପ ପାଏ ନାହିଁ-ତାହା ବହୁକାଳ ପର୍ଯ୍ୟନ୍ତ ପରବର୍ତ୍ତୀ ବଂଶଧରମାନଙ୍କୁ ଅନୁପ୍ରାଣିତ କରେ ଏବଂ ସେମାନଙ୍କ କ୍ଷୀଣ ଧମନୀର ଶୀତଳ ଶୋଣିତକୁ ମଧ୍ୟ ବେଳେ ବେଳେ ଉଷ୍ଣ କରିଦିଏ ।

 

କେବଳ ବଡ଼ ବଡ଼ ବିଷୟରେ ଯେ ଗୃହକାର୍ଯ୍ୟ ତାଙ୍କର ଆଦର୍ଶ ଉଚ୍ଚ ରଖିବେ, ତାହା ନୁହେଁ । ସେ ସବୁ ବିଷୟରେ ବିଶେଷତଃ ଛୋଟ ଛୋଟ ଦୈନନ୍ଦିନ କାର୍ଯ୍ୟରେ ତାଙ୍କର ଆଦର୍ଶକୁ ଖର୍ବ କରିବେ ନାହିଁ । ପାନ ଭୋଜନ ଆହାର ବିହାର ସବୁଥିରେ ତାଙ୍କର ଆଦର୍ଶ ଓ ଆଚରଣ ଅଲକ୍ଷିତ ଭାବରେ ପରିବାର ମଧ୍ୟରେ ସମସ୍ତଙ୍କୁ ପ୍ରଭାବିତ କରେ । ସେ ଯଦି ଶାନ୍ତ, ସୁଶୀଳ, ସଂଯମୀ ଓ ଚରିତ୍ରବାନ ହେବେ, ଖୁବ ସମ୍ଭବ ତାଙ୍କ ପରିବାରର ସମସ୍ତେ ନୁହନ୍ତୁ ପଛକେ, ଅନେକେ ତାଙ୍କ ପରି ହେବେ । ତାଙ୍କର ନିଜର ଜୀବନର ଧର୍ମାନୁରାଗ ତାଙ୍କର ଶିଶୁ ସନ୍ତାନମାନଙ୍କୁ ଧାର୍ମିକ କରିବ ଏବଂ ତାଙ୍କର ସଂଯମହୀନତା ତାଙ୍କ ନିଜର କ୍ଷତି କରିବା ସଙ୍ଗେ ସଙ୍ଗେ ପରିବାର ଭିତରେ ହୀନ ଆଦର୍ଶର ସୃଷ୍ଟି କରି ଶତ ଶତ ନିରୀହ ପ୍ରାଣକୁ କଳୁଷିତ ଓ କଳଙ୍କିତ କରିବ । ପରିବାର ଭିତରେ ଛୋଟ ଛୋଟ ପିଲାମାନେ ବୟସ୍କମାନଙ୍କ ଆଚରଣର ଅନୁକରଣ କରିଥାନ୍ତି । ଯେଉଁ ପରିବାର ଭିତରେ ସଦଭ୍ୟାସ, ସଦାଚାର ଓ ସୁନୀତି ଯେତେ ପାଳିତ ହୁଏ, ସେଠାରେ ପାରିବାରିକ ଜୀବନ ସେତେ ଶୃଙ୍ଖଳାବଦ୍ଧ ଓ ପବିତ୍ର । ନିଜର ଶିଶୁ ସନ୍ତାନମାନଙ୍କୁ ଭଲ ରଖିବାକୁ ଯେଉଁମାନେ ଇଚ୍ଛା କରନ୍ତି, ସେମାନେ ନିଜେ ନୈତିକ ଜୀବନ ଯାପନ କରିବେ । ପରିବାରମାନଙ୍କରେ ସାଧୁ ସୁନ୍ଦର ଆଦର୍ଶ ଛଡ଼ା କେବଳ ପୁସ୍ତକଗତ ଜ୍ଞାନଦ୍ୱାରା ପରିବାର ଭିତରେ ଶିଶୁଜୀବନ ସୁନ୍ଦରରୂପେ କଦାପି ଗଠିତ ହୋଇପାରେ ନାହିଁ ।

 

ପରିବାରର କର୍ତ୍ତା ସାନ ବଡ଼ ସବୁ କର୍ଯ୍ୟରେ ନିଜେ ନିୟମାନୁବର୍ତ୍ତୀ ହୋଇ ପରିବାର ମଧ୍ୟରେ ସମସ୍ତେ ଯେପରି ନିୟମରେ ଚଳନ୍ତି, ତାହା ପ୍ରତି ଦୃଷ୍ଟି ଦେବେ । ସେ ନିଜେ ଠିକ୍ ସମୟରେ ଖାଇବେ, ଠିକ୍ ସମୟରେ ଶୋଇବେ, ସକାଳେ ଚଞ୍ଚଳ ଶଯ୍ୟାତ୍ୟାଗ କରିବେ, ଶଯ୍ୟାତ୍ୟାଗ ସଙ୍ଗେ ସଙ୍ଗେ ପ୍ରାତଃକୃତ୍ୟ ସବୁ ସମାପନ କରିବେ । ଏକ କଥାରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ସେ ଯେଉଁସବୁ ଗୁଣ ତାଙ୍କ ନିଜର ପିଲାମାନଙ୍କଠାରେ ଦେଖିବାକୁ ଆଶା ବା ଇଚ୍ଛା କରନ୍ତି, ସେ ନିଜେ ସେ ସବୁ ପାଳନ କରିବେ । ସେ ଯେବେ ନିଜେ ପ୍ରତ୍ୟୁଷରୁ ନ ଉଠିବେ, ତାଙ୍କର ପରିବାରର ଅନ୍ୟାନ୍ୟ ବ୍ୟକ୍ତିମାନେ ସାଧାରଣତଃ ଉଠିବାରେ ବିଳମ୍ବ କରିବେ । ସେ ଯଦି ସକାଳୁ ଉଠିବା ସଙ୍ଗେ ସଙ୍ଗେ ନିଜ ମୁଖ ଧୋଇ, ପରିଷ୍କାର କରି ଦାନ୍ତ ସଫା କରିବେ, ତାଙ୍କର ପିଲାମାନେ ଅତି ଶୈଶବରୁ ସେହି ଭଲ ଗୁଣଟି ଅନୁକରଣ କରି ଅଭ୍ୟାସ କରିଯିବେ । କର୍ତ୍ତା ଯଦି ପ୍ରତ୍ୟହ କୌଣସି ଉପାସନା, ଧର୍ମାନୁଷ୍ଠାନ ବା ଦେବ ଦର୍ଶନାଦି କିଛି କାର୍ଯ୍ୟ ନିୟମିତରୂପେ କରନ୍ତି, ତାହା ତାଙ୍କର ପରିବାରର ସମସ୍ତଙ୍କ ଭିତରେ ବିଶେଷତଃ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ନିଶ୍ଚୟ ସଂକ୍ରାମିତ ହେବ । କର୍ତ୍ତାଙ୍କର ସୁଶୀଳ, ଶାନ୍ତ, ସାଧୁ ବ୍ୟବହାର ବା ଚାକର ପ୍ରଭୃତିଙ୍କ ପ୍ରତି ଶିଷ୍ଟାଚରଣ ସେ ପରିବାରର ପିଲାମାନଙ୍କୁ ଅଲକ୍ଷିତ ଭାବରେ ସେସବୁ ଗୁଣଗୁଡ଼ିକ ଶିଖାଇଦେବ । ଯେଉଁ ପରିବାରର କର୍ତ୍ତା ସାମୟିକ କ୍ରୋଧର ବଶବର୍ତ୍ତୀ ହୋଇ ମଧ୍ୟ କେବେହେଁ ଅଶ୍ଲୀଳ ବା ରୁକ୍ଷ ବାକ୍ୟ ବ୍ୟବହାର ନ କରନ୍ତି ବା ହାତ ଟେକି କାହାକୁ ହେଲେ ଆଘାତ ନ କରନ୍ତି, ସେ ପରିବାରର ପିଲାଏ କେବେ ହେଁ କଥାରେ ବା କାର୍ଯ୍ୟରେ କାହାରି ପ୍ରତି କର୍କଶ ବ୍ୟବହାର କରିବେ ନାହିଁ । ଆହାର ବିହାର ବା ବ୍ୟବହାରରେ କର୍ତ୍ତାଙ୍କର ସଂଯମ ଓ ନିୟମାନୁବର୍ତ୍ତିତା ପରିବାର ମଧ୍ୟରେ ସମସ୍ତଙ୍କୁ ଅବଶ୍ୟ ସଂଯତ ଓ ନିୟମାନୁବର୍ତ୍ତୀ କରିଦେବ ।

 

ଗୃହକର୍ତ୍ତାଙ୍କ ଆଚରଣ ଓ ଉପଦେଶ କେତେଦୂର ପରିବାର ଭିତରେ ପ୍ରତିପାଳିତ ହେଉଅଛି, ତାହାପ୍ରତି ଦୃଷ୍ଟି ଦେବା ପରିବାରକର୍ତ୍ତାଙ୍କର କର୍ତ୍ତବ୍ୟ । ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସବୁ ସଦଭ୍ୟାସ ଓ ସୁନୀତିଗୁଡ଼ିକ ଯେପରି ସାନ ବଡ଼ ସମସ୍ତେ ପ୍ରତିପାଳନ କରନ୍ତି, ତାହା ଦେଖିବା ଉଚିତ । ଏସବୁ ଅଭ୍ୟାସଗୁଡ଼ିକ ଶିଶୁମାନଙ୍କ ଭିତରେ ବିଧିମତେ ପ୍ରତିପାଳିତ ହେଉଅଛି କି ନାହିଁ ଏବଂ ଶିଶୁ ଓ ବାଳକ ବାଳିକାମାନେ ନିଜ ଇଚ୍ଛାରେ ସେଗୁଡ଼ିକ ଆପଣାର ଅଭ୍ୟାସ କରି ନେଲେ କି ନାହିଁ, ତାହା ଦେଖିବା କର୍ତ୍ତାଙ୍କର ଉଚିତ । ବାଲ୍ୟକାଳରୁ କେତେଗୁଡ଼ିଏ ଭଲ ଅଭ୍ୟାସ କରାଇ ଦେଲେ ଉତ୍ତର ଜୀବନରେ ଆଉ କିଛି ଆଦେଶ ବା ଉପଦେଶ ଆବଶ୍ୟକ ହୁଏ ନହିଁ । ନିୟମଟାକୁ ଆପଣାର ଅଭ୍ୟାସ କରି ନେଲେ ମନୁଷ୍ୟକୁ ଜୀବନର କାର୍ଯ୍ୟ କରିବାକୁ କଷ୍ଟକର ବୋଧ ହୁଏ ନାହିଁ-

 

ପରିବାରର କର୍ତ୍ତା ପରିବାର ମଧ୍ୟରେ ବିଭିନ୍ନ ପ୍ରକୃତି ଓ ବିଭିନ୍ନ ରୁଚିର ଲୋକଙ୍କ ସଙ୍ଗେ ବ୍ୟବହାର କରୁଥିବାରୁ ସେ ବ୍ୟକ୍ତିବିଶେଷର ରୁଚି ଦେଖି ସେହିପରି ବ୍ୟବହାର କରିବେ । ଖାଇବା ପିଇବାରେ କାହାର କେଉଁ ଖାଦ୍ୟରେ ରୁଚି ବା ଅରୁଚି, ତାହା ବୁଝି ରଖିବେ । ଗୃହର ପ୍ରତି ବ୍ୟକ୍ତିର ବ୍ୟକ୍ତିଗତ ରୁଚି ବା ଇଚ୍ଛା ଭଲ କରି ବୁଝି ସେହି ଅନୁସାରେ କାର୍ଯ୍ୟ କଲେ ପରିବାରରେ ଶାନ୍ତି ଓ ସୁଖ ଆସେ ଏବଂ ସମସ୍ତେ କର୍ତ୍ତାଙ୍କର ବ୍ୟବହାରରେ ସନ୍ତୋଷ ଉପଭୋଗ କରନ୍ତି ।

 

ପରିବାରର କର୍ତ୍ତା ସ୍ୱାର୍ଥତ୍ୟାଗୀ ହେବା ଆବଶ୍ୟକ । ଏକାନ୍ନବର୍ତ୍ତୀ ପରିବାରରେ, ବିଶେଷତଃ ବହୁ କୁଟୁମ୍ବ ମଧ୍ୟରେ ରହିଲେ ଅନେକ ସମୟରେ ନାନା ସ୍ୱାର୍ଥର ସଂଘର୍ଷ ଘଟିଥାଏ । କୁଟୁମ୍ବର ସମୂହ ମଙ୍ଗଳ ପ୍ରତି ଲକ୍ଷ୍ୟ ରଖି ଗୃହର କର୍ତ୍ତା ନିଜ ସୁଖସ୍ୱାଚ୍ଛନ୍ଦ୍ୟକୁ ବଳି ଦେବା ଉଚିତ । ଯେ ଯେଉଁ ପରିମାଣରେ ଏହି ସ୍ୱାର୍ଥକୁ ବଳି ଦେଇ ପାରେ, ସେ ଏକା ସେହି ପରିମାଣରେ କର୍ତ୍ତାପଦର ଉପଯୁକ୍ତ । ଏକାନ୍ନବର୍ତ୍ତୀ ପରିବାରର କର୍ତ୍ତା ହୋଇ ସ୍ୱାର୍ଥତ୍ୟାଗ ନ କଲେ ସେ ପରିବାରରେ ସୁଖ ଶାନ୍ତି ମିଳିବା ଅସମ୍ଭବ । ଗୃହର କର୍ତ୍ତା ସମସ୍ତଙ୍କୁ ସମାନ ଚକ୍ଷୁରେ ଦେଖି ନିଜର ସ୍ୱାର୍ଥକୁ ପରିବାରର ସ୍ୱାର୍ଥ ନିମିତ୍ତ ପରିତ୍ୟାଗ କରିବେ । ସେ ପରିବାର ମଧ୍ୟରେ ସମସ୍ତଙ୍କୁ ଆପଣାର ଭାବିବେ । ସେଠାରେ ସେ ଭେଦବୁଦ୍ଧି କିଛି କରିବେ ନାହିଁ । ତାଙ୍କ ପ୍ରତି ତାଙ୍କ ନିଜର ପୁତ୍ର କନ୍ୟାଗୁଡ଼ିକ ଯେପରି ପ୍ରିୟ, ତାଙ୍କ ପରିବାରର ଅନ୍ୟଗୁଡ଼ିକ ସେହିପରି ପ୍ରିୟ ହେବା ପାରିବାରିକ ସୁଖ ଶାନ୍ତିର ଲକ୍ଷଣ । ଏ ସବୁର ଅଭାବ ହେଲେ ଏକାନ୍ନବର୍ତ୍ତୀ ପରିବାରର ସୁଖ ଶାନ୍ତି ଲୋପ ପାଏ ଏବଂ ନାମକୁ ଏକାନ୍ନବର୍ତ୍ତୀ ପରିବାର ଥିଲେ ସୁଦ୍ଧା ପରିବାରର ମାଧୁର୍ଯ୍ୟ ଓ ମହତ୍ତ୍ୱ ବିନଷ୍ଟ ହୁଏ ।

 

ପରିବାରର କର୍ତ୍ତା କେବଳ ଯେ ପରିବାରର ମନୁଷ୍ୟମାନଙ୍କର ସୁଖ ସ୍ୱାଚ୍ଛାନ୍ଦ୍ୟ ବା ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଲେ ହେବ; ତାହା ନୁହେଁ, ତାହାଙ୍କୁ ଗୃହର ପ୍ରତ୍ୟେକ ଜୀବଜନ୍ତୁ ପ୍ରତି ମଧ୍ୟ ଯତ୍ନବାନ ହେବାକୁ ହେବ । ସେ ଗୃହପାଳିତ ଗୋମେଷାଦି ପଶୁମାନଙ୍କର ଖାଇବା, ଶୋଇବା ପ୍ରତି ଦୃଷ୍ଟି ଦେବେ । କେବଳ ଭୃତ୍ୟମାନଙ୍କ ଉପରେ ସେମାନଙ୍କ ଭାର ଦେଇ ନିଶ୍ଚିନ୍ତ ରହିବା ଗୃହକର୍ତ୍ତାଙ୍କର ଉଚିତ ନୁହେଁ । ଯେଉଁ ଗୃହର କର୍ତ୍ତା ଗୃହପାଳିତ ପଶୁ ପକ୍ଷୀମାନଙ୍କ ଯତ୍ନ ନେବାକୁ ନିଜେ ଅସମର୍ଥ, ତାଙ୍କର ସେପରି ପଶୁପକ୍ଷୀଙ୍କୁ ଗୃହରେ ରଖିବା ଅନୁଚିତ । ଆପଣା ପରିବାରର ପିଲାମାନେ ଖାଇଲେ କି ନ ଖାଇଲେ ବୁଝିବା ଯେପରି କର୍ତ୍ତବ୍ୟ, ଘରେ ବନ୍ଧା ହୋଇଥିବା ଗୋରୁଗୁଡ଼ିକ ଠିକ୍ ସମୟରେ ଖାଇଲେ କି ନାହିଁ, ତାହା ବୁଝିବା ମଧ୍ୟ ସେହିପରି ଉଚିତ । ଗୃହପାଳିତ ପଶୁ ପକ୍ଷୀମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା ପ୍ରତି ଗୃହକର୍ତ୍ତାଙ୍କର କର୍ତ୍ତବ୍ୟ । ସେସବୁ ଜୀବଜନ୍ତୁଙ୍କର ରୋଗ ହେଲେ ବିଧିମତେ ସେମାନଙ୍କର ସେବା ଶୁଶ୍ରୂଷା କରିବାରେ ତ୍ରୁଟି କରିବା ଆଦୌ ଉଚିତ ନୁହେଁ । ଭଗବାନଙ୍କ ଚକ୍ଷୁରେ ମନୁଷ୍ୟ ଯେପରି, କ୍ଷୁଦ୍ର ଘରଚଟିଆ ଚଢ଼େଇଟିଏ ମଧ୍ୟ ସେହିପରି, ଏହି ଧର୍ମଭାବ ଟିକକ ପ୍ରତି ପରିବାର କର୍ତ୍ତାଙ୍କର ସ୍ମରଣ ରଖିବା ସର୍ବଦା ଉଚିତ ।

Image

 

ପରିବାରରେ ସଂଯମ ଓ ମିତବ୍ୟୟିତା

 

ଆମ ଦେଶରେ ଅନୁସନ୍ଧାନ କଲେ ଜଣାଯିବ ଯେ, ଶତକଡ଼ା ନବେ ପରିବାର ଅଭାବର ତାଡ଼ନାରେ ପ୍ରତ୍ୟହ ବ୍ୟତିବ୍ୟସ୍ତ । ଆଜିକାଲି ଯେତେଆଡ଼ୁ ଯେତେ ଉପାୟରେ ଆୟ କରୁଅଛି, ତାହା ତାହାର ଅଭାବ ପୂରଣ ପକ୍ଷରେ ଯଥେଷ୍ଟ ହେଉନାହିଁ । ଏ ଅଭାବର କଥା ଆଲୋଚନା କଲେ ହଠାତ୍ ଏହି କଥା ମନେ ହୁଏ- ଆମ୍ଭମାନଙ୍କର ଅଭାବଗୁଡ଼ିକ କେଉଁ ଶ୍ରେଣୀର, ଏ ଅଭାବଗୁଡ଼ିକ ମଧ୍ୟରେ କେତେଗୁଡ଼ିଏ ପ୍ରକୃତ ଅଭାବପଦବାଚ୍ୟ ଏବଂ ଆଉ କେତେ ଗୁଡ଼ିଏ ଆମ୍ଭମାନଙ୍କର ହାତଗଢ଼ା, ମନଗଢ଼ା ଅଭାବ । ଏହି ପ୍ରକୃତ ଅଭାବ ଓ ହାତଗଢ଼ା ମନଗଢ଼ା ଅଭାବର ତାଡ଼ାନାରେ ପ୍ରତି ପରିବାର ଅଳ୍ପାଧିକ ପରିମାଣରେ ଜର୍ଜରିତ । ଏହି ଅଭାବ ମଧ୍ୟ ପୂର୍ଣ୍ଣ ହେବାର ସାଧୁ ଉପାୟ ନ ପାଇ ଆମ୍ଭମାନଙ୍କ ସ୍ୱଭାବକୁ ଅନେକ ସମୟରେ ନଷ୍ଟ କରୁଅଛି । ଆମ୍ଭମାନଙ୍କର କୌଣସି ଅଭାବ ବୋଧ ହେଲେ ଭାବିବାକୁ ହେବ, ଏ ଅଭାବ କେତେଦୂର ଯଥାର୍ଥ ଅଭାବ ଶ୍ରେଣୀର; ଏ ପଦାର୍ଥଟି ନ ହେଲେ ପ୍ରକୃତରେ କିଛି କ୍ଷତି ବା ହାନି ହୋଇ ପାରେ କି ନାହିଁ । ଏହିପରି ପ୍ରତି ଅଭାବର ଆବିର୍ଭାବ ବେଳେ ଟିକିଏ ଧୀର ସ୍ଥିର ଭାବରେ ବିଶ୍ଳେଷଣ କଲେ ଅନେକଗୁଡ଼ିଏ ଅଭାବର ଆବଶ୍ୟକତା ଚାଲିଯାଏ । ଯେଉଁ ଲୋକ ମଫସଲରେ ଥାଏ, ସେ ସହରକୁ ଆସିଲେ ନାନା ଚାକଚକ୍ୟମୟ ପଦାର୍ଥ ଦେଖିଲା ମାତ୍ରକେ ତାର ସେ ସବୁ ପଦାର୍ଥ ଭିତରୁ ଅନେକ ଗୁଡ଼ିଏ ନିଜର ଅଭାବ ଥିଲା ପରି ସେ ବୋଧ କରେ । କିନ୍ତୁ ପ୍ରକୃତରେ ସେଗୁଡ଼ିକ ତାହାର ଅଭାବ ନୁହେଁ, ସେଗୁଡ଼ିକ ତାହାର କଳ୍ପିତ ବା ମନଗଢ଼ା ଅଭାବ ମାତ୍ର । ଏହିପରି କଳ୍ପିତ ଅଭାବ ଆମ୍ଭମାନଙ୍କ ମନରେ ଜାଗ୍ରତ ହୋଇଥିବାରୁ ଆମ୍ଭମାନଙ୍କ ଦେଶରେ ବିଦେଶର ଏତେ କୋଟି କୋଟି ଟଙ୍କାର ବିଳାସର, ସୌଖିନର ଆଖିଝଲସା ଜିନିଷ ବିକ୍ରି ହେଉଅଛି । ଯେଉଁ ଦେଶରେ ସେ ସବୁ ପଦାର୍ଥ ନିର୍ମିତ ହେଉଅଛି, ସେଠାର ଲୋକେ ଯେଉଁ ପଦାର୍ଥକୁ କାଚମୂଲ୍ୟରେ କ୍ରୟ କରିବେ ନାହିଁ, ଆମ୍ଭେମାନେ ଏ ଦେଶରେ ସେ ସବୁକୁ କାଞ୍ଚନ ମୂଲ୍ୟରେ କ୍ରୟ କରୁଅଛୁ । କୋଡ଼ିଏ ତିରିଶ ବର୍ଷ ପୂର୍ବରେ ଏ ସବୁ ପଦାର୍ଥର ଯେତେ ଅଭାବ ଆମ୍ଭମାନଙ୍କ ଦେଶରେ ବୋଧ ହେଉ ନ ଥିଲା, ଆଜିକାଲି ସେ ସବୁର ଅଭାବ ଶତଗୁଣରେ ବଢ଼ିଅଛି । ଏ କେବଳ ଆମ୍ଭମାନଙ୍କ ପରି ବୁଦ୍ଧିବିଚାର ଶୂନ୍ୟ ଲୋକଙ୍କର ମାନସିକ କ୍ରିୟାର ସୂଚନା ଦେଉଅଛି ମାତ୍ର । ଧନିକମାନଙ୍କ ମଧ୍ୟରେ ଏ ରୋଗର ମାତ୍ରା ବେଶି ପରିମାଣରେ ବଢ଼ିଥିଲେ ହେଁ ଅତି ସାମାନ୍ୟ ଗୃହସ୍ଥ ମଧ୍ୟ ଏ ପାପରୁ ଆଜିକାଲି କାଳରେ ଏ ଦେଶରେ ମୁକ୍ତି ଲଭି ନାହିଁ । ଘରର ସାଜସଜ୍ଜାଠାରୁ ଆରମ୍ଭ କରି ନିଜର ଖାଇବା ପିନ୍ଧିବା ବସିବା ହସିବା କାଶିବା ସବୁଥିରେ ଏ ବୈଦେଶିକ ଆକ୍ରମଣରୁ ଏ ଦେଶର ଅଳ୍ପ ଲୋକେ ମୁକ୍ତ । ଏହା ଯେପରି ଏକ ପକ୍ଷରେ ଏ ଦେଶର ବିଚାରଶୂନ୍ୟତା ଦେଖାଉଅଛି, ସେହିପରି ମଧ୍ୟ ରୁଚିବିକାର ଆଣି ଏ ଦେଶକୁ ଓ ସମାଜକୁ ଅନ୍ତଃସାରଶୂନ୍ୟ କଙ୍କାଳମୟ ଚର୍ମାବରଣଟିଏ କରି ରଖିଅଛି ।

 

ଉପରେ ସମାଜ ବା ଦେଶ ବିଷୟରେ ଯାହା କୁହାଗଲା, ତାହା ଏ ଦେଶରେ ପ୍ରତି ପରିବାର ପକ୍ଷରେ ମଧ୍ୟ ପ୍ରଯୋଜ୍ୟ । ସଂଯମର ଅଭାବରୁ ଆଜିକାଲି ଆମ ଦେଶରେ ଏତେ ଅଭାବ ଓ ଅଭାବ ପୂରଣ ପାଇଁ ମର୍ମବେଦନା ଉପସ୍ଥିତ ହେଉଅଛି ଯେ, ସେ ହାହାକାରରେ ଚତୁର୍ଦ୍ଦିଗ ପରିପୂର୍ଣ୍ଣ କହିଲେ ଅତିରଞ୍ଜିତ ହେବ ନାହିଁ । ବାଟରେ ଘାଟରେ ଯାହାକୁ ଦେଖିବ ସେ କହୁଛି, ‘ମୋର ଅଭାବ’ । ଶତରେ ବା ସହସ୍ରରେ ଜଣେ ହେଲେ ମିଳୁନାହିଁ, ଯେ ସନ୍ତୋଷାମୃତ ପାନ କରି ବିମୁଗ୍‌ଧ । ଏ ଦୁରାକାଙ୍‌କ୍ଷା ଓ ଅଭାବର ବିଷଜ୍ୱାଳା ଏ ଯୁଗରେ ମାନବ ଜୀବନର ସକଳ ଶାନ୍ତି ସୁଖ ହରଣ କରି ନେଉଅଛି ଏବଂ ସମଗ୍ର ଦେଶଟାକୁ ଗୋଟିଏ ହାହାକାରପୂର୍ଣ୍ଣ କାରାଗାରରେ ପରିଣତ କରିଅଛି । ଜୀବନର ପ୍ରତି ମୁହୂର୍ତ୍ତରେ ଯାହାର ଶାନ୍ତି ରହିଲା ନାହିଁ ଏବଂ ଯେ ମନେ କଲା ଅଭାବ ମୋର ଅହୋରାତ୍ର ସର୍ବନାଶ ସାଧନ କରୁଅଛି, ସେ ବ୍ୟକ୍ତି ପକ୍ଷରେ ଜୀବନର କେଉଁ ସୁଖ ଅବା ସମ୍ଭବପର ?

 

ତେବେ ବ୍ୟକ୍ତିଗତ ଜୀବନରେ ବା ପାରିବାରିକ ଜୀବନରେ ଏ ଅଭାବ ବା ଅଶାନ୍ତିରୁ ମୁକ୍ତିଲାଭର କି ଉପାୟ ଅଛି, ଏହି ପ୍ରଶ୍ନ ସ୍ୱତଃ ଜାତ ହୁଏ । ଏ ପ୍ରଶ୍ନର ଏକମାତ୍ର ଉତ୍ତରସଂଯମ । ପରିବାରରେ ସଂଯମ ଅଭ୍ୟାସ କଲେ ପରିବାରର ଅଶାନ୍ତି ଦୂର ହୋଇ ପରିବାରକୁ ସୁଖ ସମୃଦ୍ଧି ଆସି ପାରେ । ଖାଇବାରେ, ପିଇବାରେ, ରହିବାରେ, ବ୍ୟବହାରରେ ସବୁଥିରେ ପାରିବାରିକ ଜୀବନରେ ସଂଯମ ଅଭ୍ୟାସ କରି ନ ଚଳିଲେ ଆଜିକାଲି ସମୟରେ ନିର୍ଦ୍ୱନ୍ଦରେ ଚଳିଯିବା କଠିନ ବ୍ୟାପାର । ଆପଣାର ଅବସ୍ଥା ଦେଖି ବ୍ୟବସ୍ଥା କରିବା, ଆୟ ଦେଖି ବ୍ୟୟ କରିବାକୁ ସର୍ବଦା ଓ ସର୍ବଥା ଯତ୍ନ କରିବା ଏ ରୋଗର ଏକମାତ୍ର ଉପାୟ ।

 

ଏ ବିଳାସ ଓ ଚାକଚକ୍ୟର ଯୁଗରେ ଏ ଦେଶର ଅବସ୍ଥା ଏପରି ହୋଇଅଛି ଯେ, ପ୍ରତି ଲୋକର ଆୟ ଅପେକ୍ଷା ବ୍ୟୟ ପ୍ରାୟ ବେଶି ହେଉଅଛି । ସମାଜ ପକ୍ଷରେ ଏହା ଶୁଭ ଲକ୍ଷଣ ନୁହେଁ । ଯେଉଁ ଲୋକ ବା ସମାଜ ନିଜର ଆୟ ଦେଖି ବ୍ୟୟ କରିବାକୁ ଶିଖିନାହିଁ, ତାହାର ପତନ ସ୍ୱତଃସିଦ୍ଧ । ନିଜର ଅବସ୍ଥାକୁ ଭଲକରି ଦେଖି ତଦନୁରୂପ ବ୍ୟବସ୍ଥା କରିବାକୁ ଅଭ୍ୟାସ କରିବା ପ୍ରତି ଗୃହସ୍ଥର କର୍ତ୍ତବ୍ୟ । ଆପଣାର ପ୍ରତିବେଶୀ, ଜ୍ଞାତି କୁଟୁମ୍ବ ବା ବନ୍ଧୁ ବାନ୍ଧବ ଏପରି ଆଡ଼ମ୍ବରରେ ଚଳୁଅଛନ୍ତି, ଅତଏବ ଆମକୁ ସେହିପରି ଚଳିବାକୁ ହେବ, ଆମର ଅମୁକ ବନ୍ଧୁ ନିଜର ପୁଅ ଝିଅ ବିଭାଘରେ ଏତେ ସହସ୍ର ଟଙ୍କା ଖର୍ଚ୍ଚ କରି ନାମ କରିଅଛନ୍ତି, ଆମକୁ ନିଜର ଜମିବାଡ଼ି ବିକିକରି ମଧ୍ୟ ସେହିପରି ନାମ କରିବାକୁ ହେବ, ଏପରି ଚିନ୍ତା ମନରେ ପୋଷଣ କଲେ ସେ ଗୃହସ୍ଥର ନିଶ୍ଚୟ ସର୍ବନାଶ ଘଟିବ, ଏଥିରେ ସନ୍ଦେହ ନାହିଁ । ପୋଷାକ ପରିଚ୍ଛନ୍ଦର ଆଡ଼ମ୍ବର ବା ଜୀବନଯାତ୍ରା ନିର୍ବାହରେ ବିଳାସିତା ବା ଚାକଚକ୍ୟ କୌଣସି ପରିବାରର ଭଦ୍ରତା ବୁଦ୍ଧି କରି ପାରେ ନାହିଁ । ପ୍ରକୃତ ଲୋକ ସେ ସବୁ ବାହାରର ଚାକଚକ୍ୟରେ ମୁଗ୍‌ଧ ହୁଅନ୍ତି ନାହିଁ । ପରିବାର ମଧ୍ୟରେ ସାଧୁ ଆଚରଣ, ସତ୍‌ ସ୍ୱଭାବ, ନିର୍ମଳ ଚରିତ୍ର ଓ ସରଳ ଅକପଟ ବ୍ୟବହାର ଦଶଜଣଙ୍କର ମନୋହାରୀ ହୁଏ ଏବଂ ଦଶଜଣଙ୍କ ଚକ୍ଷୁରେ ପରିବାରର ମୂଲ୍ୟ ବଢ଼ାଏ । ଏ ସବୁ ପ୍ରତି ଆସ୍ଥା ନ ରଖି ବାହାରର ପୋଷାକ ପରିଚ୍ଛଦ, ବାଣ ରୋସନାଇ, ନାଚ ତାମସାରେ ଭଦ୍ରତାର ସୀମା ନିରୂପଣ କରିବା ଦରିଦ୍ର ଗୃହସ୍ଥର ବୁଦ୍ଧିହୀନତାର ପରିଚାୟକ ।

 

ଏହିପରି ଜନତାର ଅସାର ବାହାବା କୁହାଟ ଲୋଭରେ ଆମ ଦରିଦ୍ର ଦେଶର କେତେ ପରିବାରର କେତେ ଭୂସମ୍ପତ୍ତି ପୁଅ ଝିଅଙ୍କ ବିଭାଘରରେ, କର୍ଣ୍ଣବୋଧରେ ଭଡ଼ିଯାଇ ଶେଷକୁ ପରିବାରର ସାମାନ୍ୟ ଗ୍ରାସାଚ୍ଛାଦନର ଅଭାବ ଆଣିଅଛି ! ବିଭାଘର, ବ୍ରତଘର, ଶୁଦ୍ଧଘର ପ୍ରଭୃତିରେ ନିଜର ଅବସ୍ଥାର ଅତିରିକ୍ତ ଖର୍ଚ୍ଚ ନ କରି କେତୋଟି ପରିବାର ରହିଥାନ୍ତି ? କେବଳ ଏ ସବୁ ବିଷୟରେ ଲୋକାଚାର ଆମ୍ଭମାନଙ୍କର ବିଚାରଶକ୍ତିକୁ ଅନ୍ଧ କରି ଦେଇଥାଏ । ଏ ବିଷୟମାନଙ୍କରେ ଆମ ଦେଶର ଶିକ୍ଷିତ ଓ ଅଶିକ୍ଷିତମାନେ ସମାନ ପରିମାଣରେ ଦୋଷୀ । ଅବଶ୍ୟ ଶୁଭାଶୁଭ କାର୍ଯ୍ୟରେ ଆମୋଦପ୍ରମୋଦ, ଜ୍ଞାତି କୁଟୁମ୍ବ ବନ୍ଧୁବାନ୍ଧବଙ୍କ ଭୋଜନ ପ୍ରତି କେହି ଆକ୍ଷେପ କରିବେ ନାହିଁ; କିନ୍ତୁ ତାହା ଯେପରି ଅବସ୍ଥାର ଅତିରିକ୍ତ ନ ହୁଏ । ଖର୍ଚ୍ଚ ହେଉ ହେଉ ଯେଉଁ ପର୍ଯ୍ୟନ୍ତ ଗଲା, ଏହା ଖର୍ଚ୍ଚ କରିବାର ପଦ୍ଧତି ନୁହେଁ । ନିଜର ଅବସ୍ଥାରେ କେତେ ଖର୍ଚ୍ଚ କରିବା ସମ୍ଭବପର, ତାହା ଠିକ୍ କରି ନେଇ ସେତିକି ଟଙ୍କା କିପରି ସବୁ ଦିଗରେ ବିଛାଣି ହୋଇପାରେ, ତାହା କରିଦେବା ଖର୍ଚ୍ଚ କରିବାର ବିଧି । କେବଳ ସେହିପରି ସୁସଂଯତ ବିଧାନଦ୍ୱାରା ନିଜର ମାନସମ୍ମାନ ସଙ୍ଗେ ସଙ୍ଗେ ପରିବାରର ବିଷୟ ସମ୍ପତ୍ତି ରକ୍ଷା ହୋଇ ପାରେ ।

 

ଯେଉଁ ଗୃହସ୍ଥର ଯାହା ଆୟ, ତାହା ଦେଖି ତାର ବର୍ଷକର ବ୍ୟୟର ବନ୍ଦୋବସ୍ତ କରିବା ଉଚିତ । ମୁଢ଼ି, ଉଖୁଡ଼ା, ଚୁଡ଼ାଭୁଜରେ ଯେବେ ପିଲାମାନଙ୍କର ଜଳଖିଆ ଚଳେ, ତେବେ କେବଳ ବାହାରର ଆଡ଼ମ୍ବରରେ ବଜାର ହାଟରୁ ପଚା ସଢ଼ା ମିଠାଇ ଜଲବି କିଣି ପିଲାଙ୍କୁ ଦେବା ସାଧାରଣ ଗୃହସ୍ଥ ପକ୍ଷରେ ଉଚିତ ନୁହେଁ । ଅଳ୍ପ ଖର୍ଚ୍ଚରେ ଯେପରି ସ୍ୱାସ୍ଥ୍ୟକର, ଅପେକ୍ଷାକୃତ ପୁଷ୍ଟିକର ଖାଦ୍ୟ ପରିବାର ଭିତରେ ସମସ୍ତେ ପାଆନ୍ତି, ତାହା ପ୍ରତି ଗୃହସ୍ଥ ନିଜର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଉଚିତ । ଆଜି ଖୁବ୍ ଆଡ଼ମ୍ବରରେ ଭୋଜନର ବ୍ୟବସ୍ଥା କରି କାଲି ଦୈନିକ ଖର୍ଚ୍ଚ କରିବାକୁ ଅନ୍ୟ ପାଖରେ ଧାର ଉଧାର କରିବାକୁ ବାହାରିବା ଅତି ଅସୁନ୍ଦର । ସଂଯତ ଓ ମିତବ୍ୟୟୀ ଗୃହସ୍ଥ ଏପରି ଚଳୁଥିବ, ଯେପରି କି କୌଣସି ସମୟରେ ତାକୁ ନିଜର ଅଭାବ ମୋଚନ ସକାଶେ ଅନ୍ୟର ଦ୍ୱାରସ୍ଥ ହେବାକୁ ନ ପଡ଼େ । ଋଣଠାରୁ ବଳି ମନୁଷ୍ୟର ଆତ୍ମସମ୍ମାନହାନିକର, ସୁଖଶାନ୍ତିବିନାଶକ ପଦାର୍ଥ ଆଉ କିଛି ଅଛି କି ନାହିଁ ସନ୍ଦେହ । ଯେଉଁ ଗୃହସ୍ଥ ୠଣ କରିବାକୁ ଆରମ୍ଭ କଲା, ଜାଣିବାକୁ ହେବ, ତାହାର ଦୁଦ୍ଦର୍ଶାର ଆରମ୍ଭ ହେଲା । ଯେ ଋଣ କରିବାକୁ ନିଜ ଜୀବନରେ ଅନ୍ୟର ଦ୍ୱାରସ୍ଥ ହୋଇ ନାହିଁ, ତାହାକୁ ଭାଗ୍ୟବାନ ମନେ କରିବାକୁ ହେବ । ଋଣ ଗୃହସ୍ଥ ଜୀବନର ପରମ ଶତ୍ରୁ । ସର୍ବ ପ୍ରଯତ୍ନରେ ତାହାଠାରୁ ଦୂରରେ ରହିବାକୁ ଚେଷ୍ଟା କରିବା ପ୍ରତି ଗୃହସ୍ଥର କର୍ତ୍ତବ୍ୟ ।

 

ବିଭାଘର, ବ୍ରତଘର ପ୍ରଭୃତି ସାମାଜିକ କାର୍ଯ୍ୟରେ ଅବସ୍ଥାର ଅତିରିକ୍ତ ଖର୍ଚ୍ଚକରି ଶେଷକୁ ଋଣଜାଲରେ ପଡ଼ି ଛଟପଟ ହେବା ପରେ ଅସୁନ୍ଦର, ଘରର ସାଜସଜ୍ଜା ଓ ଆଡ଼ମ୍ବର କରିବାକୁ ବା ପରିବାରର ସ୍ତ୍ରୀଲୋକମାନଙ୍କର ଅଳଙ୍କାର ପ୍ରଭୃତିରେ ଖର୍ଚ୍ଚ କରିବାକୁ ଅବସ୍ଥାର ବାହାରେ ଯିବା ସେହିପରି ଲଘୁଚିତ୍ତତାର ଲକ୍ଷଣ । ମୋଟ କଥା ଏତିକି ଯେ, ଯାହାର ଯେପରି ଅବସ୍ଥା, ତାହାର ସମ୍ୟକ୍ ଆଲୋଚନା କରି ଦେଖଣାହାରୀ ଦଶଜଣଙ୍କର ମତାମତକୁ ନ ଅନାଇ ସେ ନିଜେ ଯାହା ଉପଯୁକ୍ତ ମନେ କରିବ, ତାହା କରିଯିବା ଉଚିତ । ସାହାଖର୍ଚ୍ଚୀ ଲୋକ ଜୀବନରେ ମହା ଦୁଃଖ ଭୋଗ କରିଥାନ୍ତି, ଏ କଥା ଯେପରି ପ୍ରତି ଗୃହସ୍ଥର ମନେ ଥାଏ । ସଂଯମ ଓ ମିତବ୍ୟୟିତା, ଗାର୍ହସ୍ଥ୍ୟ ଜୀବନର ସୁଖଶାନ୍ତିର ନିୟାମକ ।

 

ପ୍ରତି ଗୃହସ୍ଥର ସଞ୍ଚୟଶୀଳ ହେବା ଉଚିତ । ପ୍ରତ୍ୟହ କିଛି କିଛି ନିୟମିତରୂପେ ସଞ୍ଚୟ କଲେ ସମୟରେ ତାହା କେତେକ ବର୍ଷ ପରେ ଗୋଟିଏ ବଡ଼ କାର୍ଯ୍ୟ ଉଠାଇ ଦେଇ ପାରେ । ଯେଉଁ ଗୃହସ୍ଥର ଘରେ ପ୍ରତିଦିନ ଗୋଟିଏ ଟଙ୍କା ବଜାରକୁ ଯାଏ, ସେ ଯଦି ଆଖି ବୁଜି ସେଥିରୁ ଗୋଟିଏ ଅଣା ନିୟମିତରୂପେ ସରାଗାତରେ ବା ଚାବିବନ୍ଦ ଥିବା ବାକ୍ସରେ ପକାଇଦେଇ ପାରେ, ତେବେ ସମୟରେ ତାହା ଗୋଟିଏ ବଡ଼ ଅଭାବ ପୂରଣ କରି ପାରେ । ଦରିଦ୍ର ଗୃହସ୍ଥମାନଙ୍କର ସଂସାରଯାତ୍ରା ଚଳିବା ପକ୍ଷରେ ଏଗୁଡ଼ିକ ଆବଶ୍ୟକ । ଅବଶ୍ୟ ଭଗବାନ ଯେଉଁମାନଙ୍କୁ ଐଶ୍ୱର୍ଯ୍ୟର କୋଳରେ ଜନ୍ମ ଦେଇଅଛନ୍ତି, ସେମାନଙ୍କର ସରାଗାତରେ ଚାରି ପଇସା ପ୍ରତ୍ୟହ ରଖିବା ଆବଶ୍ୟକ ହୋଇ ନପାରେ । ଦୈନିକ ଖର୍ଚ୍ଚ ଉପରେ ଗୋଟିଏ ଆୟକର ବସାଇ ସେତକ ପ୍ରତ୍ୟହ ନିୟମିତରୂପେ ରଖି ଦେଲେ ପ୍ରତି ପରିବାରରେ ଅବସ୍ଥାନୁରୂପ ଗୁଡ଼ିଏ ଟଙ୍କା ଜମି ଯାଇ କୌଣସି ସାମୟିକ ଅଭାବ ପୂରଣ କରି ପାରିବ । ଏହିପରି ସାମାନ୍ୟ ସାମାନ୍ୟ ବିଧାନଦ୍ୱାରା ମିତବ୍ୟୟିତା ଅଭ୍ୟାସ କଲେ ପରିବାରର ମଙ୍ଗଳ ହୁଏ ଏବଂ ସଙ୍ଗେ ସଙ୍ଗେ ଗୋଟିଏ ଭଲ ଗୁଣ ପରିବାରର ସମସ୍ତେ ଶିକ୍ଷା କରନ୍ତି । ଯେଉଁ ଖର୍ଚ୍ଚ ପାଞ୍ଚ ବର୍ଷ, ଦଶ ବର୍ଷ ବା କୋଡ଼ିଏ ବର୍ଷପରେ ସମ୍ଭବପର, ତାହାପାଇଁ ଦରିଦ୍ର ଗୃହସ୍ଥ କିଛି ନିୟମିତରୂପେ ଜମା କରି ରଖିଲେ ସେ ସମୟରେ ସେ ଖର୍ଚ୍ଚ ଉଠିବା ପକ୍ଷରେ ବଡ଼ ସାହାଯ୍ୟ କରି ପାରେ । ଅବଶ୍ୟ ସବୁ ଆକସ୍ମିକ ଖର୍ଚ୍ଚପାଇଁ ପୂର୍ବରୁ ବ୍ୟବସ୍ଥା କରି ପାରିବା ସହଜ ବା ସମ୍ଭବପର ନୁହେଁ; ମାତ୍ର ଯେଉଁ ସବୁ ବ୍ୟୟ ନିଶ୍ଚୟ ଆଗକୁ ପଡ଼ିବାର ସମ୍ଭାବନା, ତାହା ପାଇଁ ଦରିଦ୍ର ଗୃହସ୍ଥ ସରାଗାତ ଭଳି ଉପାୟରେ କିଛି କିଛି ରଖି ପାରିଲେ ମହାଜନ ଦୁଆରକୁ ଦଉଡ଼ିବା ଅପମାନ ଓ ଯନ୍ତ୍ରଣାରୁ କେତେକ ପରିମାଣରେ ରକ୍ଷା ମିଳି ପାରେ । ପ୍ରତି ଗୃହସ୍ଥ ନିଜର ଦୈନନ୍ଦିନ ବ୍ୟୟସଙ୍କୋଚ କରି ଭବିଷ୍ୟତ ଆପଦ ଓ ଆବଶ୍ୟକ ମୋଟ ଖର୍ଚ୍ଚପାଇଁ କିଛି କିଛି ସଞ୍ଚୟ କରିବା ସର୍ବଦା ଆବଶ୍ୟକ ।

 

ଅପବ୍ୟୟ ଦ୍ୱାରା ଅଭାବର ସୃଷ୍ଟି ହୁଏ । ମିତବ୍ୟୟିତା ଗୋଟିଏ ମୂଲ୍ୟବାନ ସମ୍ପତ୍ତି ମଧ୍ୟରେ ପରିଗଣିତ । ଅନେକ ଉପାର୍ଜନ କରି ସୁଦ୍ଧା ସଞ୍ଚୟ କରି ପାରନ୍ତି ନାହିଁ । ଯେ ଭଲ ଗାଡ଼ିଚାଳକ ସେ ସଂକୀର୍ଣ୍ଣ ପଥରେ ସୁଦ୍ଧା ଘୋଡ଼ା ବୁଲାଇ ନେଇ ପାରେ । ମିତବ୍ୟୟୀ ବ୍ୟକ୍ତି ଅଳ୍ପ ଆୟରେ ବ୍ୟୟ ଚଳାଇ କିଛି ସଞ୍ଚୟ କରିବାକୁ ସକ୍ଷମ ହୋଇଥାଏ । ଯେଉଁ ବ୍ୟକ୍ତି ସଞ୍ଚୟ କରିବାକୁ ସକ୍ଷମ ସେ ପ୍ରକୃତ ମନୁଷ୍ୟପଦବାଚ୍ୟ । ଯଦି ଅଧଲା ପାହୁଲା ପ୍ରତି ଦୃଷ୍ଟି ନ ଦେବ ତେବେ ଟଙ୍କା ଦେଖିବାକୁ ପାଇବ ନାହିଁ । ଯେପରି ଉପାର୍ଜନ, ସେହିପରି ଜୀବନ ଯାହା ନିର୍ବାହ କରିବା ଉଚିତ । ପ୍ରାତଃକାଳରେ ଦେଣାଦାର ହୋଇ ଗାତ୍ରୋତ୍‌ଥାନ କରିବା ଅପେକ୍ଷା ଉପବାସରେ ରହି ରାତ୍ରରେ ଶୟନ କରିବା ଶ୍ରେୟସ୍କର । ମିତବ୍ୟୟୀକୁ ପରଦିନ ସକାଶେ ଭାବିବାକୁ ହୁଏ ନାହିଁ, କାରଣ ଭବିଷ୍ୟତ ନିମନ୍ତେ ସେ ସର୍ବଦା ପ୍ରସ୍ତୁତ ଥାଏ । ସଞ୍ଚୟ ଅଭ୍ୟାସ କରିବା କଠିନ, କିନ୍ତୁ ସେହି ଅଭ୍ୟାସ ହିଁ ସୌଭାଗ୍ୟର ସୋପାନ ।

 

ପ୍ରତି ଗୃହସ୍ଥର ଛୋଟ ବଡ଼ ସବୁ ବ୍ୟୟ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଥିବା ଆବଶ୍ୟକ । ଯେଉଁଠାରେ ଗୋଟିଏ ପଇସାରେ କାମ ଚଳିପାରେ, ସେଠାରେ ଦୁଇ ପଇସା ଖର୍ଚ୍ଚ କରିବାକୁ ସେ ଯେପରି କେତେବେଳେ ହେଲେ ଲଜ୍ଜା କରିବେ ନାହିଁ । ଦୁଇ ପଇସା ଚାରି ପଇସାକୁ ଅନାଇବା ଛୋଟ କଥା, ଏ ଭାବି ଯେପରି ଗୃହସ୍ଥ ମନକୁ କେବେହେଁ ନ ଆସେ । ଦୁଇ ଦୁଇ ପଇସା ମିଶି ଏକ ଟଙ୍କା ହୁଏ ଏବଂ ଗୋଟିଏ ଟଙ୍କା ମିଶି ଶତ ବା ସହସ୍ର ଟଙ୍କା ହୋଇଥାଏ । ଯେ ପଇସାଟିକୁ ଅନାଇବାକୁ ଶିଖି ନାହିଁ ତାହାର ଟଙ୍କାଟିଏ କେବେ ହେଁ ରହିବ ନାହିଁ । ପାରିବାରିକ ମିତବ୍ୟୟିତାର ଅର୍ଥ ଏହି ଯେ, ଗୃହସ୍ଥ ଯାହା କିଛି ଖର୍ଚ୍ଚ କରିବାକୁ ବସିବ, ସେ ସବୁଥିରେ ତନ୍ନ ତନ୍ନ କରି ଦେଖିବ, ସେ ଖର୍ଚ୍ଚଟି ଉଚିତ ଖର୍ଚ୍ଚ କି ନୁହେଁ ଏବଂ ତାହାଠାରୁ କମ ଖର୍ଚ୍ଚରେ ଚଳି ଯାଇପାରିବ କି ନାହିଁ । ଏହିପରି ନିୟମାନୁବର୍ତ୍ତିତାରୁ ଗାର୍ହସ୍ଥ୍ୟ ଜୀବନରେ ସଂଯମ ଓ ମିତବ୍ୟୟିତା ଆସିଥାଏ ।

 

ମିତବ୍ୟୟୀ ଗୃହସ୍ଥର ଦୂରଦୃଷ୍ଟି ଥିବା ମଧ୍ୟ ଆବଶ୍ୟକ । ଘରର ଖର୍ଚ୍ଚପାଇଁ ଧାନ ଚାଉଳ, ମୁଗ, ହରଡ଼ ପ୍ରଭୃତି ଯଦି ଗୃହସ୍ଥକୁ ବର୍ଷକ ଲାଗି ଏକ ସମୟରେ କିଣିବାକୁ ପଡ଼ୁଥାଏ, ସେ ସେସବୁ ଯେପରି ଫସଲ ଆମଦାନି ବେଳେ, ଭଲ ଭାତ ବେଳେ କିଣା ଯାଇ ପାରେ, ତାହାର ବ୍ୟବସ୍ଥା କରିବେ । କାରଣ ସେତକ କିଣିବାର ଠିକ୍ ସମୟରେ ବନ୍ଦୋବସ୍ତ ନ କଲେ ପଛକୁ ଅକାରଣରେ ବେଶି ଦାମରେ ସେ ସବୁ କିଣିବାକୁ ପଡ଼ିପାରେ । ସେହିପରି ଯଦି ଗୃହସ୍ଥର ଧାନ ବା ଶସ୍ୟାଦି ବିକ୍ରୟପାଇଁ ଥାଏ, ତେବେ ଯେଉଁ ସମୟରେ ବିକ୍ରୟ କଲେ ଉଚ୍ଚ ମୂଲ୍ୟ ଆସି ପାରିବ, ତାହାର ତତ୍ତ୍ୱ ନେଇ ସେହି ସମୟରେ ବିକ୍ରୟର ବ୍ୟବସ୍ଥା କରିବେ । ଠିକ୍ ସମୟରେ ଏ ସବୁ କ୍ରୟ ବା ବିକ୍ରୟ କରି ନ ପାରିଲେ ସମୟ ସମୟରେ ବହୁ କ୍ଷତି ସହ୍ୟ କରିବାକୁ ପଡ଼ିଥାଏ ।

 

ସଂଯମ ଓ ମିତବ୍ୟୟିତା ବିଷୟରେ ଯାହା କୁହାଗଲା ତାହା ଆକ୍ଷରିକଭାବରେ ସବୁ ଗୃହସ୍ଥଙ୍କ ପ୍ରତି ସମପରିମାଣରେ ପ୍ରଯୋଜ୍ୟ ନୁହେଁ । ଅବସ୍ଥାର ପାର୍ଥକ୍ୟ ଅନୁସାରେ ମିତବ୍ୟୟିତାର ସୀମା ବଦଳି ପାରେ । ମାତ୍ର ଯେ ଯେଉଁ ଅବସ୍ଥାରେ ଥିବେ, ସେହି ଅବସ୍ଥା ଦେଖି ତାଙ୍କର ମିତବ୍ୟୟୀ ହେବାକୁ ଚେଷ୍ଟା କରିବା ଉଚିତ । ମିତବ୍ୟୟିତା କୃପଣତାର ସମାନ୍ତର ନୁହେଁ । ମିତବ୍ୟୟୀ ଲୋକ ଏକା ଏ ସଂସାରରେ ନିଜର ଓ ଅନ୍ୟମାନଙ୍କର ଉପକାର କରିପାରେ । ସଂସାରରେ ଯେଉଁମାନେ ଜନହିତକର ଅନୁଷ୍ଠାନମାନଙ୍କ ସକାଶେ ଅକୁଣ୍ଠିତ ଚିତ୍ତରେ ଦାନଧର୍ମ ପାଳନ କରି ଯାଇଅଛନ୍ତି, ସେମାନେ ସମସ୍ତେ ସଂଯତ ଓ ମିତବ୍ୟୟୀ ଥିଲେ । ମିତବ୍ୟୟୀ ଲୋକ ସତ୍‌କାର୍ଯ୍ୟରେ ଅକାତରରେ ଦାନ କରିଥାଏ । ଯଥେଚ୍ଛଭାବରେ ଖର୍ଚ୍ଚ କରିବା ଯାହାର ଅଭ୍ୟାସ ସେ ଯେତେ ଧନୀ ହେଉ ପଛକେ, ସମୟରେ ସମସ୍ତ ଧନ ସମ୍ପତ୍ତି ହରାଇ ଅଭାବଗ୍ରସ୍ତ ହୋଇ ପଡ଼ିବ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

Image

 

ପାରିବାରିକ ସ୍ୱାସ୍ଥ୍ୟବିଧି

 

ପରିବାରର ଧନ ସମ୍ପତ୍ତି ଥାଉ, ଅଭାବ ଅସୁବିଧା ଅନ୍ୟ କିଛି ନ ଥାଉ, କିନ୍ତୁ ଯଦି ପରିବାରର ଲୋକମାନେ ସ୍ୱାସ୍ଥ୍ୟ ଭୋଗ ନ କରନ୍ତି, ସେ ପରିବାରରେ ସୁଖ ଶାନ୍ତି ମିଳିବା ଅସମ୍ଭବ-। ସ୍ୱାସ୍ଥ୍ୟ ମାନବଜୀବନର ପରମ ମୂଲ୍ୟବାନ ବସ୍ତୁ । ସେ ସ୍ୱାସ୍ଥ୍ୟକୁ ଯେ ପରମ ଯତ୍ନରେ ରକ୍ଷା କରେ, ସେ ଜୀବନର ସୁଖଶାନ୍ତି ଉପଭୋଗ କରେ । ଯେ ତାହାର ଅବହେଳା କରେ, ତାହାର ଜୀବନ ଭୀଷଣ ମରୁଭୂମିରେ ପରିଣତ ହୁଏ । ସ୍ୱାସ୍ଥ୍ୟ ନିୟମ ପାଳନ କରିବା କଠିନ ନୁହେଁ-। କିଛିକାଳ ଅଭ୍ୟାସ ହୋଇଗଲେ ଆଉ ତାହା ନିୟମ ବୋଲି ବୋଧ ହେବ ନାହିଁ- ତାହା ଦୈନନ୍ଦିନ ସାଧାରଣ କାର୍ଯ୍ୟରେ ପରିଣତ ହୋଇଯିବ ।

 

ସ୍ୱାସ୍ଥ୍ୟ ଅନେକ ସମୟରେ ମାନସିକ ବ୍ୟାପାର । ଯେଉଁ ବ୍ୟକ୍ତି ଆପଣାକୁ ସୁସ୍ଥ ମନେ ନ କରିବ, ସେ କେବେହେଁ ସୁସ୍ଥ ହୋଇ ପାରିବ ନାହିଁ । ମୁଁ ଯଦି ସବୁବେଳେ ମନେ କରେ ଯେ, ମୁଁ ଦୁର୍ବଳ, ମୁଁ ରୁଗ୍‌ଣ, ମୋର ଶରୀରର ଭଲର ଆଶା ନାହିଁ, କିଛି ଦିନପରେ ମୁଁ ନିଜେ ଦେଖି ପାରିବି, ମୋର ସୁସ୍ଥଶରୀର ମଧ୍ୟ ରୁଗ୍‌ଣ ହୋଇ ଯାଇଅଛି । ମନର ବଳ ଓ ସ୍ୱାସ୍ଥ୍ୟଚିନ୍ତା ଆମ୍ଭମାନଙ୍କୁ ଅନେକ ସମୟରେ ନିରୋଗ କରିଥାଏ । ସୁଚିନ୍ତା ସୁନ୍ଦର ସ୍ୱାସ୍ଥ୍ୟର ଜନକ । ଯେ ନିଜକୁ ସୁସ୍ଥ ସବଳ ବୋଲି ମନେ କରି ଶିଖିଅଛି, ତାହାର ସେହି ଚିନ୍ତାରୁ ସୁନ୍ଦର ସ୍ୱାସ୍ଥ୍ୟ ଆସିବ ଏବଂ ସେ ତାହାର ମନର ବଳ ଦ୍ୱାରା ସୁସ୍ଥ ଶରୀର ଲାଭ କରିବ । ପରିବାରରେ ଏହିପରି ସୁଚିନ୍ତା ରହିବା ସମସ୍ତଙ୍କ ପକ୍ଷରେ ଉଚିତ । ପାରିବାରିକ ଜୀବନରେ ଏହିପରି ମନର ବଳ ରାଜତ୍ୱ କଲେ ପରିବାରର ଅନେକ ଶୁଖିଲା ମୁହଁ ଲୁଚି ଯାଇ ସ୍ୱାସ୍ଥ୍ୟୋଜ୍ୱଳ ସୁନ୍ଦର ମୁଖ ରାଜତ୍ୱ କରିବ ।

 

ସୁଚିନ୍ତା ବ୍ୟତୀତ ନିୟମାନୁବର୍ତ୍ତୀ ଜୀବନ ମଧ୍ୟ ସ୍ୱାସ୍ଥ୍ୟ ଲାଭର ପରମ ସହାୟ । ଦୈନନ୍ଦିନ ଜୀବନରେ ସବୁଥିରେ ନିୟମରେ ଚଳିଲେ ଅଖଣ୍ଡ ସ୍ୱାସ୍ଥ୍ୟ ସହଜରେ ମିଳିପାରେ । ସକାଳେ ବିଛଣାରୁ ଉଠିବାଠାରୁ ରାତିରେ ବିଛଣାରେ ଯାଇ ଶୋଇବା ପର୍ଯ୍ୟନ୍ତ ପ୍ରତି କାର୍ଯ୍ୟରେ ନିୟମ ରଖି ଚଳିଲେ ସ୍ୱାସ୍ଥ୍ୟଭଙ୍ଗ ହେବାର ଭୟ ସାଧାରଣତଃ ନଥାଏ । ଏ ନିୟମାନୁବର୍ତ୍ତିତା କିଛି ଗୋଟାଏ କଠିନ ବ୍ୟାପାର ନୁହେଁ ବା ଏଥିପାଇଁ ପରିବାରକୁ ଅଧିକ ଟଙ୍କା ପଇସା ଖର୍ଚ୍ଚ କରିବାକୁ ପଡ଼େ ନାହିଁ । କେବଳ ପରିବାର ଭିତରେ ସେତକ ଅଭ୍ୟାସ କରି ନେବା ଉଚିତ । ଆଜି ରାତି ଦଶଟାବେଳେ ଶୋଇଲୁ, କାଲି ଆମୋଦ ପ୍ରମୋଦ ବା ଗଳ୍ପରେ ମାତି ରାତି ଦୁଇଟାରେ ଶୋଇଲୁ, ଏଥିରେ ଅସୁସ୍ଥ ହେବା ସହଜ ଓ ସ୍ୱାଭାବିକ । ଖାଇବା ପିଇବା ପ୍ରଭୃତିରେ ମଧ୍ୟ ସେହିପରି ନିୟମ ରଖି ଚଳିବା ପରିବାର ପକ୍ଷରେ ମଙ୍ଗଳକର ଏବଂ ସେପରି ଚଳିବାଦ୍ୱାରା ଡାକ୍ତର ବୈଦ୍ୟଙ୍କ ଘରକୁ ପଇସା ଯିବାର ବାଟ ବନ୍ଦ ହୋଇ ପାରେ । ଏ ଦେଶର ଦରିଦ୍ର ପରିବାରମାନଙ୍କ ପକ୍ଷରେ ନିଜର ଅବସ୍ଥାନୁରୂପ ନିୟମାନୁବର୍ତ୍ତୀ ବ୍ୟବସ୍ଥା କରି ଚଳି ପାରିଲେ ପାରିବାରିକ ଜୀବନରେ ସ୍ୱାସ୍ଥ୍ୟ ଲାଭ ହୋଇ ପାରେ । ନିୟମିତ ସମୟରେ ଶଯ୍ୟା ତ୍ୟାଗ କରିବା, ମଳମୂତ୍ର ତ୍ୟାଗ କରିବାକୁ ଯିବା, ସ୍ନାନ କରିବା, ଦନ୍ତଧାପନ କରିବା, ନିୟମ ମାନି ନିଜର କାର୍ଯ୍ୟ କରିବା, ଠିକ୍ ସମୟରେ ଶୁଦ୍ଧ ପୁତ ଭାବରେ ଭୋଜନ କରିବା, ବିଶ୍ରାମ କରିବା ଓ ରାତ୍ରରେ ଶୟନ କରିବାକୁ ଯିବା, ଏଗୁଡ଼ିକ ପ୍ରତି ପ୍ରାତ୍ୟହିକ ଜୀବନରେ ଦୃଷ୍ଟିଦେଲେ ସହଜରେ ରୋଗର କବଳରେ ପଡ଼ିବାର ଭୟ ନ ଥାଏ ।

 

ପ୍ରତ୍ୟୁଷରୁ ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବାର ଅଭ୍ୟାସ ପରିବାର ମଧ୍ୟରେ ସମସ୍ତଙ୍କର ଥିବା ଉଚିତ । ସକାଳେ ଉଠିବାରେ ଡେରି ହେଲେ ଦିନର ପ୍ରତି କାର୍ଯ୍ୟରେ କିଛି କିଛି ଡେରି ହୋଇ ଶେଷରେ ସେ ଦିନର କିଛି ଗୋଟିଏ କାର୍ଯ୍ୟ ଅସମ୍ପନ୍ନ ହୋଇ ରହିଯିବ । ସକାଳୁ ଉଠି କିଛି ସମୟ ମୁକ୍ତବାୟୁରେ ବୁଲି ଆସିବା ସ୍ୱାସ୍ଥ୍ୟ ପକ୍ଷରେ ପରମ ସହାୟ । ଛୋଟ ଛୋଟ ପିଲାମାନଙ୍କୁ ସଙ୍ଗରେ ନେଇ ଏହି ସମୟରେ ବୁଲି ଆସିଲେ ପ୍ରକୃତିର ପ୍ରଭାତକାଳୀନ ନବୀନ ସୌନ୍ଦର୍ଯ୍ୟ ଉପଭୋଗ କରିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟକର ସ୍ନିଗ୍‌ଧ ଶୀତଳ ପ୍ରଭାତ ପବନର ସ୍ପର୍ଶସୁଖ ଅନୁଭବ କରିବାକୁ ମିଳି ପାରେ । ଶଯ୍ୟାତ୍ୟାଗ ପରେ ଭଲ କରି ମୁଖ ଚକ୍ଷୁ ଧୋଇ ପରିଷ୍କାର କରି ଦାନ୍ତ ମାଜିବା ଉଚିତ । ଦାନ୍ତ ଘଷିବା ଅଭ୍ୟାସ ଆଧୁନିକ ସଭ୍ୟତାର ଦୋଷରେ ଅନ୍ୟ କେତେକ ପ୍ରଦେଶରୁ ଉଠିଯିବାକୁ ବସିଥିବା ଅବସ୍ଥାରେ ଆମ୍ଭର ଏ ଓଡ଼ିଶାରେ ସେ ସଦଭ୍ୟାସଟି ଅକ୍ଷୁର୍ଣ୍ଣ ରହିଥିବା ବଡ଼ ଆନନ୍ଦ ଓ ଆଶାର କଥା । ଆଜିକାଲି ଦିନ ଦ୍ୱିପ୍ରହର ବେଳେ ମୂଲିଆ ହଳ ଧରି ବିଲରୁ ଫେରି ପାଣି ପାଖରେ ଦି’ଘଡ଼ି ଦାନ୍ତ ଘଷିବାକୁ ମଧ୍ୟ ଭୁଲିଯାଏ ନାହିଁ । ପରିବାରରେ ସମସ୍ତେ ଯେପରି ସଦ୍ୟ ଦାନ୍ତକାଠି ଓ ଗଇଁଠା ପାଉଁଶ ବା ଅନ୍ୟ କିଛି ଦାନ୍ତଘଷା ଗୁଣ୍ଡାରେ ଦାନ୍ତ ଘଷନ୍ତି ତାହାର ବ୍ୟବସ୍ଥା ଥିବା ଉଚିତ । ଗଇଁଠା ପାଉଁଶ ବିନା ମୂଲ୍ୟରେ ମିଳିପାରେ ଏବଂ ତାହା ଯେପରି ଦାନ୍ତ ମୂଳକୁ ଦୃଢ଼ କରେ ସେହିପରି ମଧ୍ୟ ଅନେକ ଦାନ୍ତରୋଗ ନଷ୍ଟ କରେ । ଦାନ୍ତଘଷା ବ୍ରୁଶ ଅନେକ ରୋଗର ହେତୁ । ସେ ସବୁ ବ୍ୟବହାର ନ କରି ପିତା, କଷା ବା ଅନ୍ୟ କୌଣସି ଗଛର ଡାଳ ଭାଙ୍ଗି ଦାନ୍ତକାଠିରୂପେ ବ୍ୟବହାର କଲେ ଦାନ୍ତରୋଗର ଭୟ ନ ଥାଏ । ପରିବାରର ଛୋଟ ବଡ଼ ସମସ୍ତେ ଯେପରି ନିୟମିତରୂପେ ଓ ସୁନ୍ଦର କରି ଦାନ୍ତ ଘଷନ୍ତି, ସେଥିପ୍ରତି ପରିବାରର ମୁଖ୍ୟ ବ୍ୟକ୍ତିଙ୍କର ଦୃଷ୍ଟି ଥିବା ଆବଶ୍ୟକ । ଘରର କୌଣସି ପ୍ରକାଶ୍ୟ ସ୍ଥାନରେ ଦାନ୍ତଘଷା ଦ୍ରବ୍ୟ, ଦାନ୍ତକାଠି, ପାଉଁଶ ପ୍ରଭୃତି ରଖା ହୋଇଥିଲେ ପ୍ରତ୍ୟହ ଖୋଜିବାକୁ ପଡ଼େ ନାହିଁ ଏବଂ ସମସ୍ତେ ନିଜ ନିଜର ସୁବିଧା ଅନୁସାରେ ନେଇ ସଦ୍‌ବ୍ୟବହାର କରି ପାରନ୍ତି । ଦାନ୍ତଘଷା ପରି ପ୍ରତ୍ୟେକଙ୍କର ସ୍ନାନର ନିୟମିତ ସମୟ ଥିବା ଆବଶ୍ୟକ । ଯାହାକୁ ଯେପରି ସହ୍ୟ ହୁଏ, ତାହାର ସେପରି ନିୟମିତ ସମୟରେ ଗାଧୋଇବା ଉଚିତ । ସ୍ରୋତସ୍ୱତୀ ନଦୀ ବା ବୃହତ୍ ପୁଷ୍କରିଣୀ ଥିଲେ ସେଥିରେ ସ୍ନାନ କରିବା ସମସ୍ତଙ୍କର ସ୍ୱାସ୍ଥ୍ୟ ପକ୍ଷରେ ଅନୁକୂଳ । ତାହା ନ ଥିଲେ କୂପଜଳ ବ୍ୟବହାର କରିବା ଉଚିତ । ସ୍ନାନ ପୂର୍ବରୁ ଭଲକରି ଦେହରେ ତୈଳ ମର୍ଦନ କରିବା ସ୍ୱାସ୍ଥ୍ୟ ପକ୍ଷରେ ସହାୟକ । ତୈଳ ଲଗାଇ ସ୍ନାନ ସମୟରେ ଉତ୍ତମରୂପେ ଘର୍ଷଣ କରି ଧୋଇ ପୋଛି ହେବା ଉଚିତ-। ତାହା ନ ହେଲେ ସେଥିରୁ ନାନା ଅପକାର ଘଟେ ପ୍ରଥମତଃ ସେହି ତୈଳ ଶରୀରର ଲୋମକୂପ ମଳ ବନ୍ଦ କରି ଘର୍ମନିର୍ଗମର ପନ୍ଥା ରୁଦ୍ଧ କରିଦିଏ । ଦ୍ୱିତୀୟତଃ ଶରୀରରେ ତୈଳ ଥିଲେ ସେଥିରେ ଶୀଘ୍ର ଧୂଳି ପ୍ରଭୃତି ଲାଗି ଶରୀରକୁ ମଇଳା କରି ଦିଏ, ତୃତୀୟତଃ ଶରୀର ମଇଳା ହେଲେ ପରିଧେୟ ବସ୍ତ୍ର ପ୍ରଭୃତି ଶୀଘ୍ର ମଳିନ ଓ ଦୁର୍ଗନ୍ଧମୟ ହୋଇଯାଏ । ବେଶି ସମୟ ପାଣିରେ ରହି ଗାଧୋଇବା ବା ଓଦା ଲୁଗା ପିନ୍ଧି ବେଶି ସମୟ ସନ୍ଧ୍ୟା ଅହ୍ନିକ ବା ତିଳକ ସେବା ପ୍ରଭୃତି କରିବା ଅକର୍ତ୍ତବ୍ୟ ।

 

ଛୋଟ ଛୋଟ ପିଲାମାନଙ୍କୁ ସମୟ ସମୟରେ ଗୃହିଣୀମାନେ ବେଶି ତେଲ ଲଗାଇ ଦେଇଥାନ୍ତି । ସେମାନଙ୍କୁ ବେଶି ସମୟ ପାଣିରେ ରଖି ଗାଧୋଇ ହୁଏ ନାହିଁ ବା ସେମାନଙ୍କ ଦେହରୁ ଭଲ କରି ତେଲ ପୋଛି ହୁଏ ନାହିଁ । ଅତଏବ ସେମାନଙ୍କୁ ବେଶି ଗୁଡ଼ାଏ ସରସର କରି ତେଲ ବୋଳି ଦେବା ଉଚିତ ନୁହେଁ । ସେପରି କରିବା ଦ୍ୱାରା ପିଲାମାନଙ୍କର ଶରୀର ଓ ବିସ୍ତ୍ରାଦି ଶୀଘ୍ର ଅତିଶୟ ମଇଳା ହୋଇ ପଡ଼େ ଏବଂ ସେଥିଦ୍ୱାରା ସେମାନେ ଅସୁନ୍ଦର ଦିଶନ୍ତି ଓ ସେମାନଙ୍କର ସ୍ୱାସ୍ଥ୍ୟହାନି ମଧ୍ୟ ହୁଏ ।

 

ସ୍ନାନ ପରି ଭୋଜନରେ ମଧ୍ୟ ପାରିବାରିକ ସାବଧାନତା ବିଶେଷ ଆବଶ୍ୟକ । ପରିବାରରେ ଅନେକ ବ୍ୟକ୍ତି ଥିବାରୁ ଭୋଜନ ବିଷୟରେ ନାନା ରକମର ଗୋଳମାଳ ଓ ଅନିୟମ ସାଧାରଣତଃ ଘଟିଥାଏ । ଅନେକ ସ୍ଥାନରେ ଦେଖାଯାଏ, ପରିବାରର ପୁରୁଷମାନେ ଯେ ଯାହାର ସୁବିଧା ଅନୁସାରେ ଆସି ଜଣ ଜଣ ହୋଇ ଖାଆନ୍ତି ଏବଂ ଏପରି କରିବାଦ୍ୱାରା ଅନେକ ସମୟ ଯାଏ ଏବଂ ଖାଦ୍ୟ ପଦାର୍ଥ ନଷ୍ଟ ହୋଇଥାଏ । ପରିବାରରେ ଏପରି ବନ୍ଦୋବସ୍ତ ହେବା ଉଚିତ, ଯେପରି କି ପରିବାରର ଅନ୍ତତଃ ପୁରୁଷମାନେ ସମସ୍ତେ ଛୋଟ ଛୋଟ ପିଲାମାନଙ୍କୁ ସଙ୍ଗରେ ଘେନି ଏକ ସମୟରେ ଭୋଜନରେ ବସିଯିବେ ଏବଂ ସେମାନଙ୍କ ଭୋଜନର ପରେ ସ୍ତ୍ରୀମାନେ ସମସ୍ତେ ଏକ ସଙ୍ଗରେ ଭୋଜନ କରିନେବେ । ଏପରି ନ କଲେ ପୁରୁଷମାନେ ଜଣ ଜଣ କରି ଖାଇଲେ କେବଳ ଯେ ଅନ୍ନ ବ୍ୟଞ୍ଜନ ପ୍ରଭୃତି ଶୀତଳ ଓ ବିକୃତ ହୋଇପଡ଼େ ତାହା ନୁହେଁ, ପୁରୁଷମାନେ ବିଳମ୍ବରେ ଆହାର କରିବାରୁ ସ୍ତ୍ରୀଲୋକମାନଙ୍କର ଆହାରରେ ଆହୁରି ବିଳମ୍ବ ହୁଏ ଏବଂ ଏକାବେଳକେ ଶୀତଳ ଓ ଅତିଶୟ ବିକୃତ ଅନ୍ନ ବ୍ୟଞ୍ଚନ ପ୍ରଭୃତି ଭକ୍ଷଣ କରି ପରିବାରର ସ୍ତ୍ରୀଲୋକମାନଙ୍କର ସ୍ୱାସ୍ଥ୍ୟହାନି ଘଟିଥାଏ । ଆହାରର ସମୟ ପରି ଆହାରର ସ୍ଥାନ ଓ ପାତ୍ର ପ୍ରଭୃତିକୁ ମଧ୍ୟ ପରିବାରରେ ସମ୍ୟକ୍ ଦୃଷ୍ଟି ଦେବା ଆବଶ୍ୟକ । ଭୋଜନ ପୂର୍ବରୁ ଆହାରର ସ୍ଥାନକୁ ଭଲ କରି ଓଳାଇ ପାଣି ଛିଞ୍ଚି ଦେବା ଉଚିତ । ଦୁଇ ଚାରି ଟୋପା ପାଣି ଛିଞ୍ଚି ଦେବା ପାଣିଛିଞ୍ଚାର ଉଦ୍ଦେଶ୍ୟ ନୁହେଁ । ଓଳାଇବାଦ୍ୱାରା ଯେଉଁ ସବୁ ଧୂଳି ବାୟୁରେ ଉଡ଼ୁଥାଏ, ତାହା ଯେପରି ପାଣି ଛିଞ୍ଚାଦ୍ୱାରା ତଳକୁ ବସିଯାଏ, ଏହାହିଁ ପାଣିଛିଞ୍ଚାର ଉଦ୍ଦେଶ୍ୟ । ଯେଉଁ ସ୍ଥାନରେ ଆହାର କରାଯିବ, ସେ ସମଗ୍ର ସ୍ଥାନଟି ଭଲ କରି ପରିଷ୍କାର ରଖିବା ଉଚିତ । କେବଳ ଯେଉଁ ସ୍ଥାନରେ ଭୋଜନପାତ୍ର ରଖାଯାଏ, ସେହି ସ୍ଥାନଟିକକ ମାତ୍ର ପରିଷ୍କାର କରି ରଖିବା ଉଚିତ ନୁହେଁ-ଭୋଜନର ପାତ୍ରଗୁଡ଼ିକ ପରିଷ୍କାର କରି ରଖିବା ଉଚିତ । ବାସନଗୁଡ଼ିକୁ ପରିଷ୍କାର କରି ମାଜି ଚକଚକ କରି ରଖିବା ସ୍ୱାସ୍ଥ୍ୟ ପକ୍ଷରେ ଆବଶ୍ୟକ । ଯେଉଁ କାର୍ଯ୍ୟ ଉପରେ ‘ଶରୀରର ଭଲ ମନ୍ଦ ନିର୍ଭର କରେ, ସେ କାର୍ଯ୍ୟ ଲାଗି ବିଶେଷ ମନୋଯୋଗୀ, ଶ୍ରମଶୀଳ ଓ ସତର୍କ ହେବା ସୁବୁଦ୍ଧିର କାର୍ଯ୍ୟ । ପରିବାର ମଧ୍ୟରେ ବାସନ ଅଳ୍ପ ରଖିଲେ ବହୁ କୁଟୁମ୍ବ ଥିବା ଘରେ ପୁନଃ ପୁନଃ ଖାଇ ସାରିବା ପରେ ବାସନ ମାଜି ଖାଇବାକୁ ହୁଏ ଏବଂ ଏହିପରି ପୁନଃ ପୁନଃ ଧୁଆଧୋଇ ହେଲେ ବାସନଗୁଡ଼ିକ ଭଲରୂପେ ପରିଷ୍କାର କରାଯାଇ ପାରେ ନାହିଁ । ତେଣୁ ପରିବାରରେ ଲୋକସଂଖ୍ୟା ଅନୁପାତରେ କିଛି ବାସନର ସଂଖ୍ୟା ବଢ଼ାଇ ଦେଲେ ସୁବିଧା ହୁଏ ଏବଂ ସେହି ସବୁ ବାସନରେ ମଧ୍ୟ ବହୁକାଳ ଚାଲିଯାଏ । ସ୍ୱାସ୍ଥ୍ୟତତ୍ତ୍ୱବିଦ୍‌ମାନେ କହିଅଛନ୍ତି ଯେ, ଭୋଜନ ସମୟରେ ଅନ୍ତଃକରଣ ପ୍ରଫୁଲ୍ଲ ଥିବା ଉଚିତ, ନଚେତ୍ ଭୋଜନରେ ତୃପ୍ତି ମିଳେ ନାହିଁ ଏବଂ ଭୁକ୍ତ ଦ୍ରବ୍ୟ ସମ୍ୟକ୍‌ରୂପେ ପରିପାକ ହୁଏ ନାହିଁ । ଅତଏବ ଆଲୋକପୂର୍ଣ୍ଣ ପରିଷ୍କୃତ ପରିଚ୍ଛନ୍ନ ସ୍ଥାନରେ ଶୁଦ୍ଧ ପୂତ ଭାବରେ ସୁନ୍ଦର ପରିଷ୍କୃତ ବାସନରେ ଖାଦ୍ୟଦ୍ରବ୍ୟ ସୁନ୍ଦର ଭାବରେ ରଖି ମନରୁ ସବୁ ଦୁଶ୍ଚିନ୍ତା ଦୂର କରି ସାନନ୍ଦଚିତ୍ତରେ ଭୋଜନ କରିବା କର୍ତ୍ତବ୍ୟ ଏବଂ ସେହିପରି ଭୋଜନଦ୍ୱାରା ଶାରୀରିକ ଉନ୍ନତିର ସମ୍ଭାବନା ।

 

କର୍ମକ୍ଲାନ୍ତ ଶରୀରକୁ ପୁଣି କର୍ମକ୍ଷମ କରିବାକୁ ବିଶ୍ରାମ ଆବଶ୍ୟକ । ଏହି ବିଶ୍ରାମ ନିଦ୍ରାଦ୍ୱାରା ବିଶେଷ ପରିମାଣରେ ଆସିଥାଏ । ତେଣୁ ଶୟନ ବିଷୟରେ ନିୟମାନୁବର୍ତ୍ତୀ ହେବା ପାରିବାରିକ ସ୍ୱାସ୍ଥ୍ୟୋନ୍ନତି ପକ୍ଷରେ ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ଦିବାଭାଗରେ ଭୋଜନ ପରେ ଶୟନ କରିବା ଭଲ ନୁହେ । ଦିବାନିଦ୍ରା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର । ଗ୍ରୀଷ୍ମର ଅଧିକ୍ୟରୁ ବା ଅପର କୌଣସି କାରଣରୁ ଯଦି ବିଶ୍ରାମ ସକାଶେ ଏକାନ୍ତ ଦିବାନିଦ୍ରାର ଆବଶ୍ୟକ ହୁଏ, ତେବେ ଭୋଜନର କିଛି କ୍ଷଣ ପରେ ଶୟନ କରିବା ଉଚିତ । ରାତ୍ରରେ ମଧ୍ୟ ଭୋଜନର ଅବ୍ୟବହିତ ପରେ ଶୋଇବାବୁ ଯିବା ଉଚିତ ନୁହେଁ । କିଛିକ୍ଷଣ ଗଳ୍ପ କରି ଶୋଇବାକୁ ଯିବା ଉଚିତ । ରାତ୍ରରେ ଡେରିରେ ଭୋଜନ କଲେ ଆଉ ଗଳ୍ପ କରିବାକୁ ପ୍ରବୃତ୍ତ ନ ଥାଏ, ତେଣୁ ରାତ୍ରରେ ଚଞ୍ଚଳ ଭୋଜନ କରି ଭୋଜନ ପରେ କିଛିକ୍ଷଣ ପରିବାରର ସମସ୍ତେ ମିଳି ମିଶି ଖୁସିରେ ଗଳ୍ପ କରି ଶୋଇବାକୁ ଯିବା ସ୍ୱାସ୍ଥ୍ୟ ପକ୍ଷରେ ହିତକର । ଅଧିକ ରାତ୍ର ପର୍ଯ୍ୟନ୍ତ ଗଳ୍ପ କରି ବା ତାସ ପାଶା ପ୍ରଭୃତି ଖେଳରେ ମାତି ବା ସର୍କଶ ଥିଏଟର ଯାତ୍ରା ପ୍ରଭୃତି ଦେଖି ଅଧିକ ରାତ୍ରରେ ଶୟନ କରି ପ୍ରତ୍ୟୁଷରୁ ନ ଉଠିବା ଶରୀର ପକ୍ଷରେ ଘୋର କ୍ଷତିକାରକ । ଆମୋଦ ପାଇଁ ସ୍ୱାସ୍ଥ୍ୟଭଙ୍ଗ କରିବା ଅତିଶୟ ଦୁର୍ବୁଦ୍ଧିର କାର୍ଯ୍ୟ । ଯେଉଁ ସମୟରେ ଶୟନ କଲେ ସୂର୍ଯ୍ୟୋଦୟ ପୂର୍ବରୁ ସୁସ୍ଥଶରୀରରେ ଏବଂ ପ୍ରଫୁଲ୍ଲଚିତ୍ତରେ ଶଯ୍ୟା ତ୍ୟାଗ କରାଯାଇ ପାରେ, ସମସ୍ତଙ୍କର ସେହି ସମୟରେ ଶୟନ କରିବା ଉଚିତ । ରାତ୍ରରେ ଶୋଇବା ସକାଶେ ପରିବାର ଭିତରେ ନିରୂପିତ ସମୟ ଥିବା ଆବଶ୍ୟକ । ଏ ବିଷୟରେ ଅନିୟମ ସ୍ୱାସ୍ଥ୍ୟର ପ୍ରତିକୂଳ ।

 

ଗୋଟିଏ ଘରେ ବା ଏକ ଶଯ୍ୟାରେ ବେଶି ଲୋକ ଶୋଇବା ଉଚିତ ନୁହେ । ସ୍ଥାନେ ସ୍ଥାନେ ଦେଖାଯାଏ ଯେ ଶୋଇବା ପାଇଁ ଯଥେଷ୍ଟ ସ୍ଥାନ ଥିଲେ ମଧ୍ୟ ଏକ ସ୍ଥାନରେ ଅନେକ ଲୋକ ଶୁଅନ୍ତି । ଏହା ସ୍ୱାସ୍ଥ୍ୟରକ୍ଷା ପକ୍ଷରେ ଅନିଷ୍ଟକର । ପାତଳା କନାର ମଶାରି ବ୍ୟବହାର କରିବା ଉଚିତ । ଘରର ଦ୍ୱାର, ଗବାକ୍ଷ ସମସ୍ତ ବନ୍ଦ କରି ଦେଇ ଅନେକ ଲୋକ ଏକ ଘର ଭିତରେ ଶୋଇବା ମହାକ୍ଷତିକାରକ । ଶଯ୍ୟା ଦ୍ରବ୍ୟ ଶେଯ ତକିଆ ପ୍ରଭୃତି ପ୍ରତ୍ୟହ ଖରାରେ ବା ପବନରେ ପକାଇ ଦେବା ଉଚିତ ଏବଂ ତାହା ନ କଲେ ଶଯ୍ୟା ଅତିଶୟ ଅପରିଷ୍କାର, ଅସ୍ୱାସ୍ଥ୍ୟକର ଏବଂ ଦୁର୍ଗନ୍ଧଯୁକ୍ତ ହୁଏ । ବିଛଣାର ଚାଦର ପ୍ରଭୃତି ମଧ୍ୟେ ମଧ୍ୟେ ସାବୁନଦ୍ୱାରା ଧୋଇ ନେଲେ ଭଲ ହୁଏ ଏବଂ ତାହାଦ୍ୱାରା ବିଛଣା ଚାଦର ବେଶି ଦିନ ଯାଏ ।

 

ଶାରୀର-ସ୍ୱାସ୍ଥ୍ୟବିଧାନ ପାଇଁ ଏ ସବୁ ଶାରୀର-ବ୍ୟବସ୍ଥା ସଙ୍ଗେ ସଙ୍ଗେ ପ୍ରତ୍ୟହ ନିୟମିତ ସମୟରେ ସ୍ଥିର ସଂଯତ ମନରେ ଭଗବାନଙ୍କର ନାମ ନେବା ମଧ୍ୟ ଯଥେଷ୍ଟ ଆବଶ୍ୟକ । କେବଳ ଶରୀରର ଯତ୍ନ ନେଲେ ଶାରୀର-ସ୍ୱାସ୍ଥ୍ୟର ବିଧାନ ହୋଇ ପାରିବ ନାହିଁ । ମନର ସ୍ୱାସ୍ଥ୍ୟରକ୍ଷା କରିବା ମଧ୍ୟ ଶାରୀରିକ ସ୍ୱାସ୍ଥ୍ୟରକ୍ଷା ପକ୍ଷରେ ଆବଶ୍ୟକ । ଏହି ମାନିସକ ସ୍ୱାସ୍ଥ୍ୟରକ୍ଷା ପାଇଁ ପ୍ରତ୍ୟହ ଧୀର ସ୍ଥିର ସୁସଂଯତ ଭାବରେ ପରିବାରର ସମସ୍ତେ ଏକତ୍ର ବା ବ୍ୟକ୍ତିଗତ ଭାବରେ ଯେପରି ଭଗବାନଙ୍କର ଅପାର କରୁଣାର କଥା ସ୍ମରଣ କରି ତାଙ୍କରି ଉଦ୍ଦେଶ୍ୟରେ କୃତଜ୍ଞତା ଅଶ୍ରୁ ଢାଳନ୍ତି, ତାହାର ବ୍ୟବସ୍ଥା ରହିବା ପାରିବାରିକ ସ୍ୱାସ୍ଥ୍ୟରକ୍ଷାର ଏକ ପ୍ରକୃଷ୍ଟ ଉପାୟ । ଯେ ସର୍ବସୁଖର ଦାତା, ଯାହାଙ୍କ ଦୟାରୁ ଆମ୍ଭମାନଙ୍କର ଏ ଶରୀର, ମନ, ଆତ୍ମା ଓ ସଂସାରର ସମ୍ବନ୍ଧ ଓ ସମ୍ପତ୍ତି, ତାଙ୍କୁ ଭୁଲି ଗଲେ ବା ପ୍ରାତ୍ୟହିକ ଜୀବନରେ ତାଙ୍କର ଅନନ୍ତ ପ୍ରେମ ଓ ଅପାର କରୁଣା ସ୍ମରଣ ନ କଲେ ଛାର ମାନବର କି ବ୍ୟକ୍ତିଗତ ଜୀବନ, କି ପାରିବାରିକ ଜୀବନ କୌଣସି ଥିଲେ କୌଣସି ସ୍ୱାସ୍ଥ୍ୟ, ଶାନ୍ତି, ଆନନ୍ଦ ବା ସମୃଦ୍ଧିର ଆଶା କରିବା ସମ୍ଭବପର କି ?

Image

 

ପରିବାରରେ ସୁନୀତି ଓ ସଦାଚାର

 

‘‘ଜୀବନେ ପାଳ ହେ ସୁନୀତି

ହୃଦୟେ ସଦା ରଖି ପ୍ରୀତି ।’’

ମଧୁସୂଦନ ।

 

ପରିବାରର କର୍ତ୍ତାମାନଙ୍କର ଆନ୍ତରିକ ଇଚ୍ଛା ଯେ, ସେମାନଙ୍କ ପରିବାରର ସମସ୍ତେ ନୀତିମାନ୍ ଓ ଚରିତ୍ରବାନ୍ ହୁଅନ୍ତୁ । ବାସ୍ତବିକ ପରିବାରର ଲୋକେ ସଚ୍ଚରିତ୍ର ବା ସାଧୁସ୍ୱଭାବ ନ ହେଲେ ସେ ପରିବାରର କୌଣସି ମଙ୍ଗଳ ହୋଇପାରେ ନାହିଁ । କେବଳ ଯେ ମଙ୍ଗଳ ହୋଇ ନପାରେ, ତାହା ନୁହେଁ, ସେପରି ପରିବାର ବଡ଼ ଦୁଃଖରେ ପୃଥିବୀପୃଷ୍ଠରୁ ନିଜର ସତ୍ତା ହରାଇବାକୁ ବାଧ୍ୟ ହୁଏ ।

 

ଆମ ଦେଶର ପରିବାରରେ ଆଉ କିଛି ଥାଉ ବା ନ ଥାଉ, ନୀତି ବା ଧର୍ମର ବନ୍ଧନରେ ତାହା ବାନ୍ଧି ହୋଇ ଚାଲିଅଛି। ସେଥିରେ ଯଦି ଧର୍ମ ବା ନୀତିର ଶିଥିଳତା ଦେଖାଯାଏ, ତେବେ ତାହା ସୁନ୍ଦରରୂପେ ସୁଶୃଙ୍ଗଳଭାବରେ ନିଜର ଉଦ୍ଦେଶ୍ୟ ସାଧନ କରି ପାରିବ ନାହିଁ, ଏହା ନିଃସନ୍ଦେହ ।

 

ପରିବାରରେ ଯେତେବେଳେ ନୀତି ଓ ଧର୍ମର ବନ୍ଧନର ମୂଲ୍ୟ ଏତେ, ବେଶି, ସେହି ନୀତି, ଆଚାର ବା ଧର୍ମ ଯେପରି ଦୃଢ଼ରୂପେ ପରିପାଳିତ ହୁଏ, ସେଥିପ୍ରତି ଦୃଷ୍ଟି ରଖିବା ପରିବାରର ମୁଖ୍ୟ ବ୍ୟକ୍ତିମାନଙ୍କର ପ୍ରଧାନ କର୍ତ୍ତବ୍ୟ ।

 

ଏ ଯୁଗରେ ଆମ୍ଭମାନଙ୍କ ଦେଶରେ ସାମାଜିକ ଓ ପାରିବାରିକ ଜୀବନରେ ନାନା କାରଣରୁ ବହୁ ପରିବର୍ତ୍ତନ ଦେଖା ଯାଉଅଛି । ପାଶ୍ଚାତ୍ୟ ଜୀବନର ସଂଘର୍ଷ ସେଥିମଧ୍ୟରୁ ଏକ ପ୍ରଧାନ କାରଣ । ଏ ଦେଶର ଜୀବନ ଗୋଟିଏ ରକମରେ ବହୁକାଳ ଚାଲି ଯାଉଥିଲା । ପାଶ୍ଚାତ୍ୟ ଜୀବନ ସଂସ୍ରବରେ ଏ ଦେଶର ନୀତି, ଆଚାର ଓ ବ୍ୟବହାର ପ୍ରଭୃତିରେ କେତେକ ପରିବର୍ତ୍ତନ ଘଟିଅଛି । ଅବଶ୍ୟ ପରିବର୍ତ୍ତନ ଗୋଟାଏ କିଛି ମାରାତ୍ମକ କଥା ନୁହେଁ ବା ପ୍ରତି ପରିବର୍ତ୍ତନକୁ ବିଭୀଷିକାର ସହିତ ଦେଖିବା ଉଚିତ ନୁହେଁ । କିନ୍ତୁ ଯେଉଁ ପରିବର୍ତ୍ତନ ମଙ୍ଗଳକର ନୁହେଁ, ତାହାକୁ ଗ୍ରହଣ କରିବାବେଳେ ସାବଧାନ ହେବା ଉଚିତ ।

 

କି ସାମାଜିକ, କି ପାରିବାରିକ, କି ବ୍ୟକ୍ତିଗତ ଜୀବନ ସବୁଥିରେ ନୂତନତ୍ୱ ଗ୍ରହଣ କଲାବେଳେ ବୁଦ୍ଧିର ପରିଚାଳନା ଆବଶ୍ୟକ । ସମାଜରେ ଯାହା ପୁରୁଣା, ତାହା ସବୁ ଅନାବଶ୍ୟକ ବା ଅମଙ୍ଗଳକର ନୁହେଁ ଅଥବା ଯାହା ସବୁ ନୂଆ, ତାହା ଏକାବେଳକେ ଆବଶ୍ୟକ ବା ହିତକର ନୁହେଁ । ସଂସ୍କାର ଓ ସଂରକ୍ଷଣରେ ପ୍ରାଚୀନ ସମାଜର ବଳ ବୃଦ୍ଧି ହୁଏ ଏବଂ ସମାଜ ଦୃଢ଼ ଭିତ୍ତି ଉପରେ ସ୍ଥାପିତ ହୁଏ ।

 

ଧୂମପାନ ଆଜିକାଲି ଅତି ସାଧାରଣ ଅଭ୍ୟାସରୂପେ ସମାଜରେ ଚଳିବାକୁ ବସିଲାଣି । ଏ ଅଭ୍ୟାସଟି ଏକାବେଳକେ ମନ୍ଦ ଏଥିରେ କୌଣସି ସନ୍ଦେହ ନାହିଁ । ଆଜିକାଲି ବାଳ ବୃଦ୍ଧ ଯୁବା ସମସ୍ତେ ଅଳ୍ପାଧିକ ପରିମାଣରେ ଏ ଅଭ୍ୟାସର ଦାସ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଜାତଶ୍ମଶ୍ରୁ ବାଳକମାନଙ୍କ ମୁଖରେ ଯନ୍ତ୍ର ତନ୍ତ୍ର ପିକା, ବିଡ଼ି, ସିଗାରେଟ ଦେଖିବା ଆଜିକାଲି ଗୋଟିଏ ସାଧାରଣ ଦୃଶ୍ୟ । ପାରିବାରିକ ଜୀବନରେ ଏ ଧୂମପାନ ଦୋଷକୁ ପରିହାର ନ କଲେ ଏ ଅଭ୍ୟାସଟି ଯେ ସମୟରେ ସମାଜର ଯଥେଷ୍ଟ ଅନିଷ୍ଟ ସାଧନ କରିବ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ପରିବାର ଭିତରେ ବୟସ୍କ ବ୍ୟକ୍ତିମାନେ ଯଦି କୌଣସି ରକମର ଧୂମପାନ ନ କରିବେ, ତେବେ ସେ ଅଭ୍ୟାସ ପରିବାରର ଅଳ୍ପ ବୟସ୍କମାନଙ୍କ ମଧ୍ୟରେ ସଂକ୍ରମିତ ହେବାର ଆଶଙ୍କା ଅଳ୍ପ । ଧୂଆଁପତ୍ରରେ ନିକୋଟିନ୍ ନାମକ ଯେଉଁ ବିଷାକ୍ତ ଦ୍ରବ୍ୟ ଅଛି, ତାହା ବିଡ଼ି, ସିଗାରେଟ୍, ଗୁଡ଼ାଖୁ, ପିକା ପ୍ରଭୃତି ଦ୍ୱାରା ଶରୀର ଭିତରକୁ ଯାଇ ଶରୀରର ସ୍ୱାସ୍ଥ୍ୟ ନଷ୍ଟ କରି ପକାଏ । ଧୂମପାନ କରିବାର ଅର୍ଥ ପଇସା ଖର୍ଚ୍ଚ କରି ବିଷ ଖାଇବା। ଏ ସାଧାରଣ ବଦଭ୍ୟାସଟି ଯେପରି ଏକାବେଳକେ ସମାଜରୁ ବିଦୂରିତ ହୁଏ, ସେଥିପ୍ରତି ସମସ୍ତଙ୍କର ଦୃଷ୍ଟି ଦେବା ଉଚିତ । ପାନ ଚୋବାଇବା ଏ ଦେଶର ଆଉ ଗୋଟଏ ରୋଗ । ଜଣେ ଦେଶହିତକାମୀ ଡାକ୍ତର ହିସାବ କରି ଦେଖିଅଛନ୍ତି ଯେ ଓଡ଼ିଶାରେ କେବଳ ପାନଖିଆଦ୍ୱାରା ବାର୍ଷିକ ୩/୪ କୋଟି ଟଙ୍କା ଖର୍ଚ୍ଚ ହୁଏ । * ପାନଖିଆ ରୋଗକୁ ପରିବାରରୁ, ସମାଜରୁ ଦୂର କରିବାକୁ ଚେଷ୍ଟା କରିବା ସର୍ବତୋଭାବରେ ଆବଶ୍ୟକ ।

 

*

‘ପଲ୍ଲୀମଙ୍ଗଳ’ ୯ ମ ଭାଗ ପୃ ୨୭୯ ଷ୍ଠା ।

 

ଏହିପରି ନୀତି ବା ଆଚାର ଦିଗରୁ ଦେଖିବାକୁ ଗଲେ ଅନେକଗୁଡ଼ିଏ ପ୍ରାଚୀନ ବା ନୂତନ ନୀତି ବା ଆଚାର ଆମ୍ଭମାନଙ୍କର ସାମାଜିକ ଓ ପାରିବାରିକ ଜୀବନର ଜୀବନୀଶକ୍ତି ନଷ୍ଟ କରିବାକୁ ବସିଅଛି । ପରିବାରରେ ସୁନୀତି ବା ସଦାଚାରର ଆଦର୍ଶ ଉଚ୍ଚ ନ ରହିଲେ ବା ସେଥିପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଦିଆ ନ ହେଲେ ସେଦିଗରେ ସାମାନ୍ୟ ଶିଥିଳତା ବହୁପରିମାଣରେ ଅମଙ୍ଗଳକର ହୋଇ ଉଠେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଏକପତ୍ନୀବ୍ରତ ପାରିବାରିକ ଜୀବନର ମଙ୍ଗଳର ଏକ ପ୍ରଧାନ ନିୟମ । ପରୀକ୍ଷା କରି ବୁଝିଲେ ଜଣା ପଡ଼ିବ, କେତେ ଜଣ ଏହି ବ୍ରତକୁ ନିଷ୍ଠା ସହିତ ପାଳନ କରିଥାନ୍ତି । ଯେଉଁମାନେ ଏହି ବ୍ରତ ପାଳନରେ ଶିଥିଳ, ସେମାନେ କିପରି ମନେ କରନ୍ତି ଯେ, ସେମାନଙ୍କର ସନ୍ତାନ ସନ୍ତତିମାନେ ଉଚ୍ଚ ଆଦର୍ଶର ଅନୁକରଣରେ ନିଜ ନିଜର ଜୀବନର ଉନ୍ନତି ବିଧାନ କରିବେ ? ନିଜର ସତୀ ସାଧ୍ୱୀ ଧର୍ମପତ୍ନୀ, ବୟସ୍କ ପୁତ୍ର କନ୍ୟା ନାତି ନାତୁଣୀ ଘରେ ଥାଉଁ ଥାଉଁ ଯେଉଁମାନେ ଏହି ଏକପତ୍ନୀବ୍ରତରୂପ ମହାବିଧିର ମୁଖରେ ଜଳାଞ୍ଜଳି ଦେଇ ପାରନ୍ତି, ସେମାନଙ୍କଠାରୁ ପାରିବାରିକ ଜୀବନର କି ଆଦର୍ଶ ଆଶା କରାଯାଇ ପାରେ ? ଆମ୍ଭମାନଙ୍କ ଦେଶର ଦୂରବସ୍ଥା ଯେ ପୁରୁଷର ଏ ବ୍ୟଭିଚାର ଏ ଦେଶରେ ଧର୍ମଶାସ୍ତ୍ରର ଗୁଣରେ, କିଛି ମାତ୍ର ଦୋଷରୂପେ ପରିଗଣିତ ହୁଏ ନାହିଁ ! ଯେଉଁ ଦେଶର ଧର୍ମଶାସ୍ତ୍ରର ସବୁ ଅନୁଜ୍ଞା କେବଳ ସ୍ତ୍ରୀ ଜାତିର ନୀତି ଓ ଚରିତ୍ରର ସଂଶୋଧନ ପାଇଁ, ସେ ଦେଶର ପୁରୁଷଜାତିର କୁନୀତିକୁ ଯେ ଗୌଣଭାବରେ ପ୍ରଶୟ ଦିଆଯାଏ, ଏହା ମନେ କରିବା ସ୍ୱାଭାବିକ । ଯାହା ଅନୀତି ବା ଅନାଚାର, ତାହା ପୁରୁଷ ପ୍ରତି ଯେପରି, ସ୍ତ୍ରୀ ପ୍ରତି ମଧ୍ୟ ସେହିପରି । ଯାହା ମନୁଷ୍ୟର ସ୍ୱଭାବ ବା ଚରିତ୍ରକୁ ହୀନ ବା ନୀଚ କରେ ବା ଯାହାଦ୍ୱାରା ମନୁଷ୍ୟ କେବଳ ମାତ୍ର ପଶୁଧର୍ମାବଲମ୍ବୀ ଜୀବ ହୋଇ ପଡ଼େ, ତାହା କି ପରୁଷ କି ସ୍ତ୍ରୀ କାହାରି ପକ୍ଷରେ ଅଦରଣୀୟ ନୁହେଁ । ଏ ଦେଶରେ ଶାସ୍ତ୍ରବଚନ ପୁରୁଷଜାତିର କୁନୀତି ବା ଅନାଚାର ବିରୁଦ୍ଧରେ ବିଶେଷ ଭାବରେ ହସ୍ତ ଉତ୍ତୋଳନ କରି ନ ଥିଲେ ସୁଦ୍ଧା ଆମ୍ଭମାନଙ୍କର ଏ ଯୁକ୍ତିବିଚାରପୂର୍ଣ୍ଣ ଯୁଗରେ ବୁଝି ରଖିବା ଉଚିତ ଯେ, ଅନୀତି ବା ଅନାଚାର ନାମରେ ଯାହା ପରିଚିତ, ତାହା ପୁରୁଷ ବା ସ୍ତ୍ରୀ ଉଭୟଙ୍କ ପ୍ରତି ସମାନ ଭାବରେ ପ୍ରଯୋଜ୍ୟ ।

 

ଏହିପରି ଗୋଟି ଗୋଟି କରି ଦେଖିବାକୁ ଗଲେ କେତେ କୁନୀତି ଓ କଦାଚାର ଏ ଦେଶର ପାରିବାରିକ ଜୀବନର ସରଳତା, ମଧୁରତା ନଷ୍ଟ କରିବାକୁ ବସିଅଛି, ତାହାର ଗଣନା କରିହେବ ନାହିଁ । ଏ ସବୁର ହସ୍ତରୁ ପରିବାରକୁ ରକ୍ଷା କରିବାକୁ ହେଲେ ପୁଣି ପରିବାର ଭିତରେ ସୁନୀତି ବା ସଦ୍‌ଭାବର ସୌରଭ ବିକୀରଣ କରଦେବା ଉଚିତ । ପରିବାରର ସ୍ତରେ ସ୍ତରେ ସୁନୀତି ସଦ୍‌ଭାବ ବିଞ୍ଚି ହୋଇଗଲେ ପୁଣି ଆମ୍ଭମାନଙ୍କ ଦେଶର ପାରିବାରିକ ଜୀବନ ସରସ ଓ ମଧୁମୟ ହୋଇ ଉଠିବ ଏବଂ ଏହାରି ବଳରେ କେବଳ ଏ ଦେଶରେ ପୁଣି ରାମରାଜ୍ୟ ପ୍ରତିଷ୍ଠିତ ହୋଇପାରିବ ।

 

ଯେଉଁ ଦେଶର ପରିବାରରେ ସୁନୀତି ବା ସଦାଚାରର ପ୍ରଚଳନ ପ୍ରତି ପ୍ରବଳ ଦୃଷ୍ଟି ନ ରହିବ, ସେ ଦେଶର ନାଗରିକ, ସାମାଜିକ ବା ରାଜନୈତିକ ଜୀବନ କେବେହେଁ ସୁନ୍ଦରରୂପେ, ସବଳରୂପେ ଗଠିତ ହୋଇପାରିବ ନାହିଁ, ଏହା ଧ୍ରୁବ ସତ୍ୟ ।

 

ଏ ଦେଶର ଶାସ୍ତ୍ରକାରମାନେ ପାରିବାରିକ ଜୀବନକୁ ଏଡ଼େ ପବିତ୍ର ଦୃଷ୍ଟିରେ ଦେଖୁଥିଲେ ଯେ, ସେମାନେ ଏହାକୁ ଗୃହସ୍ଥାଶ୍ରମ ନାମରେ ଅଭିହିତ କରିଅଛନ୍ତି ଏବଂ ଗୃହସ୍ଥାଶ୍ରମକୁ ନାନା ବିଧି ନିୟମରେ ସୀମାବଦ୍ଧ କରି ଯାଇଅଛନ୍ତି । ଗୃହୀର ଜୀବନ ଯେପରି ସଂଯତ, ସଂହତ ହେବ, ତାହା ଯେପରି କ୍ଷୁଦ୍ର ପରିବାରର ମଙ୍ଗଳରୁ ଆରମ୍ଭ କରି କ୍ରମେ କ୍ରମେ ବିଶ୍ୱମଙ୍ଗଳରେ ଆପଣାକୁ ନିୟୋଜିତ କରି ପାରିବ, ଏହି ଉଚ୍ଚ ଆଦର୍ଶ ପାରିବାରିକ ଜୀବନରେ ପ୍ରତିପାଳିତ ହେବାଲାଗି ସେମାନେ ବିଧି ବ୍ୟବସ୍ଥା ରଖିଦେଇ ଯାଇଅଛନ୍ତି । ଆମ୍ଭେମାନେ ଅନ୍ୟାନ୍ୟ ସବୁ ବିଷୟରେ ଯେପରି, ଏହି ପାରିବାରିକ ବିଧିବିଧାନ ପାଳନରେ ମଧ୍ୟ ସେହିପରି ପ୍ରାଚୀନ ସୁନୀତି ବା ସୁନିୟମକୁ ପରିତ୍ୟାଗ କରି ବସିଅଛୁଁ, କିନ୍ତୁ ଆଧୁନିକ ଯୁକ୍ତି ବିଚାର-ଯୁଗୋଚିତ ଆଚାର ବ୍ୟବହାର ନିଜ ନିଜ ଜୀବନରେ ପ୍ରତିପାଳନ କରିବାର ସାହସ ବା ବଳବିଧାନ କରିପାରି ନାହୁଁ । ଫଳରେ ଏହା ହୋଇଅଛି ଯେ, ଆମ୍ଭମାନଙ୍କ ପ୍ରାଚୀନ ସରଳ ସୁନ୍ଦର ପରିବାରଟି ତାହାର ମୌଳିକ ନୀତି ନିୟମ ହରାଇ କ୍ରମେ କ୍ରମେ ହୀନବଳ ହୋଇ ଭାଙ୍ଗିଯିବାକୁ ବସିଅଛି ଏବଂ ତାହା ବଦଳରେ ମଧ୍ୟ ଆଧୁନିକ ଯୁଗୋଚିତ ଯୁକ୍ତିବିଚାରସିଦ୍ଧ ପରିବାରଟିଏ ଜନ୍ମପରିଗ୍ରହ କରି ପାରି ନାହିଁ । ଏହା ଆମ୍ଭମାନଙ୍କ ପକ୍ଷରେ ଶୁଭ ଲକ୍ଷଣ ନୁହେଁ । ଆମ୍ଭମାନଙ୍କ ପରିବାରର ମୂଳଭିତ୍ତିକୁ ପୁଣି ସୁନୀତି ଓ ସଦାଚାରଦ୍ୱାରା ସୁଦୃଢ଼ ଓ ସବଳ କରି ନେବା ଆମ୍ଭମାନଙ୍କର କର୍ତ୍ତବ୍ୟ ।

 

ଆଜିକାଲି ଦେଶର ଶିକ୍ଷିତ ସମାଜ ଭିତରେ ଧର୍ମହୀନତା ଦୋଷ ଦେଖି ଆମ୍ଭେମାନେ ଦୁଃଖ କରିଥାଉଁ ଏବଂ ସେଥିପାଇଁ ଆମ୍ଭମାନଙ୍କ ଶିକ୍ଷା ଦୀକ୍ଷାର ପଦ୍ଧତିକୁ ନିନ୍ଦା କରୁଁ । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଆମ୍ଭେମାନେ ନିଜେ ନିଜେ ଏଥିପାଇଁ ବହୁପରିମାଣରେ ଦାୟୀ ନୋହୁଁ କି ? ଆମ୍ଭମାନଙ୍କ ପରିବାର ଭିତରେ ଶିଶୁଜୀବନରେ ଯଦି ଏ ଧର୍ମବୁକ୍ଷର ବୀଜ ବପନ କରିଥାନ୍ତୁ, ତେବେ ଦେଶରେ ଏ ଧର୍ମହୀନ, ନୀତିହୀନ ଭାବରେ ପ୍ରାଦୁର୍ଭାବ ନ ଥାନ୍ତା । ଜଣେ ଶିଶୁଶିକ୍ଷା ସମୀକ୍ଷକ ପଣ୍ଡିତ କହିଅଛନ୍ତି, ‘‘ମୋତେ ଶିଶୁର ପ୍ରଥମ ଛଅ ବର୍ଷ ଦିଅ, ମୁଁ ସେଥିଭିତରେ ଯାହା କରିଦେବି, ତାହା ଶିଶୁର ଉତ୍ତର ଜୀବନ ପକ୍ଷରେ ଯଥେଷ୍ଟ, ତେଣିକି ଶିଶୁ ଯେ କୌଣସି ସଂସର୍ଗରେ ଆସୁ ସେଥିରେ ଶିଶୁ ଚରିତ୍ରର ବିଶେଷ ପରିବର୍ତ୍ତନ ଘଟିବା ଅସମ୍ଭବ ।’’ ଏ କଥା ଛୋଟ କଥା ନୁହେଁ । ବାସ୍ତବିକ ପରିବାର ଭିତରେ ଶିଶୁଜୀବନରେ ଯେଉଁ ଉପାଦାନ ପଡ଼ିଥାଏ, ଶିଶୁ ପାରିପାର୍ଶ୍ୱିକ ଆଦର୍ଶରେ ମୁଖ୍ୟ ଓ ଗୌଣ ଭାବରେ ଯେଉଁ ଶିକ୍ଷା ଗ୍ରହଣ କରିଥାଏ, ତାହାର ମୂଲ ଅସାଧାରଣ । ଆମ୍ଭେମାନେ ମନେ କରିଥାଉଁ, ଶିଶୁର ଶୈଶବ ବ ବାଲ୍ୟଜୀବନ କିଛି ନୁହେଁ । ପାଠପଢ଼ା ଆରମ୍ଭ ହେଲେ, ବୟସ ହେଲେ, ତାହାର ଶିକ୍ଷାର ଆରମ୍ଭ ହୁଏ, ଏ ଗୋଟାଏ ମାରାତ୍ମକ ଭ୍ରମ । ଶିଶୁ ଭୂମିଷ୍ଠ ହେବା ସଙ୍ଗେ ସଙ୍ଗେ ତାହାର ପିତା ମାତା ବା ଅଭିଭାବକମାନଙ୍କ ଉପରେ ତାହାର ଶିକ୍ଷାର ଗୁରୁଭାର ନ୍ୟସ୍ତ ହୁଏ; ନାନା ଆଦର୍ଶ ଆଚରଣର ଅନୁକରଣ ଓ ଅନୁସରଣରେ ଶିଶୁର ମାନସିକ କ୍ରିୟାର ପରିଚାଳନା ହୁଏ । ସେତିକିବେଳେ ବିଜ୍ଞ ଗୃହକର୍ତ୍ତାଙ୍କ ପକ୍ଷରେ ଶିଶୁର ମନୋବୃତ୍ତି ଦେଖି ତାହାକୁ ଉନ୍ନତିମାର୍ଗରେ ପିରିଚାଳିତ କରି ନେବାର ସରଳ ସହଜ ଉପାୟ ଦେଖିବା ଉଚିତ । ଶିଶୁର ଖେଳ ଭିତରେ ନାନା ଗାଲୁଗଳ୍ପ ଭିତରେ ଶିଶୁ ଯାହା ଶିକ୍ଷାଲାଭ କରେ, ତାହାର ମୂଲ୍ୟ କଳନା କରି ହେବ ନାହିଁ । ଆଜିକାଲି ଦେଶର ଯୁବକ ସମାଜରେ ଆମ୍ଭେମାନେ ଯେଉଁ ଧର୍ମହୀନତା ବା ନୀତିହୀନତା ଦେଖି ଦୀର୍ଘନିଶ୍ୱାସ ପରିତ୍ୟାଗ କରିଥାଉଁ, ତାହାର ମହୌଷଧି ଆମ୍ଭମାନଙ୍କ ନିଜ ଭିତରେ ରହିଅଛି-ଆମ୍ଭମାନଙ୍କର ପାରିବାରିକ ଜୀବନରେ ଧର୍ମ ଓ ନୀତିର ସୁବ୍ୟବହାର ହେଲେ ଶିଶୁର ପ୍ରାଣ ନାନାଭାବରେ ତାହାଦ୍ୱାରା ଅନୁପ୍ରାଣିତ ହୋଇ ପାରିବ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ଆଗେ ଆମ୍ଭମାନଙ୍କର ପରିବାର ଭିତରେ ଧର୍ମ ଓ ନୀତିର ନାନା ଅନୁଷ୍ଠାନ, ବ୍ରତ, ଓଷା ପ୍ରଭୃତି ନାନା କର୍ମକାଣ୍ଡ ଆମ୍ଭମାନଙ୍କୁ ନିଷ୍ଠା, ଆଚାର ଓ ସଂଯମ ଦିଗରେ ବହୁ ବଳ ଦେଉଥିଲା । ଆଜିକାଲି ପାଶ୍ଚାତ୍ୟ ଜୀବନ ସଂଘର୍ଷରେ ପ୍ରାଚ୍ୟ ଜୀବନର ସଂଯମର ଏହି ଉଚ୍ଚ ଆଦର୍ଶଟା କ୍ରମେ କ୍ରମେ ହୀନରୁ ହୀନତର ହେଉଅଛି । ପ୍ରାଚୀନ ସୁଧାରା, ସୁନିୟମ ଓ ସଂଯତ ଜୀବନ ହରାଇ ଆଜିକାଲିର ଯୌବନ ଟିକିଏ ଉଚ୍ଛୁଙ୍ଖଳ, ଏହା କେହି ଅସ୍ୱୀକାର କରିବେ ନାହିଁ । ଅବଶ୍ୟ କାଳର ଗତିକୁ ଏଡ଼ି ପାରିବା କାହାର ସାଧ୍ୟ ନାହିଁ, କିନ୍ତୁ ତାହା ବୋଲି ସ୍ରୋତର ତୃଣ ପରି କାଳର ସ୍ରୋତରେ ଭାସିଯିବା ନୈତିକ ଜୀବ ମାନବ ପକ୍ଷରେ ପ୍ରଶଂସାର କଥା ନୁହେଁ । ଆଜି କାଲିର ସ୍ରୋତର ତୃଣ, ଜଳର ବୁଦ୍‌ବୁଦ୍ ମେରୁଦଣ୍ଡହୀନ ଶିକ୍ଷିତ ସମାଜକୁ ଦେଖିଲେ ବାସ୍ତବିକ ମନେ ହୁଏ ନାହିଁ ଯେ, ଏମାନେ ଗୋଟିଏ ପ୍ରାଚୀନ ଉନ୍ନତ ଜାତିର ବଂଶଧର । ପାଶ୍ଚାତ୍ୟର ଶିକ୍ଷା ଦୀକ୍ଷା ଜ୍ଞାନ ବିଜ୍ଞାନ ପ୍ରାଚ୍ୟର ନୀତି ସଂଯମର ଦୃଢ଼ ଭୂମି ଉପରେ ସ୍ଥାପିତ ହେଲେ ତାହା ଯେ ସମ୍ୟକରୂପେ ଏ ଦେଶର ଓ ଜାତିର ଉପଯୋଗୀ ହୋଇ ପାରିବ, ଏ ଉଚ୍ଚ ଆଦର୍ଶ ଆମ୍ଭେମାନେ ଯେ କାହିଁକି ହରାଇବାକୁ ବସୁଅଛୁଁ, ତାହା ଭାବି ହୁଏ ନାହିଁ । ଅନ୍ଧ ଅନୁକରଣପ୍ରିୟତା ଓ ବିଚାରହୀନତା ଆମ୍ଭମାନଙ୍କର ଏ ଦୋଷ ପାଇଁ ଦାୟୀ । କାକ ଶତ ଶତ ମୟୂରପୁଚ୍ଛ ଗୁଞ୍ଜିଲେ ସୁଦ୍ଧା ମୟୂର ହେବ ନାହିଁ, ଏ କଥାଟା ସବୁବେଳେ ଆମ୍ଭମାନଙ୍କର ମନେ ରଖିବା ଉଚିତ ।

 

ଦେଶର ଶିଳ୍ପ, ସାହିତ୍ୟ, ଆଚାର, ବ୍ୟବହାର ପ୍ରଭୃତି ପ୍ରତ୍ୟେକ ବିଷୟରେ ଆମ୍ଭମାନଙ୍କ ମନରେ, ଏମନ୍ତ କି ହୃଦୟରେ ସୁଦ୍ଧା ନକଲ ବିଷବୀଜ ପ୍ରବେଶ କରି ଆମ୍ଭମାନଙ୍କ ଦେଶକୁ, ସମାଜକୁ ହୀନବଳ କରି ଦେଉଅଛି । ଏହା ଦେଶ ପକ୍ଷରେ, ଜାତି ପକ୍ଷରେ ମହା ବିପଦ । ଏ ମହା ବିପଦରୁ ଦେଶର ଉଦ୍ଧାରର ଉପାୟ ଖୋଜିବା ଆବଶ୍ୟକ । ଏହାର ଉପାୟ ଆମ୍ଭମାନଙ୍କ ପରିବାର ଭିତରେ ଅନେକ ପରିମାଣରେ ଅଛି । ଆମ୍ଭେମାନେ ସେଠାରେ ନିଜର ପ୍ରକୃତିକୁ ମାନି ଯେପରି ଚଳୁଁ, ସେଠାରେ ଧର୍ମକର୍ମରେ ବା ଭାବଭଙ୍ଗୀରେ ଯେପରି ଆମ୍ଭର ନିଜର ପ୍ରକୃତି ପ୍ରତି ବ୍ୟଭିଚାର ନ କରୁଁ । ସେପରି କରି କରି ଆମ୍ଭମାନଙ୍କର ସାମାଜିକ ଓ ରାଷ୍ଟ୍ରୀୟ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡ଼ୁଅଛି–ଆମ୍ଭେମାନେ କେବଳ ଅକୃତକାର୍ଯ୍ୟ ଓ ଭାରାକ୍ରାନ୍ତ ହୋଇ ପଡ଼ୁଅଛୁଁ । ପ୍ରକୃତରେ ଜଟିଳତା ଏ ଦେଶର ଧର୍ମ ନୁହେଁ । ଜୀବନଯାତ୍ରାର ସରଳତା ଓ ଉପକରଣର ବିରଳତା ଏ ଦେଶର ନିଜସ୍ୱ-ଏହିଠାରେ ଆମ୍ଭମାନଙ୍କର ବଳ, ଆମ୍ଭମାନଙ୍କର ପ୍ରାଣ, ଆମ୍ଭମାନଙ୍କର ପ୍ରତିଭା । ଦେଶର, ଜାତିର ମଙ୍ଗଳ ପ୍ରତି ଏହି ଭାବ ଆଣିବାକୁ ହେଲେ ଆମ୍ଭମାନଙ୍କ ପରିବାରକୁ ପୁଣି ସୌନ୍ଦର୍ଯ୍ୟମଣ୍ଡିତ, କଲ୍ୟାଣକର କରି ଗଢ଼ିନେବାକୁ ହେବ । ସେଠାରେ ଜୀବନର ଶୁଷ୍କତା ଭିତରେ ରସ ସଞ୍ଚାର କରିବାକୁ ହେବ, ଯୁଗ ଯୁଗର ଭ୍ରମ ପ୍ରମାଦକୁ ଅଶ୍ରୁ ଜଳରେ ମାର୍ଜନା କରି ସୌନ୍ଦର୍ଯ୍ୟର, ତଥା କଲ୍ୟାଣର କାନ୍ତିରେ ଉଜ୍ଜ୍ୱଳ କରିବାକୁ ହେବ । ତାହା ହିଁ ପରିବାରର ମୁକ୍ତିର ଓ ସେଥି ସଙ୍ଗେ ସଙ୍ଗେ ସମାଜ ଓ ଦେଶର ମୁକ୍ତିର ପ୍ରଧାନ ଓ ପ୍ରକୃଷ୍ଟ ପନ୍ଥା । ଭଗବଦ୍‌ଭକ୍ତି, ଗୁରୁଜନ ସମ୍ମାନ, ଶିଷ୍ଟ ଓ ବିନମ୍ର ବ୍ୟବହାର, ସତ୍ୟକଥନ, ଜୀବ ପ୍ରତି ଦୟା ପ୍ରଭୃତି ଜୀବନର ନାନାବିଧ ସୁନୀତି, ସଂଯମ ଓ ସଦାଚାର ପରିବାର ଭିତରେ ମୁଖ୍ୟ ବ୍ୟକ୍ତିମାନେ ପ୍ରତିପାଳନ କଲେ ତାହା ସଂକ୍ରାମକ ହୋଇ ଅଳ୍ପାଧିକ ପରିମାଣରେ ସମସ୍ତଙ୍କ ଆଚାର ବ୍ୟବହାରକୁ ସ୍ପର୍ଶ କରିବ । ଏହି ସବୁ ସଦାଚରଣ ଓ ସାଧିୁ ବ୍ୟବହାର ଦେଖି ଦେଖି ଶିଶୁ ଅଜ୍ଞାତ ଭାବରେ ନିଜ ହୃଦୟରେ ଅଙ୍କିତ କରି ନେବ । ଉଦାହରଣରୁ ଏହି ସବୁ ଶିକ୍ଷା ଉପଦେଶ ଅପେକ୍ଷା ଅଧିକ ଫଳପ୍ରଦ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

 

ପରିବାର ଭିତରେ ସୁନୀତି ଓ ସଦାଚାର ପ୍ରଚଳନ ବିଷୟରେ ଯାହା କୁହାଗଲା, ତାହା ଯେ କେବଳ ଏ ଦେଶ ପ୍ରତି ପ୍ରଯୋଜ୍ୟ ତାହା ନୁହେଁ, ତାହା ସବୁ କାଳରେ ସବୁ ଦେଶରେ ପ୍ରତି ପରିବାର ପ୍ରତି ସମାନ ଭାବରେ ଉପଯୋଗୀ । ଦେଶ ବା ସମାଜକୁ ସୁସ୍ଥ, ସବଳ ଓ କାର୍ଯ୍ୟକ୍ଷମ କରିବାକୁ ହେଲେ ତାହାର ମୂଳଭିତ୍ତି ପରିବାରଟିକୁ ସୁନ୍ଦର କରି ପ୍ରଥମତଃ ଗଢ଼ିନେବାକୁ ହେବ । ମୂଳଦୁଆ ଠିକ ନ ରହିଲେ ତାହା ଉପରର ଗଠନ ଦୃଢ଼ ବା ଦୀର୍ଘକାଳସ୍ଥାୟୀ ହୋଇପାରିବ ନାହିଁ । ଇଂଲଣ୍ଡର ଜଣେ ପ୍ରଧାନ ମନୀଷୀ Dean Inge କ୍ରିୟଡ଼ନଠାରେ ସେଠାର ଛାତ୍ରମଣ୍ଡଳୀଙ୍କୁ ସମ୍ବୋଧନ କରି ଠିକ୍ ସେହି କଥା ଗତ କେତେକ ଦିନ ତଳେ କହିଥିବାର ପ୍ରକାଶିତ ହୋଇଅଛି–

 

‘‘I am sure that no country was ever prosperous and strong in which the sanctity of family life and the value of personal purity were not upheld and practised’’

 

ଅର୍ଥାତ୍ ମୋର ଦୃଢ଼ ବିଶ୍ୱାସ ଯେ, ଯେଉଁ ଦେଶରେ ପାରିବାରିକ ଜୀବନରେ ଏବଂ ବ୍ୟକ୍ତିଗତ ଜୀବନରେ ପବିତ୍ରତା ପ୍ରକୃତ ଭାବରେ ହୃଦୟଙ୍ଗମ ହୋଇ ପ୍ରତିପାଳିତ ହୁଏ ନାହିଁ, ସେପରି ଦେଶ କେବେ କୌଣସି କାଳରେ ଉନ୍ନତ ବା ସବଳ ହୋଇ ପାରେ ନାହିଁ ।

Image

 

Unknown

ପରିବାରରେ ଗୃହିଣୀର ସ୍ଥାନ

 

‘‘ପୋତା ଶାଳ, ଉଭା ତାଳ,

ରୁଅ ହେନ୍ତାଳ, ଗଣ୍ଠି ବେତାଳ,

ଘରଣୀ ଚେତୁଆଳ,

ଏ ଘର ରହଇ ଅପାରକାଳ ।’’

 

ଆମ ଦେଶରେ ପ୍ରଚଳିତ ନାନା ଢଗଢ଼ମାଳି ଭିତରେ ଯେପରି ବହୁ ସତ୍ୟ ନିହିତ ଥାଏ, ଉପରେ ଉଦ୍ଧାର କରାଯାଇଥିବା ଢଗ ବା ଦେଶପ୍ରଚଳିତ ଗୀତଟିରେ ସେହିପରି ଗୁଡ଼ିଏ ସତ୍ୟ ରହିଅଛି । ମାଟିରେ ପୋତା ହୋଇ ରହିବାକୁ ଶାଳକାଠ, ରୁଅ ଶେଣୀ ପାଇଁ ତାଳ କାଠର ଉପାଦେୟତା ଯେପରି ସମସ୍ତଙ୍କୁ ଜଣାଅଛି, ‘‘ଚେତୁଆଳ ଘରଣୀ’’ ଘରର ମଙ୍ଗଳ ନିମିତ୍ତ ବିଶେଷ ଲୋଡ଼ା, ଏହା ମଧ୍ୟ ଅଳ୍ପାଧିକ ପରିମାଣରେ ସବୁ ଗୃହସ୍ଥଙ୍କୁ ଜଣା । ବାସ୍ତବିକ ସେପରି ଘରଣୀ ପାଇଲେ ଘର ‘‘ଅପାର କାଳ’’ ଆନନ୍ଦରେ ରହି ପାରେ ।

 

ଚତୁରତା, ସାବଧାନତା ଘରଣୀର ପ୍ରଧାନ ଗୁଣ । ଘର ରକ୍ଷା କରିବାକୁ ପୁରୁଷଙ୍କ ପରିଶ୍ରମର ଯେପରି ପ୍ରୟୋଜନ, ଘରଣୀଙ୍କର ପରିଶ୍ରମ ଓ ତତ୍‌ପରତା ମଧ୍ୟ କମ୍ ଲୋଡ଼ା ନୁହେଁ । ବରଂ ସୁଗୃହିଣୀ ପୁରୁଷର ଅକ୍ଷମତା ବା ଅପାରଗତାକୁ କେତେକ ପରିମାଣରେ ଘର ଭିତରେ ଚଳାଇ ନିଏ । ଘରେ ସୁଗୃହିଣୀ ନ ରହିଲେ ପୁରୁଷ ଯେଡ଼େ ଦକ୍ଷ, ସଂଯତ, ଚତୁର ବା ପରିଶ୍ରମୀ ହେଉ, ସେ ଏକାକୀ ଘରର ସମୂହ ମଙ୍ଗଳ ବା ଉନ୍ନତି ସାଧନ କରି ପାରିବ ନାହିଁ । ସେପରି ଘରର ନିଶ୍ଚୟ ନାନା ଅଭାବ, ଅସୁବିଧା ଓ ଅଙ୍ଗହାନି ସମସ୍ତଙ୍କ ଆଖି ଆଗରେ ପଡ଼ିବ । ଯେଉଁମାନେ ନିଜର ଦୁର୍ଭାଗ୍ୟକୁ ନିଜର ପତ୍ନୀ ହରାଇଥାନ୍ତି ସେମାନଙ୍କ ଘର ଏହାର ଜ୍ୱଳନ୍ତ ପ୍ରମାଣ । ପିତା ଶତ ସହସ୍ର ଚେଷ୍ଟା କଲେ ମଧ୍ୟ ପୁତ୍ରକନ୍ୟାମାନଙ୍କର ସର୍ବବିଧ କଲ୍ୟାଣ କେବଳ ତାଙ୍କଦ୍ୱାରା ହୋଇ ପାରେ ନାହିଁ । ଅଳ୍ପ ଖର୍ଚ୍ଚରେ ମାତାର ଜୀବିତାବସ୍ଥାରେ ପୁତ୍ରକନ୍ୟମାନେ ଯେପରି ସୁଖ ସ୍ୱାଚ୍ଛନ୍ଦ୍ୟରେ ରହି ପାରୁଥିଲେ ବା ଘର ଭିତରେ ନାନା କାର୍ଯ୍ୟରେ ଯେପରି ଶୃଙ୍ଖଳା ବା ଶାନ୍ତି ଗୃହିଣୀଙ୍କଦ୍ୱାରା ହୋଇ ପାରୁଥିଲା, ଗୃହିଣୀଙ୍କ ଅଭାବରେ ଗୃହକର୍ତ୍ତା ଏକାକୀ ବହୁ ଅର୍ଥ ବ୍ୟୟ ବା ବହୁ ପରିଶ୍ରମ କଲେ ମଧ୍ୟ ସେ ଶୃଙ୍ଖଳା ବା ସୁବିଧା କରାଇ ପାରିବା ସହଜ ହୋଇ ପାରେ ନାହିଁ । ବାସ୍ତବିକ ସଂସାରରେ ପାରିବାରିକ ଜୀବନର ନାନା ସୁବିଧା ଅସୁବିଧା ଦେଖି ସ୍ୱଭାବତଃ ଏହି କଥା ମନେ ହୁଏ, ଗୃହିଣୀହି ଗୃହର ରାଜ୍ଞୀ-ତାଙ୍କର ସ୍ୱଭାବ ଚରିତ୍ର, ବିଜ୍ଞତା ଓ ବିଚକ୍ଷଣତା ଉପରେ ଗୃହର ଶାନ୍ତି ଓ ସୌନ୍ଦର୍ଯ୍ୟ ବହୁ ପରିମାଣରେ ନିର୍ଭର କରେ ।

 

ପାରିବାରିକ ଜୀବନରେ ଗୃହିଣୀର ସ୍ଥାନ ଏହିପରି ଉଚ୍ଚ ଓ ଦାୟିତ୍ୱପୂର୍ଣ୍ଣ । ଅତଏବ ସୁଗୃହିଣୀ କରି ପାରିବାର ଚେଷ୍ଟା କରିବା ପ୍ରତି ଗୃହସ୍ଥର କନ୍ୟାଙ୍କ ପ୍ରତି ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଯଦି ଦେଶରେ କନ୍ୟାମାନେ ସୁଗୃହିଣୀ ହେବା ଭଳି ସୁଶିକ୍ଷା ଲାଭ କରନ୍ତି, ତେବେ ଦେଶର ଉନ୍ନତି ବା ମଙ୍ଗଳ ସାଧିତ ହେବାକୁ ବିଳମ୍ବ ହେବ ନାହିଁ । ସୁଗୃହିଣୀ ପରିବାରକୁ ନିର୍ମଳ, ପବିତ୍ର ଓ ମନୋହର କରିଦିଏ । ସେ ତାହାର ଶିକ୍ଷା, ଦୀକ୍ଷା ଓ ଆଚରଣଦ୍ୱାରା ପାରିବାରିକ ଜୀବନର ମଙ୍ଗଳ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟ ଜୀବନର ମଧ୍ୟ ମୂଳଭିତ୍ତି ସ୍ଥାପନ କରିଦିଏ । ଏପରି ସୁଗୃହିଣୀ ଦ୍ୱାରା ସନ୍ତାନ ସନ୍ତତିଙ୍କର ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଉନ୍ନତି ହେବା ସଙ୍ଗେ ସଙ୍ଗେ ପରିବାର କି ଧନ ସମ୍ପତ୍ତି, କି ମାନ ମହତ୍ତ୍ୱ ସବୁ ଦିଗରେ ବିପୁଳ ଉନ୍ନତି ସାଧିତ ହୋଇଥାଏ ।

 

ଶିକ୍ଷା ଦେଶର କନ୍ୟାମାନଙ୍କୁ ସୁଗୃହିଣୀ କରି ପାରିବାର ପ୍ରଧାନ ଓ ପ୍ରକୃଷ୍ଟ ପନ୍ଥା । ଏ ଶିକ୍ଷା କିପରି ହେଲେ ଏ ଦେଶର କନ୍ୟାମାନେ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣି ପାରିବେ, ତାହା ଦେଖି ଏ ଦେଶର ନାରୀଶିକ୍ଷାର ପ୍ରକୃତି ଓ ପଦ୍ଧତି ଠିକ୍ କରିବା ସର୍ବତୋଭାବରେ ଉଚିତ । ଅବଶ୍ୟ ଏହାଦ୍ୱାରା କେହି କହୁ ନାହିଁ ଯେ ଆଧୁନିକ ଉଚ୍ଚଶିକ୍ଷିତା ରମଣୀଗଣ ଏ ଦେଶରେ ସୁଗୃହିଣୀର ସ୍ଥାନ ପୂର୍ଣ୍ଣ କରିବାକୁ ସର୍ବଥା ଅନୁପଯୁକ୍ତା । କିନ୍ତୁ ନାନା ପରୀକ୍ଷା ଓ ପରିଦର୍ଶନଦ୍ୱାରା ଯେପରି ଦେଖାଯାଉଅଛି, ଏ ଦେଶର ପ୍ରଚଳିତ କିରାନିଗିରି କରିବା, ମାଷ୍ଟରି କରିବା ଭଳି ଉଚ୍ଚ ଶିକ୍ଷା ଏ ଦେଶର ନାରୀଜାତିର ମାତୃତ୍ୱ ବିକାଶ ପକ୍ଷରେ ବିଶେଷଭାବରେ ଉପଯୁକ୍ତ ନୁହେଁ । ଏ ଶିକ୍ଷା ପୁରୁଷଜାତି ପକ୍ଷରେ ଏ ଦେଶରେ ବର୍ତ୍ତମାନ ଯୁଗରେ କେତେଦୂର ଉପଯୁକ୍ତ ସେଥିରେ ସନ୍ଦେହ ଜନ୍ମୁ ଥିବା ଅବସ୍ଥାରେ ଏ ଦେଶର କନ୍ୟାମାନଙ୍କୁ ଅବାଧରେ ଓ ଅବିଚାରରେ କେବଳ ମାତ୍ର ସେହି ଶିକ୍ଷାବଳରେ ସୁମାତା ଓ ସୁଗୃହିଣୀ ହେବାକୁ ଆଶା କରିବା ବିଜ୍ଞତାର ଲକ୍ଷଣ ନୁହେଁ । ସେ ଶିକ୍ଷା ଆମ ଦେଶର ନାରୀମାନଙ୍କୁ ଘରେ ସୁଖଶାନ୍ତି ନ ଦେଇ ‘କ୍ଲବ’ ରେ ସୁଖଶାନ୍ତି ଦେବାର ବ୍ୟବସ୍ଥା କରିପାରେ, ମାତ୍ର ତାହା ଏ ପ୍ରାଚ୍ୟଦେଶର ଉପଯୋଗୀ ନୁହେଁ । ଏ ପ୍ରାଚ୍ୟଦେଶରେ ପରିବାରଟିକୁ ମନୋଜ୍ଞ ଓ ଶାନ୍ତିପ୍ରଦ କରିଦେବାର ଅଧିକାର ଗୃହିଣୀର ପ୍ରଧାନ ଧର୍ମ। ତାହା ହିଁ ତାହାର ସୁଖ ଓ ଶାନ୍ତିର ଭଣ୍ଡାର । ପରିବାରରେ ସୁଖ ଶାନ୍ତି ଆଣିବା ପାଇଁ ଏବଂ ନାରୀ ଜୀବନରେ ମାତୃତ୍ୱର ବିକାଶ ଓ ଉନ୍ନତି ଲାଗି ଯେଉଁପରି ଶିକ୍ଷାର ପ୍ରଭାବ ବେଶି, ସେହିପରି ଶିକ୍ଷା ଏକା ଏ ଦେଶର ପାରିବାରିକ ସୁଖ ସମୃଦ୍ଧି ବୃଦ୍ଧି ନିମିତ୍ତ ଆବଶ୍ୟକ । ପାଶ୍ଚାତ୍ୟ ଦେଶର ଲୋକେ ଦୂରରୁ ଆମ୍ଭମାନଙ୍କ ଦେଶର ଅନ୍ଦର ମହଲକୁ ଦେଖି ମନେ କରନ୍ତି ଯେ, ଏ ଦେଶର ନାରୀଜୀବନ କି ଯନ୍ତ୍ରଣାପୂର୍ଣ୍ଣ । କିନ୍ତୁ ଯେଉଁମାନେ ସେମାନଙ୍କ ମଧ୍ୟରୁ ସୁଧୀ, ବିବେଚକ ଓ ଧୀରପ୍ରକୃତିକ, ସେମାନେ ଆମ୍ଭମାନଙ୍କ ପରିବାର ଭିତରେ ନାରୀର କର୍ତ୍ତୃତ୍ୱ ଓ ମହତ୍ତ୍ୱ ଦେଖି ଏବଂ ସେଠାରେ ତାହାର ରାଣୀମୂର୍ତ୍ତି ଦେଖି ଭୂୟସୀ ପ୍ରଶଂସା ମଧ୍ୟ କରିଥାଆନ୍ତ । ଅବଶ୍ୟ ଏ ଦେଶର ପାରିବାରିକ ନାରୀଜୀବନ ଏକାବେଳକେ ଦୋଷଶୂନ୍ୟ ନୁହେଁ-ବହୁକାଳରୁ ଗୁଡ଼ିଏ ଦୋଷ ତ୍ରୁଟି ସେଠାରେ ମଧ୍ୟ ପଶି ଯାଇଅଛି, କିନ୍ତୁ ତାହାକୁ ଆଧୁନିକ ପାଶ୍ଚାତ୍ୟ ଶିକ୍ଷା ମନ୍ତ୍ରରେ ଏକାବେଳକେ ବଦଳାଇ ଦେବାକୁ ଚେଷ୍ଟା କରିବା ଆହୁରି ଏକ ମାରାତ୍ମକ ଭ୍ରମ । ପାଶ୍ଚାତ୍ୟ ଦେଶରେ ନାରୀ ଘର ଭିତରେ ତାହାର ଜୀବନର ସୁଖ ଶାନ୍ତି ନ ପାଇ ‘କ୍ଲବ’ ଜୀବନକୁ ତୃଷାର୍ତ୍ତ ପରି ଧାଇଁଯାଏ, ମାତ୍ର ଏ ଦେଶ ନାରୀର ସେପରି ଜୀବନର ଅଭାବ ତାହାର ପରିବାରରେ ନାହିଁ । ସେହିଠାରେ ତାହାର ପରିଶ୍ରମର କ୍ଷେତ୍ର ଯେପରି ରହିଅଛି, ବିଶ୍ରାମ ଓ ଆନନ୍ଦର କ୍ଷେତ୍ର ମଧ୍ୟ ସେହିପରି ଅଛି । ପାଶ୍ଚାତ୍ୟ ରମଣୀ ପରି ‘ଆୟା’ ହସ୍ତରେ ନିଜର ସନ୍ତାନପାଳନ ଭାର ଦେଇ ବାହାରର ଜୀବନରେ ସୁଖ ଶାନ୍ତି ଲୋଡ଼ିବାକୁ ସେ ବାହାରି ପଡ଼ିବାର ଆବଶ୍ୟକତା ଅନୁଭବ କରେନାହିଁ । ଏହିଠାରେ ପାଶ୍ଚାତ୍ୟ ନାରୀଜୀବନ ଓ ଆମ୍ଭମାନଙ୍କ ଦେଶର ନାରୀଜୀବନର ଚରିତ୍ରଗତ ପ୍ରଭେଦ ବା ବିଭିନ୍ନତା । ଏ ପ୍ରଭେଦକୁ ଭୁଲି ଏ ଦେଶର ପାରିବାରିକ ନାରୀ ଜୀବନରେ ପାଶ୍ଚାତ୍ୟ ଦେଶର ଆଦର୍ଶରେ କୌଣସି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବା ଆମ୍ଭମାନଙ୍କର ବୁଦ୍ଧିହୀନତା ବା ଅନ୍ଧ ଅନୁକରଣପ୍ରିୟତାର ଲକ୍ଷଣ ବ୍ୟତୀତ ଆଉ କିଛି ନୁହେଁ ।

 

ଗୃହିଣୀର ଆଦର୍ଶରେ ପରିବାରର ସମସ୍ତେ ବିଶେଷତଃ ପରିବାରସ୍ଥ ବାଳକ ବାଳିକାମାନେ ଚଳିବା ସ୍ୱାଭାବିକ । ପରିବାର ଭିତରେ ଗୃହିଣୀଙ୍କ ସ୍ୱଭାବ ଓ ଚରିତ୍ରର ଆଦର୍ଶ ସମସ୍ତେ ଅନୁକରଣ କରିବେ; ସୁତରାଂ ସେ ସବୁ ବିଷୟରେ ତାଙ୍କ ଜୀବନକୁ ଏପରି ଚଳାଇବେ, ଯହିଁରେ କି ତାଙ୍କ ଜୀବନର କୌଣସି କାର୍ଯ୍ୟଦ୍ୱାରା ସେ ମୁଖ୍ୟ ବା ଗୌଣ ଭାବରେ ପରିବାରକୁ ହୀନ ଆଦର୍ଶ ଦେଖାଇବେ ନାହିଁ । ସେ କଥାବାର୍ତ୍ତା, ଚାଲିଚଳନ, ଆଚାର ବ୍ୟବହାର ସବୁଥିରେ ଶୁଦ୍ଧ ସଂଯତ ଭାବରେ ଚଳି ପରିବାର ଭିତରେ ଲକ୍ଷ୍ମୀସ୍ୱରୂପିଣୀ ହୋଇ ରହିବେ । ତାଙ୍କ ଚରିତ୍ରର ମାଧୁର୍ଯ୍ୟ ଓ ଗାମ୍ଭୀର୍ଯ୍ୟରେ ଯେପରି ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ଦିନକୁ ଦିନ ବୃଦ୍ଧି ପାଇବ ।

 

ଗୃହିଣୀଙ୍କର ଦୂରଦୃଷ୍ଟି ଥିବା ଆବଶ୍ୟକ । ସେ ସୁଖ ସମୃଦ୍ଧିରେ ଭାସୁଥିବା ସମୟରେ ମଧ୍ୟ ଭବିଷ୍ୟତର ଆକସ୍ମିକ ବାଧା ବିପତ୍ତି ସବୁ ବିଷୟରେ ସତର୍କତା ଅବଲମ୍ବନ କରିବେ । ସେ ପୁରୁଷଙ୍କର ଗଳଗ୍ରହ ନ ହୋଇ ଯେପରି ପୁରୁଷଙ୍କର ସହକର୍ମିଣୀ ହୋଇପାରନ୍ତି, ତାହାର ଚେଷ୍ଟା କରିବେ । ସେ ଚେଷ୍ଟା କଲେ ପରିବାର ମଧ୍ୟରୁ ଭୋଗବିଳାସ, ଅଯଥା ବ୍ୟୟ, ଆଳସ୍ୟ, ଧର୍ମହୀନତା ପ୍ରଭୃତି ନାନା ଦୋଷର ମାର୍ଜନା ହୋଇ ପାରେ । ଅଳ୍ପ ବ୍ୟୟରେ ରହି ପାରନ୍ତି, ଗୃହିଣୀଙ୍କର ସେଥିପ୍ରତି ତିକ୍ଷ୍ଣ ଦୃଷ୍ଟି ଥିବା ଆବଶ୍ୟକ । ବହୁ କୁଟୁମ୍ବ ଥିବା ଏକାନ୍ନବର୍ତ୍ତୀ ପରିବାର ଭିତରେ ଗୃହିଣୀ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖଇ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କଲେ ସେ ଘର ବାସ୍ତବିକ ‘‘ଅପାର କାଳ’’ ସୁଖରେ ରହି ପାରେ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ସେପରି ଗୃହିଣୀ ନିଜର ଆଦର୍ଶଦ୍ୱାରା ନିଜର ଝିଅ ବୋହୂ ପ୍ରଭୃତିଙ୍କର ମଙ୍ଗଳ କରିବା ସଙ୍ଗେ ସଙ୍ଗେ ସେ ଗ୍ରାମର ଅନ୍ୟ ପରିବାରମାନଙ୍କ ପ୍ରତି ମଧ୍ୟ ସେହି ଆଦର୍ଶଦ୍ୱାରା ଯଥେଷ୍ଟ ଶିକ୍ଷା ଦେଇ ପାରିବେ । ପ୍ରକୃତ ଗୃହିଣୀ ଗୃହକର୍ତ୍ତାର ଏକାଧାରରେ ସଖୀ, ସଚିବ ଓ ସହଧର୍ମିଣୀ ।

Image

 

ପାରିବାରିକ ସ୍ୱାସ୍ଥ୍ୟ

 

ପାରିବାରିକ ଧନ ସମ୍ପତ୍ତି, ବିଦ୍ୟା ବୁଦ୍ଧି, ସ୍ୱଭାବ ଚରିତ୍ର ପ୍ରଭୃତି ପାରିବାରିକ ସୁଖ ସମୃଦ୍ଧି ଲାଗି ଯେପରି ଲୋଡ଼ା, ପାରିବାରିକ ସ୍ୱାସ୍ଥ୍ୟ ପରିବାରର ସୁଖ ଶାନ୍ତି ପାଇଁ ତହୁଁ ଅଧିକ ପରିମାଣରେ ଆବଶ୍ୟକ । ଧନ ସମ୍ପତ୍ତିର ଅଭାବରେ ପରିବାର ଦୁଃଖ ସୁଖରେ ଚଳିବାକୁ ଚେଷ୍ଟା କରି ପାରେ, ମାତ୍ର ସ୍ୱାସ୍ଥ୍ୟର ଅଭାବରେ ପାରିବାରିକ ଜୀବନ ମୁହୂର୍ତ୍ତେ ମାତ୍ର ଅଗ୍ରସର ହେବା ଅସମ୍ଭବ କହିଲେ ଚଳେ । ବ୍ୟକ୍ତିଗତ ଜୀବନ ପକ୍ଷରେ ଯେପରି ପାରିବାରିକ ବା ସାମାଜିକ ଜୀବନ ପକ୍ଷରେ ସେହିପରି ସ୍ୱାସ୍ଥ୍ୟ ଅମୂଲ୍ୟ ପଦାର୍ଥ । ଯେଉଁ ପରିବାରର ଲୋକେ ସ୍ୱାସ୍ଥ୍ୟ ଉପଭୋଗ କରନ୍ତି ନାହିଁ, ସୁଖ ଶାନ୍ତି ସେମାନଙ୍କ ପକ୍ଷରେ ଆକାଶକୁସୁମ ମାତ୍ର ।

 

ପରିବାରର ସ୍ୱାସ୍ଥ୍ୟ କେତେକ ପରିମାଣରେ ପୂର୍ବ ପୁରୁଷଙ୍କ କାର୍ଯ୍ୟ ଉପରେ ନିର୍ଭର କରେ । ପୂର୍ବ ପୁରୁଷମାନେ ଯଦି ସଂଯମ ଅଭ୍ୟାସ କରି ସ୍ୱାସ୍ଥ୍ୟନିୟମ ପାଳନ କରି ନିଜ ନିଜ ଜୀବନରେ ସୁସ୍ଥ ଥାଆନ୍ତି, ତେବେ ସେମାନଙ୍କ ବଂଶଧରମାନେ ଉତ୍ତରାଧିକାରୀ ସୂତ୍ରରେ କେତେକ ପରିମାଣରେ ସ୍ୱାସ୍ଥ୍ୟ ଉପଭୋଗ କରି ପାରିବେ । ଏକ ପୁରୁଷର ସ୍ୱାସ୍ଥ୍ୟ ସଂକ୍ରାମକ ଭାବରେ ପରବର୍ତ୍ତୀ ବଂଶଧରମାନଙ୍କୁ ସ୍ପର୍ଶ କରିଥାଏ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ପୂର୍ବ ପୁରୁଷମାନଙ୍କ ପାପ ପୁଣ୍ୟ, ଧର୍ମାଧର୍ମ ପରି ସେମାନଙ୍କ ସ୍ୱାସ୍ଥ୍ୟ ସେମାନଙ୍କ ଉତ୍ତରାଧିକାରୀମାନେ ଲାଭ କରିଥାନ୍ତି-। ପିତାଙ୍କ ଧର୍ମାଧର୍ମ, ପାପ-ପୁଣ୍ୟ ସଂଯମ ଓ ଚରିତ୍ରର ବିଶୁଦ୍ଧତା ପୁତ୍ରକନ୍ୟାମାନେ ବଂଶଧର ସୂତ୍ରରେ ଭୋଗ କରିଥାନ୍ତି । ଏଣୁ ପରିବାରରେ ଜଣେ କେହି ସଂଯମ ବା ସ୍ୱାସ୍ଥ୍ୟର ଅବହେଳା କଲେ ସେ ଯେ କେବଳ ତାଙ୍କର ନିଜର କ୍ଷତି କରନ୍ତି ତାହା ନୁହେଁ, ତାଙ୍କର ନିଜର ଦୁଷ୍କାର୍ଯ୍ୟ ବା ଦୁଶ୍ଚିନ୍ତାଦ୍ୱାରା ବର୍ତ୍ତମାନର ଓ ଭବିଷ୍ୟତର ବହୁ ଲୋକଙ୍କର କ୍ଷତି କରିଥାନ୍ତି । ତେଣୁ ପରିବାରରେ ଯେଉଁମାନେ ରହନ୍ତି, ସେମାନେ ଧର୍ମାଧର୍ମ ଦିଗରୁ ମଧ୍ୟ ସଂଯମ ଅଭ୍ୟାସ କରି ନିୟମାନୁବର୍ତ୍ତୀ ଓ ସାଧୁ-ଚରିତ୍ର ହେବା ସର୍ବତୋଭାବରେ ବିଧେୟ । ତାହା ନ ହେଲେ ସେମାନଙ୍କ ଅସଂଯମ, ପାପ ବା ଶିଥିଳ ଚରିତ୍ର ହେତୁରୁ ସେମାନଙ୍କ ନିରପରାଧ ବଂଶଧରମାନେ ମଧ୍ୟ ସେମାନଙ୍କ ଦୁଷ୍କାର୍ଯ୍ୟର କୁଫଳ ଭୋଗ କରିବାକୁ ବାଧ୍ୟ ହୁଅନ୍ତି । ଏଣୁ ପରିବାରରେ ଯେଉଁମାନେ ଥାନ୍ତି, ଏହି ପାରିବାରିକ ଦାୟିତ୍ୱଜ୍ଞାନ ଦିଗରୁ ସେମାନଙ୍କ ସ୍ୱଭାବ ଓ ଚରିତ୍ର ଦିଗରେ ସଂଯମ ଅଭ୍ୟାସ କରିବା ପାରିବାରିକ ସୁଖ ଶାନ୍ତିର ପ୍ରଥମ ଓ ପ୍ରଧାନ ସୋପାନ ।

 

ଏହି ଉତ୍ତାରାଧିକାରୀ ସୂତ୍ରରେ ଲାଭ କରିବା ସ୍ୱାସ୍ଥ୍ୟ ଛଡ଼ା ନିଜର ସ୍ୱାସ୍ଥ୍ୟ ନିଜେ ଅର୍ଜନ କରିବା ପରିବାରର ପ୍ରତି ବ୍ୟକ୍ତିଙ୍କର ମଧ୍ୟ ପ୍ରଧାନ କର୍ତ୍ତବ୍ୟ । ପରିବାରର ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଦେଲେ ତାହାଦ୍ୱାରା ପରିବାରର ସମୂହ ବଳ ଓ ବୟସ ରକ୍ଷିତ ହୁଏ । ଆହୁରି ମଧ୍ୟ ଏହି ସ୍ୱାସ୍ଥ୍ୟର ଅଭାବରେ ପରିବାରକୁ ଯେ ଅପରିସୀମ ଦୁଶ୍ଚିନ୍ତା ଓ କ୍ଷତି ସ୍ୱୀକାର କରିବାକୁ ହୁଏ, ତାହାର ଇୟତ୍ତା ନାହିଁ । ଟଙ୍କା ପଇସା କ୍ଷତି ଦିଗରୁ ମଧ୍ୟ ସ୍ୱାସ୍ଥ୍ୟରକ୍ଷା ପାରିବାରିକ ଧନ ରକ୍ଷାର ନାମାନ୍ତର ମାତ୍ର । ଯେଉଁ ପରିବାରର ଯେତେ ଧନ ଡାକ୍ତର ବୈଦ୍ୟଙ୍କ ଘରକୁ ଯାଏ, ସେ ପରିବାର ସେତେ ପତନୋନ୍ମୁଖ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

 

ଅବଶ୍ୟ ସ୍ୱାସ୍ଥ୍ୟ ରକ୍ଷାକରିବା କେବଳ ବ୍ୟକ୍ତିଗତ ଚେଷ୍ଟାଦ୍ୱାରା ସାଧିତ ହୋଇ ନ ପାରେ-। ପାରିପାର୍ଶ୍ୱିକ ଅବସ୍ଥା ଅନେକ ପରିମାଣରେ ପାରିବାରିକ ସ୍ୱାସ୍ଥ୍ୟର ନିୟାମକ । ତାହାହେଲେ ସୁଦ୍ଧା ପରିବାରରେ ଟିକିଏ ଦୃଢ଼ତା ସହିତ ସ୍ୱାସ୍ଥ୍ୟ ନିୟମ ପାଳନ କଲେ, ପାରିବାରିକ ସ୍ୱାସ୍ଥ୍ୟ ଅନେକ ପରିମାଣରେ ରକ୍ଷା କରାଯାଇପାରେ ।

 

ପରିବାରରେ ଠିକ ସମୟରେ ଖାଇବା, ଠିକ୍ ସମୟରେ ଶୋଇବା ପ୍ରଭୃତି ଅଭ୍ୟାସ କଲେ ପରିବାରସ୍ଥ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ୍‌ ଭାବରେ ରହିପାରେ । ଆଜି ରାତି ଆଠଟା ବେଳେ ଖାଇଲେ, କାଲି ରାତି ବାରଟା ବେଳେ ଖାଇଲେ, ଆଜି ପିଲାମାନେ ସକାଳେ ଚଞ୍ଚଳ ଖାଇଲେ । କାଲି ଡେରି କରି ଖାଇଲେ ଅନିୟମିତତା ଦୋଷରୁ ସ୍ୱାସ୍ଥ୍ୟହାନି ଘଟିବାଁର ଖୁବ୍ ସମ୍ଭାବନା । ଅବଶ୍ୟ ଘଣ୍ଟା କଣ୍ଟା ଦେଖି ପରିବାରରେ ବିଶେଷତଃ ବହୁ କୁଟୁମ୍ବ ଥିବା ପରିବାରରେ ଚଳିବା କଠିନ କଥା । କିନ୍ତୁ ସବୁ କାର୍ଯ୍ୟରେ ନିୟମିତତା ପ୍ରତି ଦୃଷ୍ଟି ଥିଲେ ପାରିବାରିକ ଜୀବନରେ ଖାଇବା, ଶୋଇବା ପ୍ରଭୃତିର ଅଭ୍ୟାସ ଅତି ସହଜରେ ସ୍ୱାସ୍ଥ୍ୟାନୁମୋଦିତ ଭାବରେ ହୋଇପାରିବ । ପରିବାରରେ ସ୍ୱାସ୍ଥ୍ୟ ନିୟମ ମାନି ଚଳିବାକୁ କିଛି ବେଶି ପଇସା କଉଡ଼ି ଖର୍ଚ୍ଚ ଆବଶ୍ୟକ ହୁଏ ନାହିଁ । ସ୍ୱାସ୍ଥ୍ୟର ନିୟମକୁ ଆପେ ହୃଦୟଙ୍ଗମ କରି ସେଥିପ୍ରତି ମନୋଯୋଗୀ ହେଲେ ସେହି ନିୟମରେ ଚଳିବାକୁ କିଛି କଷ୍ଟ ପଡ଼ିବ ନାହିଁ । ଦେଖାଯାଏ, ଅତି ସାଧାରଣ ଅବସ୍ଥାପନ୍ନ ଗୃହସ୍ଥ ସ୍ୱାସ୍ଥ୍ୟରକ୍ଷା ନିୟମ ବୁଝି ନିୟମିତ ସମୟରେ ଖାଇବା, ପିଇବା, ଶୋଇବା କାର୍ଯ୍ୟ କରି ପାରିଥାନ୍ତି ଅଥଚ ଧନୀ ପରିବାରରେ ସବୁ ସୁବିଧା ଥିଲେ ସୁଦ୍ଧା ଗୃହକର୍ତ୍ତାଙ୍କର ଗୃହ ପରିଚାଳନା କ୍ଷମତାର ଅଭାବରୁ ସ୍ୱାସ୍ଥ୍ୟର ସାଧାରଣ ନିୟମ ପରିପାଳିତ ହୋଇପାରେ ନାହିଁ ।

 

ଏପରି ସ୍ୱାସ୍ଥ୍ୟ ବିଷୟକ ସାଧାରଣ ବିଷୟମାନଙ୍କରେ ପରିବାରମାନଙ୍କରେ ଅନିୟମିତତା ଘଟିବାରୁ ପାରିବାରିକ ଜୀବନରେ ନାନା ଅଶାନ୍ତି ଓ ବିଶୃଙ୍ଖଳା ଘଟିଥାଏ । ଅନିୟମିତ ସମୟରେ ଶୟନ, ଭୋଜନ ଦୋଷରୁ ପିଲାମାନେ ଅସୁସ୍ଥ ହୁଅନ୍ତି । ଠିକ୍ ସମୟରେ ପରିବାରର ସମସ୍ତେ ଶୋଇବାର ସୁବିଧା ନ ପାରିବାରୁ ସକାଳେ ସମସ୍ତେ ଠିକ୍‌ ସମୟରେ ଉଠି ପାରନ୍ତି ନାହିଁ ବା ପ୍ରତ୍ୟୁଷରୁ ଯେ ଯାହାର କାର୍ଯ୍ୟରେ ମନ ଦେଇପାରନ୍ତି ନାହିଁ । ଏହିପରି କିଛିଦିନ ଚାଲିଲେ ସବୁ କାର୍ଯ୍ୟରେ ବିଶୃଙ୍ଖଳା ଆସେ ଏବଂ ବହୁକାଳ ପାନ ଭୋଜନ ଶୟନ ପ୍ରଭୃତିରେ ଅନିୟମିତତାରୁ ପରିବାରର ବହୁ ବ୍ୟକ୍ତି ରୋଗାକ୍ରାନ୍ତ ହୁଅନ୍ତି ।

 

ଯେଉଁମାନେ ପରିବାର ପରିଚାଳନା କରନ୍ତି, ସେମାନଙ୍କର ପିଲା ବଡ଼ ସମସ୍ତଙ୍କ ପାଇଁ ଚଳାଚଳ ହେବାର ସମୟ ଓ ସୁବିଧା କରିଦେବା ଉଚିତ । ତାହା ନ କଲେ କୌଣସି କାର୍ଯ୍ୟ ଶୃଙ୍ଖଳ ଓ ସୁଚାରୁ ରୂପେ ହୋଇ ପାରିବ ନାହିଁ ।

 

କୌଣସି କୌଣସିଠାରେ ଦେଖାଯାଇଥାଏ, ଘରର ପୁରୁଷମାନେ ବୁଲି ବୁଲି ଜଣ ଜଣ ହୋଇ ଆସି ଖାଆନ୍ତି । ଏପରି କରିବା ଦ୍ୱାରା ରନ୍ଧା ଭାତ ଖରାପ ହୋଇଯାଏ । ପୁରୁଷମାନେ ଯଦି ସମସ୍ତେ ଅନ୍ତତଃ ଏକ ସମୟରେ ବସି ଖାଇଯାନ୍ତି, ସ୍ତ୍ରୀମାନଙ୍କୁ ଏକ ଦଳରେ ଖାଇଯିବା ପକ୍ଷରେ ସୁବିଧା ହୁଏ । ଖାଇବା ଶୋଇବାରେ ନିୟମ ମାନି ଚଳିଲେ ପରିବାର ଭିତରେ ସ୍ୱାସ୍ଥ୍ୟ ଅନେକ ପରିମାଣରେ ରକ୍ଷା କରାଯାଇ ପାରେ ।

 

କେବଳ ଦେହକୁ ସୁସ୍ଥ ରଖିବାକୁ ଚେଷ୍ଟା କରିବା ସ୍ୱାସ୍ଥ୍ୟଲାଭର ଲକ୍ଷଣ ନୁହେଁ । ରାଗ, କୋଧ, ଦୁଃଖ, ଘୃଣା, ଭୟଭୀତି ପ୍ରଭୃତି ମାନସିକ ବିକୃତି ମଧ୍ୟ ସ୍ୱାସ୍ଥ୍ୟ ନଷ୍ଟ କରିଦିଏ । ପକ୍ଷାନ୍ତରେ ପ୍ରଫୁଲ୍ଲତା, ଆମୋଦପ୍ରମୋଦ, ମାନସିକ ଶାନ୍ତି, ଶାରୀରିକ ସ୍ୱାସ୍ଥ୍ୟ ବୃଦ୍ଧି କରିବାରେ ବହୁପରିମାଣରେ ସାହାଯ୍ୟ କରିଥାଏ ।

 

ତେଣୁ ପରିବାରର ବ୍ୟକ୍ତିମାନଙ୍କର ଖାଇବା, ପିଇବା ବା ଶୋଇବାଦ୍ୱାରା ସ୍ୱାସ୍ଥରକ୍ଷା ହୋଇ ନ ପାରେ । ସେମାନଙ୍କର ଏ ସବୁ ଦିଗରେ ସଂଯମ ଓ ନିୟମାନୁବର୍ତ୍ତିତା ଯେପରି ଲୋଡ଼ା, ଗୃହର ଅବସ୍ଥାନ ଓ ଗୃହର ଚତୁର୍ଦ୍ଦିଗରେ ସ୍ୱାସ୍ଥ୍ୟ ନିୟମ ପ୍ରତିପାଳିତ ହେବା ସେହିପରି ଆବଶ୍ୟକ । ଘରର ଭିତରେ ବାହାର ପରିଷ୍କୃତ ନରହିଲେ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷାର ନିୟମ ଯେତେ ପ୍ରତିପାଳିତ ହେଉ ପଛକେ ପରିବାରର ସ୍ୱାସ୍ଥ୍ୟରକ୍ଷା ହୋଇପାରିବ ନାହିଁ । ଘରର ଭିତର ବାହାର ସଫା ରଖିବା ସବୁ ସମୟରେ ଉଚିତ । ଘରର ଅଗଣା, ନଳା ସର୍ବଦା ସଫା କରି ରଖିଲେ ଭିତରେ କୌଣସି ଦୁର୍ଗନ୍ଧ ପଶି ପାରେ ନାହିଁ ବା ବାୟୁ ଦୂଷିତ ହୁଏ ନାହିଁ । ଦ୍ୱାର ଭିତରେ ଥିବା ନଳାକୁ ପାଣି ଢାଳି ପରିଷ୍କାର କରି ନେଉଥିବା ସର୍ବଦା ଆବଶ୍ୟକ । ଘର ପାଖରେ ଥିବା ଗୋମେଷାଦି ପଶୁଙ୍କ ଗୁହାଳର ମଳମୂତ୍ର ନିୟମିତ ଭାବରେ ପରିଷ୍କାର କରି ନ ନେଲେ ଘରର ସ୍ୱାସ୍ଥ୍ୟହାନି ଘଟେ । ଏହିପରି ସାନ ବଡ଼ ଘର ଭିତରର ସବୁ କାର୍ଯ୍ୟ ପ୍ରତି ଦୃଷ୍ଟି ନ ଦେଲେ ଘରର ସ୍ୱାସ୍ଥ୍ୟରକ୍ଷା ହୋଇପାରେ ନାହିଁ । ଭିତର ପ୍ରତି ଯେପରି ଦୃଷ୍ଟି, ଘରର ଚତୁର୍ଦିଗରେ ବାହାର ପ୍ରତି ସେହିପରି ତୀକ୍ଷ୍‌ଣ ଦୃଷ୍ଟି ଆବଶ୍ୟକ । ଘର ପାଖରେ ଛୋଟ ଛୋଟ ବୁଦା ଜଙ୍ଗଲ ପ୍ରଭୃତି କାଟି ପରିଷ୍କାର କରିଦେବା ଉଚିତ । ଘର ଭିତରକୁ ଯେପରି ଆଲୋକ ଓ ବିଶୁଦ୍ଧ ବାୟୁ ଅବାଧରେ ଚଳାଚଳ ହୋଇପାରେ, ତାହାର ସୁବ୍ୟବସ୍ଥା ଥିବା ପ୍ରୟୋଜନ ।

 

ସ୍ୱାସ୍ଥ୍ୟର ବହୁ ନିୟମ ପାଳନ କଲେ ମଧ୍ୟ ରୋଗର ହାତ ଏଡ଼ିବା ଅସମ୍ଭବ । ସେପରି ଅବସ୍ଥାରେ କିପରି ବ୍ୟବସ୍ଥା କରିବା ଉଚିତ ? ଆମ ଦେଶରେ ଡାକ୍ତର, ବୈଦ୍ୟ କିଛି ପ୍ରତି ଗ୍ରାମରେ ନାହାନ୍ତି ଅଥବା ପ୍ରତି ପରିବାରରେ କିଛି ଏପରି ଧନ ନାହିଁ, ଯେଉଁ ଥିରେ କି ସେମାନେ ସାମାନ୍ୟ ଟିକିଏ ରୋଗ ବା ଅସୁସ୍ଥତା ହେଲାକ୍ଷଣି ଚିକିତ୍ସକର ଆଶ୍ରୟ ନେଇପାରିବେ । ଏ ଅବସ୍ଥା ପ୍ରତି କିପରି ବ୍ୟବସ୍ଥା ହେଲେ ଆମ ଦେଶର ପାରିବାରିକ ଜୀବନରେ ଅସୁସ୍ଥତା ବା ରୋଗର ଅପନୋଦନ ହୋଇପାରେ, ତାହାର ଉପାୟ ଖୋଜିବା ପ୍ରତି ସମାଜ ହିତୈଷୀଙ୍କର କର୍ତ୍ତବ୍ୟ । ଆଗେ ଆମ୍ଭମାନଙ୍କ ଦେଶରେ ଅନେକ ସହଜ ମୁଷ୍ଟିଯୋଗ ପ୍ରତି ପରିବାରର ଲୋକେ ଜାଣୁଥିଲେ, ସାମାନ୍ୟ କିଛି ଅସୁସ୍ଥତା ହେଲେ ସେମାନେ ଡାକ୍ତର ବୈଦ୍ୟ ଦୁଆରକୁ ନ ଦଉଡ଼ି ସେହି ମୁଷ୍ଟିଯୋଗ ପ୍ରୟୋଗ କରି ରୋଗର ପ୍ରଥମ ଘାଟି ରକ୍ଷା କରିବାକୁ ଚେଷ୍ଟା କରୁଥିଲେ । ଏବେ ଆସ୍ତେ ଆସ୍ତେ ଆମ୍ଭମାନଙ୍କର ପରିବାର ଭିତରେ ସେ ସବୁ ସରଳ ସହଜ ମୁଷ୍ଟି ଯୋଗର ପ୍ରଚଳନ କମି ଆସୁଅଛି-। ଘର ପାଖର ଛୋଟ ବଡ଼ ନାନା ଗଛପତ୍ର ସାହାଯ୍ୟରେ ବିନା ବ୍ୟୟରେ ବା ଅଳ୍ପ ବ୍ୟୟରେ ଅନ୍ୟ କାହାର ସାହାଯ୍ୟ ନ ନେଇ ଯେଉଁସବୁ ଅସୁସ୍ଥତାର ପ୍ରତିକାର ଆଗେ ସହଜରେ ହୋଇ ପାରୁଥିଲା, ଏବେ ସେହି ଜ୍ଞାନର ଅଭାବରୁ ସେପରି ଅଳ୍ପ ବ୍ୟବସାଧ୍ୟ ଚିକିତ୍ସା ପରିବାରମାନଙ୍କରେ ହେବାର ଦେଖାଯାଉ ନାହିଁ । ସରଳ ସହଜ ମୃଷ୍ଟି ଯୋଗଗୁଡ଼ିକ ଜାଣି ରଖିବା ସୁଗୃହିଣୀର ଶିକ୍ଷାର ଏକ ପ୍ରଧାନ ଅଙ୍ଗହେବା ଏ ଦେଶରେ ଆବଶ୍ୟକ । ତାହାରି ବଳରେ ବହୁ ପରିମାଣରେ ପରିବାରର ମଙ୍ଗଳ କ୍ରୟ କରାଯାଇ ପାରେ। ଏହି ସରଳ ସହଜ ମୁଷ୍ଟି ଯୋଗ ବା ଠାଣୁଠୁଣୁକିଆ ଔଷଧଗୁଡ଼ିକ ଆୟୁର୍ବେଦ ପୁସ୍ତକରୁ ଗୃହୀତ । ଆମ୍ଭମାନଙ୍କ ଦେଶର ପ୍ରାଥମିକ ଶିକ୍ଷା ସଙ୍ଗରେ ବିଶେଷତଃ ବାଳିକାମାନଙ୍କର ପ୍ରାଥମିକ ଶିକ୍ଷା ସଙ୍ଗରେ ଏହି ଆୟୁର୍ବେଦଶିକ୍ଷାର ସୂତ୍ରପାତ କରାଗଲେ ପ୍ରାଥମିକ ଶିକ୍ଷାର ଏକ ପ୍ରଧାନ ଅଭାବ ପୂରଣ ହୋଇପାରନ୍ତା ଏବଂ ଦେଶର ପ୍ରଭୂତ ମଙ୍ଗଳ ସାଧିତ ହୁଅନ୍ତା-। ଏଥିପ୍ରତି ସ୍ୱଦେଶପ୍ରେମିକମାନଙ୍କ ଶୁଭଦୃଷ୍ଟି ପଡ଼ିବା ବିଧେୟ । ପରିବାର ଭିତରେ ସର୍ବଦା କେତେଗୁଡ଼ିଏ ଅତ୍ୟାବଶକ ଔଷଧ ରଖିବା ବିବେଚକ ଗୃହକର୍ତ୍ତାଙ୍କର କର୍ତ୍ତବ୍ୟ । ଅଳ୍ପ ବ୍ୟୟସାଧ୍ୟ ହୋମିଓପ୍ୟାଥି ଔଷଧ ରଖି ବ୍ୟବହାର କରି ଜାଣିଲେ ସମୟ ସମୟରେ ବହୁ ଉପକାର ମିଳିଥାଏ-। ରୋଗର ପ୍ରତିଷେଧ ଓ ପ୍ରତିକାର ଦୁଇ ବିଷୟରେ ପରିବାରରେ ସାବଧାନତା ଅବଲମ୍ବନ କଲେ ପାରିବାରିକ ସ୍ୱାସ୍ଥ୍ୟ ସହଜ ଓ ସୁଲଭ ହେବାର ସମ୍ଭାବନା ।

Image

 

ପରିବାରରେ କାର୍ଯ୍ୟର ବ୍ୟବସ୍ଥା

 

ପରିବାର-ପକ୍ଷୀର ଦିଓଟି ଡେଣା-ଗୋଟିଏ ଗୃହସ୍ଥ ଓ ଅନ୍ୟଟି ଗୃହିଣୀ । ଏ ଦୁଇ ଡେଣା ବିଧିମତେ କାର୍ଯ୍ୟକଲେ ପରିବାର ପକ୍ଷୀ ସ୍ୱଚ୍ଛନ୍ଦରେ ମନସୁଖରେ ଉଡ଼ି ତାହାର କାର୍ଯ୍ୟ କରିପାରେ, କିନ୍ତୁ ଗୋଟିଏ ପକ୍ଷ କାର୍ଯ୍ୟ ନକଲେ ପରିବାରର କାର୍ଯ୍ୟ ସୁରୁଖୁରୁରେ ଚଳିପାରେ ନାହିଁ । ବାସ୍ତବିକ ପରିବାରରେ ଗୃହସ୍ଥ ଓ ଗୃହିଣୀ ଦୁହିଁଙ୍କର କାର୍ଯ୍ୟଦକ୍ଷତା ସମପରିମାଣରେ ଲୋଡ଼ା । ଜଣେ କାର୍ଯ୍ୟରେ ଅବହେଳା କଲେ ପରିବାରର ସମୂହ ମଙ୍ଗଳ ସାଧିତ ହେବା ସମ୍ଭବପର ନୁହେଁ । ଆଜିକାଲି ସମୟ ଯେପରି ହୋଇଅଛି, ସେଥିରେ ଗୃହସ୍ଥ ଓ ଗୃହିଣୀ ଯଥେଷ୍ଟ ପରିଶ୍ରମ କରି ଖୁବ୍‌ ବିଚକ୍ଷଣତା ସହିତ ପରିବାରକୁ ନଚଳାଇଲେ ଶୁଷ୍କ ବାବୁଗିରିରେ ଆଉ ପରିବାର ଚଳିପାରିବ ନାହିଁ-। ଆମ ଦେଶରେ ଆଜିକାଲି ବାହାରର ବାବୁଗିରି ବେଶି ବଢ଼ିଅଛି ଏବଂ ସେହି ବାବୁଗିରିର ଚାକଚକ୍ୟରେ ଦେଶ ଓ ସମାଜ ଦିନକୁଦିନ ଦରିଦ୍ର ହେଉଅଛି । ବିଦେଶୀୟ ଅନୁକରଣ ଏ ଅଧଃପାତର ଏକମାତ୍ର କାରଣ । ଅନ୍ଧଭାବରେ ଭଲ ମନ୍ଦ ନବିଚାର କେବଳ ବାହାର ଚାକଚକ୍ୟରେ ଭୁଲି କାର୍ଯ୍ୟ କରିବା ଚପଳମତି ଶିଶୁକୁ ଶୋଭା ପାଇପାରେ, ମାତ୍ର କୌଣସି ବିଜ୍ଞ ବୟସ୍କ ପକ୍ଷରେ ଆଦୌ ଶୋଭନୀୟ ନୁହେଁ । ଶରୀରର ରକ୍ତବୃଦ୍ଧି ସଙ୍ଗେ ଯେଉଁ ଚାକଚକ୍ୟ ବା ଚିକ୍କଣତା ଆସେ, ତାହା ଶରୀରର ସ୍ୱାସ୍ଥ୍ୟର ଲକ୍ଷଣ; କିନ୍ତୁ ଶୋଣିତର ଅଭାବ ସମୟରେ ଯେଉଁ ଚିକ୍‌କଣତା ଦେଖାଯାଏ, ତାହା ସୁସ୍ଥ ଶରୀରର ଚିହ୍ନ ନୁହେଁ, ତାହା ମାରାତ୍ମକ କ୍ଷୟରୋଗର ଲକ୍ଷଣ ମାତ୍ର । ଦରିଦ୍ରର ବାବୁଗିରି ବଡ଼ ସାଂଘାତିକ । ଆମ୍ଭମାନଙ୍କ ସମାଜ ମଧ୍ୟରେ ଏହି ରୋଗର ସଞ୍ଚାର ହେବାର ଆମ୍ଭମାନଙ୍କର ପରିବାରର ଶାସନପ୍ରଣାଳୀରେ ମଧ୍ୟ ଅନେକ ଦୋଷ ପ୍ରବେଶ କରିଅଛି । ଆଜି ଅନେକ ସ୍ଥଳରେ ୨୫।୩୦ ଟଙ୍କାର ଯେ ଖଣ୍ଡେ ଚାକିରି କରେ, ତା’ର ସ୍ତ୍ରୀ ମଧ୍ୟ କେବଳ ବାବୁଗିରି ଖାତିରିରେ ଆପଣା ହାତରେ ମୁଠାଏ ରାନ୍ଧି ଖାଇବାକୁ ନାରାଜ । ଆମ୍ଭେମାନେ ଯେଉଁ ସାହେବମାନଙ୍କ ବାହାରର ବାବୁଗିରି ଦେଖି ସମାଜରେ ଓ ପରିବାରରେ ତାହାର ଅନୁକରଣ କରିବାକୁ ଚେଷ୍ଟା କରୁ, ସେହି ସାହେବମାନଙ୍କ ଗୃହକାର୍ଯ୍ୟର ବ୍ୟବସ୍ଥା ଦେଖିଲେ ଆମ୍ଭମାନଙ୍କୁ ଅବାକ୍ ହେବାକୁ ହେବ । ସେମାନଙ୍କ ଦେଶର ସ୍ତ୍ରୀଲୋକମାନେ ପ୍ରତିଦିନ ଖର୍ଚ୍ଚର ହିସାବ ଲେଖି ରଖନ୍ତି, ଘର ପରିଷ୍କାର କରନ୍ତି, ରନ୍ଧାବଢ଼ା କରନ୍ତି, ବାସନ ମାଜନ୍ତି, ଲୁଗା ଧୋଇ ପରିଷ୍କାର କରନ୍ତି, ଲୁଗା ଧୋଇସାରି ଇସ୍ତିରି ଦିଅନ୍ତି, ପିଲାପିଲିଙ୍କ ଲୁଗା କୁର୍ତ୍ତା ସିଲେଇ କରନ୍ତି, ବଜାର ସଉଦା କରନ୍ତି-। ଆଉ କାହା କଥା ବା କହିବା ? ପୂର୍ବତନ ରାଜରାଜେଶ୍ୱରୀ ମହାରାଣୀ ଭିକ୍‌ଟୋରିଆ ନିଜେ ପ୍ରତିଦିନ ରୋଷେଇଘରକୁ ଯାଇ କଣ କଣ ରନ୍ଧା ହେବ, ତାହାର ବ୍ୟବସ୍ଥା କରି ଦେଉଥିଲେ ଏବଂ ରନ୍ଧନକାର୍ଯ୍ୟର କେତେକାଂଶ ସାକ୍ଷାତ୍ ଭାବରେ ପର୍ଯ୍ୟବେକ୍ଷଣ କରୁଥିଲେ । ତାଙ୍କର କନ୍ୟା ଏଲିସ୍ ଜଣେ ବଡ଼ କୁଳୀନଙ୍କ ଘରେ ବିବାହିତା ହୋଇ ଅର୍ଥାଭାବ ହେତୁରୁ ଆପଣାର ତିନି ଚାରୋଟି ପିଲା ଥିଲେ ମଧ୍ୟ କେବଳ ଏକମାତ୍ର ବୃଦ୍ଧା ଦାସୀ ବ୍ୟତୀତ ଆଉ ଗୋଟିଏ ଦାସୀ ରଖି ପାରି ନଥିଲେ । ଘରେ ଗୋଟିଏ ଗାଈ ରଖି ପିଲାଙ୍କୁ ଟିକିଏ ଦୁଧ ଖାଇବାକୁ ଦେବା ମଧ୍ୟ ତାଙ୍କୁ ଜୁଟି ପାରି ନଥିଲା । ରାଜକୁମାରୀ ଏଲିସ୍‌ ସ୍ୱହସ୍ତରେ ସମସ୍ତ ଗୃହକାର୍ଯ୍ୟ ନିର୍ବାହ କରୁଥିଲେ । କେବଳ ଯେ ସେ ଦୁଃଖିନୀ ହୋଇଥିଲେ ବୋଲି ଆପଣାର ଗୃହକର୍ମ ଆପେ କରୁଥିଲେ ତାହା ନୁହେଁ, ଇଉରୋପ ମହାଦେଶର କି ସାଧାରଣ ଗୃହସ୍ଥ, କି ବଡ଼ଲୋକ, ସବୁ ଘରର ସ୍ତ୍ରୀଲୋକମାନେ ନିଜ ନିଜ ହସ୍ତରେ ଏବଂ ନିଜ ନିଜର ଶାରୀରିକ ବଳ ବ୍ୟୟ କରି ଆପଣାର ଗୃହକର୍ମ ସମ୍ପନ୍ନ କରିଥାନ୍ତି । ସେ ଦେଶରେ ଏତେ ଚାକର ଚାକରାଣୀ ନ ଥାନ୍ତି । ସାଧାରଣ ଲୋକେ ସେମାନଙ୍କର ନିଜ ନିଜର ଘରର କାର୍ଯ୍ୟ ଆନନ୍ଦରେ ନିଜେ ନିଜେ କରିଥାନ୍ତି ।

 

ଇଂରେଜମାନଙ୍କର ଏ ଦେଶରେ ଚାଲିଚଳଣ ଦେଖି ସେମାନଙ୍କର ବାହାରର ଆଡ଼ମ୍ବର ଓ ଚାକଚକ୍ୟ ପ୍ରତି ଆମ୍ଭେମାନେ ବିଶେଷ ଭାବରେ ଲୋଲୁପ ଦୃଷ୍ଟି ପକାଇଥାଉଁ । କିନ୍ତୁ ସେମାନଙ୍କର ସ୍ୱଦେଶର ବ୍ୟବହାର ଓ ସେମାନଙ୍କର ଗୃହକର୍ମର ଆଭ୍ୟନ୍ତରୀଣ ବ୍ୟବସ୍ଥା ନ ଜାଣି କେବଳ ଅନ୍ଧ ଅନୁକରଣପ୍ରିୟତାର ବଶବର୍ତ୍ତୀ ହୋଇ ସାହେବ ସାଜି ଆମ୍ଭେମାନେ ଏ ଦେଶରେ ଗୃହାଭ୍ୟନ୍ତରରେ ମହାବିପ୍ଳବ ସଂଘଟିତ କରିଥାଉଁ । ଆମ ଦେଶର ପିଲାଏ ଇଂରାଜୀ ପାଠ ଶିଖୁ ଶିଖୁ ସାହେବ ସାଜନ୍ତି ଏବଂ ସ୍ତ୍ରୀଲୋକମାନେ ଇଂରେଜୀ ପାଠ ପାଖକୁ ନଯାଇ ମଧ୍ୟ ମେମ୍ ହେବାକୁ ବସନ୍ତି । ଯେଉଁ ଘରକୁ ମାସରେ ଏକ ଶତ ମାତ୍ର ଟଙ୍କା ଆସିଲା, ସେ ଘରେ ସ୍ତ୍ରୀଲୋକେ ଆଉ ଭାତ ରାନ୍ଧୁ ନାହାନ୍ତି, ଘର ଚଳାଉ ନାହାନ୍ତି, ବିଛଣା ଖରା ଦେଉ ନାହାନ୍ତି, ପରିବା କାଟୁ ନାହାନ୍ତି, ମସଲା ବାଟୁ ନାହାନ୍ତି- ସବୁଥିରେ ଚାକର ଚାକରାଣୀଙ୍କ ହାତକୁ ଅନାଇ ବସି ଅଛନ୍ତି । ଏହାର ଏହି ଫଳ ହେଉଅଛି ଯେ, ଗୃହ ଓ ଗୃହ ଉପକରଣ ଅପରିଚ୍ଛନ୍ନ ହେଉଅଛି, ଖାଇବା ଖରାପ ହେଉଅଛି ଓ ସ୍ତ୍ରୀଲୋକମାନଙ୍କର ଶରୀର ମାଟି ହୋଇଯାଉଛି-ଯେଉଁସବୁ ପିଲାଏ ଜନ୍ମ ହେଉଅଛନ୍ତି ସେମାନେ କ୍ଷୁଦ୍ରଳାୟ, ସ୍ୱଳ୍ପବଳ ଓ ରୁଗ୍‌ଣଦେହ ହେଉଅଛନ୍ତି । କେହି କେହି ସର୍ବଦା ପୀଡ଼ିତ ହେଉଅଛନ୍ତି, ସ୍ୱଳାୟୁ ହେଉଅଛନ୍ତି ଅଥବା କେତେକ ଅକାଳରେ ଚାଲି ଯାଉଅଛନ୍ତି ।

 

ଅଯଥା ଅନୁକରଣଜାତ ଏହି ସମୂହ ବିପଦରୁ ସ୍ତ୍ରୀଜାତିକୁ ରକ୍ଷା କରି ପୁଣି ପରିବାରକୁ ସୁସ୍ଥ ସବଳ କରିବାକୁ ଇଚ୍ଛା କଲେ, ଗୃହକର୍ମରେ ପୂର୍ବ ପ୍ରଚଳିତ ଦେଶୀୟ ବ୍ୟବସ୍ଥାଗୁଡ଼ିକୁ ରକ୍ଷା କରିବା ବିଧେୟ । ସ୍ତ୍ରୀଲୋକମାନେ ପରିବାରର ମଙ୍ଗଳ ନିମନ୍ତେ ଶାରୀରିକ ପରିଶ୍ରମ ନକଲେ ସେମାନଙ୍କର ସ୍ୱାମୀ, ପୁତ୍ରକନ୍ୟା ପ୍ରଭୃତି ପରିବାରସ୍ଥ ଆତ୍ମୀୟ ସ୍ୱଜନମାନେ ସୁଖସ୍ୱାଚ୍ଛନ୍ଦ୍ୟରେ ଚଳି ପାରିବେ ନାହିଁ ।

 

ନିମ୍ନଲିଖିତରୂପେ କେତେକ ନିୟମ ପରିବାରରେ ପରିପାଳିତ ହେଲେ ସେହି ପୂର୍ବପ୍ରଚଳିତ ସ୍ୱାସ୍ଥ୍ୟପ୍ରଦ ପ୍ରାଚୀନ ବ୍ୟବସ୍ଥା ପୁନଃ ପ୍ରତିଷ୍ଠିତ ହୋଇ ପାରେ :–

 

(୧)

ଗୃହକର୍ତ୍ତା ଯଦି ବୃଦ୍ଧ ନ ହୁଅନ୍ତି, ତେବେ ସେ ପ୍ରତ୍ୟହ କିଛି ଶାରୀରିକ ଶ୍ରମସାଧ୍ୟ ଗୃହକାର୍ଯ୍ୟ କରିବେ ।

(୨)

ଗୃହର ପିଲାମାନଙ୍କୁ ଗୃହସଂଲଗ୍ନ କୌଣସି ଉଦ୍ୟାନରେ କିଛି କାର୍ଯ୍ୟ କରିବାକୁ ଦେଇ ସେମାନଙ୍କ ହାତରେ ସେ ଉଦ୍ୟାନର ବୃକ୍ଷାଦିର ରକ୍ଷଣାବେକ୍ଷଣ ଭାର ରଖିଦେଲେ ସେମାନେ ତାହା କରିବାଦ୍ୱାରା ସେମାନଙ୍କର ବ୍ୟାୟମ ହେବ ଏବଂ ସେଥି ସଙ୍ଗେ ସଙ୍ଗେ ନିଜ ଶ୍ରମଦ୍ୱାରା ଉଦ୍ୟାନରେ ପନିପରିବା ଉତ୍ପାଦନ କରି ପାରିବେ ବା କିଛି ସ୍ଥାୟୀ ବୃକ୍ଷର ରକ୍ଷଣାବେକ୍ଷଣ କରିବେ ।

(୩)

ଗୃହକାର୍ଯ୍ୟର ପରିମାଣ ଦେଖି ଗୃହକର୍ତ୍ତା ସେ କାର୍ଯ୍ୟର କେତେକାଂଶ ପରିବାରର ସ୍ତ୍ରୀଲୋକମାନଙ୍କ ମଧ୍ୟରେ ବଣ୍ଟନ କରିଦେବେ । ଯଦି ପରିବାରରେ ଲୋକସଂଖ୍ୟା ବେଶି ହୁଏ ଏବଂ ସେଥିପାଇଁ ରାନ୍ଧିବା କାର୍ଯ୍ୟ ପାଚକଦ୍ୱାରା କରିବା ଆବଶ୍ୟକ ହୁଏ, ତେବେ ପରିବା କାଟିବା, ମସଲା ବାଟିବା, ଘର ଓଳାଇବା, ବାସନ ମାଜିବା ପ୍ରଭୃତି କେତେକ ଶ୍ରମସାଧ୍ୟ କାର୍ଯ୍ୟ ଘରର ସ୍ତ୍ରୀଲୋକମାନଙ୍କ ଦ୍ୱାରା କରାଇ ନେବା ଉଚିତ୍‌ । ଚାକର ଚାକରାଣୀଙ୍କ ସଂଖ୍ୟା ଘରେ ବଢ଼ାଇବା ଉଚିତ୍‌ ନୁହେଁ । ସ୍ତ୍ରୀଲୋକମାନେ ଯେଉଁତକ ପାରିବେ ନାହିଁ, କେବଳ ସେତିକି କାର୍ଯ୍ୟ ପାଇଁ ଦରମାଖିଆ ଲୋକ ରଖିବା ଉଚିତ୍‌ ।

(୪)

ପ୍ରତ୍ୟେକ ଦରମାଖିଆ ଲୋକଙ୍କର କାର୍ଯ୍ୟ ନିର୍ଦ୍ଦିଷ୍ଟ କରିଦେବା ଉଚିତ ।

(୫)

ସ୍ତ୍ରୀଲୋକମାନଙ୍କ ମଧ୍ୟରେ କାର୍ଯ୍ୟ ବାଣ୍ଟି ଦେବାର ଭାର ଗୃହିଣୀଙ୍କ ଉପରେ । ସେ ସବୁ ସ୍ତ୍ରୀଲୋକଙ୍କର ଶରୀରର ଅବସ୍ଥା ଓ ବୟସ ଦେଖି ସେହି ଅନୁସାରେ କାର୍ଯ୍ୟ ବାଣ୍ଟିଦେବେ ଏବଂ ଗୋଟିଏ କାର୍ଯ୍ୟ ଜଣକୁ ପ୍ରତିଦିନ କରିବାକୁ ଦେବେ ନାହିଁ ।

(୬)

ଗୃହିଣୀ ନିଜେ ମଧ୍ୟ ତାଙ୍କ ନିଜ ପାଇଁ କାର୍ଯ୍ୟ ରଖିବେ । ତାଙ୍କର ତ କାର୍ଯ୍ୟସବୁ । ଗୁହାଳପୋଛାଠାରୁ ଠାକୁର ଘର ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଦେଖୁ ଦେଖୁ ଯେଉଁଠାରେ କିଛି କାର୍ଯ୍ୟର ଅବହେଳା ସେ ଦେଖିବେ, ସେଠାରେ ସେ ବସି ପଡ଼ି ସେ କାର୍ଯ୍ୟଟା କରିନେବେ । ରୋଷେଇ ଘରକୁ ଯାଇ ଯେଉଁ କାର୍ଯ୍ୟଟା ବାକି ପଡ଼ିଥିବାର ସେ ଦେଖିବେ, ସେଇଟା ମଧ୍ୟ ନିଜ ହସ୍ତରେ କରିନେବେ । ସେ କାର୍ଯ୍ୟ ବାଣ୍ଟିବାବେଳେ ସ୍ତ୍ରୀଲୋକମାନଙ୍କୁ କାର୍ପେଟ ବୁଣିବା, କାଇଁଶ ଚାଙ୍ଗଡ଼ା ବା ବିଞ୍ଚଣା ବୁଣିବା, ସିଲାଇ କାର୍ଯ୍ୟ କରିବା, ନିଜେ ପଢ଼ାପଢ଼ି କରିବା ବା ଛୋଟ ଛୋଟ ପିଲାମାନଙ୍କୁ ପଢ଼ାଇବା ବା ବଜାଇ ଶିଖାଇବା ପ୍ରଭୃତି ସକାଶେ ସମୟ ନିରୂପିତ କରିଦେବେ ।

(୭)

ଘର ଭିତରେ ପରିବେଷଣ କାର୍ଯ୍ୟ ପରିବାରର ସ୍ତ୍ରୀଲୋକମାନେ ବା ଝିଅମାନେ କରିବେ-

(୮)

କିଏ ଖାଇଲା, କିଏ ନ ଖାଇଲା, ଯେ ଖାଇଗଲା ତାହାର ବାସନ ସଙ୍ଗେ ସଙ୍ଗେ ଉଠିଲା କି ନାହିଁ, କାହାର ବା କିଛି ରୋଗ ହେତୁରୁ ତାହାର କିଛି ପଥି ଆବଶ୍ୟକ ଅଛି କି ନାହିଁ, ଇତ୍ୟାଦି ବିଷୟର ପର୍ଯ୍ୟବେକ୍ଷଣ ଗୃହିଣୀଙ୍କର କାର୍ଯ୍ୟ ।

 

ଏହିପରି ଭାବରେ ଗୃହସ୍ଥ ଓ ଗୃହିଣୀ ପରାମର୍ଶ କରି ପରିବାରରେ ସମସ୍ତଙ୍କୁ ପରିବାରର କାର୍ଯ୍ୟରେ ନିୟୋଜିତ କରିଦେଲେ ତାହାଦ୍ୱାରା ପରିବାରର ସମସ୍ତଙ୍କର ଶାରୀରିକ ସ୍ୱାସ୍ଥ୍ୟର ଉନ୍ନତି ହେବ ଏବଂ ସମସ୍ତେ ଗୃହକାର୍ଯ୍ୟର କିଛି କିଛି କରିଦେବା ଦ୍ୱାରା ପରିବାରର ବ୍ୟୟସଙ୍କୋଚ ହୋଇ ପାରିବ । ଏ ଯୁଗରେ ଦରିଦ୍ର ଦେଶରେ ଆଉ ବାହାରର ଚାକଚକ୍ୟରେ ମାତି ଶ୍ରମାର୍ଜିତ ଧନ ଓ ମନୁଷ୍ୟତା ହରାଇବା ଶୁଭ ଲକ୍ଷଣ ନୁହେଁ । ଯାହା ହାତରେ ଯାହା ହୋଇପାରିବ, ସେ ଯଥାସାଧ୍ୟ ଶ୍ରମ କରି ସେତକ ନକଲେ ପରିବାରର ସମୂହ ଉନ୍ନତି ହେବା ସମ୍ଭବପର ନୁହେଁ । ପରିବାରର ମଙ୍ଗଳ ଲାଗି ମାନ ସମ୍ଭ୍ରମ ଓ ଧନ ସମ୍ପଦ ରକ୍ଷା କରିବାକୁ ହେଲେ ପରିବାରର କି ସ୍ତ୍ରୀ କି ପୁରୁଷ ସମସ୍ତେ ଲାଗିପଡ଼ି କାର୍ଯ୍ୟ କରିବାକୁ ବଦ୍ଧପରିକର ହେବା ଉଚିତ । ବିଳାସିତାକୁ ପରିବାରରୁ ସମୂଳେ ବିନାଶ ନ କଲେ ପରିବାରର ମଙ୍ଗଳ ଆଶା କରିବା ବାତୁଳତା ମାତ୍ର । ପେଟରେ ଭାତ ଥାଉ ନ ଥାଉ ଓସାରିଆ ଲୁଗା ଖଣ୍ଡେ ଓ ଧଳା ଜାମା ଖଣ୍ଡେ ପିନ୍ଧି ଭଦ୍ରତା ରକ୍ଷା କରିବା, ପେଟପୂରା କରି ମୁଢି ଚୂଡ଼ା ନଖାଇ ପଇସାକର ଜିଲାପି ଓ ପଇସାକର ବରଫି ଜିହ୍ୱାଗ୍ରରେ ରଖିଦେଇ ବାବୁଗିରି କରିବା ଢଙ୍ଗକୁ ଆଉ ଚଳାଇଲେ ଚାଲିବ ନାହିଁ । ଏ ଦେଶର, ଏ ସମାଜର ଯାହା ଅବସ୍ଥା ହେଲାଣି, ସେଥିରେ ଦେଶର ଓ ସମାଜର ମୂଳଦୁଆ ପରିବାରଟିକୁ ପୁଣି ପ୍ରାଚୀନ ସୁପ୍ରଥାରେ ବାନ୍ଧିବାକୁ ହେବ । ତାହା ହିଁ ଏ ଦେଶର ପ୍ରକୃତି ଓ ପ୍ରତିଭା-ସେଥିରେ ହିଁ ଏ ଦୀନହୀନ ଦେଶର ମୁକ୍ତି ଓ ଶାନ୍ତି ।

Image

 

ପାରିବାରିକ ଗୃହଶ୍ରୀ

 

‘‘Nothing Useless is or low,

Each thing in its place is best.’’

 

ପରିବାର ଭିତରେ ପ୍ରତି ବ୍ୟକ୍ତି ଯେ ଯାହାର କର୍ତ୍ତବ୍ୟ କରିବା ଯେପରି ଆବଶ୍ୟକ, ଘର ଭିତରେ ପ୍ରତିପଦାର୍ଥ ଯଥାସ୍ଥାନରେ ରହିବା ମଧ୍ୟ ସେହିପରି ଆବଶ୍ୟକ । ଘରେ ବହୁତଗୁଡ଼ାଏ ବଡ଼ ବଡ଼ ପଦାର୍ଥ ରହିଲେ ବା ସାଜ ସରଞ୍ଜାମରେ ଘରଟା ବେଶି ପୂର୍ଣ୍ଣ ହେଲେ ଘର ବେଶି ସୁନ୍ଦର ଦିଶେ ନାହିଁ, ବରଂ ସାନ ଘରେ ଗୁଡ଼ାଏ ବେଶି ଦ୍ରବ୍ୟ ସଜ୍ଜିତ ହେଲେ ଘରଟା ତାହାଦ୍ୱାରା ଭାରାକ୍ରାନ୍ତ ହେଲା ପରି ଦେଖାଯାଏ । ଆହୁରି ମଧ୍ୟ ଏ ଦରିଦ୍ର ଦେଶରେ ଘର ସଜାଇବାର ଆଡ଼ମ୍ବର ଯେତେ କମ୍‌ ହୁଏ, ସେତେ ଭଲ । ଜୀବନର ସରଳତା ଓ ଆଡ଼ମ୍ବରର ବିରଳତା ଏ ଦେଶର ପ୍ରାଣ ଓ ପ୍ରତିଭା । ଏହି ସରଳତାକୁ ଯେପରି ଆମ୍ଭେମାନେ ଆମ୍ଭମାନଙ୍କ ଘରର ଓ ଜୀବନର ସର୍ବଶ୍ରେଷ୍ଠ ଅଳଙ୍କାର କରି ଗ୍ରହଣ କରୁଁ । ଏହି ସରଳତାକୁ ବିଦେଶର ଚାକଚକ୍ୟର ପ୍ରଭାବରୁ ଦିନକୁ ଦିନ ହରାଇ ଆମ୍ଭେମାନେ ଆଜି ଏଡ଼େ ଦରିଦ୍ର ଓ ହତଭାଗ୍ୟ ।

 

ପ୍ରତି ପରିବାରରେ ଏପରି ବନ୍ଦୋବସ୍ତ ଥିବ ଯେ, ଯେଉଁ ପଦାର୍ଥଟି ଯେଉଁଠାରେ ରହିଲେ ସୁନ୍ଦର ଓ ହଠାତ୍‌ କାର୍ଯ୍ୟରେ ଲାଗି ପାରିବ, ତାହା ସେହିଠାରେ ରହିବ । ଏଥି ସାଙ୍ଗରେ ମଧ୍ୟ ଆଉ ଗୋଟିଏ କଥା ମନେ ରଖିବା ଦରିଦ୍ର ପରିବାର ପକ୍ଷରେ ବଡ଼ ଆବଶ୍ୟକ । କୌଣସି ପଦାର୍ଥକୁ ସାମାନ୍ୟ ବୋଲି ଅବହେଳାରେ ବା ତାଚ୍ଛଲ୍ୟରେ ଫିଙ୍ଗି ଫୋପାଡ଼ି ଦେବା ସୁଗୃହସ୍ଥ ବା ସୁଗୃହିଣୀ ପକ୍ଷରେ ଆଦୌ ଉଚିତ୍‌ ନୁହେଁ । ପ୍ରତି ପଦାର୍ଥକୁ ଯତ୍ନ ଓ ଆଦର ସହିତ ଯଥାସ୍ଥାନରେ ରଖିଲେ ନିଶ୍ଚୟ ସମୟରେ ଘରର କାମରେ ଲାଗିଥାଏ । ସୁଗୃହିଣୀମାନେ କୌଣସି ପଦାର୍ଥକୁ ତାହାର କିଛି ମାତ୍ର ବ୍ୟବହାର ବା ଉପକାର ଥିବାର ମନେ କଲେ ସାଇତି ରଖିଥାଆନ୍ତି । ଘରଣୀଙ୍କର ଏହି ସାଇତି ରଖିବାର ଗୁଣକୁ ଆମ ଦେଶରେ ଘରଣୀପଣିଆ ବୋଲି ଲୋକେ ସାଧାରଣତଃ କହିଥାଆନ୍ତି । ଆଜି କାଲିର ଗୃହିଣୀମାନଙ୍କ କଥା ଛାଡ଼ି ଦେଲେ ଆଗର ଗୃହିଣୀମାନେ ନିଜ ନିଜର ଅବସ୍ଥା ଅନୁଯାୟୀ ଆଗନ୍ତୁକ ଅତିଥି ଅଭ୍ୟାଗତଙ୍କ ପାଇଁ ଅମେଳକ ଖାଇବା ପିଇବା ପଦାର୍ଥ ମଫସଲମାନଙ୍କରେ ସଜାଡ଼ି ରଖିବାକୁ ଏବଂ ଦରକାର ପଡ଼ିଲେ ନିଜ ଘର କାମରେ ଓ ସାଇ ପଡିଶା ଆଖପାଖ ଗାଁର ଲୋକମାନଙ୍କ କାମରେ ଲଗାଇବାକୁ ସୁଖ ଅନୁଭବ କରୁଥିଲେ । ଭିନ୍ନ ଭିନ୍ନ ରକମର ଆଚାର ପ୍ରଭୃତି ତିଆରି କରି ରଖି ପାଖ ପଡ଼ିଶା ଲୋକଙ୍କ ଛଡା, ତିନି କୋଶ ପାଞ୍ଚ କୋଶର ଲୋକମାନଙ୍କର ରୋଗ ବା ଅସୁସ୍ଥତାବେଳେ ଅକୁଣ୍ଠିତ ଭାବରେ ଦେବା ମଧ୍ୟ ସାଧାରଣ ଗୃହରେ ଗୃହିଣୀମାନେ କରିବାର ଦେଖାଯାଉଥିଲା । ପଲ୍ଲୀଗ୍ରାମମାନଙ୍କରେ ଯାହାର ଅବସ୍ଥା ଅନ୍ୟ ସାଧାରଣଙ୍କ ଅବସ୍ଥାଠାରୁ ଟିକିଏ ଭଲ, ସେ ଘରର ଘରଣୀ ଛାରି ଖଇ, ମିଠେଇ, ଲଡୁ, ଖଜା ପ୍ରଭୃତି ମଫସଲରେ ଦୁର୍ଲଭ ପଦାର୍ଥ ସାଇତି କରି ରଖି ନିଜ ଘରର ଓ ନିଜ ଗ୍ରାମର ଆଗନ୍ତୁକ କୁଣିଆ ମିତ୍ରଙ୍କର ଚର୍ଚ୍ଚା କରିବାରେ ସେ ସବୁ ବ୍ୟୟ କରି ଯଥେଷ୍ଟ ଆନନ୍ଦ ଅନୁଭବ କରିଥାନ୍ତି । ଛୋଟ ବଡ଼ ସବୁ ପଦାର୍ଥ ପ୍ରତି ସମାନ ଦୃଷ୍ଟି ଦେଇ ଠିକ୍‌ କରି ରଖିବା ଘରଣୀପଣର ଗୋଟିଏ ବଡ଼ କଥା । କିଛି ତୁଚ୍ଛ ନୁହେଁ ବା ସାମାନ୍ୟ ନୁହେଁ, ଯଦି ତାହାକୁ ଯତ୍ନ ବା ଆଦରରେ ଉପଯୁକ୍ତ ଭାବରେ ରଖାଯାଇ ପାରେ । ସାମାନ୍ୟ ଲୁଗାର ଚିରା ଧଡ଼ି ଗୁଡ଼ିଏ ଯତ୍ନରେ ବାନ୍ଧି କରି ରଖିଥିଲେ ସେଗୁଡ଼ିକ ମଧ୍ୟ ଘରର କାମରେ ପ୍ରୟୋଜନ ବେଳେ ବହୁତ ସାହାଯ୍ୟ କରେ-। କୌଣସି ରୋଗ ବା ଅସୁସ୍ଥତାବେଳେ ଘରେ ଥିବା ଚେର ମୂଳ ବେଶ୍‌ କାମରେ ଲାଗିଥାଏ-। ପ୍ରଧାନ କାର୍ଯ୍ୟ ହେଉଅଛି, ସେଗୁଡ଼ିକୁ ଯଥା–ସ୍ଥାନରେ ରଖି ପାରିବା । ସାନ ବଡ଼ ହୋଇ ଗୃହସ୍ଥର କିଛି ଦ୍ରବ୍ୟ ନାହିଁ; କେବଳ ରଖି ପାରିବାର ସୁବ୍ୟବସ୍ଥା ଦ୍ୱାରା ତାହାର ଉପାଦେୟତା ଆସିଥାଏ-

 

ଯେଉଁଠାରେ ଦ୍ରବ୍ୟ ସେହିଠାରେ ନରହିଲେ ପ୍ରୟୋଜନ ବେଳେ କାମରେ ଲାଗି ନପାରି ସେ ଦ୍ରବ୍ୟ ଥିବା ନଥିବା ସଙ୍ଗେ ସମାନ ହୁଏ । ହାଣ୍ଡିଶାଳର ଯେଉଁ ଦ୍ରବ୍ୟ ରନ୍ଧା ବଢ଼ାରେ ଆବଶ୍ୟକ ହେବ, ସେ ପଦାର୍ଥ ଏପରି ଭାବରେ ରହିଥିବ, ଯେପରି ଦରକାର ବେଳେ ହାତପାଖର ପଦାର୍ଥ ପରି କାମରେ ବ୍ୟବହୃତ ହୋଇ ପାରିବ । ସେହିପରି ମଧ୍ୟ ଯେ ଯେଉଁ ବ୍ୟବସାୟୀ, ତାଙ୍କର ବ୍ୟବସାୟର ସାମଗ୍ରୀଗୁଡ଼ିକ ଠିକ୍‌ ବ୍ୟବସାୟ କ୍ଷେତ୍ରରେ ଯଥାସ୍ଥାନରେ ରହିଥିବା ସୁନ୍ଦର ଓ ପ୍ରୟୋଜନୀୟ। ଲେଖାପଢ଼ା ଯେଉଁମାନଙ୍କର କାର୍ଯ୍ୟ ଲେଖାପଢ଼ା ସମ୍ବନ୍ଧୀୟ ପ୍ରତ୍ୟେକ ପ୍ରୟୋଜନୀୟ ପଦାର୍ଥ ଚତୁର ଗୃହସ୍ଥ ବା ଶିକ୍ଷିତା ଗୃହିଣୀ ଠିକ୍‌ ସ୍ଥାନରେ ରଖି ଦେଇଥିବେ । କଲମ ଏକ ସ୍ଥାନରେ ରହିଲେ, ଦୁଆତ ଅନ୍ୟ ସ୍ଥାନରେ, କାଗଜ ଖଣ୍ଡେ ଆବଶ୍ୟକ ହେଲେ ତାହା ତୃତୀୟ ସ୍ଥାନରେ ରହିଥିଲେ ଏବଂ ଛୁଞ୍ଚି ସୂତା ଟିକିଏ ଚତୁର୍ଥ ସ୍ଥାନରେ ଖୋଜିବାକୁ ପଡ଼ିଲେ କାର୍ଯ୍ୟରେ ବହୁତ ବିଶୃଙ୍ଖଳା ଘଟେ । କମାର, କୁମ୍ଭାର ବା ବଢ଼େଇ ବ୍ୟବସାୟ ଯାହାଙ୍କର ତାଙ୍କର ହାତ ହତିଆରଗୁଡ଼ିକ ପରିଷ୍କୃତ ଭାବରେ ଯଥାସ୍ଥାନରେ ଥିଲେ କାର୍ଯ୍ୟ କଲାବେଳେ କିଛି ଅସୁବିଧା ପଡ଼େନାହିଁ ଏବଂ ଗୋଟିଏ କିଛି ହଜିଗଲେ ହଠାତ୍‌ ତାହା ଆଖିରେ ପଡ଼େ । ଏହିପରି ଛୋଟ ବଡ଼ ସବୁଥିରେ ପ୍ରୟୋଜନ ବୁଝି ପଦାର୍ଥଗୁଡ଼ିକୁ ସଜାଇ ରଖିଲେ, କେବଳ ଯେ କାର୍ଯ୍ୟର ଶୃଙ୍ଖଳା ହୁଏ ତାହା ନୁହେଁ, ପଦାର୍ଥଗୁଡ଼ିକ ମଧ୍ୟ ସାବଧାନରେ ରହିବା ହେତୁ ବହୁକାଳ ସ୍ଥାୟୀ ହୁଏ । ଚତୁର ଓ ସାବଧାନ ଗୃହସ୍ଥ ସବୁ ପଦାର୍ଥକୁ ସଜାଡ଼ି ରଖିବାରୁ ଏବଂ କିଛି ନଷ୍ଟ ନକରିବାରୁ ତାହାର ଅଳ୍ପ ବ୍ୟୟରେ ସଂସାର ଯାତ୍ରା ନିର୍ବାହର ସୁବିଧା ହୋଇଥାଏ ।

 

ପାରିବାରିକର ଗୃହର ସୌନ୍ଦର୍ଯ୍ୟ ପାଇଁ ବହୁମୂଲ୍ୟ ସାଜସଜ୍ଜା ବା ବହୁସଂଖ୍ୟକ ଦାସ ଦାସୀ ଆବଶ୍ୟକ ନୁହେଁ । ଆବଶ୍ୟକ ପଦାର୍ଥଗୁଡ଼ିକୁ ଯତ୍ନର ସହିତ ରଖି ସେଗୁଡ଼ିକୁ ଯଥାସ୍ଥାନରେ ଯଥା ସମୟରେ କାର୍ଯ୍ୟରେ ବ୍ୟବହାର କରି ପାରିଲେ ତାହାରି ଦ୍ୱାରା ଗୃହର ଶ୍ରୀ ବର୍ଦ୍ଧିତ ହୋଇଥାଏ-। ଦାସ ଦାସୀ ପରିବାରରେ ରଖିବାରେ ମଧ୍ୟ ଏହି ନିୟମ ସମାନ ଭାବରେ ପ୍ରଯୋଜ୍ୟ-। ଗୁଡ଼ାଏ ଚାକର ଚାକରାଣୀ ଘରେ ରଖିଦେଲେ ଘରର କାର୍ଯ୍ୟ ସୁନ୍ଦରରୂପେ ହୁଏ ନାହିଁ-। ନିଜର ଅବସ୍ଥା ଅନୁସାରେ ଯଦି ଚାକର ଚାକରାଣୀ ରଖିବା ଆବଶ୍ୟକ ହୁଏ, ତେବେ ସେମାନଙ୍କୁ ଏପରି ନିୟମିତ କରି ଦେବାକୁ ହେବ, ଯେପରି ସେମାନେ ଗୃହସ୍ଥ ବା ଗୃହିଣୀଙ୍କର ତାଡ଼ନା ବା ତିରସ୍କାରକୁ ଅପେକ୍ଷା ନ କରି ଯଥାସମୟରେ ଯେ ଯାହାର କାର୍ଯ୍ୟ ନୀରବରେ କରିଯିବେ । କେବଳ ମହୁମାଛି ପରି ଗୁଡ଼ାଏ ଶବ୍ଦ କରି ଦାସଦାସୀମାନେ ଦଉଡ଼ା ଦଉଡ଼ି କଲେ ଘରର କାର୍ଯ୍ୟ ହୁଏନାହିଁ ।

 

ଯାହାର ଯେଉଁପରି ଅବସ୍ଥା ବା ଯାହା ଗୃହରେ ଯାହା ଦ୍ରବ୍ୟସମ୍ଭାର ସମ୍ଭବପର, ତାହାର ଯତ୍ନ କଲେ ଏବଂ ସେଗୁଡ଼ିକୁ ଯଥା ସ୍ଥାନରେ ରଖି ଯଥାସମୟରେ କାର୍ଯ୍ୟରେ ସହଜରେ ଲଗାଇ ପାରିଲେ ତାହାଦ୍ୱାରା ଗୃହର ମଙ୍ଗଳ ସାଧିତ ହୋଇଥାଏ । ନିଜର ଅବସ୍ଥାର ଅତିରିକ୍ତ ଦ୍ରବ୍ୟ ପାଇଁ ବାସନା ରଖିବା କୌଣସି ଗୃହସ୍ଥର କର୍ତ୍ତବ୍ୟ ନୁହେଁ । ମନୁଷ୍ୟ ତାହାର କ୍ଷଣସ୍ଥାୟୀ ଜୀବନ ପାଇଁ ଅଳ୍ପ କେତୋଟି ମାତ୍ର ପଦାର୍ଥ ଲୋଡ଼େ ଏବଂ ତାହା ମଧ୍ୟ କେତେକ ଦିନ ସକାଶେ ମାତ୍ର । ସେଥିରେ ଆଡ଼ମ୍ବରର ମୋହରେ ପଡ଼ି ସାଜସଜ୍ଜାରେ ବ୍ୟସ୍ତ ହେବା ସାଧାରଣ ଗୃହସ୍ଥ ପକ୍ଷରେ ଆଦୌ ଉଚିତ ନୁହେଁ । ତେବେ ଗୃହରେ ଯେଉଁ ଦ୍ରବ୍ୟଗୁଡ଼ିକ ଥିବ ବା ରହିବା ଆବଶ୍ୟକ ସେଗୁଡ଼ିକୁ ପରିଷ୍କୃତ ପରିଚ୍ଛନ୍ନ ଭାବରେ ସୁନ୍ଦରରୂପେ ଯଥାସ୍ଥାନରେ ରଖି ବ୍ୟବହାର କରିବା ଗୃହସ୍ଥ ବା ଗୃହିଣୀଙ୍କର ସୁରୁଚିର ପରିଚୟ ଦିଏ । ଯାହା ଯେଉଁଠାରେ ଦେଖି ଆସିବା ତାହା ଆଣି ଗୃହ ସଜାଇବାକୁ ଇଚ୍ଛା କରିବା ସୁରୁଚି ବା ସଦ୍‌ବିବେଚନାର କଥା ନୁହେଁ । ସଂସାରର ନାନାବିଧ ସୁଦୃଶ୍ୟ ବା ଆଡ଼ମ୍ବରପୂର୍ଣ୍ଣ ବିପଣି ବୀଥିକା ଦେଖିଲେ ମଧ୍ୟ ନିଜର ଅବସ୍ଥା ବା ଆବଶ୍ୟକତା ପ୍ରତି ଯେତିକି ପ୍ରୟୋଜନ, ସେତିକି ଇଚ୍ଛା କରିବା ସୁବୁଦ୍ଧିର କାର୍ଯ୍ୟ । ତାହା ନ କରି ଯାହା ଯେଉଁଠାରେ ଦେଖିଲି ତାହା ନିଜର କରିବାକୁ ଇଚ୍ଛା କରିବା ବାସନା ନୁହେଁ, ବିକୃତି ବାସନା ମାତ୍ର; ଏହା ଅଜୀର୍ଣ୍ଣ ରୋଗର କ୍ଷୁତ୍‌ ପ୍ରବୃତ୍ତ-

 

ଏହିପରି ଦେଖିବାକୁ ଗଲେ ପରିବାରର ଗୃହଶ୍ରୀ ବହୁ ସାମଗ୍ରୀଦ୍ୱାରା ବୃଦ୍ଧି ପାଏ ନାହିଁ, ଅଳ୍ପ ସାମଗ୍ରୀର ଯଥାସ୍ଥାନରେ ସନ୍ନିବେଶଦ୍ୱାରା ରକ୍ଷିତ ହୋଇଥାଏ । ଅନ୍ଧ ଅନୁକରଣପ୍ରିୟତାରେ ନିଜର ଅବସ୍ଥା ପ୍ରତି ଦୃଷ୍ଟି ନଦେଇ ଗୃହର ସୌନ୍ଦର୍ଯ୍ୟବୃଦ୍ଧି ସକାଶେ ଗୁଡ଼ାଏ ସାଜସଜ୍ଜା କରିବା ବହୁସଂଖ୍ୟକ ଦାସ ଦାସୀ ରଖିବା ସାଧାରଣ ପରିବାର ପକ୍ଷରେ ମଙ୍ଗଳକର ନୁହେଁ । ଗୃହରେ ଯାହା ପ୍ରୟୋଜନୀୟ ଏବଂ ଯାହାର ଅଭାବରେ ଗୃହର କାର୍ଯ୍ୟ ସୁଚାରୁରୂପେ ଚଳି ନପାରେ ଏବଂ ଯାହା ପାଇବାକୁ ଗୃହର ଅବସ୍ଥାର ଅତିରିକ୍ତ ବ୍ୟୟ କରିବାକୁ ପଡ଼ିବ ନାହିଁ, ସେହିପରି ସାମଗ୍ରୀଦ୍ୱାରା ଘରର ସାଜସଜ୍ଜା କରିବା ଏବଂ ସେଗୁଡ଼ିକୁ ନିର୍ମଳ ଓ ସୁନ୍ଦର ରୂପେ ଯଥାସ୍ଥାନରେ ରଖି ଯଥାସମୟରେ କାର୍ଯ୍ୟରେ, ଲଗାଇ ପାରିବା ଗୃହସ୍ଥ ବା ଗୃହିଣୀର ସୁବିବେଚନା ଓ ସୁଶିକ୍ଷାର ଲକ୍ଷଣ ବୋଲି ସାଧାରଣତଃ ଲୋକେ ମନେ କରିଥାନ୍ତି ।

Image

 

ପରିବାରରେ ପାଳିତ ପଶୁପକ୍ଷୀ

 

ପରିବାରର ସୁବିଧା ସକାଶେ କେତେକ ଗୋମେଷାଦି ପଶୁ ଗୃହରେ ରଖାଯାନ୍ତି । କୌଣସି ଗୃହସ୍ଥ ପ୍ରୟୋଜନ ନ ଥିଲେ ମଧ୍ୟ ନିଜର ସୌଖିନ ଇଚ୍ଛାରେ କେତେକ ପଶୁପକ୍ଷୀ ରଖିଥାନ୍ତି । ଏହି ସମସ୍ତ ଗୃହପାଳିତ ପଶୁପକ୍ଷୀଙ୍କର ଯତ୍ନ କରିବା ଗୃହସ୍ଥର ଏକାନ୍ତ କର୍ତ୍ତବ୍ୟ । ଏ ସବୁ ପଶୁପକ୍ଷୀଗୁଡ଼ିକ ଆମ୍ଭମାନଙ୍କର ଦୟା ଉପରେ ସମ୍ପୂର୍ଣ୍ଣରୂପେ ନିର୍ଭର କରନ୍ତି । ସେମାନଙ୍କର ସୁବିଧା ଅସୁବିଧା ବୁଝି ତାହାର ବ୍ୟବସ୍ଥା କରିବା ଆମ୍ଭମାନଙ୍କର ସର୍ବଦା ଉଚିତ ।

 

ଆମ୍ଭମାନଙ୍କର ଏ ଦେଶରେ ପ୍ରାୟ ପ୍ରତି ଗୃହସ୍ଥର ଅଳ୍ପ ବହୁତ ପରିମାଣରେ ଗୋରୁଗାଈ ଥାଆନ୍ତି । ହିନ୍ଦୁମାନେ ଗୋରୁମାନଙ୍କୁ ଦେବତା ଜ୍ଞାନରେ ପୂଜା କରନ୍ତି ବୋଲି ଗର୍ବ କରିଥାନ୍ତି । କିନ୍ତୁ ହିନ୍ଦୁ ଗୃହସ୍ଥ ଆଜିକାଲି ଗୋରୁମାନଙ୍କ ପ୍ରତି ସାଧାରଣତଃ ସେପରି ବ୍ୟବହାର କରିବାର ଦେଖାଯାଏ ନାହିଁ । କେବଳ ପୂଜା କଲେ ହେବ ନାହିଁ । ଗୋରୁମାନଙ୍କର ଖାଇବା ପିଇବା ଓ ରହିବାର ସୁବ୍ୟବସ୍ଥା ନକରି କେବଳ ଦେବତା ଜ୍ଞାନରେ ପୂଜା କରିବା କଥା କହିଲେ ସମସ୍ତେ ହସିବାର କଥା । ଯେ ଯାହାକୁ ପୂଜା କରେ, ସେ ନିଜେ ଯେପରି ରହେ, ତାହାଠାରୁ ଭଲରେ ତାହାର ପୂଜ୍ୟ ଦେବତାକୁ ରଖିବା ଉଚିତ । କେବଳ ମୁହଁରେ ପୂଜାର କଥା କହି କାର୍ଯ୍ୟରେ ଗୋରୁର ସାମାନ୍ୟ ଗ୍ରାସାଚ୍ଛାଦନର ଆୟୋଜନ ନକରିବା ହିନ୍ଦୁ ଗୃହସ୍ଥ ପକ୍ଷରେ ଆଦୌ ଶୋଭନୀୟ ନୁହେଁ ।

 

ମନୁଷ୍ୟର ଯେପରି ଖାଇବା ପିଇବାର ସମୟ ଅଛି, ଗୋରୁ ଗାଈଙ୍କର ସେହିପରି ଥିବା ଆବଶ୍ୟକ । ସେମାନଙ୍କ ଖାଦ୍ୟ ଓ ପେୟ ଯେପରି ବିଶୁଦ୍ଧ ହୁଏ, ତାହା ମଧ୍ୟ ଦେଖିବା ଗୃହସ୍ଥର ପ୍ରଧାନ କର୍ତ୍ତବ୍ୟ ହେବା ବିଧେୟ । ପ୍ରତିଦିନ ସମୟରେ ସେମାନେ ଯେପରି ସେମାନଙ୍କର ଖାଦ୍ୟ ଖାଆନ୍ତି । ସେମାନଙ୍କ ଖାଦ୍ୟରେ କେବଳ ଅସାର ପଦାର୍ଥ ରହିଲେ ସେମାନେ ଅଳ୍ପ ଦିନରେ ହାରି ଯାଆନ୍ତି ଏବଂ ସେମାନଙ୍କର ଦୁର୍ବଳତାରୁ ନାନା ରୋଗ ହୁଏ । ଗୋରୁମାନଙ୍କର ପିଇବା ପାଣି ଯେପରି ପରିଷ୍କୃତ ରହେ, ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଥିବା ଉଚିତ । ଗୋରୁ ଖାଇବା କୁଣ୍ଡ ସପ୍ତାହରେ ଅନ୍ତତଃ ଥରେ ଦୁଇଥର ଘଷାଘଷି କରି ଧୋଇ ସଫା କରି ନ ଦେଲେ ବାସି ପାଣି ପ୍ରଭୃତି ରହି ଗୋରୁଙ୍କର ଖାଦ୍ୟକୁ ଦୂଷିତ କରିଦିଏ । ଏଣୁ ପୃଷ୍ଟିକର ଖାଦ୍ୟ ଦେବା ସଙ୍ଗେ ସଙ୍ଗେ ପିଇବା ପାଣି ଓ ଖାଇବା ପାତ୍ର ଯେପରି ବିଶୁଦ୍ଧ ଓ ପରିଷ୍କୃତ ରହେ, ତାହା ଦେଖିବା ଗୃହସ୍ଥର କର୍ତ୍ତବ୍ୟ । ଗୋରୁମାନେ ମନୁଷ୍ୟଙ୍କ ପରି ତରତରରେ ଖାଇ ପାରନ୍ତି ନାହିଁ-ସେମାନଙ୍କୁ ଖାଦ୍ୟ ଚୋବାଇ ଖାଇବାକୁ ସମୟ ଲାଗେ । ତେଣୁ ଗୋରୁଗାଈଙ୍କୁ ଖାଇବାକୁ ଦେବାବେଳେ ତରତରରେ ସେ କାମ ସାରି ଦେବା ଠିକ୍‌ ନୁହେଁ । ଧୈର୍ଯ୍ୟ ସହିତ ସେମାନଙ୍କ ପାଖରେ ବସି ରହି କୁଣ୍ଡା, କୁଳୁଚି, କୋଳଥ, ବିରି ପ୍ରଭୃତି ଦାନା ଆସ୍ତେ ଆସ୍ତେ ସେମାନଙ୍କ ରୁଚି ଅନୁସାରେ ଦେଇ ସେମାନଙ୍କୁ ପେଟପୂରା ଖାଦ୍ୟ ଦେବା ସର୍ବତୋଭାବରେ ବିଧେୟ ।

 

ଖାଇବା ପିଇବା ଦେଖିବା ବ୍ୟତୀତ ସେମାନଙ୍କର ରହିବାର ସୁବିଧା ପ୍ରତି ଦୃଷ୍ଟି ଦେବା ଆଉ ଗୋଟିଏ ପ୍ରଧାନ କଥା । ଏ ଦେଶରେ ଗୋରୁଗାଈଙ୍କ ରହିବା ଘରର ସ୍ୱାସ୍ଥ୍ୟ ପ୍ରତି ଲୋକେ ଆଦୌ ଦୃଷ୍ଟି ଦିଅନ୍ତି ନାହିଁ । ସେମାନଙ୍କ ଘରେ ପବନ ଯିବା ଆସିବାର ସୁବିଧା ଥିବା ଯେ ଆବଶ୍ୟକ, ସେମାନଙ୍କ ଘରେ ଅଳିଆ ବା ଦୁର୍ଗନ୍ଧମୟ ପଦାର୍ଥ କିଛି ରହିବା ଯେ ଅନୁଚିତ, ଏ କଥା ଅତ୍ୟଳ୍ପସଂଖ୍ୟକ ଗୃହସ୍ଥ ବୁଝିଥାନ୍ତି । ଯେ କୌଣସି ଘରେ ଗୋରୁଗାଈଙ୍କୁ ବାନ୍ଧି ଦେବା ବା ରଖିଦେବା ଉଚିତ ନୁହେଁ । ପ୍ରତିଦିନ ସେମାନଙ୍କର ରହିବା ଘର ଝାଡ଼ି ଓଳାଇ ପରିଷ୍କୃତ କରିଦେବା ଆବଶ୍ୟକ । ସେମାନଙ୍କର ଶୋଇବା ସ୍ଥାନରେ ଗଡ଼ନ୍ତିଆ ପଟ ପଥର ପକାଇ ବା କରକଚା ଗୋଡ଼ି ବାଡ଼େଇ ଠିକ୍‌ କରିଦେଲେ ସେମାନଙ୍କ ରହିବାର ସୁବିଧା ହୁଏ ଏବଂ ସେମାନଙ୍କର ମଳମୂତ୍ର ସହଜରେ ସ୍ଥାନାନ୍ତରିତ କରିହୁଏ । ସେମାନଙ୍କର ଗୁହାଳ ଦିନରେ ଅନ୍ତତଃ ଦୁଇଥର ସଫା କରି ଓଳାଇ ରଖିବା ଆବଶ୍ୟକ । ଗୋରୁ ଗୁହାଳଗୁଡ଼ିକ ସାଧାରଣତଃ ଅଳନ୍ଧୁରେ ପୂର୍ଣ୍ଣ ଥାଏ ଏବଂ ସେ ଘରେ ପବନ ଯିବା ଆସିବାର ଝରକା କିମ୍ବା କାନ୍ଥଦେହରେ କିଛି ଖୋଲା ବାଟ ନଥାଏ । ଏପରି ଅନ୍ଧକାରପୂର୍ଣ୍ଣ ଘରେ ଗୋରୁଗାଈ ରହିଲେ ସେମାନଙ୍କର ଖାଦ୍ୟ ପୃଷ୍ଟିକର ହେଲେ ମଧ୍ୟ ଅସ୍ୱାସ୍ଥ୍ୟକର ଗୃହରେ ବାସ କରିବା ହେତୁରୁ ସେମାନଙ୍କର ସ୍ୱାସ୍ଥ୍ୟହାନି ଘଟେ । ଘର ଅନ୍ଧାରିଆ ଓ ଅଳନ୍ଧୁପୂର୍ଣ୍ଣ ରହିଲେ ମଶା ପ୍ରଭୃତି ସେ ଘରେ ବାସ କରିବାର ସୁବିଧା ପାଆନ୍ତି ଏବଂ ସେମାନେ ଗୋରୁଗାଈଙ୍କୁ କାମୁଡ଼ି ସେମାନଙ୍କର ରକ୍ତ ଖାଇଯାନ୍ତି । ଗୋରୁଗୁହାଳ କାନ୍ଥରେ ଝରକା ବା ଅନ୍ତତଃ ଖୋଲା ବାଟ ରଖିଦେଲେ ଆଲୋକ ଓ ପବନ ଅବାଧରେ ଗୃହ ମଧ୍ୟରେ ପ୍ରବେଶ ଲାଭ କରି ପାରିବ । ଗୁହାଳଘର ଚାଳଘର ଘରର କାନ୍ଥ ବାଡ଼ ଓ ଭିତର ଚାଳ ଖଡ଼ିକାରେ ଝଡ଼ାଝଡ଼ି କରି ସର୍ବଦା ପରିଷ୍କୃତ ପରିଚ୍ଛନ୍ନ କରି ରଖିବା ଗୋରୁଗାଈଙ୍କ ସ୍ୱାସ୍ଥ୍ୟ ପକ୍ଷରେ ପ୍ରୟୋଜନୀୟ ।

 

ମଶା ମାଛି ଡାଆଁସ ପ୍ରଭୃତିଙ୍କୁ ତଡ଼ିବା ସକାଶେ ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାବେଳେ ଗୁହାଳରେ ସ୍ଥାନେ ସ୍ଥାନେ ଧୂଆଁ ଦେବା ପ୍ରୟୋଜନ । ଗୁହାଳରେ କୌଣସି ରକମର ଗାତ ରଖିବ ନାହିଁ । କୌଣସି ଗାତ ଦେଖିଲେ ମାଟି ପଥର ଦେଇ ଉତ୍ତମରୂପେ ବନ୍ଦ କରି ଦେବା ଉଚିତ ।

 

ଗୋରୁଗାଈମାନଙ୍କର ଖାଇବା ପିଇବା ଓ ରହିବାର ସୁବିଧା ସଙ୍ଗେ ସଙ୍ଗେ ମଧ୍ୟ ସେମାନଙ୍କର ସ୍ନାନ ପ୍ରତି ଦୃଷ୍ଟି ଦେବା ଗୃହସ୍ଥର କର୍ତ୍ତବ୍ୟ ।

 

ଆମ୍ଭମାନଙ୍କର ଏ ଗରମ ଦେଶରେ ବିଶେଷତଃ ଖରା ଦିନରେ ସପ୍ତାହରେ ଥରେ ଦୁଇଥର ଗୋରୁଗାଈମାନେ ଯେପରି ବଡ଼ ପୋଖରୀ ବା ନଈରେ ଗାଧୋଇ ପାରନ୍ତି, ତାହାର ବ୍ୟବସ୍ଥା କରିବା ଆବଶ୍ୟକ ।

 

ଛଣ କୁଟା ଗୋରୁ ଗାଈଙ୍କର ସାଧାରଣ ଖାଦ୍ୟରୂପେ ବ୍ୟବହୃତ ହୁଏ । କଞ୍ଚା ଘାସ, କଞ୍ଚା ପତ୍ର ପ୍ରଭୃତି ନଡ଼ା କୁଟାଠାରୁ ବେଶି ପୃଷ୍ଟିକର ଓ ସେମାନଙ୍କର ମୁଖରୋଚକ । ବିଶେଷତଃ ଗୋରୁ ଗାଈମାନେ ବେମାର ହେଲେ ଛଣ କୁଟା ପରିବର୍ତ୍ତେ ସେମାନଙ୍କୁ କଞ୍ଚା କଅଁଳ ଘାସ ଓ ପତ୍ର ଦେବା ସର୍ବତୋଭାବରେ ବିଧେୟ ।

 

ଗୋରୁ ଗାଈଙ୍କର ଖାଇବା, ପିଇବା ଓ ରହିବାର ବ୍ୟବସ୍ଥା ବିଷୟରେ ଯାହା କୁହାଗଲା ତାହା ଟିକିଏ ଅଦଳବଦଳରେ ମେଣ୍ଢା, ଛେଳି, କୁକୁର ପ୍ରଭୃତି ଗୃହପାଳିତ ପଶୁଙ୍କ ପକ୍ଷରେ ଚଳିପାରେ । ବିଭିନ୍ନ ପଶୁଙ୍କର ରୁଚି ଓ ବ୍ୟବହାର ଦେଖି ତଦନୁସାରେ ଖାଇବା, ପିଇବା ଓ ରହିବାର ବ୍ୟବସ୍ଥା କରାଯାଇପାରେ ।

 

ଏସବୁ ତ ଗଲା ସେମାନଙ୍କର ସୁସ୍ଥ ସମୟର କଥା । ସେମାନେ ଅସୁସ୍ଥ ହେଲେ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିବା ଗୃହସ୍ଥର ପ୍ରଧାନ କର୍ତ୍ତବ୍ୟ । ଯେଉଁ ଗୃହସ୍ଥ ଯେଉଁ ପଶୁ ପକ୍ଷୀମାନଙ୍କୁ ଘରେ ରଖିବ ସେ ସେମାନଙ୍କର ସାଧାରଣ ଅସୁସ୍ଥତାର ପ୍ରତିକାର ବିଷୟରେ କିଛି କିଛି ଜ୍ଞାନଲାଭ କରିଥିବା ଆବଶ୍ୟକ । ଯେ ଘୋଡ଼ା ରଖିବେ, ତାଙ୍କର ଅଶ୍ୱଚିକିତ୍ସା ବିଷୟରେ ସାଧାରଣ ଜ୍ଞାନ ଥିବା ଲୋଡ଼ା । ଯେ ଗୋରୁ ଗାଈ ରଖିବେ, ତାଙ୍କର ଗୋଚିକିତ୍ସା ବିଷୟରେ କିଛି ଜ୍ଞାନ ଅର୍ଜନ କରିବା ଉଚିତ । ଏ ଜ୍ଞାନ ସଙ୍ଗେ ସଙ୍ଗେ ପ୍ରତି ଗୃହସ୍ଥର ଗୃହରେ ମନୁଷ୍ୟ ଚିକିତ୍ସାବିଷୟକ ସାଧାରଣ ପୁସ୍ତକ ସଙ୍ଗରେ ଗୋମେଷାଦି ପଶୁପକ୍ଷୀଙ୍କର ଚିକିତ୍ସାସମ୍ବନ୍ଧୀୟ ପୁସ୍ତକ କିଛି ଥିବା ନିତାନ୍ତ ଆବଶ୍ୟକ । କେବଳ ଚିକିତ୍ସା ପୁସ୍ତକ ଘରେ ଥିଲେ ହେବ ନାହିଁ । ଯେଉଁ ଯେଉଁ ଦ୍ରବ୍ୟ ଚିକିତ୍ସାରେ ସାଧାରଣତଃ ଆବଶ୍ୟକ ହୋଇଥାଏ, ସେହି ସେହି ଔଷଧ ସଂଗ୍ରହ କରି ପାଖରେ ରଖିଥିବା ଗୃହସ୍ଥର ସତର୍କତାର ଓ ବିଚକ୍ଷଣତାର ପରିଚୟ ଦିଏ । ନାନାପ୍ରକାର ଚେର ମୂଳ, ଔଷଧି ଦ୍ରବ୍ୟ ସଜାଡ଼ି ରଖିଥିଲେ ଗୃହସ୍ଥ ପ୍ରୟୋଜନ ବେଳେ ସେ ସବୁର ବହୁତ ଉପକାର ଲାଭ କରେ । ସାଧାରଣ ତୁଟୁକାରେ ଗୋରୁ ଗାଈଙ୍କର ରୋଗର ଉପଶମ ନ ହେଲେ ପଶୁଡାକ୍ତରଙ୍କର ବା ବିଶେଷଜ୍ଞ ଲୋକର ସାହାଯ୍ୟ ନେବା ଆବଶ୍ୟକ ।

 

ଆବଶ୍ୟକତା ବ୍ୟତୀତ ଆମ ଦେଶରେ କେହି କେହି କେବଳ ସୌଖିନ ଭାବରେ ଶୁଆ, ସାରୀ, ମୟୂର, କାକାତୁଆ, ହରିଣ, ମାଙ୍କଡ଼ ପ୍ରଭୃତି କେତେକ ଜୀବଜନ୍ତୁଙ୍କୁ ପୋଷି ରଖିନ୍ତି । କୌଣସି ଜୀବକୁ ତାର ବିଧିଦତ୍ତ ସ୍ୱାଭାବିକ ଆମୋଦପ୍ରମୋଦ ଓ କ୍ରୀଡ଼ାକୌତୁକରୁ ବଞ୍ଚିତ କରିବା ମନୁଷ୍ୟ ପକ୍ଷରେ ନିଷ୍ଠୁରତା ମାତ୍ର । କେବଳ ଖାଇବାକୁ ଦୁଧଭାତ ଦେଲେ ସ୍ୱଚ୍ଛନ୍ଦବିହାରୀ ଶୁଆ ସାରୀଙ୍କର ସୁଖ ରହେ ନାହିଁ । ମୁକ୍ତ ଆକାଶରେ ସ୍ୱଚ୍ଛନ୍ଦରେ ବିହାର କରି ପକ୍ଷୀ ଯେଉଁ ଆନନ୍ଦ ଉପଭୋଗ କରେ, ସ୍ୱର୍ଣ୍ଣ ପିଞ୍ଜରାରେ ତାକୁ ଆବଦ୍ଧ କରି ବିବିଧ ମିଷ୍ଟଦ୍ରବ୍ୟ ବା ଫଳମୂଳ ଦେଲେ ତା’ର ସେ ଆନନ୍ଦ ରହେନାହିଁ । ମନୁଷ୍ୟ ନିଜର ତୃପ୍ତି ସକାଶେ ଅନ୍ୟ ଜୀବଜନ୍ତୁଙ୍କୁ ତା’ର ସହଜ ସ୍ୱାଧୀନତା ସୁଖରୁ ବଞ୍ଚିତ ନକଲେ ଭଗବାନ ଅଧିକ ସନ୍ତୁଷ୍ଟ ହେବେ ଓ ମନୁଷ୍ୟକୁ ତା’ର ବିଚାର ବୁଦ୍ଧି ସକାଶେ ବେଶି ଆଶୀର୍ବାଦ କରିବେ ବୋଲି ଆମ୍ଭମାନଙ୍କର ମନେ ହୁଏ ।

 

ପଶୁପକ୍ଷୀମାନଙ୍କୁ ଗୃହରେ ଯେ କୌଣସି ଉଦ୍ଦେଶ୍ୟରେ ରଖାଗଲେହେଁ ସେମାନଙ୍କର ରକ୍ଷଣାବେକ୍ଷଣ ଓ ସେବା ଶୁଶ୍ରୂଷାର ସମ୍ୟକ ବନ୍ଦୋବସ୍ତ ନକଲେ ଗୃହସ୍ଥକୁ ଆଶ୍ରିତ ଅବହେଳାଜନିତ ପାପଭାଗୀ ହେବାକୁ ହୁଏ । ନିରାଶ୍ରୟ ମୂକ ପଶୁପକ୍ଷୀଗୁଡ଼ିଙ୍କୁ ଧରି ବାନ୍ଧି ରଖି ସେମାନଙ୍କଠାରୁ ଆମ୍ଭମାନଙ୍କର କାର୍ଯ୍ୟତକ ଆଦାୟ କରି ସେମାନଙ୍କ ପ୍ରତି ଆମ୍ଭର କର୍ତ୍ତବ୍ୟ ପାଳନ ନକରିବା କେବଳ ଅବିଚାର ନୁହେଁ, ଏହା ଏକ ନିର୍ମମ ନିର୍ଦ୍ଦୟତା । ଯେଉଁ ଗୃହସ୍ଥ ଗୃହପାଳିତ ପଶୁପକ୍ଷୀଙ୍କର ସମ୍ୟକ୍‌ ଯତ୍ନ କରିବାକୁ ଅସମର୍ଥ, ତାଙ୍କର ସେ ସବୁ ରଖିବା ସର୍ବଥା ଅନୁଚିତ । ଆପଣାର ପୁଅ ଝିଅ ପ୍ରତି ଯେଉଁ ସ୍ନେହ ମମତା ଲୋଡ଼ା ଏବଂ ସେମାନେ ଅସୁସ୍ଥ ହେଲେ ସେମାନଙ୍କୁ ଯେପରି ଯତ୍ନ ସହିତ ସେବା କରିବାକୁ ହୁଏ, ଗୃହପାଳିତ ପଶୁପକ୍ଷୀ ପ୍ରତି ସେହିପରି ଅପତ୍ୟସ୍ନେହ ରଖିବା ଗୃହସ୍ଥର ଧର୍ମ ହେବା ଉଚିତ । ଏ ଧର୍ମରୁ ବିଚ୍ୟୁତ ହେଲେ ଗୃହସ୍ଥାଶ୍ରମ ନିୟମର ଭଙ୍ଗ ହୁଏ ।

Image

 

ପରିବାରରେ ଶୈଶବର ଶିକ୍ଷା

 

ପରିବାର ଗୋଟିଏ ଶିକ୍ଷାମନ୍ଦିର । ଏଠାରେ ମୁଖ୍ୟ ଓ ଗୌଣଭାବରେ ନାନା ଶିକ୍ଷା ମିଳିଥାଏ; ତେଣୁ ପରିବାରର ସମସ୍ତଙ୍କର ଦେଖିବା ଉଚିତ ଯେ, ସେଠାର ଶିକ୍ଷା ଯେପରି ବିପଥଗାମୀ ନହୁଏ । ଶିଶୁର ମନ ଏକ ବିଚିତ୍ର ବସ୍ତୁ; ତେଣୁ ଶିଶୁର ଶିକ୍ଷା ପ୍ରଣାଳୀ ଏକ ଅଦ୍ଭୁତ ପ୍ରକାରରେ କାର୍ଯ୍ୟ କରେ । ଶିଶୁର ପ୍ରାଥମିକ ଜୀବନ ଅଜ୍ଞାତଭାବରେ ଦର୍ଶନ ଓ ଶ୍ରବଣଦ୍ୱାରା ଅନୁକରଣ ବଳରେ ଅନେକ ରକମର ଶିକ୍ଷାଲାଭ କରେ, ତେଣୁ ଶିଶୁର ଆଖି ଆଗରେ ଏପରି ଘଟନାପରମ୍ପରା ରହିବା ଆବଶ୍ୟକ ଯାହାର ଅନୁକରଣ କଲେ ଶିଶୁ ସତ୍‌ଶିକ୍ଷାପଥରେ ଗତି କରିବ-। ସେଥିପାଇଁ ଯେଉଁ ଘରେ ଶିଶୁମାନଙ୍କର ଚଳାଚଳ ଅଛି, ସେ ଘରେ ଶିଶୁର ମନ ଯେପରି ସଦ୍‌ଭାବ, ସୁନୀତି ଓ ସୁକାର୍ଯ୍ୟର ଆଭାସ ପାଇ ତାହାର ଅନୁକରଣ କରିବାଦ୍ୱାରା ସୁଶିକ୍ଷାର ବୀଜ ଆପଣାର ଅନ୍ତରରେ ରୋପଣ କରି ପାରିବ ତାହାର ସୁବନ୍ଦୋବସ୍ତ ଥିବା ପରିବାରର ସୁପରିଚାଳନାର ଏକ ପ୍ରଧାନ ଲକ୍ଷଣ । ଯେଉଁ ପରିବାରର ଚାଳକ ଶିଶୁର ଶିକ୍ଷା କେବଳ ବିଦ୍ୟାଳୟରୁ ଆରମ୍ଭ ହୁଏ ବୋଲି ମନେ କରନ୍ତି, ସେ ନିଶ୍ଚୟ ଭ୍ରାନ୍ତ । ବିଦ୍ୟାଳୟ ଶିକ୍ଷା ଆରମ୍ଭର ବହୁ ପୂର୍ବରୁ ଶିଶୁର କୋମଳ ମନ ନାନା କୌଶଳରେ ପରିବାରର ପାରିପାର୍ଶ୍ୱିକ ଅବସ୍ଥାରୁ ବିବିଧ ଶିକ୍ଷା ଲାଭ କରିଥାଏ । ସମସ୍ତେ ଦେଖିଥିବେ ଯେ, ପରିବାରର ବଡ଼ ମନୁଷ୍ୟମାନେ ଯେଉଁ ସବୁ ଭଲ ବା ମନ୍ଦ ଅଭ୍ୟାସ କରନ୍ତି, ଛୋଟ ଛୋଟ ପିଲାମାନେ ତାହା ହିଁ କରିଥାନ୍ତି । ବିଡ଼ି ସିଗାରେଟ୍‌ ବା ପିକା ଖାଇବା ଘରେ ଛୋଟ ଛୋଟ ପିଲାମାନେ ପଡ଼ିଥିବା ଖଣ୍ଡିଆ ବିଡ଼ି ସିଗାରେଟ୍‌ ମୁହଁରେ ଧରି କିପରି ତାହା ଖାଇବାର ଅଭ୍ୟାସ ଅନୁକରଣ କରନ୍ତି, ଏ ଦୃଶ୍ୟ ଅନେକଙ୍କର ଆଖି ଆଗରେ ପଡ଼ିଥିବ । ପାନ ଖାଇବା ଘରେ ଅଳ୍ପ ବୟସର ପିଲା ମଧ୍ୟ ପାନଖିଆ ଲୋକଙ୍କ ପାଖରେ ବସି ଟିକିଏ ଟିକିଏ ପାନ ଖାଇବାକୁ ଶିଖନ୍ତି । ଏହିପରି ଶତ ଶତ ଦୃଷ୍ଟାନ୍ତ ପରିବାରରୁ ଦିଆଯାଇ ପାରେ-। ଶିଶୁର ମନ ହିତାହିତ ବିଚାର କରି ନପାରି ଚାରିପାଖରେ ଯାହା ଦେଖେ, ସେହି ସବୁ ଦୃଷ୍ଟାନ୍ତର ଅନୁକରଣ କରି ନିଜର କର୍ତ୍ତବ୍ୟ ସାଧନ କରିବାକୁ ବ୍ରତୀ ହୁଏ । ଏପରି ଅବସ୍ଥାରେ ଶିଶୁମନର ଗଠନ ପାଇଁ ପରିବାରର ପାରିପାର୍ଶ୍ୱିକ ଅବସ୍ଥା ସର୍ବଦା ସୁରୁଚିସମ୍ମତ ହେବା ସର୍ବତୋଭାବରେ ବିଧେୟ । ତାହା ନହେଲେ ଅସତ୍‌ ଦୃଷ୍ଟାନ୍ତର ଅନୁକରଣ କରି ଶିଶୁ ତାହାର ପ୍ରାଥମିକ ଜୀବନରେ କୁଶିକ୍ଷାର ବୀଜ ଆପଣାର ଅନ୍ତରରେ ରୋପଣ କରେ ଏବଂ ସେଥିଦ୍ୱାରା ନିଜର ଭବିଷ୍ୟତ ଜୀବନର ପଥ ଅନ୍ଧକାରମୟ କରେ । ଏହିସବୁ ବିଷୟ ଅତି ସାମାନ୍ୟ ବୋଲି ଆମ୍ଭମାନଙ୍କ ଦେଶରେ ପାରିବାରିକମାନେ ଏଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । କିନ୍ତୁ ସେମାନେ ଭାବନ୍ତି ନାହିଁ ଯେ ଏହିସବୁ କ୍ଷୁଦ୍ର କ୍ଷୁଦ୍ର ବିଷୟଗୁଡ଼ିକ ଏକତ୍ର ହୋଇ ସମୟରେ ବୃହଦାକାର ଧାରଣ କରେ । କେତେଗୁଡ଼ିଏ କ୍ଷୁଦ୍ର ଉପଳଖଣ୍ଡର ସମବାୟରେ ଯେ ସମୟକ୍ରମେ ଏକ ପାହାଡ଼ର ଉତ୍ପତ୍ତି ହୁଏ, ତାହା କାହାରିକୁ ଅବିଦିତ ନାହିଁ । ସେଥିପାଇଁ କ୍ଷୁଦ୍ର କ୍ଷୁଦ୍ର ଅଭ୍ୟାସ ଗୁଡ଼ିକଦ୍ୱାରା ଶିଶୁ ଯେପରି ସତ୍‌ ପଥରେ ପଥିକ ହୋଇ ଉତ୍ତରୋତ୍ତର ଉନ୍ନତି କରିବ, ତାହାର ଉପାୟ ଖୋଜିବା ପ୍ରତି ପାରିବାରିକର ଏକ ପ୍ରଧାନ କର୍ତ୍ତବ୍ୟ । ଶିଶୁର ଶୈଶବ ଜୀବନରୁ ତାହାର ଦୈନନ୍ଦିନ ଅଭ୍ୟାସଗୁଡ଼ିକୁ ନିୟନ୍ତ୍ରିତ କରିଦେଲେ ଉତ୍ତରକାଳକୁ ଆଉ ତାହାକୁ ଶାସନ କରିବା ସେତେ ଆବଶ୍ୟକ ହୁଏ ନାହିଁ । ହାଣ୍ଡି ଗଢ଼ିବାର ପ୍ରଥମ ଅବସ୍ଥାରେ ଯେଉଁ ଦାଗ ହାଣ୍ଡି ଦେହରେ ରହିଯାଏ, ତାହା ଲୁଚିବା ପଛକୁ କଷ୍ଟକର ହୋଇଉଠେ । ପରିବାର ଭିତରେ ଯଦି ଦୟା, ଦାକ୍ଷିଣ୍ୟ, ସଂଯମ ଓ ଶିଷ୍ଟାଚାର ଛୋଟ ପିଲାଏ ଦେଖିବେ, ସେମାନେ ଅଲିକ୍ଷିତ ଭାବରେ ସେହି ଭାବ ସବୁକୁ ହୃଦୟରେ ଗ୍ରହଣ କରିବାକୁ ହେବେ । ଅତିଥିସେବା, ନିର୍ଦୋଷ ଆମୋଦପ୍ରମୋଦ, ଭଗବଦ୍‌ଭକ୍ତି ପ୍ରଭୃତି ଭଲ ଗୁଣ ପରିବାରରେ ଅନୁଷ୍ଠିତ ହେବାର ଦେଖିଲେ ଛୋଟ ଛୋଟ ପିଲାମାନେ ସେହି ସବୁ ସଦାଚାରକୁ ଜୀବନରେ ଅଳଙ୍କାର ସ୍ୱରୂପ ଗ୍ରହଣ କରିବେ । ପରିବାର କର୍ତ୍ତାଙ୍କର ଏବଂ ବୟସ୍କ ବ୍ୟକ୍ତିମାନଙ୍କର ଆଚାର ଓ ବ୍ୟବହାର ନୀରବରେ ଶିଶୁର ମନ ମଧ୍ୟରେ କାର୍ଯ୍ୟ କରିଥାଏ ।

 

ଅଳ୍ପ ବୟସରୁ ଶିଶୁମାନଙ୍କୁ ପିତାମାତା ବା ଶୁଶ୍ରୂଷାକାରୀ ଲୋକମାନଙ୍କର ଇନ୍ଦ୍ରିୟ ଦୋଷଜନକ ସଂସର୍ଗରୁ ଦୂରରେ ରଖିବାକୁ ଚେଷ୍ଟା କରିବା ସର୍ବଥା ଉଚିତ । ଛୋଟ ଛୋଟ ପିଲାମାନଙ୍କୁ ନ ଭାବି ନ ଚିନ୍ତି ଯେ କୌଣସି ଚାକର ଚାକରାଣୀଙ୍କ ହାତରେ ଛାଡ଼ିଦେବ ଏକ ବିଷମ ଭ୍ରମ । ଚାକର ଚାକରାଣୀଙ୍କ ନିର୍ବାଚନରେ ବିଶେଷ ସାବଧାନ ରହିବା ଆବଶ୍ୟକ । ବିଦେଶର ଜଣେ ପ୍ରସିଦ୍ଧ ଡାକ୍ତର ଡିୟୋ ଲୁଇସ୍‌ ଏ.ଏମ.ଏମ୍‌. ଡି. ଆମେରିକା ମହାଦେଶରେ ଏ ବିଷୟକ ଦୋଷ ସମ୍ବନ୍ଧରେ କହିଅଛନ୍ତି- ‘‘ଚାକର ଚାକରାଣୀମାନେ ପରିବାରର ଶିଶୁସନ୍ତାନମାନଙ୍କ ଉପରେ ଯେଉଁ ଅନିଷ୍ଟ ସାଧନ କରି ପାରନ୍ତି, ତାହା ଚିନ୍ତା କଲେ ଭୟର ସଞ୍ଚାର ହୁଏ । ମୁଁ ନିଶ୍ଚିତଭାବରେ କହି ପାରେଁ ଯେ, ଆମେରିକା ମହାଦେଶରେ ଯେତେଗୁଡ଼ିଏ ଭଗ୍ନସ୍ୱାସ୍ଥ୍ୟ ଓ ଭ୍ରଷ୍ଟନୀତିକ ଲୋକ ଅଛନ୍ତି, ସେମାନଙ୍କ ଦୁର୍ଦ୍ଦଶାର କାରଣ ବାଲ୍ୟକାଳରେ ଦାସଦାସୀମାନଙ୍କର ପ୍ରଦତ୍ତ କୁଶିକ୍ଷା । ଶିଶୁମାନଙ୍କୁ ଚାକର ଚାକରାଣୀଙ୍କ ହାତରେ ଛାଡ଼ିଦେଇ ନିଶ୍ଚିନ୍ତ ରହିବା ଗର୍ହିତ କଥା । ଶିଶୁମାନଙ୍କୁ ବିଛଣାରେ ନେଇ ଶୁଆଇବା ମାତାର ପବିତ୍ର କାର୍ଯ୍ୟ । ମଧୁର ଉପଦେଶ ଦେଇ ଶିଶୁକୁ ଶୈଶବକାଳରୁ ଇନ୍ଦ୍ରିୟ ପରିଚାଳନା ବିଷୟରେ ଶିକ୍ଷା ଦେଇପାରିଲେ ମାଆ ଶିଶୁର ବହୁ ମଙ୍ଗଳ ସାଧନ କରିପାରିବ । ମାଆ ଶିଶୁର କୋମଳ ମଧୁର ପ୍ରାଣରେ ଶୈଶବକାଳରୁ ଇନ୍ଦ୍ରିୟ ସମ୍ବନ୍ଧୀୟ ନାନା ଉପଦେଶ ବଦ୍ଧମୂଳ କରି ପାରିଲେ ନବଯୌବନର ଉତ୍ତେଜନା ଶିଶୁର ଉତ୍ତର ଜୀବନରେ କିଛି ମଳିନତା ଆଣିବାକୁ ସମର୍ଥ ହେବ ନାହିଁ ।’’

 

ଛୋଟ ଛୋଟ ଶିଶୁମାନଙ୍କୁ ସର୍ବଦା କାମୋଦ୍ଦୀପକ ଦୃଶ୍ୟ ଓ କାମଚେଷ୍ଟାରୁ ଦୂରରେ ରଖିବା ପାରିବାରିକଙ୍କର ପ୍ରଧାନ କର୍ତ୍ତବ୍ୟ । ଅନେକ ଶିଶୁ କିଛି ବୁଝିପାରେ ନାହିଁ ଭାବି ଶିଶୁର ସମ୍ମୁଖରେ ନାନା ପ୍ରକାର କୁଆଳାପ କରନ୍ତି । ତାହା ନିତାନ୍ତ ଗର୍ହିତ କାର୍ଯ୍ୟ । ଇନ୍ଦ୍ରିୟ ସମ୍ବନ୍ଧୀୟ ମନୋବୃତ୍ତ ଶିଶୁକାଳରେ ନିଦ୍ରିତ ବା ଅର୍ଦ୍ଧନିଦ୍ରିତ ଅବସ୍ଥାରେ ରହିଥାଏ । ଅସଚ୍ଚରିତ୍ର ଭୃତ୍ୟମାନଙ୍କ ହସ୍ତରେ ଶିଶୁମାନଙ୍କର ରକ୍ଷଣାବେକ୍ଷଣ ଭାର ନ୍ୟସ୍ତ କରିବା ଅନ୍ୟାୟ । ଏମାନଙ୍କ ସମ୍ମୁଖରେ ସେମାନେ ଜଘନ୍ୟ କଥାବର୍ତ୍ତା କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ଏଥିରେ ଶିଶୁମାନଙ୍କ କ୍ଷତି ସହଜରେ ଅନୁମେୟ । ସହରମାନଙ୍କରେ ଦେଖାଯାଏ ଯେ, ଚାକରମାନେ ଭଦ୍ର ପରିବାରର ଶିଶୁମାନଙ୍କୁ ବେଶ୍ୟା ପ୍ରଭୃତି ରହିବା କଳୁଷିତ ପଡ଼ାକୁ ବୁଲାଇବାକୁ ନେଇଥାନ୍ତି । ସହରବାସୀ ପାରିବାରିକମାନଙ୍କର ଭୃତ୍ୟମାନଙ୍କର ଏ ସବୁ ଆଚରଣ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିବା ଏକାନ୍ତ ଆବଶ୍ୟକ ।

 

ପାଶ୍ଚାତ୍ୟ ଦେଶମାନଙ୍କରେ ଶିଶୁମାନଙ୍କର ମଙ୍ଗଳ ଲାଗି ଶିଶୁ-ସପ୍ତାହ, ସ୍ୱାସ୍ଥ୍ୟ ପ୍ରଭୃତିର ପ୍ରଦର୍ଶନୀ ଖୋଲା ହେବା ପରି ପିତୃମାତୃ-ସପ୍ତାହ ବା Parants week ଖୋଲା ହୋଇ ସେଥିରେ ଶିଶୁମାନଙ୍କ ପ୍ରତି ପିତାମାତାମାନଙ୍କର କର୍ତ୍ତବ୍ୟ ବିଷୟରେ ଶିକ୍ଷା ଦିଆଯାଇଥାଏ । ଆମେରିକା ରାଜ୍ୟର ନିଉୟର୍କ ସହରରେ ଏକ ପିତୃମାତୃ-ସପ୍ତାହରେ ବାଳିକାମାନେ ପୁରସ୍କାର ପାଇଁ ଯେଉଁ ପ୍ରବନ୍ଧ ଲେଖି ପୁରସ୍କାର ପାଇଥିଲେ, ସେଥିମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ପ୍ରବନ୍ଧର କେତେକାଂଶ ଉଦ୍ଧୃତ କରାଗଲା –

 

‘‘ପରିବାରର କର୍ତ୍ତାମାନେ ଶିଶୁମାନଙ୍କ ସମ୍ମୁଖରେ ଭୟର କାରଣସ୍ୱରୂପ ହୋଇ ଚଳପ୍ରଚଳ ହେବେ ନାହିଁ । ଘରର ବଡ଼ ମଣିଷମାନେ ଛୋଟ ଛୋଟ ପିଲାମାନଙ୍କ ସଙ୍ଗେ ସାଙ୍ଗ ସୁଖ ମଣିଷ ପରି ମିଳି ମିଶି ଚଳିବେ ଓ ସେମାନଙ୍କର ସୁଖ ଦୁଃଖ ବୁଝିବେ । ପିଲାଙ୍କର କିଛି ଭୁଲ ହେଲେ ସ୍ନେହରେ ସେ ସବୁକୁ ସଂଶୋଧନ କରି ଦେବେ । ପିତା ମାତାଙ୍କର ସ୍ନେହ ହେଉଛି ପିଲାଙ୍କର ଦୁର୍ଗ- ନିରାପଦ ଦୁର୍ଗ । ପିତାମାତାଙ୍କର ବାତ୍ସଲ୍ୟରେ ପିଲାମାନଙ୍କର ଅଟଳ ବିଶ୍ୱାସ ଥିବା ଆବଶ୍ୟକ । ମାୟା ମମତା ବିଷୟରେ ପିଲାଙ୍କପରି ହୋଇ ପରିବାରର ବଡ଼ ମଣିଷମାନଙ୍କର ପିଲାଙ୍କ ସଙ୍ଗେ ମିଶିବା ଉଚିତ । x x x x x ଜେଲଖାନାରେ କଏଦୀମାନଙ୍କର ଇତିହାସ ଖୋଜିଲେ ଜଣାଯିବ ଯେ, ସେମାନଙ୍କ ମଧ୍ୟରୁ ଶତକଡ଼ା ନବେ ଜଣ ଭଦ୍ରବଂଶରେ ଜାତ ହୋଇଥିଲେ । ମା’ ବାପାଙ୍କର ଦୃଷ୍ଟିର ଶିଥିଳତା ଯୋଗୁଁ ବା ଅତିରିକ୍ତ ପୀଡ଼ନ ଓ ଶାସନ ଯୋଗୁଁ ସେମାନେ କୁପଥଗାମୀ ହୋଇ ଅଛନ୍ତି । ଜେଲଖାନାର କଏଦୀ ଦଳ ମଧ୍ୟରେ ପିତୃମାତୃସ୍ନେହବିଚ୍ୟୁତ ଅନେକଗୁଡ଼ିଏ ଲୋକ ମିଳିବେ । ଯେଉଁମାନେ ମାତୃସ୍ନେହରୁ ବଞ୍ଚିତ, ସେମାନେ ବିମାତାଙ୍କ ପୀଡ଼ନରେ ଗୃହ ଛାଡ଼ି କୁସଂସର୍ଗରେ ପଡ଼ି ଏପରି ହୋଇଅଛନ୍ତି ।’’

 

ଏଥିରେ ଯାହା ବର୍ଣ୍ଣିତ ହୋଇଅଛି, ତାହା ବାସ୍ତବରେ ସତ୍ୟ । ପରିବାରରେ ସ୍ନେହ ଓ ପ୍ରେମରେ ଶିଶୁ ବର୍ଦ୍ଧିତ ହେଲେ ତାହାର ମାନସିକ ଆଧ୍ୟାତ୍ମକି ଶକ୍ତି ସବୁ ବିକଶିତ ହୋଇ ପାରେ । ପରିବାରରେ ସ୍ନେହ ମମତା ଲାଭ କରି ଶିଶୁର ଭବିଷ୍ୟତ ଜୀବନ ଗଠିତ ହୋଇଥାଏ । ସେହି ପିତୃମାତୃ ସପ୍ତାହରେ ଉକ୍ତ ସଭାର ସଭାପତି ଯେଉଁ ସାରଗର୍ଭକ କଥାଗୁଡ଼ିକ କହିଥିଲେ, ତାହା ପ୍ରତି ପରିବାରରେ ଶିଶୁଶିକ୍ଷା ଲାଗି ସ୍ୱର୍ଣ୍ଣାକ୍ଷରରେ ଲେଖା ହୋଇ ରହିବା ଉଚିତ । ସେଗୁଡ଼ିକର ସାର ମର୍ମ ନିମ୍ନରେ ବିବୃତ ହେଲା–

 

୧.

ପିଲାଦିନରୁ ପିଲାଙ୍କ ଆଗରେ ଗୋଟାଏ ଉଚ୍ଚ ଆଦର୍ଶ ରଖି ଦିଅ । ସେହି ଆଦର୍ଶ ମାନି ଚଳିବାକୁ ସେମାନଙ୍କ ମନକୁ ସେ ଦିଗରେ ଆକର୍ଷଣ କର ।

୨.

ସବୁବେଳେ ପିଲାଙ୍କର ବନ୍ଧୁ ହୁଅ । ଯେତେ କାର୍ଯ୍ୟ ଥାଉ, ପ୍ରତ୍ୟହ କିଛି ସମୟ ରଖି ପିଲାଙ୍କ ହସଖେଳରେ ଯୋଗ ଦିଅ । ସେମାନଙ୍କ ସଙ୍ଗେ ସେହି ଅବସର ଟିକକ ବସି କିଛି ଖେଳ କର । କିଛି ଖୁସି ଗପ କର ବା କୌଣସି ଭାବରେ ସେମାନଙ୍କର ମନୋରଞ୍ଜନ କର । ପିଲାଙ୍କର ବହୁ ଊର୍ଦ୍ଧ୍ୱରେ ପିତାମାତା ଥାଆନ୍ତି । ଏ କଥା ପିଲାଙ୍କ ମନରେ ଯେପରି ନ ଜନ୍ମେ । ସଙ୍ଗ ଓ ସାହଚର୍ଯ୍ୟ ଫଳରେ ପିଲାଙ୍କ ମନରେ ସମ୍ପର୍କ ଘନିଷ୍ଠ ହୁଏ, ପରସ୍ପର ପରସ୍ପରକୁ ବୁଝି ପାରନ୍ତି ।

୩.

କଥା କଥାକେ ପିଲାଙ୍କ ଉପରେ ବିରକ୍ତ ହେବ ନାହିଁ ବା ସେମାନଙ୍କୁ ଗାଳି ଦେବ ନାହିଁ । କିଛି କାର୍ଯ୍ୟ କଲେ ସେମାନଙ୍କୁ ଉତ୍ସାହ ଦେବ । ପିଲାମାନେ ଶୁଭ୍ର ନିଷ୍କଳଙ୍କ ମନ ଘେନି ଜାତ ହୁଅନ୍ତି; ସେ ମନରେ କାଳିର ଦାଗ ପଡ଼େ ଶିକ୍ଷା ଓ ସଂସର୍ଗ ଦୋଷରୁ ।

୪.

ପିଲାମାନେ ଯେପରି ଉପଯୁକ୍ତ ସାଙ୍ଗ ବା ସ୍ନେହୀ ବାଛି ନେବେ ସେ ଦିଗକୁ ଦୃଷ୍ଟି ରଖିବ ।

୫.

ତୁମ୍ଭର ଶକ୍ତି, ସମାର୍ଥ୍ୟ ଓ ଅବସ୍ଥା ପକ୍ଷରେ ଯେତେ ଦୂର ସମ୍ଭବପର, ତୁମ୍ଭର ଗୃହକୁ ସେମାନଙ୍କ ପକ୍ଷରେ ସୁଖ ସ୍ୱାଚ୍ଛନ୍ଦ୍ୟ ଓ ଆରାମର ସ୍ଥାନ କରି ନିଅ ।

୬.

ପିଲାଙ୍କୁ ଗୋଟିଏ ନିର୍ଦ୍ଧିଷ୍ଟ ଭାବରେ ପ୍ରତିଦିନ କାର୍ଯ୍ୟ କରିବାକୁ ଶିଖାଅ । ନିୟମାନୁବର୍ତ୍ତତାର ଅଭାବରୁ ଆମ୍ଭମାନଙ୍କର ସ୍ୱଭାବ ଓ ଜୀବନ ନଷ୍ଟ ହୁଏ-କିଛି ଗୋଟିଏ ନିର୍ଦ୍ଧିଷ୍ଟ କାର୍ଯ୍ୟ ଆମ୍ଭେମାନେ ଜୀବନରେ ଶୃଙ୍ଖଳାର ସହିତ କରି ପାରୁ ନାହିଁ । ପିଲାଙ୍କର ଖାଇବା, ପଢ଼ିବା, ଗାଧୋଇବା, ଶୋଇବା, ଖେଳିବା ପ୍ରଭୃତି ପ୍ରତ୍ୟେହ କାର୍ଯ୍ୟ ପାଇଁ ଠିକ୍‌ କରି ସମୟ ରଖିଦିଅ ।

୭.

ପିଲାଙ୍କର ପଢ଼ାପଢ଼ି ଓ ଶିକ୍ଷା ବିଷୟରେ କଦାପି ଉଦାସୀନ ହେବ ନାହିଁ ।

୮.

ପିଲାଙ୍କୁ ଅଦୃଷ୍ଟ ଉପରେ ବା ଜୁଆ ଖେଳରେ ବିଶ୍ୱାସ କରିବାକୁ ଦେବ ନାହିଁ । ହାଡ଼ ଭାଙ୍ଗି ପରିଶ୍ରମ କଲେ ଯାହା ମିଳେ ତାହା ହିଁ ପ୍ରକୃତ ପ୍ରାପ୍ୟ ପଦାର୍ଥ, ଏହି ବିଶ୍ୱାସ ସେମାନଙ୍କର ପିଲାଦିନରୁ ମନରେ ବଦ୍ଧମୂଳ କରିଦିଅ ।

୯.

ଖୋଲା ସ୍ଥାନରେ ପ୍ରତ୍ୟହ ସେମାନଙ୍କର ଦେହ ସହିବା ଭଳି ବ୍ୟାୟାମ କରିବା ଉଚିତ । ଅନ୍ୟ ବ୍ୟାୟାମର ସୁବିଧା ନ ହେଲେ ପିଲାଙ୍କୁ ସାଙ୍ଗରେ ନେଇ ଖୋଲା ସ୍ଥାନରେ ବୁଲାଇ ଆଣିବ ।

୧୦.

ପଢ଼ାରେ, ଖେଳରେ ବା କୌଣସି ସଦାଚରଣରେ ଯଦି ସେମାନେ ପୁରସ୍କାର ପାଆନ୍ତି, ସେ ପୁରସ୍କାରର ମର୍ଯ୍ୟାଦା କର । ସେମାନେ ପୁରସ୍କାର ପାଇଲେ ପିତାମାତାଙ୍କର ଆନନ୍ଦ ଅପରିସୀମ ହୁଏ ଏ ଜ୍ଞାନ ସେମାନଙ୍କ ମନରେ ସର୍ବଦା ଜାଗ୍ରତ ରଖ । ପୁରସ୍କାରର ଆର୍ଥିକ ମୂଲ୍ୟ ନ ଦେଖି ତାହାର ନୈତିକ ମୂଲ୍ୟ ବିଚାର କରି ପୁରସ୍କାର ଯେତେ ଛୋଟ ହେଉ ପଛକେ ସେଥିଲାଗି ପିଲାଙ୍କୁ ସ୍ନେହ କର ।

 

ଆମ୍ଭମାନଙ୍କ ଦେଶର ପରିବାରମାନଙ୍କରେ ଶିଶୁଶିକ୍ଷା ଲାଗି ଏହି ନିୟମଗୁଡ଼ିକ ପାଳିତ ହେଲେ ଏ ଦେଶର ଶିଶୁଶିକ୍ଷା ଯେ କେତେ ଦୂର ଅଗ୍ରସର ହେବ ତାହା କହି ହେବ ନାହିଁ । ଶିଶୁର ପଦବିକ୍ଷେପରେ ଜଗତର ଉନ୍ନତି ହେଉଅଛି । ଅତଏବ ସେହି ପଦବିକ୍ଷେପକୁ ସୁନ୍ଦର, ସୁସଂଯତ ଓ ଶୃଙ୍ଖଳାଧୀନ କରି ପାରିଲେ ସମାଜର ଓ ଦେଶର ଅଶେଷ ମଙ୍ଗଳ ସାଧିତ ହେବ, ଏଥିରେ ସନ୍ଦେହ ନାହିଁ ।

Image

 

ପରିବାରରେ ଯୌବନର ଯତ୍ନ

 

ମାନବ ଜୀବନରେ ଯୌବନ ବଡ଼ ବିଷମକାଳ । ଯୌବନର ପ୍ରାକ୍‌କାକାଳରେ ଯେଉଁ ସବୁ ସମସ୍ୟା ଓ ବିପଦର ସମ୍ମୁଖୀନ ହେବାକୁ ହୁଏ, ସେ ସବୁ ବିଷୟରେ ସମ୍ୟକ ଜ୍ଞାନ ଥିବା ମାନବର ସ୍ୱାସ୍ଥ୍ୟ ଓ ସୁଖ ଅତ୍ୟନ୍ତ ପ୍ରୟୋଜନୀୟ । ଏହି କାଳରେ ମନୁଷ୍ୟକୁ ଯେପରି ଗଢ଼ିପାରିବ, ସେ ସେହିପରି ହେବ । ଏହି ଶୁଭ ସମୟରେ ସଦ୍‌ଭାବସବୁ ଆମ୍ଭମାନଙ୍କ ହୃଦୟରେ ଅଙ୍କୁରିତ ହେଉଥାଏ; ବିଦ୍ୟା, ବୁଦ୍ଧି, ବିବେକ ସବୁ ଏହି ସମୟରେ ବର୍ଦ୍ଧିତ ହେଉଥାଏ । ଏହି ସମୟରେ ମନୁଷ୍ୟ ଯେଉଁ ଛାଞ୍ଚରେ ଗଠିତ ହେବ, ଯେପରି ସଂସର୍ଗରେ ବର୍ଦ୍ଧିତ ହେବ ଏବଂ ଯେପରି ଶିକ୍ଷା ଲାଭ କରିବ, ଠିକ୍‌ ସେହି ହିସାବରେ ମନୁଷ୍ୟ ଦେବତା ବା ଅସୁର ରୂପେ ଭବିଷ୍ୟତ ଜୀବନରେ ଉପନୀତ ହେବ ।

 

ଯୌବନର ପ୍ରାକ୍‌କାଳରେ ଆମ୍ଭମାନଙ୍କ ଯେଉଁ ସବୁ ଧାରଣା ବଦ୍ଧମଳ ହୁଏ ଏବଂ ଆମ୍ଭେମାନେ ଯେଉଁ ସବୁ ଅଭ୍ୟାସର ଦାସ ହୋଇ ପଡ଼ୁଁ, ପରବର୍ତ୍ତୀ କାଳରେ ଶତ ସହସ୍ର ଚେଷ୍ଟାରେ ମଧ୍ୟ ତାହାର ପରିବର୍ତ୍ତନ କରିବା ଅସାଧ୍ୟ ହୋଇପଡ଼େ । ମନର ନମନୀୟତା ଚାଲିଯାଏ, ଜୀବନ ପର୍ଯ୍ୟଟନର ପଥ ନିର୍ଦ୍ଧିଷ୍ଟ ହୋଇଆସେ । ଯୌବନର ପ୍ରାରମ୍ଭରେ ଯେଉଁମାନେ ଅସତ୍‌ ପଥରେ ଯାଇଅଛନ୍ତି, ସେମାନଙ୍କର ସେ ଅବସ୍ଥା ଅତୀତ ହେବା ପରେ ଯଦି ତୁମେ ସେମାନଙ୍କ ନିକଟକୁ ଯାଇ ଶତ ଶତ ବକ୍ତୃତା କର, ଶତ ଶତବାର ସେମାନଙ୍କୁ ସୁପଥରେ ଆଣିବାକୁ ଚେଷ୍ଟା କର, ସେଥିରେ ତୁମ୍ଭେ ଖୁବ୍‌ଅଳ୍ପ ପରିମାଣରେ କୃତକାର୍ଯ୍ୟ ହେବ; କିନ୍ତୁ ସମୟ ଥାଉ ଥାଉ ସେମାନଙ୍କୁ ବୁଝାଅ, ଅସତ୍‌ପଥ ଅନୁସରଣ କଲେ ଶେଷରେ କି ବିଭୀଷିକାମୟ ଫଳ ଫଳିବ ତାହା ସେମାନଙ୍କ ମାନସଚକ୍ଷୁ ସମ୍ମୁଖରେ ଉପସ୍ଥାପିତ କର, ସେମାନଙ୍କୁ କୁସଂସର୍ଗରୁ ଦୂରରେ ରଖ, ସେମାନଙ୍କୁ ଆନନ୍ଦମୟ ସୁନୀତି ଓ ସଦାଚାରର ବନ୍ଧାବନ୍ଧି ନିୟମ ଭିତରେ ରଖି ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଅ, ଦେଖିବ, ପ୍ରାୟ ସବୁ ସ୍ଥଳରେ ତୁମେ କୃତକାର୍ଯ୍ୟ ହୋଇଅଛି । ଏହିପରି ଅବସ୍ଥାରେ ରଖି ତୁମେ ଅନେକଙ୍କୁ କୁପଥରୁ ସୁପଥକୁ ପରିଚାଳିତ କରିପାରିବ । ଆଧୁନିକ ସମାଜରେ ବାଳକବାଳିକାମାନଙ୍କ ମଧ୍ୟରେ ଏତେ ଯେ ଅସଂଯମ, ସ୍ୱେଚ୍ଛାଚାରିତା ଓ ଅନ୍ୟାୟ ପଥଗମନର ଦୃଶ୍ୟ ଦେଖିବାକୁ ମିଳେ, ଏହାର କାରଣ କଣ ? ଏସବୁ ପାଇଁ ଦାୟୀ କିଏ ? ଆମ୍ଭମାନଙ୍କର ପରିବାର, ବିଶେଷତଃ ପିତାମାତା ସମଗ୍ରଭାବରେ ଏଥିପାଇଁ ଦାୟୀ । ଏହା ଅବଶ୍ୟ ସ୍ୱୀକାର କରିବାକୁ ହେବ ପିତାମାତାଙ୍କ ଅଯତ୍ନ ଓ ଅବହେଳାରୁ ଏ ଦୂରତିକ୍ରମ୍ୟ ଅସଦ୍‌ଭାବସବୁ ଆଜିକାଲିର ପୁତ୍ରକନ୍ୟାମାନଙ୍କ କୋମଳ ହୃଦୟକୁ ଅଧିକାର କରି ବସୁଅଛି । ଯୌବନର ପ୍ରାରମ୍ଭ ହିଁ ନୈତିକ ଆହ୍ୱାନକୁ ଆଲିଙ୍ଗନ କରି ସଦ୍‌ଭାବରାଜି ପୋଷଣ କରିବାର ମାହେନ୍ଦ୍ର ଯୋଗ । ଏହି ସମୟ ପ୍ରକୃତ ସତ୍ୟକୁ ବରଣ କରିବାର ଶୁଭ ମୁହୂର୍ତ୍ତ ଏବଂ ସତ୍ୟକୁ ପୋଷଣ କରି ଅସତ୍ୟ ଓ କୁସଂସ୍କାରରୂପୀ ଶତ୍ରୁ ହସ୍ତରୁ ରକ୍ଷା ପାଇବାର ଅଜେୟ ଦୁର୍ଗ । ଏହି ସମୟରେ ମନୁଷ୍ୟର ମାନସିକ ଓ ନୈତିକ ଜୀବନର ଉନ୍ନତି କରିବା ସକାଶେ ପ୍ରଭୂତ ସାମଗ୍ରୀ ସଂଗୃହୀତ ହୋଇଥାଏ ସତ୍ୟ, କିନ୍ତୁ ସେହି ସମସ୍ତଙ୍କୁ ଯଥାଯଥଭାବରେ ପରିଚାଳିତ କଲେ କ୍ରମରେ ପ୍ରକୃତ ମାନବଜୀବନର ପୂର୍ଣ୍ଣ ଉନ୍ମେଷ ହୁଏ ।

 

ଆମ୍ଭମାନଙ୍କ ପରିବାରର ପିତା ମାତା ବା ମୁଖ୍ୟ ବ୍ୟକ୍ତିଙ୍କର ପ୍ରଧାନ କର୍ତ୍ତବ୍ୟ ଏହି ଯୌବନୋନ୍ମେଷ ବିଷୟରେ ସେମାନେ ସମ୍ୟକ୍‌ ଆଲୋଚନା କରି ଯେପରି ଶିକ୍ଷା ଓ ପ୍ରତିପାଳନ ଦ୍ୱାରା ଆମ୍ଭମାନଙ୍କ ସମାଜର ଯୁବକ ଯୁବତୀମାନଙ୍କ ଜୀବନର ସମ୍ମୁଖରେ ସତ୍‌ଦୃଷ୍ଟାନ୍ତ ରଖି ସେମାନଙ୍କର ଜୀବନକୁ ସରସ ଓ ମଧୁମୟ କରି ପାରିବେ, ତାହାର ଉପାୟ ବିଧାନ କରିବା । ମାନବସମାଜର ମୁଖ୍ୟ ଉଦ୍ଦେଶ୍ୟ ଏହା ଯେ, ଯେପରି ପରବର୍ତ୍ତୀ ବଂଶଧରମାନେ ସେମାନଙ୍କ ପୂର୍ବ ପୁରୁଷଗଣଙ୍କ ଅପେକ୍ଷା ଶାରୀରିକ, ବୈଷୟିକ, ନୈତିକ ଓ ଆଧ୍ୟାତ୍ମିକ ବିଷୟରେ ଉନ୍ନତ ହୋଇ ପାରନ୍ତି, ସେଥିପ୍ରତି ଦୃଷ୍ଟି ରଖିବା । ଯତ୍ନ ସହକାରେ ଶିକ୍ଷିତ ଓ ପ୍ରତିପାଳିତ ନ ହେଲେ ଲୋକେ ପ୍ରାୟ ଦୁର୍ନୀତିପରାୟଣ ଓ ଭଗ୍ନସ୍ୱାସ୍ଥ୍ୟ ହୁଅନ୍ତି । ବିଦେଶର ଜଣେ ସମାଜତତ୍ତ୍ୱଜ୍ଞ ବ୍ୟକ୍ତି ଏହି ବିଷୟରେ କହିଅଛନ୍ତି–‘‘ଯେଉଁ ସମାଜରେ ଯେଉଁ ପରିମାଣରେ ପିଲାମାନଙ୍କର ଶିକ୍ଷା ଓ ପ୍ରତିପାଳନରେ ଅବହେଳା ହୁଏ, ସେହି ସମାଜରେ ସେହି ପରିମାଣରେ ଅପରାଧୀ ଓ ଭଗ୍ନସ୍ୱାସ୍ଥ୍ୟ ଲୋକଙ୍କର ସଂଖ୍ୟା ଦେଖାଯାଏ । ନିୟମ ଅନୁସାରେ ନୀତିଶିକ୍ଷା ପ୍ରଦାନର ଅଭାବ ହିଁ ଯେ ଏହାର କାରଣ, ଏ ବିଷୟରେ କିଛି ମାତ୍ର ସନ୍ଦେହ ନାହିଁ । ଅସତ୍‌ ଦୃଷ୍ଟାନ୍ତର ପ୍ରାଦୁର୍ଭାବ ଏବଂ ସମାଜର ଅନ୍ୟାନ୍ୟ ଦୋଷ ହେତୁରୁ ସମାଜରେ ଏତେ ଅପରାଧର ସୃଷ୍ଟି ।’’

 

ଏକଥା କହିଲେ ବୋଧ ହୁଏ ସତ୍ୟର ଅପଳାପ ହେବ ନାହିଁ ଯେ, ବ୍ୟଭିଚାରରୂପ ସାମାଜିକ ଦୋଷ ଅଧିକ ପରିମାଣରେ ଦେଖା ଯାଉଅଛି । ଏହାର ଦୂରୀକରଣ ସକାଶେ ପ୍ରତି ସମାଜ-ହିତାକାଂକ୍ଷୀ ବ୍ୟକ୍ତିର ଦୃଷ୍ଟି ରହିବା ଆବଶ୍ୟକ । ଯୌବନର ପ୍ରାକ୍‌କାଳରେ ଅବୈଧ ମନୋବୃତ୍ତିକୁ କିପରି ଦମନ କରାଯାଇ ପାରେ, ସେ ବିଷୟରେ ସମ୍ୟକ୍‌ ଜ୍ଞାନ ନ ଥିଲେ ମନୁଷ୍ୟ ସ୍ୱାସ୍ଥ୍ୟଭଙ୍ଗ, ରୋଗ ଓ ଯନ୍ତ୍ରଣାର ହସ୍ତରୁ ଆପଣାକୁ ରକ୍ଷା କରି ସୁଖ ଓ ସ୍ୱାସ୍ଥ୍ୟ ଉପଭୋଗ କରି ପାରିବ ନାହିଁ । ମାତୃଗର୍ଭରେ ଶିଶୁ ରହିବା ଦିନଠାରୁ ପିତା ମାତା ସେହି ଶିଶୁର ମଙ୍ଗଳ ଲାଗି ସର୍ବତୋଭାବରେ ଜାଗ୍ରତ ରହିବା ସେମାନଙ୍କର କର୍ତ୍ତବ୍ୟ । ମାତୃଗର୍ଭରେ ମାତାର ଜୀବନର ଏକ ଅଂଶ ହୋଇ ରହିବାଠାରୁ ଯୌବନର ପ୍ରାରମ୍ଭ କାଳ ପର୍ଯ୍ୟନ୍ତ ପିତାମାତା ସଂଯମ ଓ ଧୈର୍ଯ୍ୟର ସହିତ ପିଲାଙ୍କର ଶିକ୍ଷା ଓ ପ୍ରତିପାଳନରେ ମନୋନିବେଶ ନ କଲେ ସମାଜ ସୁଶିକ୍ଷିତ ଓ ସଚ୍ଚରିତ୍ର ପୁତ୍ର କନ୍ୟା ଲାଭ କରିବା ସମ୍ଭବପର ନୁହେଁ । ଶୈଶବ କାଳରେ ଇନ୍ଦ୍ରିୟ ସମ୍ବନ୍ଧୀୟ ମନୋବୃତ୍ତ ନିଦ୍ରିତ ବା ଅର୍ଦ୍ଧନିଦ୍ରିତ ଅବସ୍ଥାରେ ଥାଏ । ତେଣୁ ସେ ସମୟରେ ମଧ୍ୟ ଶିଶୁର ସ୍ୱାସ୍ଥ୍ୟ ଲାଗି ସେ ସବୁ ବିଷୟରେ ସାବଧାନ ରହିବା ଉଚିତ । ଉତ୍ତର ଜୀବନର ଭଗ୍ନ ସ୍ୱାସ୍ଥ୍ୟ ଓ ଭ୍ରଷ୍ଟ ନୀତିର ମୂଳରେ ଯେ ଆମ୍ଭମାନଙ୍କର ବାଲ୍ୟକାଳରେ ଦାସ ଦାସୀମାନଙ୍କ ପ୍ରଦତ୍ତ । କୁଶିକ୍ଷା ଓ ସାମାଜିକ ଜୀବନର ଅବହେଳା ଓ ବିଶୃଙ୍ଖଳା ଯଥେଷ୍ଟ ପରିମାଣରେ ରହିଥାଏ, ଏହା ବୋଧ ହୁଏ କେହି ଅସ୍ୱୀକାର କରିବେ ନାହିଁ । ଶୈଶବକାଳରେ ଶିଶୁ କିଛି ଜାଣେ ନାହିଁ, ଏହି ଭାବର ବଶବର୍ତ୍ତୀ ହୋଇ ଅନେକେ ଶିଶୁ ସମ୍ମୁଖରେ ଯାହା ତାହା କହନ୍ତି ଓ କରନ୍ତି ଏବଂ ଶିଶୁକୁ ଯାହା ତାହା ହସ୍ତରେ ଛାଡ଼ି ଦିଅନ୍ତି । ଏହା ବିଷମ ଭ୍ରମାତ୍ମକ କଥା । ଶିଶୁର ମାନସିକ ବୃତ୍ତ ପୂର୍ଣ୍ଣ ବିକଶିତ ହୋଇ ନ ଥାଏ ସତ୍ୟ, କିନ୍ତୁ ଶିଶୁର ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ୱା ପରି ତାହାର ମନୋବୃତ୍ତି ସବୁ ଅର୍ଦ୍ଧ-ଜାଗ୍ରତ ଅବସ୍ଥାରେ ରହି ବାହାରର ସମସ୍ତ ଅନୁଭବ ଗ୍ରହଣ କରିଥାଏ । ଶିଶୁର ମନ ଉପରେ ଅଲକ୍ଷିତ ଭାବରେ ବାହାରର ସମସ୍ତ କାର୍ଯ୍ୟର ଦାଗ ରହିଯାଏ । ଯୌବନର ପ୍ରାରମ୍ଭରେ ଏହି ମନୋବୃତ୍ତ ସବୁ କ୍ରମଶଃ ବିକଶିତ ହୋଇ ଉଠେ । ଏହି ସମୟରେ ପ୍ରବଳ ତରଙ୍ଗମୟୀ ସ୍ରୋତସ୍ୱତୀ ପରି ଇନ୍ଦ୍ରିୟର ଉତ୍ତେଜନା ମାନବର ହୃଦୟକୁ ଅଭିଭୂତ କରି ପକାଏ; ମାନବ ହୃଦୟର ଅନ୍ୟାନ୍ୟ ଉଚ୍ଚ ବୃତ୍ତମାନଙ୍କୁ ଧ୍ୱଂସ କରି ହୃଦୟ ଉପରେ ଘୋରତର ରୂପେ ଆଘାତ କରି ପ୍ରବାହିତ ହୁଏ । ଏହି ସ୍ରୋତର ବେଗରୁ ମନୋବୃତ୍ତିକୁ ରକ୍ଷା କରିବା ପ୍ରକୃତ ମନୁଷ୍ୟତ୍ୱ । ଏହା ଭିତରେ ନିମଗ୍ନ ହୋଇଗଲେ ଜୀବନର ଉଚ୍ଚ ଆକାଙ୍‌କ୍ଷା ସବୁର ପରିପୂରଣର ଆଉ ଆଶା ରହେ ନାହିଁ ।

ଉପରେ ଯୌବନର ପ୍ରାରମ୍ଭରେ ଇନ୍ଦ୍ରିୟ ସମସ୍ୟା ଉପସ୍ଥାପିତ ହେଲା ଏବଂ ସେ ସବୁର ଯଥୋପଯୁକ୍ତ ପରିଚାଳନା ନ ହେଲେ ଯେଉଁ ସବୁ ସଙ୍କଟର ସୂତ୍ରପାତ ହୋଇପାରେ, ତାହାର ଚିତ୍ର ଦିଆଗଲା ସେ ସବୁ ସଙ୍କଟରୁ ସମାଜକୁ ରକ୍ଷା କରିବାକୁ ପରିବାରର କି କର୍ତ୍ତବ୍ୟ ଅଛି, ସେ ବିଷୟରେ ପଦେ ଅଧେ କହିବା ବର୍ତ୍ତମାନ ଉଚିତ । ଆଜିକାଲି ଆମ୍ଭମାନଙ୍କ ଦେଶ ଓ ସମାଜ ବିଚାରହୀନତା ଓ ଅନ୍ଧ ଅନୁକରଣପ୍ରିୟତା ଦୋଷରୁ ଅସଂଯମ ଓ ବିଳାସର ସ୍ରୋତରେ ଆକଣ୍ଠ ନିମଜ୍ଜମାନ । ଯେଉଁମାନେ ଶିକ୍ଷିତ, ଯେଉଁମାନଙ୍କଠାରୁ ଦେଶ ଓ ସମାଜ ଆଦର୍ଶ ଦେଖିବାକୁ ଆଶା କରେ, ସେମାନେ ଏହି ଦୋଷରେ ବେଶି ପରିମାଣରେ ଦୋଷୀ । ଅବଶ୍ୟ ସମୟର ସ୍ରୋତକୁ ଏଡ଼ିବା କାହାର ସାଧ୍ୟ ନୁହେଁ, କିନ୍ତୁ ତାହା ବୋଲି ସ୍ରୋତର ତୃଣ ବା ଜଳର ବୁଦ୍‌ବୁଦ ପରି ଗତାନୁଗତିକ ଭାବରେ କାର୍ଯ୍ୟ କରିଯିବା ବୁଦ୍ଧିମାନ୍‌ ମାନବ ପକ୍ଷରେ ଲଜ୍ଜାର କଥା । ଏ ଦରିଦ୍ର ଦେଶରେ ବିଳାସର ସ୍ଥାନ ବା ଆବଶ୍ୟକତା କେଉଁଠାରେ ? ଏହି କଥା ବୁଝିଥିଲେ ବୋଲି ଏ ଦେଶର ଗୋଖେଲ ପାଞ୍ଚ ପଇସା ଖର୍ଚ୍ଚ କରି ଟ୍ରାମ ଗାଡ଼ିରେ ବସିବାର ସୁଖ ଛାଡ଼ି କଲିକତାରେ ୪।୫ ମାଇଲ ପଥ ପଦବ୍ରଜରେ ଗମନ କରି ବନ୍ଧୁବାନ୍ଧବଙ୍କ ସହିତ ଦେଖା କରୁଥିଲେ । ଦେଶର ଓ ସମାଜର ଅବସ୍ଥା ଏପରି ହୋଇଅଛି ଯେ ଏଠାରେ ସଂଯମ କଥା କହିଲେ କାହାରି କାହାରିକୁ ପାଗଳର ପ୍ରଳାପ ପରି ବୋଧ ହୋଇପାରେ । କିନ୍ତୁ ଏ କଥା ଧ୍ରୁବ ସତ୍ୟ ଯେ, ଜୀବନର ସରଳତା ଓ ଆଡ଼ମ୍ବରର ବିରଳତା ଏ ଦେଶର ପ୍ରତିଭା ଓ ପ୍ରକୃତ । ସରଳଜୀବନ ବିରଳବ୍ୟସନ ହୋଇ ଏ ଦେଶର ଲୋକ ଉଚ୍ଚ ଚିନ୍ତାରେ ଆପଣାକୁ ନିମଜ୍ଜିତ କରି ପାରେ । ଆଧୁନିକ ଅସଂଯମ ଓ ବିଳାସିତା ଏ ଦେଶର ପ୍ରକୃତି ପ୍ରତି ବିରୁଦ୍ଧାଚରଣ ମାତ୍ର । ଯୌବନର ଏହି ଇନ୍ଦ୍ରିୟସମସ୍ୟାର ସମାଧାନପାଇଁ ଯୌବନର ପ୍ରାରମ୍ଭରେ ଶରୀରତତ୍ତ୍ୱ ବିଷୟରେ ଯୁବକଯୁବତୀମାନଙ୍କର ସାଧାରଣ ଜ୍ଞାନ ଅର୍ଜନ କରିବା ଆବଶ୍ୟକ । ଶରୀରର ବଳ ବୀର୍ଯ୍ୟ ମେଦ ମାଂସ କିପରି ଗଠିତ ହେଉଅଛି ଏବଂ ଆମ୍ଭମାନଙ୍କ ଦେହର ରକ୍ତଧାରା କିପରି ବଳବୀର୍ଯ୍ୟ ବହନ କରି ପ୍ରବାହିତ ହେଉଅଛି, ଏସବୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଥିଲେ ଇନ୍ଦ୍ରିୟ ପରିଚାଳନା ଓ ଶରୀର ରକ୍ଷା ବିଷୟରେ ଦାୟିତ୍ୱ ଉପଲବ୍ଧି କରିବାକୁ ହୁଏ ।

ସେହିକଥା ଆଲୋଚନା କରି ବଙ୍ଗଦେଶର ଜଣେ ପ୍ରସିଦ୍ଧ ଡାକ୍ତର ଡାକ୍ତର ସୌରିନ ଘୋଷ ଏଫ୍‌.ଆର୍‌.ସି.ଏସ୍‌. କହିଅଛନ୍ତି :–

SEX PROBLEMS OF TO-DAY

“It is high time that somebody should come forward and tell the members of our society in plain and simple words the fundamental principles of sex and the ravaging dangers caused by the veneral diseases, said Dr. Sourin Ghose F.R.C.S. (Eng), Surgeon in charge, Venereal department, Medical College Hospitals.”

“This will enable the people to take care of themselves and also to lead a healthier and happier life. Lectures on Social Hygiene is the cheapest and the best investment for any community. It is a strange thing that although we are brought to this world through the agency of sex, although sex forms one of the vital forces of life, still even a scientific discourse on matters of sex is consideredas impure, immoral and unholy.’’

Delivered at the Peoples University

at 71, Meredith St., Cal…

 

ଯେଉଁ ଶିକ୍ଷାରେ ଶରୀର ଶିକ୍ଷାର କୌଣସି ସ୍ଥାନ ନାହିଁ, ତାହା ଅସମ୍ପୂର୍ଣ୍ଣ । ପୃଥିବୀର ତତ୍ତ୍ୱ ଜାଣିବାକୁ ଆମ୍ଭେମାନେ ଭୂଗୋଳ ଶିକ୍ଷା କରୁଁ; କିନ୍ତୁ ନିଜ ଶରୀରର ଆକାର, ପ୍ରକାର, ଗଠନ ଓ ଉନ୍ନତି ବିଷୟରେ କିଛି ମାତ୍ର ଶିକ୍ଷା ନ ପାଇବା ହାସ୍ୟଜନକ ବ୍ୟାପାର ନୁହେଁ କି ? ଶତ ଶତ ବର୍ଷର ଯୁଦ୍ଧର ସନ ତାରିଖ ମୁଖସ୍ଥ କରିବା ଆମ୍ଭମାନଙ୍କ ଶିକ୍ଷାର ଏକ ଅଙ୍ଗ; କିନ୍ତୁ ଆମ୍ଭମାନଙ୍କ ଶରୀରର ଅଭ୍ୟନ୍ତରରେ ଉଚ୍ଚ ଓ ନୀଚ ପ୍ରବୃତ୍ତ ମଧ୍ୟରେ ଯେ ଅବିରାମ ସଂଗ୍ରାମ ଚାଲିଅଛି, ସେ ସମ୍ବନ୍ଧରେ କୌଣସି ଶିକ୍ଷା ଆମ୍ଭମାନଙ୍କ ଯୁବକଯୁବତୀମାନେ ପାଇବେ ନାହିଁ, ଏହା କି ଆହୁରି ହାସ୍ୟଜନକ କଥା ନୁହେଁ ? ନାଇଲ୍‌ ଓ ମିଶିଶିପ ନଦୀର ଗତିପଥ ବହୁ ଚେଷ୍ଟା କରି ଆମ୍ଭେମାନେ ଜାଣୁଁ; କିନ୍ତୁ ପ୍ରତି ମୁହୂର୍ତ୍ତରେ ଆମ୍ଭମାନଙ୍କର ନିଜର ଶରୀରର ବଳବୀର୍ଯ୍ୟ ବହନ କରି ଯେ ଶୋଭିତ ସ୍ରୋତ ଅବିରାମ ଗତିରେ ପ୍ରବାହିତ ହେଉଅଛି, ତାହା ବିଷୟରେ ଅଜ୍ଞାତ ରହିବା ଆମ୍ଭମାନଙ୍କ ପ୍ରତି ଲଜ୍ଜାର କଥା ନୁହେଁ କି ? ସେଥିପାଇଁ କହିଥିଲୁଁ, ଶରୀର ତତ୍ତ୍ୱଜ୍ଞାନ ଯୌବନର ଇନ୍ଦ୍ରିୟ ପ୍ରଶ୍ନ ସମାଧାନରେ କେତେକ ପରିମାଣରେ ସହାୟକ ହୋଇ ପାରେ । ପ୍ରଥମ ଯୌବନର ଉନ୍ମେଷଣରେ ପ୍ରବଳ ଯୌବନସୁଲଭ ଚପଳତାବଶତଃ ସାଧାରଣ ଯୁବକ ଯୁବତୀମାନେ ସଦସତ୍‌ବିଚାରରେ ସମ୍ପୂର୍ଣ୍ଣ ସମର୍ଥ ନୁହନ୍ତି । ଉଦ୍ଦାମ ଯୌବନଶକ୍ତିର ଉତ୍ତେଜନାରେ କଲ୍ୟାଣପଥ ପରିତ୍ୟାଗ କରିବାକୁ ବେଳେ ବେଳେ ଉଚ୍ଛୁକ ହୁଅନ୍ତି । ଏହିସମୟରେ ସେମାନଙ୍କୁ ଅସତ୍‌ଗ୍ରନ୍ଥ, କୁସଙ୍ଗ, କୁସଙ୍ଗୀତ ଓ ଅଶ୍ଲୀଳ କାର୍ଯ୍ୟ ପ୍ରତି ଦୃକ୍‌ପାତ କରିବାକୁ ନଦେବା ଏବଂ ଧ୍ୟାନରତ ଯୋଗୀ ପରି ସତ୍ୟ ଶିବ ସୁନ୍ଦରଙ୍କ ପୂଜାରେ ଦୁର୍ଲଭ ମାନବ ଜୀବନ ଉତ୍ସର୍ଗ କରିବାକୁ ଶିକ୍ଷା ଦେବା ପରିବାରର କର୍ତ୍ତବ୍ୟ । ଆଜିକାଲି ଥିଏଟର, ଯାତ୍ରା, ନାଚ ପ୍ରଭୃତିରେ ଯୁବକ ଯୁବତୀମାନେ ବିଶେଷ ପରିମାଣରେ ଯୋଗଦାନ କରିଥାନ୍ତି । ଏ ସବୁ ଆମୋଦ ନିର୍ଦ୍ଦୋଷ ଓ ପରିମିତ ହେଲେ ରକ୍ଷା । ଅପରିମିତ ହେଲେ ଶରୀର ଓ ମନରେ ନାନା ଚାଞ୍ଚଲ୍ୟ ଆଣି ନୈତିକ ଜୀବନର ମୂଳରେ ଅନେକ ସ୍ଥଳରେ ଯେ କୁଠାରାଘାତ କରିଥାଏ, ଏହା ସମସ୍ତେ ସ୍ୱୀକାର କରିବେ । ବଡ଼ ବଡ଼ ସହରମାନଙ୍କରେ ଏହିସବୁ ଆମୋଦ ପ୍ରମୋଦର ସ୍ଥଳୀ ବିଳାସୀ ଯୁବକ ଓ ବିଳାସିନୀ ଯୁବତୀମାନଙ୍କର ନୈତିକ ଅବନତିର ଓ ଜୀବନର ସର୍ବନାଶର ଯେ ପ୍ରଶସ୍ତ ଓ ପ୍ରକୃଷ୍ଟ ପଥ ହୋଇ ପଡ଼ିଅଛି, ଏହାର ଭୂରି ଭୂରି ପ୍ରମାଣ ବଡ଼ ବଡ଼ ସହରବାସୀ ଓ ନାଗରିକମାନଙ୍କୁ ସୁବିଦିତ । ଏସବୁ ଯାତ୍ରା ନାଚରୁ ବିରତ ହେବା ଯୁବକ ଯୁବତୀମାନଙ୍କ ଜୀବନର ପରିବର୍ଦ୍ଧନ ପକ୍ଷରେ ସର୍ବଥା ଆବଶ୍ୟକ । ଏ ଦେଶରେ ଯେଉଁ କଠୋର ବ୍ରହ୍ମଚର୍ଯ୍ୟ ପାଳନର ପ୍ରାଚୀନ ସୁବ୍ୟବସ୍ଥା ଥିଲା, ତାହା ଶିଥିଳ ହୋଇ ପଡ଼ିବାରୁ ଏ ଦେଶର ଶତ ଶତ ଯୁବକ ଯୁବତୀ ଆଜି କାର୍ଯ୍ୟରେ ଓ ଚିନ୍ତାରେ ପବିତ୍ରତା ରକ୍ଷା କରିବାକୁ ସମ୍ପୂର୍ଣ୍ଣ କ୍ଷମ ହୋଇପାରୁ ନାହାନ୍ତି । କେବଳ ଦୈହିକ ପବିତ୍ରତା ରକ୍ଷା କଲେ ହେବ ନାହିଁ, ମାନସିକ ପବିତ୍ରତା ରକ୍ଷା କରିବାକୁ ହେବ । ସେଥିପାଇଁ ନୀତିଗୁରୁ ଈଶା କହିଅଛନ୍ତି, ଯେ କେହି ପାପ ଚକ୍ଷୁରେ ସ୍ତ୍ରୀଲୋକମାନଙ୍କୁ ଦେଖେ, ସେ ବ୍ୟକ୍ତି ବ୍ୟଭିଚାର କରେ । ଏହି ଉଚ୍ଚ ଆଦର୍ଶ ଲାଭ ପାଇଁ ସର୍ବତୋଭାବରେ ଚେଷ୍ଟା କରିବା ସର୍ବଥା ବାଞ୍ଛନୀୟ । ଯେ କୌଣସି କାର୍ଯ୍ୟରେ ସ୍ନାୟୁ ବିଚଳିତ ହୁଏ, ବା ଶରୀରରେ ଅଯଥା ଉତ୍ତେଜନା ଆସେ ସେପରି କାର୍ଯ୍ୟ ଯେପରି ପିଲାମାନେ ନ କରନ୍ତି, ସେଥିପ୍ରତି ପରିବାରର ଦୃଷ୍ଟି ଥିବା ପ୍ରୟୋଜନ । ଯୌବନର ପ୍ରାରମ୍ଭରେ କ୍ଷୀଣ ସ୍ନାୟୁ ଓ ମାଂସପେଶୀ ଦୃଢ଼ ଓ ସବଳ ହୋଇ ପୂର୍ଣ୍ଣଶକ୍ତି ଯୁବାର ସବଳ ଓ ସୁଠାମ ଶରୀର ଗଠନ କରୁଥାଏ । ଏହି ସମୟରେ ତଡ଼ିଦଗତି ରେଳଗାଡ଼ି ପରି ଦ୍ରୁତଗତିରେ ଶରୀର ଉନ୍ନତି ଦିଗରେ ଗତି କରୁଥାଏ । ଯେପରି ପଥରେ କିଛି ବାଧା ପଡ଼ିଲେ ରେଳଗାଡ଼ି ଓଲଟିଯାଏ, ଏହି ସମୟରେ ମନୁଷ୍ୟର ଦେହ ସେହିପରି କିଛି ବାଧା ବିଘ୍ନ ବା ଅସଂଯମ ଭେଟିଲେ ସମୂଳରେ ବିନଷ୍ଟ ହୋଇଥାଏ । ସଂଯମ, ନିୟମାନୁବର୍ତ୍ତିତା ଓ ସଦାଚାର ଜୀବନର ଅଭିବୃଦ୍ଧି ପକ୍ଷରେ ଏକାନ୍ତ ପ୍ରୟୋଜନୀୟ । ଯୌବନକାଳରେ କାମ, କ୍ରୋଧ, ଲୋଭ ପ୍ରଭୃତି ଷଡ଼ ରିପୁଗଣ ଏତେ ପ୍ରବଳ ଓ ଯଥେଚ୍ଛାଚାରୀ ହୁଅନ୍ତି ଯେ, ଏହି ସମୟରେ ଖୁବ୍ କଠିନ ନିୟମାଧୀନ ହୋଇ ରହିବା ବଡ଼ ପ୍ରୟୋଜନୀୟ ହୋଇ ପଡ଼େ । ଏହି ସମୟରେ ପରିବାରର ସୁଦକ୍ଷ ପରିଚାଳକଙ୍କର ସାହାଯ୍ୟ ନିତାନ୍ତ ଆବଶ୍ୟକ । ତାହା ପାଇଲେ ଯଥାସମୟରେ ବାଳକ ବାଳିକାମାନେ କାଳୋଚିତ ଅତି ପ୍ରୟୋଜନୀୟ ଶିକ୍ଷା ଲାଭ କରି ସାବଧାନ ହୋଇପାରନ୍ତି । ଏହି ସମୟରେ ବାଳକ ବାଳିକାମାନଙ୍କୁ ଶିକ୍ଷା ଦେବା ପରିବର୍ତ୍ତରେ ଅଭିଭାବକମାନଙ୍କର ଉଦାସୀନତା ବା ନିସ୍ତବ୍ଧତା ସୁଫଳପ୍ରଦ ନ ହୋଇ ଭୀତିଜନକ ଫଳ ଜାତ କରାଇଥାଏ । କେତେକ ଶାରୀରିକ ନିୟମ ପାଳନଦ୍ୱାରା ମଧ୍ୟ ଅବାଞ୍ଛନୀୟ ଶାରୀରିକ ଓ ମାନସିକ ଉତ୍ତେଜନା ହସ୍ତରୁ ରକ୍ଷା ହୋଇଥାଏ । ପ୍ରତ୍ୟହ ଶୀତଳ ଜଳରେ ସ୍ନାନ, ପ୍ରତ୍ୟହ ଯଥେଷ୍ଟ ଶାରୀରିକ ବ୍ୟାୟାମ ବା ଅଙ୍ଗସଞ୍ଚାଳନ, କ୍ରୀଡ଼ା, ବିଳାସ, ଭୋଗ, କୋମଳ ଶଯ୍ୟା ପରିବର୍ତ୍ତରେ କଠିନ ଶଯ୍ୟା ବ୍ୟବହାର, ରାତ୍ରିକାଳୀନ ଭୋଜନର ଏକ ଘଣ୍ଟା ବା ଦୁଇ ଘଣ୍ଟା ପରେ ଶୟନ, ମସଲାଦିଯୁକ୍ତ ଉତ୍ତେଜକ ଖାଦ୍ୟ ପରିବର୍ତ୍ତରେ ସରଳ ଖାଦ୍ୟ ଭୋଜନ ପ୍ରଭୃତି ଶାରୀରିକ ନିୟମ ପାଳନ କଲେ ଯୌବନକାଳୀନ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ପକ୍ଷରେ ବହୁ ପରିମାଣରେ ସାହାଯ୍ୟ ମିଳିପାରେ ।

 

ବର୍ଦ୍ଧନଶୀଳ ଯୁବକମାନଙ୍କୁ କୁସଙ୍ଗ ଓ ଅସତ୍ ପ୍ରସ୍ତାବରୁ ସର୍ବଦା ଦୂରରେ ରଖିବାକୁ ହେବ ସତ୍ୟ, କିନ୍ତୁ ସର୍ବଦା ଅସଜ୍ଜନମାନଙ୍କଠାରୁ ଦୂରରେ ଲୋକଲୋଚନ ଅନ୍ତରାଳରେ ନିଭୃତ ସ୍ଥାନରେ ରଖିବା ଉଚିତ ନୁହେଁ । ଜନସମାଜ ଭିତରେ ସତ୍ ଓ ଅସତ୍ ପ୍ରକୃତିର ମନୁଷ୍ୟ ଦଳ ଭିତରେ ସେମାନଙ୍କୁ ରହିବାକୁ ହେବ । ପ୍ରତିଦିନ କେତେ ଚରିତ୍ରହୀନ ବ୍ୟକ୍ତିଙ୍କର କୁଆଦର୍ଶ ପ୍ରାପ୍ତ ହେବେ, କେତେ ଶାରୀରିକ, ମାନସିକ ପାପକାର୍ଯ୍ୟ ସେମାନଙ୍କର ଚକ୍ଷୁ ସମ୍ମୁଖରେ ସାଧିତ ହେବ । ଏ ସବୁ ମଧ୍ୟରେ ସେମାନଙ୍କୁ ଆତ୍ମସଂଯମୀ ଓ ଚରିତ୍ରବାନ କରିବାକୁ ହେବ । ପିତା, ମାତା, ଅଭିଭାବକ ଓ ଶିକ୍ଷକମାନଙ୍କର ଏ ବିଷୟରେ ସତର୍କ ରହିବା ସର୍ବଦା ଉଚିତ୍ ।

 

ସାଧାରଣ ଭାବରେ ସ୍ୱାସ୍ଥ୍ୟ ଓ ଶରୀରତତ୍ତ୍ୱ ସମ୍ବନ୍ଧରେ ଶିକ୍ଷା ପ୍ରଦାନ କଲେ ପ୍ରଭୂତ ଉପକାର ସାଧିତ ହେବାର ସମ୍ଭାବନା ଅଛି ସତ୍ୟ, କିନ୍ତୁ ପ୍ରଲୋଭନ ହସ୍ତରୁ ଆପଣାକୁ ରକ୍ଷା କରି ସୁସ୍ଥ ସବଳ ସୁନ୍ଦର ଯୌବନଶ୍ରୀ ଲାଭ କରିବା ସକାଶେ ଯୁବକ ଯୁବତୀମାନଙ୍କର ନିଜର ଇଚ୍ଛା ଓ ବିଚାରଶକ୍ତି ଜାଗରିତ ହେଲେ ଯଥାର୍ଥ ସଫଳ ମଙ୍ଗଳ ସାଧିତ ହୋଇପାରେ । ବାଲ୍ୟକାଳରୁ ଶିକ୍ଷାର ଲକ୍ଷ୍ୟ ରଖିବାକୁ ହେବ ଯେପରି ସେମାନଙ୍କର ସୁବିଚାର ଓ ଇଚ୍ଛାଶକ୍ତିର ସ୍ଫୁରଣ ହୁଏ । ଏହିଶକ୍ତିର ଯଥାର୍ଥ ଗଠନ ହେଲେ ଯୌବନକାଳରେ ତାହାର ଯଥାର୍ଥ ପରିଚାଳନା ହେବ । ତାହାହେଲେ ସେମାନେ ସଦସତ୍ ବିଚାର କରି ଅସତ୍ ପଥରୁ ଆପଣାକୁ ରକ୍ଷା କରି ପାରିବେ । ଯୁବକଗଣ ସ୍ୱଭାବତଃ ଉଚ୍ଚାଭିଳାଷୀ । ଯୌବନକାଳରେ ଏହି ଉଚ୍ଚାଭିଳାଷ ଯଦି ଯୁବକମାନଙ୍କ ହୃଦୟରେ ପବିତ୍ର ଓ ନିର୍ମଳଭାବ ଲାଭର ଆକାଂକ୍ଷା ଜାତ କରାଇପାରେ, ତାହାହେଲେ ସେମାନେ ନିଜର ସୁଗଠିତ ଇଚ୍ଛାଶକ୍ତି ଓ ସୁବିଚାରଶକ୍ତି ଦ୍ୱାରା ଯାହା ଲାଭ କରିବେ, ତାହା ରକ୍ଷା କରିବାକୁ ସମର୍ଥ ହେବେ ।

 

ଏପର୍ଯ୍ୟନ୍ତ ଯାହା ସବୁ କୁହାଗଲା, ତାହା ଉପଦେଶ ମାତ୍ର । ଉପଦେଶ ଅପେକ୍ଷା ଦୃଷ୍ଟାନ୍ତ ଅଧିକ କାର୍ଯ୍ୟକର । ପରିବାରରେ ଓ ସମାଜରେ ଆଦର୍ଶଜୀବନ ଦେଖିଲେ ଦେଶର ଯୌବନ ଆପେ ଆପେ ସଂଶୋଧିତ ହୁଏ । ପିତା, ମାତା, ଅଭିଭାବକ, ଶିକ୍ଷକ ଓ ସମାଜର ମୁଖ୍ୟ ବ୍ୟକ୍ତିମାନଙ୍କର ପବିତ୍ର ଓ ନିର୍ମଳ ଜୀବନର ଆଦର୍ଶ ଦେଖିଲେ ଦେଶର ଯୁବକ ଯୁବତୀମାନେ ସେହି ଅନୁସାରେ ନିଜ ନିଜର ଭବିଷ୍ୟତ ଜୀବନ ଗଠନ କରିବେ । ପାପ ପ୍ରତି ଘୃଣା ଜନ୍ମାଇଦେବା ଯୁବକମାନଙ୍କୁ ଅସତ୍ ପଥରୁ ନିବୃତ୍ତ କରିବାର ଏକ ପ୍ରକୃଷ୍ଟ ଉପାୟ । ସମାଜର ବହୁ ଦୁର୍ବୃତ୍ତ ବ୍ୟକ୍ତି ହୀନକାର୍ଯ୍ୟ କରି ଯୁବକମାନଙ୍କ ସମ୍ମୁଖରେ ପାପର କୁଆଦର୍ଶ ଉପସ୍ଥାପିତ କରୁଅଛନ୍ତି, ସେଥିରେ ସେତେ କ୍ଷତି ନାହିଁ; କିନ୍ତୁ ଦେଶର ଓ ସମାଜର ଗଣ୍ୟ ମାନ୍ୟ ଧନୀ ଯଶଶ୍ରୀ ଓ କୃତବିଦ୍ୟ ବ୍ୟକ୍ତିମାନେ ଯେ ପ୍ରକାଶ୍ୟ ଭାବରେ ଅସଂଯମ ଓ ହୀନ ବିଳାସର ପଥରେ ପଥିକ ହୋଇ ଅସଜ୍ଜୀବନ ଯାପନ କରି କୁଦୃଷ୍ଟାନ୍ତ ଧାରଣ କରୁଅଛନ୍ତି, ଏହା ହିଁ ବିଶେଷ ବିପଦର କାରଣ । ଏଥିପାଇଁ ଯୁବକମାନଙ୍କୁ ଅସତ୍ ଭାବରୁ ରକ୍ଷା କରିବା କଠିନ ସମସ୍ୟାର କଥା ହୋଇଅଛି । ସମାଜର ନେତୃସ୍ଥାନୀୟ ବ୍ୟକ୍ତିମାନେ ନିଜ ନିଜ ଜୀବନର ଦାୟିତ୍ୱ ଉପଲବ୍ଧି କରି ପବିତ୍ରତା ରକ୍ଷାକଲେ ସମାଜର ନିର୍ମଳ ଆଦର୍ଶ କ୍ରମେ ନିମ୍ନସ୍ତରକୁ ଯାଇ ସମାଜର ଅନ୍ତସ୍ଥଳରୁ ସର୍ବବିଧ ଦୁର୍ନୀତି ଓ ପାପଚାରର ବିଷ ନଷ୍ଟ କରି ଏ ଦେଶ ଓ ସମାଜକୁ ପୁଣ୍ୟ ଓ ଧର୍ମର ଗୌରବରେ ମଣ୍ଡିତ କରିଦେବ । ଦେଶରେ ଯୌବନର ଶୋଭା, ସୌନ୍ଦର୍ଯ୍ୟ ଓ ମହତ୍ତ୍ୱ ରକ୍ଷା କରିବା ଲାଗି ଆମ୍ଭ ଦେଶର ପରିବାରର ପିତାମାତା ଓ ଅଭିଭାବକମାନେ, ବିଦ୍ୟାଳୟ, ଗୁରୁକୁଳ ଓ ସମାଜର ନେତୃସ୍ଥାନୀୟ ଭଦ୍ର ମହୋଦୟଗଣ ସତ୍ୟ ଶିବ ସୁନ୍ଦର ଆଦର୍ଶ ଜୀବନ ଧାରଣ କରି ଏ ଦେଶ ଓ ସମାଜକୁ ଅଧଃପତନର ତପୋମୟ ଗର୍ଭରୁ ରକ୍ଷା କରିବେ କି ? ଏ ପ୍ରଶ୍ନର ଉତ୍ତର ଉପରେ ଏ ଦେଶର ବର୍ତ୍ତମାନ ଓ ଭବିଷ୍ୟତ ବହୁ ପରିମାଣରେ ନିର୍ଭର କରୁଅଛି ।

Image

 

ପରିବାରର ବାର୍ଦ୍ଧକ୍ୟର ବ୍ୟବସ୍ଥା

 

ପରିବାରରେ ଶୈଶବ ଶିକ୍ଷା ପ୍ରତି ଦୃଷ୍ଟି ଦେବାର ଯେପରି ପ୍ରୟୋଜନ ଅଛି, ଯୌବନର ଯତ୍ନ ନେବାର ଯେପରି ଆବଶ୍ୟକ, ସେଠାରେ ବାର୍ଦ୍ଧକ୍ୟର ବ୍ୟବସ୍ଥା କରିବା ମଧ୍ୟ ସେହିପରି ନିତ୍ୟ ପ୍ରୟୋଜନୀୟ । ମନୁଷ୍ୟ ସୁସ୍ଥସବଳ ଥିଲେ ଏବଂ ବୟସ ଥିଲେ ନିଜେ ଅନେକ କାର୍ଯ୍ୟ କରିପାରେ-। ସେ ଅନ୍ୟ କାହାରି ସାହାଯ୍ୟ ନ ନେଇ ମଧ୍ୟ ତା’ର ଜୀବନଯାତ୍ରା ନିର୍ବାହ କରିପାରେ-। କିନ୍ତୁ ଏପରି ଅବସ୍ଥା ଜୀବନରେ ଆସେ, ଯେତେବେଳେ ମନୁଷ୍ୟ ତାହାର ସମସ୍ତ ଶକ୍ତି ସାମର୍ଥ୍ୟ ହରାଇ ପକ୍ଷଶୂନ୍ୟ ପକ୍ଷୀ ପରି ଅସହାୟ ଓ ଅସମର୍ଥ ହୋଇପଡ଼େ । ‘‘ଯୁବକର ତେଜ, ବୀର୍ଯ୍ୟ, ବଳ, ପୌଢ଼ର ଚତୁର ଜ୍ଞାନ, ସୁକୌଶଳ କାର୍ଯ୍ୟମାନ କାଳର ପ୍ରଭାବେ ଦିନେ’’ କେଉଁଆଡ଼େ ଉଭେଇ ଯାଏ । ମନୁଷ୍ୟ ଜୀବନରେ ବାର୍ଦ୍ଧକ୍ୟ ଅସହାୟତା ଦେଖିଲେ ସ୍ୱତଃ ମନରେ ଏ ଭାବ ଜାଗ୍ରତ ହୁଏ–ମନୁଷ୍ୟ କେଡ଼େ ଅଧମ, କେଡ଼େ କ୍ଷୁଦ୍ର ଓ ଶକ୍ତିଶୂନ୍ୟ । ପ୍ରତି ପରିବାରରରେ ଅଳ୍ପାଧିକ ପରିମାଣରେ ବାର୍ଦ୍ଧକ୍ୟର ଚିତ୍ର ଦେଖିବାକୁ ମିଳେ । ପରିବାରରେ ଶିଶୁମାନେ ଯେପରି ଅସହାୟ ଥିବାରୁ ସେମାନଙ୍କର ସବୁ ବିଷୟ ପ୍ରତି ବୟସ୍କ ବ୍ୟକ୍ତିମାନଙ୍କର ଦୃଷ୍ଟି ଆବଶ୍ୟକ ବୃଦ୍ଧ ବୃଦ୍ଧାମାନଙ୍କ ପ୍ରତି ମଧ୍ୟ ପରିବାରର ସେହିପରି ତତୋଽଧିକ ଯତ୍ନ ଓ ଦୃଷ୍ଟି ଲୋଡ଼ା ।

 

ଜୀବ ମାତ୍ରକେ ସ୍ୱାର୍ଥପର । ମନୁଷ୍ୟ ଯେଉଁଠାରେ ସ୍ୱାର୍ଥ ବା ଉପକାର ଆଶା ରଖେ, ସେ ସ୍ଥାନ ପ୍ରତି ଅବଶ୍ୟ ସ୍ନେହ ଭକ୍ତିରେ ଅନାଏଁ । ବୃକ୍ଷରେ ପତ୍ର ପୂର୍ଣ୍ଣ ଥିଲେ ଯେପରି ଶତ ଶତ ଜୀବଜନ୍ତୁ ଛାୟା ପ୍ରାପ୍ତି ଆଶାରେ ତା’ର ତଳରେ ଆଶ୍ରୟ ନିଅନ୍ତି ଏବଂ ସେହି ବୃକ୍ଷ ଦେବଦୁର୍ବିପାକରୁ ପତ୍ରସମ୍ପଦଶୂନ୍ୟ ହେଲେ ଯେପରି କେହି ତାର ତଳକୁ ଯାଆନ୍ତି ନାହିଁ, ସେହିପରି ମନୁଷ୍ୟମାନେ ସାଧାରଣତଃ ଯାହାଠାରୁ ଆଶା ଭରସା ପାଇବାର ଆଶା ନ ରଖନ୍ତି ତାହାପାଖକୁ ଯାଆନ୍ତି ନାହିଁ । ଯେଉଁମାନେ ଯାଆନ୍ତି, ସେମାନେ ପୂର୍ବ ଉପକାର ସ୍ମରଣ କରି କୃତଜ୍ଞତା ପ୍ରକାଶ କରିବାକୁ ଯାଇଥାନ୍ତି । ବାର୍ଦ୍ଧକ୍ୟରେ ଅନ୍ୟର ଉପକାର କରିବା ଦୂରେ ଥାଉ ନିଜର ଶରୀରଟିକୁ ବହିବା କଷ୍ଟସାଧ୍ୟ ହୋଇପଡ଼େ । ସେପରି ଅବସ୍ଥାରେ କେବଳ ଧର୍ମ ବୁଦ୍ଧିରୁ ନ ହେଲେ ଅନ୍ୟ କୌଣସି କାରଣରୁ ଲୋକମାନେ ବୃଦ୍ଧ ବୃଦ୍ଧାମାନଙ୍କର ନିକଟକୁ ଯିବାର ଅନ୍ୟ କିଛି କାରଣ ନ ଥାଏ । ଶିଶୁ କିପରି ଅସହାୟ ଅବସ୍ଥାରୁ ପିତା ମାତାଙ୍କର ସ୍ନେହ ଆଦର ଲାଭ କରି ଯୌବନରେ ବଳିଷ୍ଠ ସୁନ୍ଦର ଯୁବକ ହୁଏ, ତାହା ଅନେକ ମନରେ ଭାବି ନ ପାରନ୍ତି । ମାତ୍ର ଟିକିଏ ଚିନ୍ତା କରି ଦେଖିଲେ ଜଣାପଡ଼ିବ, ଆମ୍ଭମାନଙ୍କ ଜୀବନର ଅଭିବୃଦ୍ଧି ସଙ୍ଗରେ ଆମ୍ଭମାନଙ୍କର ପିତା ମାତା ଆତ୍ମୀୟ ସ୍ୱଜନଙ୍କର ସ୍ନେହ ମମତାର କି ଦୃଢ଼ ସମ୍ବନ୍ଧ ରହିଅଛି । ସେମାନଙ୍କର ଯତ୍ନ, ଆଦର ଓ ସ୍ୱାର୍ଥତ୍ୟାଗ ନପାଇଥିଲେ ଆମ୍ଭମାନଙ୍କର ଶୈଶବର ଅସହାୟତା ଓ ବାଲ୍ୟକାଳର ଶକ୍ତିହୀନତା କିପରି ଅବା ସଂସାର ସଂଗ୍ରାମରେ ଜୟଯୁକ୍ତ ହୋଇ ପାରିଥାନ୍ତା ? ଏହିପରି ଟିକିଏ ଚିନ୍ତା କଲେ ଆମ୍ଭମାନଙ୍କ ପରିବାରର ବୃଦ୍ଧ ବୃଦ୍ଧାମାନଙ୍କ ପ୍ରତି ଆମ୍ଭମାନଙ୍କର କି ଗୁରୁ କର୍ତ୍ତବ୍ୟ ରହିଅଛି ତାହା ସହଜରେ ବୋଧଗମ୍ୟ ହୋଇ ଆସେ । ପିତା ମାତା ସନ୍ତାନ ସନ୍ତତିଙ୍କ ପ୍ରତି ଯେଉଁ ସ୍ୱାର୍ଥ ତ୍ୟାଗ କରନ୍ତି, ତାହାର ତୁଳନା ଏ ଜଗତରେ କାହିଁ ? କେଉଁ ସନ୍ତାନସନ୍ତତି ସେ ଅପରିଶୋଧନୀୟ ଋଣର ବିନ୍ଦୁମାତ୍ର ପରିଶୋଧ କରିବାକୁ ସମର୍ଥ ହୋଇପାରେ ? ତଥାପି ଏ ସଂସାରରେ ଦେଖାଯାଏ, ବୟସ୍କ ସନ୍ତାନ ସନ୍ତତି ସେମାନଙ୍କର ନିଜ ନିଜର ସଂସାରିକ ମାୟାଜାଲରେ ଆବଦ୍ଧ ହୋଇ ବୃଦ୍ଧ ବୟସରେ ପିତାମାତାଙ୍କର ଯଥୋଚିତ ସେବା ଶୁଶ୍ରୂଷା କରି ପାରନ୍ତି ନାହିଁ । ଏହା କଳ୍ପନାର ଚିତ୍ର ନୁହେଁ । ଏପରି ଚିତ୍ର ଅଧିକାଂଶ ପରିବାର ଭିତରେ ଆଜିକାଲି ଯୁଗରେ ଦୁର୍ଭାଗ୍ୟବଶତଃ ଦେଖିବାକୁ ମିଳୁଅଛି । ଯଦି ପିତାମାତାମାନେ ସେମାନଙ୍କର ବାର୍ଦ୍ଧକ୍ୟରେ ସେମାନଙ୍କର ସ୍ନେହପାଳିତ ସନ୍ତାନ ସନ୍ତତିମାନଙ୍କଠାରୁ ଯଥୋଚିତ ସ୍ନେହ ଆଦର ଲାଭ କରିବାକୁ ସମର୍ଥ ହେଉନାହାନ୍ତି, ତେବେ ପରିବାରର ଅନ୍ୟାନ୍ୟ ବୃଦ୍ଧାବୃଦ୍ଧାମାନଙ୍କର ଦଶା ଯେ କଣ ହେବ ତାହା ସହଜରେ ଅନୁମାନ କରାଯାଇ ପାରେ ।

 

ଶିଶୁର ଖାଦ୍ୟପେୟ ଓ ରହିବାର ଯେପରି ପୃଥକ୍ ବ୍ୟବସ୍ଥା ଆବଶ୍ୟକ ହୁଏ, ପରିବାରରେ ବୃଦ୍ଧ ବୃଦ୍ଧାମାନଙ୍କର ସେହିପରି ପ୍ରାୟ ପ୍ରତି ବିଷୟରେ ପୃଥକ୍ ବ୍ୟବସ୍ଥା ଆବଶ୍ୟକ । ସଧାରଣତଃ ବୟସ ଥିବା ଲୋକେ ଯାହା ତାହା ଖାଇ ଜୀର୍ଣ୍ଣ କରି ପାରନ୍ତି । ବୃଦ୍ଧ ବୃଦ୍ଧାମାନେ ଯାହା ତାହା ଖାଇ ପାରନ୍ତି ନାହିଁ । ପରିବାରର ଅବସ୍ଥା ଅନୁସାରେ ସେମାନଙ୍କର ଅବସ୍ଥାର ଉପଯୋଗୀ ଖାଦ୍ୟର ଯେତେଦୂର ବ୍ୟବସ୍ଥା ହୋଇପାରେ, ତାହା କରିବା ବିଧେୟ । ଖାଇବା ପିଇବାର ବନ୍ଦୋବସ୍ତ ଛଡ଼ା ବୃଦ୍ଧବୃଦ୍ଧାଗଣ ଯିବା ଆସିବା ପକ୍ଷରେ ଅକ୍ଷମ ଥିଲେ ସେମାନଙ୍କର ସେବା ଶୁଶ୍ରୂଷା ପାଇଁ ଉପଯୁକ୍ତ ବନ୍ଦୋବସ୍ତ କରିବା ଉଚିତ୍ । କିଏ କେତେବେଳେ ସେମାନଙ୍କର ଦେଖାଶୁଣା କରିବ ତାହାର ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ଆବଶ୍ୟକ । ସକାଳେ କିଏ ବିଛଣାରୁ ଉଠାଇବ, ସେମାନଙ୍କର ମୁହଁହାତ ଧୋଇ ନିତ୍ୟକର୍ମ କରାଇବ, ସେମାନଙ୍କୁ ଗାଧୋଇବ, ଖୁଆଇବ, ସେମାନଙ୍କ ବିଛଣାକୁ ଖରାରେ ଦେବ, ସେମାନଙ୍କୁ ଶୁଆଇବ ଇତ୍ୟାଦି କଥା ପ୍ରତି ଦୃଷ୍ଟି ନ ଦେଲେ ବୃଦ୍ଧ ଅବସ୍ଥାର ଲୋକଙ୍କୁ ବହୁ କଷ୍ଟ ଭୋଗ କରିବାକୁ ପଡ଼ିଥାଏ । ପରିବାରରେ ଯଦି ତିନୋଟି ବୋହୂ ବା ପାଞ୍ଚଗୋଟି ପୁଅ ଥାଆନ୍ତି କୌଣସି ଗୋଟିଏ ପୁଅ ବା ବୋହୂକୁ ବୃଦ୍ଧାଙ୍କର ସମ୍ପୂର୍ଣ୍ଣ ଭାର ଦେଲେ ସେ ଅନ୍ୟମାନଙ୍କର ସାମୟିକ ସାହାଯ୍ୟ ନେଇ ସେବା ଶୁଶ୍ରୂଷା କାର୍ଯ୍ୟ ସୁଚାରୁରୂପେ କରି ପାରିବେ । ଯଦି ପରିବାର ଭିତରେ ପୁଅ ବା ବୋହୂ ସେପରି କାର୍ଯ୍ୟ କରିବାପାଇଁ ନ ଥାନ୍ତି ବା ଅନ୍ୟ କେହି ପରିବାର ମଧ୍ୟରେ ନ ମିଳନ୍ତି, ତେବେ ବୃଦ୍ଧବୃଦ୍ଧାଙ୍କର ଏ ସେବା ଶୁଶ୍ରୂଷା କାର୍ଯ୍ୟ ନିର୍ବାହ ପାଇଁ ଅବସ୍ଥାନୁସାରେ ଚାକର ଚାକରାଣୀ ନିଯୁକ୍ତ କରାଇବା ବିଧେୟ ।

 

ଏ ତ ଗଲା ସାଧାରଣ ଅବସ୍ଥାର କଥା । ବାର୍ଦ୍ଧକ୍ୟର ରୋଗ ସମୟରେ ବୃଦ୍ଧବୃଦ୍ଧାଙ୍କ ପ୍ରତି ଅତିରିକ୍ତ ଦୃଷ୍ଟର ଆବଶ୍ୟକ ହୁଏ । ସେତେବେଳର ଅବସ୍ଥା ପାଇଁ ପରିବାରର ମୁଖ୍ୟବ୍ୟକ୍ତି ଅବସ୍ଥା ଅନୁସାରେ ସେବା ଶୁଶ୍ରୂଷା ଓ ଔଷଧାଦିର ଉପଯୁକ୍ତ ବ୍ୟବସ୍ଥା କରି ବୃଦ୍ଧବୃଦ୍ଧାଙ୍କର ଅନ୍ତିମ ଜୀବନରେ କ୍ଳେଶ ଲାଘବ କରିବାକୁ ଯତ୍ନ କରିବେ ।

 

ବାର୍ଦ୍ଧକ୍ୟ ସମୟର ଏତେ ବ୍ୟବସ୍ଥାର କଥା କହିବାର ଉଦ୍ଦେଶ୍ୟ ଯେ, ସେ ସମୟରେ ମନୁଷ୍ୟର ସମସ୍ତ ଦୀପ୍ତି, ଶକ୍ତି ଓ ସାମର୍ଥ୍ୟ ଋଣା ହୋଇଯିବାରୁ କେବଳ ଧର୍ମବୁଦ୍ଧିରୁ ନୈତିକ ଦିଗରୁ ଦୃଷ୍ଟି ନ ଦେଲେ ସେ ସମୟର ସେବାରେ ତ୍ରୁଟି ରହିଯିବାର ପୂର୍ଣ୍ଣ ଆଶଙ୍କା ଅଛି । ଅନ୍ୟ କାହା କଥା ଦୂରରେ ଥାଉ, ନିଜେ ଜନ୍ମଦାତ୍ରୀ ମାଆକୁ ମଧ୍ୟ ଏହି ଅସହାୟ ଅବସ୍ଥାରେ ନିଜର ପୁତ୍ରମାନଙ୍କ ନିକଟରେ ଆଶା ଭରସା ଲାଭ କରିବା ବିଷୟରେ ହତାଶ ହେବାର ଦୃଶ୍ୟ ଦୁର୍ଭାଗ୍ୟବଶତଃ ଦେଖିବାକୁ ମିଳିଥାଏ । ଏହି ସବୁ ଆଚରଣ ଦେଖି ଏ ଯୁଗର ସନ୍ତାନମାନଙ୍କର ଗତିବିଧିକୁ ଲକ୍ଷ୍ୟ କରି କୌଣସି କୌଣସି ମାଆ ଏହି ଚିରପ୍ରଚଳିତ ଢଗଟି ଦୁଃଖରେ ବୋଲିବା ଶୁଣାଯାଇଥାଏ–

 

ନଈ ଶୁଖିଲେ କି କରିବ ନାଆ

ଦୁଧ ଶୁଖିଲେ କି କରିବ ମାଆ !

 

ଢଗଟି ନିତାନ୍ତ ଅମୂଳକ ନୁହେଁ । ପିତା ମାତା ଯେ ତ୍ୟାଗ ସ୍ୱୀକାର କରି ନିଜର ସନ୍ତାନ ସନ୍ତତିର ଅସହାୟତା, ଅସମର୍ଥତା ଦୂର କରିଥାଆନ୍ତି, କେତେ ସନ୍ତାନ ସେହି ଉପକାର ସ୍ମରଣ କରି ସେମାନଙ୍କର ସେବାରେ ଆତ୍ମସମର୍ପଣ କରିଥାନ୍ତି ! ଯେଉଁମାନେ କରନ୍ତି ସେମାନେ ଧନ୍ୟ । ସେଥିପାଇଁ କବି କହିଛନ୍ତି–

 

‘‘ପିତାମାତା ପରି ଆଉ କେ ଅଛି ସଂସାରେ !

ଧନ୍ୟ ସେ ଯେ ଦିଏ ପ୍ରାଣ ତାଙ୍କରି ସେବାରେ ।’’

ମଦୁସୂଦନ ।

 

ବାର୍ଦ୍ଧକ୍ୟର ଅବସ୍ଥା ବିଷୟରେ ଯାହା ଲେଖାଗଲା, ତାହା ଅତ୍ୟଧିକ ଅଦଳ ବଦଳରେ ସବୁ ପରିବାରରେ ସମସ୍ତଙ୍କ ପ୍ରତି ପ୍ରଯୋଜ୍ୟ । ମନୁଷ୍ୟର ଶୈଶବ ଅବସ୍ଥା ପରି ବାର୍ଦ୍ଧକ୍ୟର ବିଶେଷ ଯତ୍ନ ଆବଶ୍ୟକ । ବାର୍ଦ୍ଧକ୍ୟରେ ଲୋକଙ୍କର ସାଧାରଣ ଖାଦ୍ୟ ପେୟରେ ଚଳେ ନାହିଁ । ବୁଢ଼ାବୁଢ଼ୀମାନେ ସେ ସମୟରେ ସାଧାରଣ ଖାଦ୍ୟ ଖାଇ ପାରନ୍ତି ନାହିଁ ଏବଂ ସେ ସମୟରେ ସେମାନଙ୍କ ପାଟିକୁ ସାଧାରଣ ଖାଦ୍ୟ ରୁଚିକର ମଧ୍ୟ ହୁଏ ନାହିଁ । ସେମାନଙ୍କର ଅବସ୍ଥା ଓ ରୁଚିକୁ ଦେଖି ଟିକିଏ ଯତ୍ନ ଓ ସ୍ନେହର ସହିତ ସେମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରିବା ଏବଂ ସେମାନଙ୍କର ଅବଶିଷ୍ଟ କେତେକ ବର୍ଷ ଯେପରି ଟିକିଏ ସୁଖ ଶାନ୍ତିରେ ଚଳିଯାଏ, ସେଥିପ୍ରତି ଦୃଷ୍ଟି ଦେବା ପରିବାରର ଏକ ପ୍ରଧାନ ଧର୍ମ । ପରିବାରର ଅବସ୍ଥା ପକ୍ଷରେ ଯାହା ସମ୍ଭବପର ସେହିପରି ସୁବ୍ୟବସ୍ଥା କରି ପରିବାରର ବୃଦ୍ଧବୃଦ୍ଧାମାନଙ୍କ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବା ପରିବାରର କର୍ତ୍ତା ଓ ଗୃହକର୍ତ୍ତୀଙ୍କର ପ୍ରଧାନ କର୍ତ୍ତବ୍ୟ । ପରିବାରରେ ଶିଶୁ ଓ ବୃଦ୍ଧ ବୃଦ୍ଧାଙ୍କର ସର୍ବ ପ୍ରଥମେ ସୁବିଧା ଓ ସୁଖସ୍ୱାଚ୍ଛନ୍ଦ୍ୟ ଦେଖି ତାହାପରେ ଅନ୍ୟମାନଙ୍କର ଦେଖିବା ଉଚିତ୍ । ପାରିବାରିକ ନିୟମ ମଧ୍ୟରେ ଏ ନିୟମଟି ଦୃଢ଼ରୂପରେ ପାଳିତ ହେଲେ ଗୋଟିଏ ପାରିବାରିକ ଧର୍ମକାର୍ଯ୍ୟ ସୁସାଧିତ ହୁଏ ।

 

ପରିବାରର ନିଜ ଲୋକଙ୍କ ଛଡ଼ା ପରିବାରରେ ଯେଉଁ ଚାକର ଚାକରାଣୀ ସେମାନଙ୍କର ବୟସ ଥିବା ସମୟରେ କାର୍ଯ୍ୟ କରି ପରିବାରର ମଙ୍ଗଳ ସାଧନ କରିଅଛନ୍ତି, ସେମାନଙ୍କର ବାର୍ଦ୍ଧକ୍ୟରେ ମଧ୍ୟ ସେମାନଙ୍କୁ ଅବସର ଦେଇ ସେମାନଙ୍କର ବାର୍ଦ୍ଧକ୍ୟୋଚିତ ଖାଦ୍ୟପେୟର ସୁବ୍ୟବସ୍ଥା କରିବା ସର୍ବତୋଭାବରେ ଉଚିତ ।

 

ପରିବାରର ଗୃହପାଳିତ ପଶୁପକ୍ଷୀମାନେ ବୃଦ୍ଧ ହେଲେ ସେମାନଙ୍କ ପ୍ରତି ଦୃଷ୍ଟି ଦେଇ ସେମାନଙ୍କର ରୋଗର ଔଷଧ ଓ ପଥ୍ୟର ବ୍ୟବସ୍ଥା କରିଦେବା ମଧ୍ୟ ବିଧେୟ । ଗୋରୁ ଗାଈ ବୃଦ୍ଧ ହେଲେ ଯଦି ଘରେ ସେମାନଙ୍କର ଯତ୍ନ ନେବା ସମ୍ଭବପର ନ ହୁଏ, ତେବେ ନିକଟରେ ଗୋଶାଳା ଥିଲେ ସେଠାକୁ ପଠାଇ ଦେଲେ ଗୋଶାଳା ରକ୍ଷକମାନେ ସେମାନଙ୍କର ଅବଶିଷ୍ଟ ଜୀବନ ଯତ୍ନ ଓ ଆଦରରେ ଯାପନ କରିପାରିବାର ବନ୍ଦୋବସ୍ତ କରି ପାରନ୍ତି ।

 

ଏହିପରି ଭାବରେ ପରିବାରରେ ମନୁଷ୍ୟମାନଙ୍କର ଓ ଗୃହପାଳିତ ପଶୁପକ୍ଷୀଙ୍କର ବିବେଚନାପୂର୍ବକ ବାର୍ଦ୍ଧକ୍ୟର ବ୍ୟବସ୍ଥା କରିବା ପାରିବାରିକ ଧର୍ମର ଏକ ବିଶେଷ ଗୁଣ । ଏହା ପାଳନ କଲେ ଏକାଧାରରେ ପରିବାର ମଧ୍ୟରେ ସୁନୀତି ଓ ସଦାଚାରର ବୀଜ ରୋପିତ ହୁଏ ଏବଂ ପରମପିତାଙ୍କର ପରମ ପ୍ରିୟ ସେବାଧର୍ମ ପ୍ରତିପାଳିତ ହୁଏ ।

Image

 

Unknown

ପରିବାରରେ ସନ୍ତାନ ଶିକ୍ଷା

 

ଶୈଶବର ନାନା ଭାବରେ ଯତ୍ନ କରିବା ଏତେ ଆବଶ୍ୟକ ଯେ, ପରିବାର ମଧ୍ୟରେ ତାହାର ବିଶଦ ଆଲୋଚନା ହୋଇ ସେ ବିଷୟରେ ପୂର୍ଣ୍ଣ ଜ୍ଞାନ ଥିବା ପରିବାରର ମଙ୍ଗଳ ପକ୍ଷରେ ସମ୍ୟକ୍ ରୂପେ ପ୍ରୟୋଜନୀୟ । ଯେଉଁ ଜାତି ବଡ଼ ହେବାକୁ ଇଚ୍ଛା କରିବ, ସେ ଜାତିକୁ ସେ ଜାତିର ଶିଶୁମାନଙ୍କର ସବୁ ବିଷୟରେ ଖବର ରଖିବାକୁ ହେବ । ସଭ୍ୟ ଦେଶମାନଙ୍କରେ ଆଧୁନିକ ଯୁଗରେ ଶିଶୁମାନଙ୍କର ପ୍ରାଣରକ୍ଷାଠାରୁ ଆରମ୍ଭକରି ସେମାନଙ୍କର ଶିକ୍ଷା ଦୀକ୍ଷା ପ୍ରଭୃତି ପର୍ଯ୍ୟନ୍ତ ନାନା ବିଷୟରେ ଯେଉଁପରି ପ୍ରବଳ ଉଦ୍ୟମ ହେଉଅଛି, ତାହା ଏ ହତଭାଗ୍ୟ ଦେଶରେ ସ୍ୱପ୍ନର ଅତୀତ । କ୍ଷୁଦ୍ର ନିଉଜିଲାଣ୍ଡ ଦ୍ୱୀପ ଆମ୍ଭମାନଙ୍କର ଗୋଟିଏ ଜିଲ୍ଲା ସଙ୍ଗେ ଆୟତନରେ ସମାନ । ସେଠାରେ ଶିଶୁମାନଙ୍କର ଅକାଳ ମୃତ୍ୟୁ ନିବାରଣର ଚେଷ୍ଟା ଯେପରି ସଫଳ ହୋଇଅଛି, ତାହା ଦେଖିଲେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ । ସେଠାରେ ସ୍ତ୍ରୀଲୋକ ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟରକ୍ଷା ବିଷୟରେ ନାନା ସମିତିମାନ ସ୍ଥାପିତ ହୋଇ Feeding and care of baby (ଶିଶୁର ଖାଇବା ଓ ଯତ୍ନ), What baby needs (ଶିଶୁର କଣ ଆବଶ୍ୟକ), Feeding by the clock (ଘଣ୍ଟା ଧରି ଖୁଆଇବା), What is the best for the baby (ଶିଶୁ ପକ୍ଷରେ ସବୁଠାରୁ ଭଲ କଣ ?), Baby's first month (ଶିଶୁର ପ୍ରଥମ ମାସ) ପ୍ରଭୃତି କ୍ଷୁଦ୍ର କ୍ଷୁଦ୍ର ପୁସ୍ତିକା ପ୍ରଚାରିତ ହୋଇ ଓ ବାଳିକା ବିଦ୍ୟାଳୟମାନଙ୍କରେ ବାଳିକାମାନଙ୍କୁ ଭବିଷ୍ୟତରେ ସୁଜନନୀ ହେବାର ଶିକ୍ଷା ଦେବାପାଇଁ Little mother leagues, Little mother classes-(‘‘ଛୋଟ ମାଆମାନଙ୍କର ସମିତି’’ ଓ ‘‘ଛୋଟ ମାଆଙ୍କର ଶ୍ରେଣୀ’’) ସବୁ ଖୋଲା ହୋଇ ସେ ଦେଶର ବାଳକ ବାଳିକାମାନଙ୍କର ଶୈଶବଜୀବନର ସ୍ୱାସ୍ଥ୍ୟ ଓ ସର୍ବାଙ୍ଗୀନ ଉନ୍ନତି ଲାଗି ବିଶେଷ ଭାବରେ ଚେଷ୍ଟା ହେଉଥିବାର ଦେଶ ବିଦେଶର ସମ୍ବାଦ ଯେଉଁମାନେ ରଖନ୍ତି ସେମାନେ ଜାଣିଥିବେ । ଶିଶୁପାଳନ ଓ ଶିଶୁଶିକ୍ଷା ଜାତିର ଗୋଟିଏ ପ୍ରଧାନ କାର୍ଯ୍ୟ । ଦେଶରେ ସେଥିପ୍ରତି ଦୃଷ୍ଟି ନ ରହିଲେ ଦେଶର ଭବିଷ୍ୟତ ଅନ୍ଧକାରମୟ ହୁଏ । ଦେଶରେ ଶିଶୁକୁଳର ଦେହ, ମନ ଓ ଆତ୍ମା ଯେପରି ସୁନ୍ଦର ଭାବରେ ବିକାଶ ପ୍ରାପ୍ତ ହେବ ଓ ଶିଶୁମାନେ ଯେପରି ଉଜ୍ଜ୍ୱଳ ସୁନ୍ଦର ସଦ୍ୟ ପଦ୍ମପୁଷ୍ପ ପରି ଫୁଟି ଶୋଭାପାଇବେ, ତାହା ଦେଖିବା ଦେଶର ପ୍ରତ୍ୟେକ ହିତକାମୀଙ୍କର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଉପଯୁକ୍ତ ଶିକ୍ଷା ଅଭାବରୁ ଏ ଦେଶର ମାଆମାନେ ଶିଶୁପାଳନ ବିଷୟରେ ସମ୍ୟକ ଜ୍ଞାନଲାଭ କରି ନ ଥିବାରୁ କେତେ ଶିଶୁ ଯେ ଅକାଳରେ ରୋଗ ବ୍ୟାଧିରେ କାଳଗ୍ରାସରେ ପଡ଼ୁଅଛନ୍ତି, ତାହାର ସଂଖ୍ୟା ନାହିଁ । ଶିଶୁକୁଳର ଏ ଅକାଳମୃତ୍ୟୁ ନିବାରଣ ବିହିତ ଯତ୍ନ ଓ ବ୍ୟବସ୍ଥା କରା ନ ଗଲେ ଏ ଦେଶର ଭବିଷ୍ୟତ ଯେ ଅନ୍ଧକାରମୟ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

 

ଶିଶୁମାନଙ୍କୁ ରୋଗ ବ୍ୟାଧି ହସ୍ତରୁ ରକ୍ଷା କରିବା ଯେପରି ଆବଶ୍ୟକ, ସେମାନଙ୍କର ଶିକ୍ଷାର ସୁବନ୍ଦୋବସ୍ତ କରି ସେମାନଙ୍କର ମନୁଷ୍ୟତାର ବିକାଶ କରାଇବାକୁ ଯତ୍ନବାନ୍ ହେବା ସେହିପରି ମଧ୍ୟ ଆବଶ୍ୟକ । ପରିବାରରେ ସନ୍ତାନ ସନ୍ତତିଙ୍କର ଶିକ୍ଷାର ସୁବ୍ୟବସ୍ଥା ନ ହେଲେ ସେ ପରିବାରର ଉନ୍ନତି ଅସମ୍ଭବ କହିଲେ ଚଳେ ।

 

ମନୁଷ୍ୟ ଆବହମାନ କାଳରୁ ମହାପୂର୍ଣ୍ଣତା ଦିଗରେ ଚାଲିଅଛି ଏବଂ ସେ ଦିଗରେ ତାହାର କଠୋର ସାଧନା ରହିଅଛି । ଯୁଗେ ଯୁଗେ ଜାତି ସେହି ଆଦର୍ଶ ଅନୁସରଣ କରି ଆସୁଅଛି-। ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତିସବୁ ଭିତରେ ସାମଞ୍ଜସ୍ୟ ସ୍ଥାପନ କରି ସେମାନଙ୍କର ପୂର୍ଣ୍ଣ ବିକାଶ କରିବା ଶିକ୍ଷାର ମହାନ୍ ଆଦର୍ଶ । ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନକୁ ପରିଚାଳିତ କରିବାକୁ ଦେଶରେ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ପ୍ରଭୃତିର ସୃଷ୍ଟି ଏବଂ ଘରେ ଘରେ ଶିକ୍ଷା ବିସ୍ତାର ସକାଶେ ନାନାବିଧି ଉପାୟ ଅବଲମ୍ବିତ ହେଉଅଛି ।

 

କିନ୍ତୁ ଏ କଥା ନିଶ୍ଚୟ ସ୍ୱୀକାର କରିବାକୁ ହେବ ଯେ, ଆଜିକାଲିର ଏସବୁ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟମାନଙ୍କରେ ଆମ୍ଭେମାନେ ଜୀବନର ଉନ୍ନତ ଆଦର୍ଶ ହରାଇଅଛୁଁ । ଆଜି ଶିକ୍ଷାର ଆଦର୍ଶ ଅନୁନ୍ନତ, ଶିକ୍ଷାପ୍ରଦାନ ପ୍ରଣାଳୀ ବିପଥଗାମୀ । ଗ୍ରନ୍ଥର ବୋଝ ଶିଶୁ ମସ୍ତିସ୍କ ଉପରେ ରଖି ଦେଲେ, ଇତିହାସ, ଭୂଗୋଳ କେବଳ କଣ୍ଠସ୍ଥ କରାଇଲେ, ଉଚ୍ଚ ଭାବର କଥା ଓ ଜ୍ଞାନର, ବାକ୍ୟର ବୋଝ ଶିଶୁ ମସ୍ତିସ୍କରେ ରଖିଦେଲେ ଶିକ୍ଷାଦାନ ହୁଏ ନାହିଁ ।

 

ଆଜିକାଲି ଏ ଦେଶର ପିତା ମାତା ଓ ଅଭିଭାବକମାନେ ସେମାନଙ୍କର ଭାବିବା ଉଚିତ ଯେ, ଶିକ୍ଷାର ପ୍ରକୃତ ପ୍ରଥମ ସ୍ଥାନ ଗୃହ ଓ ପରିବାର । ଜନ୍ମର ପ୍ରଥମ ମୁହୂର୍ତ୍ତରେ ମାତୃକୋଳରୁ ଆମ୍ଭମାନଙ୍କର ଶିକ୍ଷାକାର୍ଯ୍ୟର ଆରମ୍ଭ ହୁଏ, ଏ କଥା ଆମ୍ଭମାନେ ସହଜରେ ଭୁଲିଯାଉଁ । ଜନ୍ମ ହେବା ମାତ୍ରକେ ମାତା ପିତା, ଗୁରୁଜନ ସେହି ସଦ୍ୟୋଜାତ ମାନବ ଶିଶୁର ମହାଗୁରୁ ଏବଂ ପ୍ରକୃତିର ଲୀଳାଭୂମି ମହାମାନବର କର୍ମକ୍ଷେତ୍ର, ପୃଥିବୀ ତାହାର ବିଶ୍ୱବିଦ୍ୟାଳୟ ।

 

ଏହି ଶିଶୁ ଦେବଶିଶୁ । ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଶକ୍ତିଗୁଡ଼ିକ ଏହା ମଧ୍ୟରେ ସୁପ୍ତ ରହିଅଛି । ପ୍ରତି ଶିଶୁ ସାଧନାଦ୍ୱାରା ମହାପୂର୍ଣ୍ଣତା ଲାଭ କରି ପାରେ; ଭାବ ଓ କର୍ମର ସାମଞ୍ଜସ୍ୟ ସ୍ଥାପନ କରି ଶରୀର ଓ ମନର ଯଥାର୍ଥ ଉନ୍ନତିସାଧନ ପୂର୍ବକ ପ୍ରକୃତ ମାନବତ୍ୱ ଲାଭ କରିପାରେ; କିନ୍ତୁ ଯଥାର୍ଥ ଶିକ୍ଷକତାର ଅଭାବରୁ ପିତାମାତାଙ୍କର ପାଳନ ଦୋଷରୁ ଶିଶୁରୂପୀ ମାନବ ପୁଷ୍ପଟି ଅନେକ ସ୍ଥଳରେ ବିକଶିତ ହୋଇପାରୁ ନାହିଁ । ଶିଶୁ ଜୀବନରେ ଆମ୍ଭେମାନେ ପ୍ରାକୃତିକ ନିୟମ ଭଙ୍ଗ କରୁଁ । ସ୍ୱଭାବର ଅବାଧ୍ୟ ସନ୍ତାନ ପ୍ରକୃତି ନିୟମର ବ୍ୟତିକ୍ରମପୂର୍ବକ ବିଦ୍ୟାଳୟର ଗ୍ରନ୍ଥଗଦା ଭିତରେ ମହାଯଜ୍ଞ ସଂଗ୍ରହ କରି କିପରି ମାନବତ୍ୱ ଲାଭ କରି ପାରିବ, ସେ ଚିନ୍ତା ଥରେ ହେଲେ ଆମ୍ଭମାନଙ୍କ ପ୍ରାଣକୁ ସ୍ପର୍ଶ କରେ ନାହିଁ ।

 

ପ୍ରତି ମାତା ପିତା ଅଭିଭାବକଙ୍କର ଏ ମହାଦାୟିତ୍ୱଜ୍ଞାନ ଥିବା ଆବଶ୍ୟକ ଯେ, ନବଜାତ ଶିଶୁ ଗୃହରେ ରହିଲେ ତାହାର ପ୍ରକୃତ ଶିକ୍ଷା ଦୀପ୍ତ ସେମାନଙ୍କୁ ଦାନ କରିବାକୁ ହେବ । ଯାହାକୁ ଆଜି କ୍ଷୁଦ୍ର ଶିଶୁ ବୋଲି ମନେ କରୁଅଛ, ସେ ଅବଜ୍ଞା ବା ଅବହେଳାର ପଦାର୍ଥ ନୁହେଁ । ସେହି ଶିଶୁ ବିଶ୍ୱଦେବତାଙ୍କ ପ୍ରଦତ୍ତ ମହାଗୁଣନିଚୟ ଦ୍ୱାରା ସମ୍ପଦବାନ୍ । ସେ ଶତ ଶତାବ୍ଦୀର ମାନବ ସମାଜର ସର୍ବଜ୍ଞାନ ଅଭିଜ୍ଞତା ଓ ଭାବଧନର ଉତ୍ତରାଧିକାରୀ; ସେ ଭବିଷ୍ୟତ ଜାତିର ଓ ମାନବ ସମାଜର ଆଶା ଓ ନେତା ।

 

ଏ ଶିଶୁ ପ୍ରକୃତି ଶିଶୁ, ବିଶ୍ୱଦେବଙ୍କର ସନ୍ତାନ । ତାହା ପାଇଁ ମାତୃସ୍ତନରେ ଦୁଗ୍ଧ ରହିଅଛି, ତାହା ତାହାର ଆହାର୍ଯ୍ୟ ଓ ପାନୀୟ, ନାନା ଜାତୀୟ ସୁରସାଳ ବୃକ୍ଷଫଳ, ଧରିତ୍ରୀର ବିଶାଳ ଶସ୍ୟାଗାର ତାହାର ଭବିଷ୍ୟତ ଆହାର୍ଯ୍ୟରୂପେ ଅପେକ୍ଷା କରୁଅଛି; ଶସ୍ୟଶ୍ୟାମଳ। ଧରଣୀ, ସୁବିମଳ ସୁଗନ୍ଧ ବାୟୁ, ନିର୍ମଳ ବାରିଧାରା, ଉଦାର ନୀଳିମାମୟ ଆକାଶ, ପକ୍ଷୀର ସଙ୍ଗୀତ, ପୁଷ୍ପର ସୌରଭ ଓ ବିଚିତ୍ରତାମୟ ବିଶ୍ୱପ୍ରକୃତ ସେହି ଶିଶୁକୁ ଅପେକ୍ଷା କରି ରହିଅଛନ୍ତି, ବିଶ୍ୱରଙ୍ଗମଞ୍ଚ ଏହି ନବ ଅଭିନେତାର ପୂର୍ଣ୍ଣାଭିନୟ ବ୍ୟତୀତ ସାର୍ଥକ ହେବ ନାହିଁ ।

 

ପ୍ରକୃତି ସହିତ ଶିଶୁର ମହାଯୋଗ ରଖି ସଂସାରର କର୍ମସୂତ୍ରରେ ତାହାକୁ ବଦ୍ଧ କରି ମଙ୍ଗଳ ଭାବରେ ଜ୍ଞାନ ଓ କର୍ମ ତାହାକୁ ପାଳନ କରିବାକୁ ହେବ । ଏହାହିଁ ପ୍ରକୃତ ଶିକ୍ଷାଦାନ ।

 

ବିଂଶ ଶତାବ୍ଦୀର ସଭ୍ୟତାଭିମାନୀ ମାନବ, ସେହି ପ୍ରକୃତି ଶିଶୁକୁ ପରିଚ୍ଛଦ ଭାରରେ ପ୍ରପୀଡ଼ିତ କରନାହିଁ; ବଦ୍ଧଗୃହ ଭିତରେ ଚୁଦ୍ଧ କରି ରଖ ନାହିଁ; ତୁମ୍ଭମାନଙ୍କର ନିଜର ନାନା ପ୍ରକାର ଲାଳସାତୃପ୍ତିକର, ଆହାର୍ଯ୍ୟ ତାହାକୁ ଦିଅ ନାହିଁ । ନିର୍ମଳ ବାୟୁର, କନକ ଉଷାର, ସ୍ୱର୍ଣ୍ଣ ସନ୍ଧ୍ୟାର ମୋହନ ଶୋଭା ସଙ୍ଗେ ରଜତକାନ୍ତିପୂର୍ଣ୍ଣ ଚନ୍ଦ୍ର ସୂର୍ଯ୍ୟ. ଅଗ୍ରଣ୍ୟ ଗ୍ରହ ତାରକା ସଙ୍ଗରେ, ପୁଷ୍ପର ସୁଷମା ଓ ରୂପ ସଙ୍ଗରେ ଭୂମାତୃକା ଉପରର ନାନା ସ୍ୱାଭାବିକ ସୌନ୍ଦର୍ଯ୍ୟ ସଙ୍ଗରେ ସେ ଶିଶୁ ଯେପରି ଯୁକ୍ତ ହୋଇ ରହେ ।

 

ଶିଶୁକୁ ସର୍ବ ପ୍ରଥମେ ଆତ୍ମନିର୍ଭରତା ଓ ଈଶ୍ୱରପରାୟଣତା ଶିକ୍ଷା ଦେବାକୁ ହେବ । ଶିଶୁମାନଙ୍କ ସ୍ୱଭାବର ନାନାଦିଗ ବିକଶିତ ହେବାର ସୁବନ୍ଦୋବସ୍ତ କରିବା ସୁଶିକ୍ଷାର ମୂଳଭିତ୍ତି । ସେହି ପଥରେ ଯେପରି କିଛି ବାଧା ବିଘ୍ନ ଘଟେ, ତାହା ଦେଖିବା ସର୍ବତୋଭାବେ ବିଧେୟ । ଶିଶୁ ଯେଉଁଠାରେ ବିଫଳମନୋରଥ ହେବ ବା ପଥଭ୍ରଷ୍ଟ ହେବ, ମାତା ପିତା ସେମାନଙ୍କର ନିଜର ଜ୍ଞାନ ଓ ଅଭିଜ୍ଞତା ସାହାଯ୍ୟରେ ସମନ୍ତାନମାନଙ୍କୁ ଆଶାର ଆଲୋକ ଦେଖାଇ ସେମାନଙ୍କର ସଂଶୋଧନ କରାଇ ନେବେ । କିନ୍ତୁ ସାବଧାନ ରହିବାକୁ ହେବ ଯେ, ପିତାମାତାଙ୍କର କୌଣସି ସଂସାର ସନ୍ତାନମାନଙ୍କର ମନୋମଧ୍ୟରେ ଜୋର କରି ବଦ୍ଧମୂଳ କରିବାକୁ ସେମାନେ ଯେପରି ପ୍ରୟାସ ନ କରନ୍ତି ।

 

ସଦ୍ଭାବ ଓ ସତ୍ କର୍ମର ବାୟୁ ଯେପରି ସନ୍ତାନ ସନ୍ତତିଙ୍କ ଚତୁର୍ଦ୍ଦିଗରେ ବହିବ ଏବଂ ମାତାମପିତାଙ୍କର ନିର୍ମଳ ନିଷ୍କଳଙ୍କ ଜୀବନର ଆଦର୍ଶ ଯେପରି ସେମାନେ ସମ୍ମୁଖରେ ସର୍ବଦା ଦେଖିବେ, ଏହିପରି ଭାବରେ ସ୍ନେହଧାରାଭିଷିକ୍ତ ହୋଇ ଶିଶୁମାନଙ୍କର ସରଳ ସୁନ୍ଦର ଜୀବନ ଗଠିତ ହେବ । ଶିଶୁ ମନରେ କୌଣସି ଉଚ୍ଚ ନୀଚ ଭାବ ସ୍ୱଭାବତଃ ନ ଥାଏ,-ସାମ୍ୟ, ମୈତ୍ରୀ ଓ ସ୍ୱାଧୀନତା ତନ୍ମଧ୍ୟରେ ସୁପ୍ତ ରହିଯାଏ । ମାତାପିତା ଆପଣାର ପ୍ରେମଦ୍ୱାରା ଶିଶୁକୁ ବିଶ୍ୱପ୍ରେମ ମନ୍ତ୍ରରେ ଦୀକ୍ଷିତ କରିବେ, କ୍ଷୁଦ୍ର କୀଟ ପତଙ୍ଗଠାରୁ ଆରମ୍ଭ କରି ବୃହତକାୟ ଜୀବ ପର୍ଯ୍ୟନ୍ତ ପ୍ରତି ଜୀବଜନ୍ତୁଙ୍କୁ ସ୍ନେହ କରିବା ଶିକ୍ଷା ଦେବେ । ଶିଶୁ ସାଧାରଣତଃ ଅତିଶୟ ତତ୍ତ୍ୱଜିଜ୍ଞାଷୁ, ଅଭିନବ ପଦାର୍ଥ ଦେଖିଲେ ତାହା ସହିତ ପରିଚୟ ସ୍ଥାପନ ଓ ସେ ସମ୍ବନ୍ଧରେ ଜ୍ଞାନଲାଭ କରିବାକୁ ତାହାର ସାଧାରଣତଃ ପ୍ରବଳ ଆକାଂକ୍ଷା ହୋଇଥାଏ । ଏହା ବ୍ୟତୀତ ଦୃଶ୍ୟମାନ ଜଗତର ବହୁ ବିଷୟ ସମ୍ବନ୍ଧରେ, ଆପଣାର ଜନ୍ମ ଓ ଅବସ୍ଥା ବିଷୟରେ ବହୁବିଧ ପଦାର୍ଥର ଉତ୍ପତ୍ତି, କାର୍ଯ୍ୟ ଓ କାରଣ ବିଷୟରେ ଶିଶୁ ମନରେ ନାନା ପ୍ରଶ୍ନ ଉଦିତ ହୁଏ । ମାତା ପିତା ଅତି ସରଳ ଭାବରେ ଶିଶୁଜନମନୋରଞ୍ଜନ ହେବା ଭଳି ତାହା ସବୁ ବୁଝାଇବାକୁ ଯତ୍ନଶୀଳ ହେବେ । ଶିଶୁ ସମୟ ସମୟରେ କୁପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଅସତ୍ କାର୍ଯ୍ୟ ସାଧନରେ ଉତ୍ତେଜିତ ହୋଇଥାଏ । ସେହି ଉତ୍ତେଜନାକୁ ସତ୍‌କର୍ମାଭିମୁଖୀ କରି ଦେବା ମାତା ପିତାଙ୍କର କର୍ତ୍ତବ୍ୟ ।

 

ଶିଶୁକାଳ ଅତି କୋମଳ ସରଳ ଅବସ୍ଥା । ଏହି ନମନୀୟ ବୟସ ସଦଭ୍ୟାସ ସବୁ ଗଠିତ ହେବାର ଉପଯୁକ୍ତ ସମୟ । କୁମ୍ଭାର ହାଣ୍ଡି ଗଢ଼ିବା ସମୟରେ ଯେପରି କଞ୍ଚା କାଦୁଅକୁ ଯଥେଚ୍ଛ ଭାବରେ ଆକାର ଦେଇ ପାରେ, କମାର ଯେପରି ଗଳିତ ତପ୍ତ ଲୌହକୁ ନିଜ ଇଚ୍ଛା ଅନୁସାରେ ମୂର୍ତ୍ତିରେ ପରିଣତ କରିପାରେ ସେହିପରି ଶିଶୁ ମନକୁ ଆରମ୍ଭରୁ ଯେଉଁ ଦିଗକୁ କୌଶଳରେ ନେଇ ପାରିବ ଉତ୍ତର ଜୀବନରେ ତାହା ସେହିପରି ପରିଣତି ଲାଭ କରିବ । ଶିଶୁ ଯେଉଁ ଅଭ୍ୟାସଗୁଡ଼ିକ ପ୍ରଥମରୁ ଗଠନ କରିବ, ଆଜୀବନ ଶିଶୁକୁ ସେହି ଅଭ୍ୟାସଗୁଡ଼ିକର ଦାସ ହେବାକୁ ପଡ଼ିବ । ପ୍ରାକୃତିକ ନିୟମ ପାଳନ ଓ ସଦଭ୍ୟାସରୁ ସ୍ୱାସ୍ଥ୍ୟ ଲାଭ ହୋଇଥାଏ । ଆହାରରେ, ବିହାରରେ, କ୍ରୀଡ଼ାରେ, ପାଠରେ, ନିଦ୍ରାରେ ସବୁ ବିଷୟରେ ଶିଶୁ ଯେପରି ସଦଭ୍ୟାସ ଗଠନ କରିପାରେ, ମାତା ପିତା ତାହା ଯତ୍ନ ସହକାରେ ଦେଖିବେ । ଶିଶୁକୁ ପ୍ରଥମରୁ କେତେଗୁଡ଼ିଏ ସଦଭ୍ୟାସର ଅଧିକାରୀ କରାଇ ପାରିଲେ ଭବିଷ୍ୟତ ଜୀବନରେ ତାହାର ମଙ୍ଗଳ ଲାଗି ଅଧିକ କ୍ଳେଶ ସ୍ୱୀକାର କରିବାକୁ ପଡ଼ିବ ନାହିଁ ।

 

କ୍ରମେ କ୍ରମେ ଶିଶୁକୁ ବିବିଧ କାର୍ଯ୍ୟରେ ନିୟୋଜିତ କରିବାକୁ ହେବ । ସେ ଯେପରି ନିଜର ଗୃହକାର୍ଯ୍ୟ ଓ ସାଂସାରିକ ବିବିଧ କାର୍ଯ୍ୟ ବିଷୟରେ ପାରଦର୍ଶୀ ହୋଇ ନିଜର ଜୀବିକା ନିର୍ବାହ କରିବା ସଙ୍ଗେ ସଙ୍ଗେ ପରୋପକାର ସାଧନ କରିପାରି ନିଜର ପରିବାରରୁ ଆରମ୍ଭ କରି ଗ୍ରାମର, ଦେଶର ଓ ବିଶ୍ୱର ସଂସାରର ମଙ୍ଗଳରେ ଆତ୍ମବିନିଯୋଗ ପୂର୍ବକ ନରଜନ୍ମ ସାର୍ଥକ କରି ପାରିବ, ସେ ବିଷୟରେ ଆଲୋଚନା ଓ ଉଦାହରଣ ଦ୍ୱାରା, ତାହାକୁ ସାହାଯ୍ୟ କରିବା ପିତା ମାତାଙ୍କର ପ୍ରଧାନ କର୍ତ୍ତବ୍ୟ ।

 

ଏହିପରି ଭାବରେ ପରିବାରରୁ ସନ୍ତାନ ଶିକ୍ଷାର ପ୍ରଥମ କାର୍ଯ୍ୟର ଆରମ୍ଭ କରାଗଲେ ଶିଶୁ କ୍ରମେ କ୍ରମେ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଉନ୍ନତି ସାଧନ କରି ମାନବପଦର ଉପଯୁକ୍ତ ହେବାକୁ ସମର୍ଥ ହେବ । ମାତା ପିତା ଉପରେ ସନ୍ତାନଶିକ୍ଷାର ଗୁରୁ ଭାର ରହିଅଛି । ସେମାନେ ସେ ମହାକର୍ତ୍ତବ୍ୟ ପାଳନ ନ କଲେ ଶିଶୁ ତାହାର ଇହ ଓ ପରକାଳ ହରାଇ ଦୁର୍ଲ୍ଲଭ ମାନବଜନ୍ମର ସମସ୍ତ ଗୌରବ ଓ ସୌରଭ ନଷ୍ଟ କରିଦେବ ।

Image

 

ପରିବାରରେ ରୋଗର ବ୍ୟବସ୍ଥା ଓ ରୋଗୀ ପରିଚର୍ଯ୍ୟା

 

ପରିବାରରେ ରହି ସବୁବେଳେ ଠିକ୍ ରୂପେ ସ୍ୱାସ୍ଥ୍ୟର ସବୁ ନିୟମ ପାଳନ କଲେ ଚଳିବା ଅସମ୍ଭବ । ସ୍ୱାସ୍ଥ୍ୟର ସବୁ ନିୟମକୁ ଦେଖି ଚଳିଲେ ମଧ୍ୟ ସାମୟିକ ରୋଗର ହସ୍ତରୁ ରକ୍ଷା ପାଇବା ସହଜ ନୁହେଁ । ପରିବାର ସଙ୍ଗରେ ରୋଗର ଚିରସମ୍ବନ୍ଧ ରହି ଆସିଅଛି ଏବଂ ରହିବ । ଏପରି ଅବସ୍ଥାରେ ପରିବାର ଭିତରେ କେହି ଅସୁସ୍ଥ ହେଲେ ତାଙ୍କର କିପରି ସେବାଶୁଶ୍ରୂଷା କରିବାକୁ ହେବ, ସେ ବିଷୟରେ ସାଧାରଣ ଜ୍ଞାନ ପରିବାର ଲୋକଙ୍କର ଥିବା ଆବଶ୍ୟକ । ପରିବାରରେ ତ ସର୍ଦ୍ଦି, କାଶ, ଜ୍ୱର ପ୍ରଭୃତି ଛୋଟ ଛୋଟ ରୋଗ ଲାଗି ରହିଥାଏ, ତାହା ସବୁ ଅଳ୍ପ ଚେଷ୍ଟାରେ ଭଲ ହୋଇଥାଏ । ପରିବାରର ଦୁର୍ଭାଗ୍ୟରୁ ହଇଜା, ବସନ୍ତ, ଟାଇଫଏଡ୍‌ ଜ୍ୱର ପ୍ରଭୃତି ଗୋଟିଏ ଗୋଟିଏ ରୋଗ ସମୟ ସମୟରେ ଜୁଟେ, ଯାହାର ଉତ୍ପାତରେ ପରିବାରର ଲୋକଙ୍କୁ ବିଶେଷଭାବେ ବିବ୍ରତ ହେବାକୁ ପଡ଼େ ।

 

ଏହିପରି ଭାବରେ ଦେଖିବାକୁ ଗଲେ ପରିବାର ସଙ୍ଗରେ ରୋଗର ସମ୍ବନ୍ଧ ନିତ୍ୟନୈମିତ୍ତିକ ।

 

ଅନେକ ସମୟରେ ସଂକ୍ରାମକ ରୋଗର ପ୍ରାଦୁର୍ଭାବ ଦେଖାଯାଇ ଥାଏ । ସେ ସବୁ ରୋଗରେ ରୋଗୀକୁ ସମସ୍ତଙ୍କର ଚଳାଚଳ ଘରେ ନ ରଖି ଘରଠାରୁ ଅଲଗା ଘରେ ରଖିଲେ ସମସ୍ତଙ୍କ ପକ୍ଷରେ ସ୍ୱାସ୍ଥ୍ୟକର ହୁଏ । ପରିବାର ଭିତରେ ଘରର ବ୍ୟବସ୍ଥା ସମୟରେ ଏପରି ସ୍ୱତନ୍ତ୍ର ଘରଟିଏ ରଖି ପାରିଲେ ସମସ୍ତଙ୍କ ପକ୍ଷରେ ମଙ୍ଗଳକର ।

 

ଯଦି ରୋଗୀର ରହିବାପାଇଁ ସ୍ୱତନ୍ତ୍ର ଘରଟିଏ ରଖିବା ସମ୍ଭପର ନୁହେଁ, ତେବେ ଯେଉଁ ଘରେ ରୋଗୀ ରହେ ସେହି ଘରର ଏପରି ବ୍ୟବସ୍ଥା କରିବାକୁ ହେବ, ଯେପରି ତାହା ରୋଗୀର ବାସ କରିବା ପକ୍ଷରେ ଉପଯୋଗୀ ହେବ । ରୋଗୀର ରହିବା ଘରେ ଏଣୁ ତେଣୁ ବାଜେ ଜିନିଷ କିଛି ରଖିବା ଠିକ୍ ନୁହେଁ । ଯେତିକି ଜିନିଷ ରୋଗୀର ଆବଶ୍ୟକ ସେତିକି ସେ ଘରେ ରଖି ଅବଶିଷ୍ଠ ଜିନିଷ ସେ ଘରୁ ବାହାର କରି ଦେବା ଉଚିତ୍ । ରୋଗୀର ରହିବା ଘରେ ଯେପରି ଦ୍ୱାର ଓ ଖିଡ଼ିକି ଦ୍ୱାରା ପ୍ରଚୁର ପରିମାଣର ପବନ ଯିବା ଆସିବା କରେ ତାହା ଦେଖିବା ଉଚିତ୍ । ରୋଗୀ ଓ ତାହାର ଶୁଶ୍ରୂଷା କରିବା ଲୋକ ଛଡ଼ା ବେଶି ଗୁଡ଼ାଏ ଲୋକ ରୋଗୀ ପାଖରେ ବସି ଏଣୁ ତେଣୁ ପାଞ୍ଚ କଥା ଗଳ୍ପ କରିବା ଠିକ୍ ନୁହେଁ । ରୋଗୀର ଘରେ ଯେପରି ଅନର୍ଥକ ବେଶି ଲୋକ ପ୍ରବେଶ ନକରନ୍ତି ଏବଂ ଯେଉଁମାନେ ଆବଶ୍ୟକମତେ ପ୍ରବେଶ କରନ୍ତି, ସେମାନେ ଯେପରି ଧୀର ସ୍ଥିର ଭାବରେ ପ୍ରବେଶ କରି ନୀରବରେ ତାଙ୍କର କାର୍ଯ୍ୟତକ କରନ୍ତି ସେହିପରି ବ୍ୟବସ୍ଥା ଥିବା ରୋଗୀ ପରିଚର୍ଯ୍ୟାର ପ୍ରଥମ ଗୁଣ । ରୋଗୀ ପାଖରେ ଅନାବଶ୍ୟକ ଭାବରେ ଶବ୍ଦ ହେବା ସର୍ବଥା ଅନୁଚିତ୍-। ରୋଗୀର ଘର ନିର୍ମଳ, ସୁନ୍ଦର ଓ ଆଲୋକପବନପୂର୍ଣ୍ଣ ହୋଇଥିବା ଆବଶ୍ୟକ । ଅନେକ ସମୟରେ ଦେଖାଯାଏ ଯେ, ରୋଗୀକୁ ସେବା କରିବା ଲୋକ ଓ ରୋଗୀକୁ ଦେଖିବାକୁ ଆସିବା ଲୋକମାନେ ରୋଗୀର ବିଛଣା ଉପରେ ବସନ୍ତି । ଏହା ରୋଗୀ ପକ୍ଷରେ ଯେପରି ମନ୍ଦ, ଯେଉଁମାନେ ରୋଗୀର ବିଛଣାରେ ବସନ୍ତି, ସେମାନଙ୍କ ପକ୍ଷରେ ମଧ୍ୟ ସେହିପରି ବିପଦଜନକ । ରୋଗୀର ବିଛଣା ଉପରେ କାହାରି ବସିବା ଉଚିତ ନୁହେଁ । ଯେ ମଧ୍ୟ ଶୁଶ୍ରୂଷା କରିବେ, ସେ ରୋଗୀର ପାଖରେ ଅନ୍ୟ ବିଛଣାରେ ବା ଅନ୍ୟ ଖଣ୍ଡିଏ ବେଞ୍ଚ ବା ଚଉକିରେ ବସିବା ଉଚିତ । ରୋଗୀକୁ ଖଟ ଉପରେ ଶୁଆଇ ତାହାଠାରୁ କିଛି ଦୂରରେ ବେଞ୍ଚ ବା ଚଉକିଖଣ୍ଡିଏ ପକାଇ ସେଥିରେ ରୋଗୀର ସେବା କରିବା ଲୋକ ବସିବେ । ରୋଗୀର ଔଷଧ ଓ ପଥି ପ୍ରଭୃତି ରଖିବାପାଇଁ ଖଣ୍ଡିଏ ଛୋଟ ମେଜ ରଖିଲେ କାର୍ଯ୍ୟ ଭଲ ହେବ । ରୋଗୀକୁ ଦେଖିବାକୁ ଅନାବଶ୍ୟକ ଭାବରେ ଆମ ଦେଶରେ ଅନେକ ଲୋକ ଆସନ୍ତି ଏବଂ ତଦ୍ଦ୍ୱାରା ରୋଗୀର ଶାନ୍ତିଭଙ୍ଗ କରନ୍ତି । ସେପରି କରିବା ଆଦୌ ଉଚିତ ନୁହେଁ । ରୋଗୀର ଭିତରକୁ ଯେତେ ଅଳ୍ପ ଲୋକ ଆସନ୍ତି, ସେତେ ଭଲ । ରୋଗୀର ବ୍ୟବହାର ପାଇଁ ଯେଉଁ ଔଷଧସବୁ ରଖା ହେବ ସେଥିରେ ଭଲ ଭାବରେ ଔଷଧର ନାମ ଓ ବ୍ୟବହାରବିଧି ରୋଗୀର ସେବାକାରୀ ଲୋକଙ୍କ ବୁଝିବା ଭଳି ଲେଖା ଥିବା ଉଚିତ । କେତେକ ସ୍ଥଳରେ ଏହିପରି ଲେଖାର ଅଭାବରୁ ଏବଂ ସେବାକରୀ ଲୋକର ସତର୍କତା ଅଭାବରୁ ଔଷଧ ଦେବାର ଗୋଳମାଳ ଦ୍ୱାରା ରୋଗୀର ମୃତ୍ୟୁ ପର୍ଯ୍ୟନ୍ତ ଘଟିଅଛି । ଯେଉଁ ଲୋକ ସେବା କରିବ ବା ଔଷଧ ଦେବ, ସେ ବରାବର ରହି ଦେବା ଉଚିତ । ଯଦି ସେ ଲୋକକୁ କୌଣସି କାର୍ଯ୍ୟବଶତଃ ଅନ୍ୟତ୍ର ଚାଲିଯିବାକୁ ପଡ଼େ, ତେବେ ସେ ଅନ୍ୟ ଲୋକକୁ ସବୁ ଭଲ କରି ବୁଝାଇ ଔଷଧ ଓ ପଥ୍ୟସବୁ ମଣାଇ ଦେଇ ଯିବ - ଯେପରି କି ଏହି ପରିବର୍ତ୍ତନ ଦ୍ୱାରା ରୋଗୀର ଔଷଧ ବା ପଥ୍ୟରେ କିଛି ଗୋଳମାଳ ନ ଘଟେ ।

 

ରୋଗୀର ସେବା କରିବା ଲୋକର କେତେକ ଗୁଣ ଥିବା ଆବଶ୍ୟକ । ଯେଉଁ ପୁରୁଷ ବା ସ୍ତ୍ରୀ ରୋଗୀର ସେବା କରିବେ, ତାଙ୍କର ଲେଖାପଢ଼ା ଜ୍ଞାନ ଥିବା ଆବଶ୍ୟକ । ଔଷଧରେ ଯାହା ସବୁ ବ୍ୟବହାରବିଧି ଲେଖା ଥାଏ, ତାହା ଯେପରି ସେ ପଢ଼ି ବୁଝି ପାରିବେ ଏବଂ ଠିକ୍ ସମୟରେ ପଥ୍ୟ ଓ ଔଷଧ ଦେଇ ପାରିବେ । ସେ ଘଣ୍ଟା ପାଖରେ ରଖି ସମୟ ଜାଣି ପାରୁଥିବେ । ଥର୍ମୋମିଟରରେ ଶରୀରର ଉତ୍ତାପ ଜାଣିବା ଜ୍ଞାନ ତାଙ୍କର ଥିବା ଆବଶ୍ୟକ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାଧାରଣଜ୍ଞାନ ତାଙ୍କର ଥିବା ସମ୍ୟକ୍ ପ୍ରକାରେ ହିତକର । ସେ ଧୀରସ୍ଥିର ପ୍ରକୃତିର ଲୋକ ହୋଇଥିବେ ଏବଂ ତାଙ୍କର ଯଥେଷ୍ଟ ଧୌର୍ଯ୍ୟ ଓ କଷ୍ଟସହିଷ୍ଣୁତା ଗୁଣ ଥିବ । ସେ ନିଜେ ସୁସ୍ଥ ଓ ସବଳ ଥିବେ ଓ ନିଜ ଜୀବନକୁ ନିୟମ ଓ ସଂଯତରେ ଚଳାଇବାକୁ ଅଭ୍ୟସ୍ତ ଥିବେ । ସେ ରୋଗୀ ମୁଣ୍ଡରେ ବରଫ ଦେବା, ଜଳପଟି ଦେବା, ବେଡପାନରେ ବିଛଣାରେ ଝାଡ଼ା କରାଇବା, ପ୍ରସ୍ରାବ କରାଇବା, ଗ୍ଲିସରିନ୍ ଏନିମା ପ୍ରଭୃତିର ପ୍ରୟୋଗ ଜାଣିଥିବେ ।

 

ରୋଗୀର ବିଛଣା କୋମଳ, ପରିଷ୍କୃତ ଓ ଉଷ୍ଣ ଥିବା ସର୍ବଥା ଉଚିତ । ସୁବିଧା ଥିଲେ ପ୍ରତିଦିନ ବିଛଣା ବଦଳାଇ ଖରାରେ ପକାଇ ଦେବା ନିତାନ୍ତ ଆବଶ୍ୟକ । ଦୁଇ ତିନି ଦିନ ଅନ୍ତରରେ ସାବୁନ ନେଇ ବିଛଣା, ଚାଦର ପ୍ରଭୃତି ଧୋଇ ଦେଲେ ସଫା ରହେ । ରୋଗୀର ବିଛଣା ସଫା ସୁତୁରା ରହିଲେ ରୋଗୀର ମନ ଭଲ ରହେ । ରୋଗୀର ବିଛଣା ନରମ ରହିଲେ ଶୋଇବାକୁ କଡ଼ ଲେଉଟାଇବାକୁ ସୁବିଧା ହୁଏ । ଯେଉଁ ରୋଗୀ ବେଶି ଦିନ ବିଛଣାରେ ପଡ଼ି ରହେ ତା ଦେହର ହାଡ଼ୁଆ ସ୍ଥାନମାନଙ୍କରେ ସ୍ପିରିଟ୍ ବୋଳି ବୋରିକ୍ ଗୁଣ୍ଡା ବୋଳିଦେଲେ ଅନେକ ଦିନ ପଡ଼ିବା ଦୋଷରୁ ଚମଡ଼ା ଛିଣ୍ଡି କ୍ଷତ (Bedsores) ହୋଇ ନ ପାରେ । ଘରର ଚଟାଣରେ ବିଛଣା ପକାଇ ରୋଗୀକୁ ନ ଶୁଆଇ ଖଟ ଉପରେ ବିଛଣା ପକାଇ ଶୁଆଇବା ଉଚିତ । ରୋଗୀର ବ୍ୟବହାର ପାଇଁ ପତଳା ମଶାରି ଥିବା ଆବଶ୍ୟକ । ଯେଉଁ ମଶାରିରେ ପବନ ଯିବା ଆସିବା କରି ପାରେ ଅଥଚ ମଶା ଗଳିବେ ନାହିଁ, ସେହିପରି ମଶାରି ବ୍ୟବହାର କରିବା ଉଚିତ ।

 

ପ୍ରତ୍ୟେକ ପରିବାରରେ ଅବସ୍ଥା ଅନୁସାରେ ରୋଗର ବ୍ୟବସ୍ଥା ପାଇଁ ଏହି କେତେଗୁଡ଼ିଏ ପଦାର୍ଥ ପୂର୍ବରୁ ସାଇତି ରଖିଥିବା ଆବଶ୍ୟକ:- ପୁରୁଣା ଧାନ, ପୁରୁଣା ଘିଅ, ପୁରୁଣା ଗୁଡ଼, ପୁରୁଣା ଜଡ଼ାତେଲ ଏଗୁଡ଼ିକ ବଡ଼ କାମରେ ଆସେ । ଗୃହସ୍ଥ ଏଗୁଡ଼ିକ ବେଶି ଦିନ କିଛି ବେଶି ପରିମାଣରେ ରଖି ପାରିଲେ ନିଜର ଓ ଆଉ ଦଶ ଜଶଙ୍କର କାମରେ ଲାଗିପାରେ । ଏହାଛଡ଼ା ଜୀରାମରିଚ, ଜୁଆଣି, ସୈନ୍ଧବଲୁଣ, ପାନମହୁରୀ, ଯବକ୍ଷାର, ଜଡ଼ାତେଲ, ସୁଣ୍ଠି, ଧନିଆଁ, ପୋଟଳପତ୍ର, ହରିଡ଼ା, ଅଅଁଳା, ବାହାଡ଼ା, ମହୁ, ଅଦା, ପିପଳି, ଚିରେଇତା, ସୁନାମକେଇ, ନାଗେଶ୍ୱର କେଶର, କବାବଚିନି ମଫସଲ ଜାଗାରେ ଘରେ ସାଇତି ରଖିଲେ ଅସମୟରେ ଅନେକ ଔଷଧରେ ଲାଗିପାରେ । ନିଜ ଘରର ବାଡ଼ିରେ ପସାରୁଣି, ପୋଟଳ, ହଳଦି, ଅଶ୍ୱଗନ୍ଧା, ହେମସାଗର, ଗେଣ୍ଡୁଫୁଲ, କାଗେଜିଲେମ୍ଭୁ, ଟଭା, ତୁଳସୀ, ଅଦା, ସପୁରୀ, ନାଲିମନ୍ଦାର, କଦଳି, ଭୂଇଁନିମ୍ବ ଗଛ ଲଗାଇଲେ ପରିବାରରେ ଔଷଧ ବ୍ୟବସ୍ଥାରେ ବହୁ କାର୍ଯ୍ୟରେ ଲାଗିପାରେ । ପରିବାରର ଯଦି ବଡ଼ ବଗିଚା ଥାଏ, ସେଥିରେ ପିତାକୋରୁଅ, ବେଲ, ଗୁଳୁଚି, ଗଙ୍ଗଶିଉଳି, ବାସଙ୍ଗ ଡିମିରି, ଛତାଉଁରି, ଚେମେଡ଼ିଲଇ, ଶିମିଳି, ନିମ୍ବ, ହଳଦିଆଚମ୍ପା ଗଛମାନ ରଖିଲେ ଏସବୁ ବଡ଼ ବଗିଚା ନ ଥାଏ, ଯେଉଁଥିରେ ଏସବୁ ଗଛ ରହି ପାରେ ତେବେ ଏସବୁ ଗଛ କେଉଁଠାରେ ଅଛି ଜାଣି ରଖିଥିଲେ ଆବଶ୍ୟକବେଳେ ଗୃହସ୍ଥ ଖୋଜିଆଣି ଔଷଧରୂପେ ବ୍ୟବହାର କରିପାରେ । ଏ ଦେଶରେ ନାନା ରୋଗର ଠୁଣୁ ଠୁଣୁ କିଆ ଔଷଧରେ ଓ ଆୟୁର୍ବେଦ ମତରେ ଔଷଧମାନଙ୍କରେ ଉପଯୁକ୍ତ ପଦାର୍ଥ ଓ ବୃକ୍ଷ ଲତାମାନଙ୍କର ବହୁଳ ବ୍ୟବହାର ହୋଇଥାଏ । ଦକ୍ଷ ଗୃହସ୍ଥ ଏଗୁଡ଼ିକ ଜାଣି ଶୁଣି ରଖିପାରିଲେ ପରିବାରରେ ରୋଗର ପ୍ରାଦୁର୍ଭାବବେଳେ ଏଗୁଡ଼ିକୁ କାର୍ଯ୍ୟରେ ଲଗାଇପାରେ । ଉପଯୁକ୍ତ ଆୟୁର୍ବେଦ ସମ୍ମତ ଚେରମୂଳି ବା ପତ୍ର ଛଡ଼ା ଆଜିକାଲି ଡାକ୍ତରୀପ୍ରଥା–ସମର୍ଥିତ ଉପାୟ ପାଇଁ କିଛି ପରମାଙ୍ଗାନେଟ୍ ପୋଟାସ୍, ହାଇଡ଼୍ରୋଜେନ୍ ପେରୋକସାଇଡ଼୍, ବୋରୋଗ୍ଲିସେରିନ୍, ସ୍ପିରିଟ୍, ବୋରିକ୍ ପାଉଡ଼ର, ଫିନାଇଲ୍, କୁଇନାଇନ୍, ଜୁଆଣି ଅର୍କ, ଆୟୋଡିନ୍, ବ୍ରାଣ୍ଡି, ତୁଳା ରଖିଥିବା ଗୃହସ୍ଥ ପକ୍ଷରେ ମଧ୍ୟ ଖୁବ୍ ଆବଶ୍ୟକ । ପ୍ରତି ପରିବାରରେ ଗୋଟିଏ ଭଲ ଥର୍ମୋମିଟର, ବେଡ୍‌ପାନ, ଔଷଧ ଖାଇବା ପାଇଁ ମେଜରଗ୍ଲାସ୍ ମୁଣ୍ଡରେ ଲଦିବା ଆଇସ୍ ବ୍ୟାଗ୍, ଗରମ ପାଣି ଦେବା ହଟ୍ ଓ୍ୱାଟର୍ ବ୍ୟାଗ୍, ଶୋଇ କରି ଝାଡ଼ା କରାଇବା ପାଇଁ ଗ୍ଲିସେରିନ୍ ଏନିମା, ପ୍ରସ୍ରାବ କରିବା ପାଇଁ ୟୁରିନାଲ୍ ରଖି ପାରିଲେ ରୋଗ ସମୟରେ ବହୁତ ଉପକାରରେ ଲାଗିପାରେ । ହଠାତ୍ ପାଣି ପ୍ରଭୃତି ଗରମ କରିବା ପାଇଁ ଷ୍ଟୋଭ୍ (କଳଚୁଲି) ଟିଏ ରଖିଥିଲେ ରୋଗ ସମୟରେ ବହୁତ କାମରେ ଲାଗେ । ଠିପିଦିଆ ବଡ଼ ବୋତଲ, କଲେଇକରା ଯାଇଥିବା ବାସନ, ଆଲୁମିନିଅମ୍ ବାସନ କେତେଖଣ୍ଡ ମଧ୍ୟ ଗୃହସ୍ଥ ସଂଗ୍ରହ କରି ରଖିବା ଉଚିତ୍ ।

 

ସବୁ ସମୟରେ ସବୁଠାରେ ଡାକ୍ତର ବା ବୈଦ୍ୟ ସୁଲଭ ନୁହନ୍ତି । ବିଶେଷତଃ ମଫସଲ ଗ୍ରାମମାନଙ୍କରେ ହଠାତ୍ କୌଣସି ରୋଗ ହେଲେ ସଙ୍ଗେ ସଙ୍ଗେ ଡାକ୍ତର ବୈଦ୍ୟ ପାଇବା କଠିନ । ଏପରି ଅବସ୍ଥାରେ ପ୍ରତି ପରିବାରରେ କେହି ହେଲେ ଜଣେ ଲୋକ କିଛି କିଛି ହୋମିଓପାଥି ବା କବିରାଜ ଔଷଧ ଦେବା କଥା ଶିଖି ରଖିଲେ ଓ ପାଖରେ କିଛି କିଛି ଔଷଧ ରଖିଲେ ତାହାଦ୍ୱାରା ନିଜ ପରିବାରର ଓ ଅନ୍ୟାନ୍ୟ ଦଶଜଣଙ୍କର ମଧ୍ୟ ଅସହାୟରେ ବୈଦ୍ୟ ଡାକ୍ତର ଖୋଜି ପାଇବା ପୂର୍ବରୁ ଉପକାରରେ ଲାଗିପାରେ । ପ୍ରତି ପରିବାରରେ କି ସ୍ତ୍ରୀ, କି ପୁରୁଷ ସମସ୍ତେ କିଛି କିଛି ଔଷଧ ଦେବା ନିୟମ ଶିଖି ପାରିଲେ ରୋଗର ପ୍ରାଥମିକ ଚିକିତ୍ସା ସହଜରେ ହୋଇପାରେ ଏବଂ ତଦ୍ଦ୍ୱାରା କେତେକ ସ୍ଥଳରେ ଡାକ୍ତର ବୈଦ୍ୟ ଡାକିବା ଖର୍ଚ୍ଚରୁ ମଧ୍ୟ ରକ୍ଷା ମିଳି ପାରେ ।

 

ପରିବାରର ବ୍ୟବହାର ପାଇଁ କିଛି ଭଲ କସ୍ତୁରୀ, ମକରଧ୍ୱଜ, ବିଭିନ୍ନ ପ୍ରକାରର କେତେକ ପ୍ରସିଦ୍ଧ ପେଟେଣ୍ଟ ଔଷଧ କିଣି ରଖିଲେ ଦରକାରବେଳେ ହଠାତ୍ କାମରେ ଲାଗିପାରେ-। ଯେଉଁସବୁ ଔଷଧର ସୁନାମ ଅଛି ଏବଂ ଯେଉଁସବୁ ଔଷଧ ପରସିଦ୍ଧ କବିରାଜ ଓ ବଡ଼ ଡାକ୍ତରଙ୍କର ଆବିଷ୍କୃତ ସେପରି ପେଟେଣ୍ଟ ଔଷଧ ବ୍ୟବହାର କରିବା ଉଚିତ୍ । ଅନ୍ୟଥା ଆଜିକାଲି ବଜାରରେ ପ୍ରଚଳିତ ବିବିଧ ରକମର ପେଟେଣ୍ଟ ଔଷଧ ବ୍ୟବହାର କରିବା ଆଦୌ ଉଚିତ ନୁହେଁ । ସେ ସବୁଦ୍ୱାରା ଅନେକ ସ୍ଥଳରେ ହିତ ପରିବର୍ତ୍ତରେ ଅହିତ ହୋଇଥାଏ । ହୋମିଓପାଥି ଔଷଧ ଯେପରି ଆଜିକାଲି ଶସ୍ତା ସେହି ଔଷଧରୁ କିଛି ପାଖରେ ରଖି ସେହି ଔଷଧ ଦେବାର କିଛି ନିୟମ ଶିଖି ପାରିଲେ ଅଳ୍ପ ଖର୍ଚ୍ଚରେ ପରିବାରର ଅସମୟରେ ବହୁତ ଉପକାର ମିଳିପାରେ । ପ୍ରତି ପରିବାରରେ ଯେପରି ଜଣେ ହେଲେ କେହି କୌଣସି ପ୍ରକାରର ଔଷଧ ବ୍ୟବସ୍ଥା କିଛି ହେଲେ କରିପାରେ ତାହାର ବିଧାନ କରିବା ବହୁପରିମାଣରେ ଶ୍ରେୟସ୍କର । ରୋଗ ଆକ୍ରମଣର ପ୍ରଥମ ଅବସ୍ଥାରେ ଡାକ୍ତର ବୈଦ୍ୟ ଡାକିବା ପୂର୍ବରୁ କିଛି ସାଧାରଣ ଉପାୟର ବ୍ୟବସ୍ଥା କରି ପାରିଲେ ଅନେକ ସ୍ଥଳରେ ଡାକ୍ତର, ବୈଦ୍ୟ ଡାକିବାର ବ୍ୟୟ ଓ ଅସୁବିଧାରୁ ମଧ୍ୟ ରକ୍ଷା ମିଳି ପାରେ । ରୋଗର ପ୍ରଥମ ଅବସ୍ଥାରୁ କିଛି ପ୍ରତିକାର କରିବାର ଉପାୟ ପ୍ରତି ପରିବାରରେ ଥିବା ଆବଶ୍ୟକ ।

 

ଉପରେ ଯାହାସବୁ ଲେଖାଗଲା, ତାହା ପରିବାରରେ ରୋଗର ବ୍ୟବସ୍ଥା ବା ରୋଗୀର ପରିଚର୍ଯ୍ୟା ବିଷୟରେ ଯଥେଷ୍ଟ ଉପଦେଶ ନୁହେଁ । ବିଶିଷ୍ଟ ବିଶେଷଜ୍ଞମାନେ ଏ ବିଷୟମାନଙ୍କରେ ବଡ଼ ବଡ଼ ପୁସ୍ତକ ଓ ପ୍ରବନ୍ଧମାନ ଲେଖିଅଛନ୍ତି । ଯାହା ଲେଖିଛନ୍ତି ତାହା ପ୍ରତ୍ୟେକ ସାଧାରଣ ପରିବାରଙ୍କ ପ୍ରତି ସଙ୍କେତ ମାତ୍ର । ଏସବୁ ସଙ୍କେତର ଧାରା ଅନୁସରଣ କରି ବୁଦ୍ଧିମାନ ପାରିବାରିକ ତାଙ୍କ କର୍ତ୍ତବ୍ୟ ନିର୍ଦ୍ଧାରଣ କରି ପାରିବେ । ଜଣେ ପାରିବାରିକ ତାହାର କ୍ଷୁଦ୍ର ପାରିବାରିକ ଜୀବନରେ ଯାହା କିଛି ଅନୁଭବ କରି ପାରିଅଛି ଏବଂ ସେଥିରୁ ଯାହା ସେ ସ୍ଥୂଳ ଭାବରେ ମନେ ରଖି ପାରିଅଛି ତହିଁର ଉଲ୍ଲେଖ କରାଗଲା ।

 

ପ୍ରତ୍ୟେକ ଅବସ୍ଥା ତହିଁର ସମୁଚିତ ବ୍ୟବସ୍ଥା ଲୋଡ଼େ । ସାଧାରଣ ଭାବରେ ଯାହା ଆଭାସ ଦିଆଗଲା, ତାହାକୁ ବୁଝି ବିଚାରି ପରିବର୍ତ୍ତନ ପରିବର୍ଦ୍ଧନ ଦ୍ୱାରା ପାରିବାରିକ ରୁଗ୍ଣ ଅବସ୍ଥାର ବ୍ୟବସ୍ଥା ସହଜରେ କରାଯାଇପାରେ । ନିଜର ବୈଷୟିକ ଅବସ୍ଥା ଏସବୁ ବିଷୟରେ ବିଶେଷଭାବରେ ନିୟାମକ । ନିଜର ଅବସ୍ଥାକୁ ଚାହିଁ ସମ୍ପଦ ବେଳରେ ଯେପରି, ବିପଦ ବେଳରେ ମଧ୍ୟ ସେହିପରି, ସବୁ ବିଷୟରେ ବ୍ୟବସ୍ଥା କରିବା ବୁଦ୍ଧିମାନ ଗୃହସ୍ଥର କର୍ତ୍ତବ୍ୟ । ରୋଗର ବ୍ୟବସ୍ଥା ଓ ରୋଗୀର ପରିଚର୍ଯ୍ୟା ପ୍ରତ୍ୟେକ ପାରିବାରିକ ସାଂସାରିକ ଅବସ୍ଥାକୁ ଦେଖି ବ୍ୟବସ୍ଥା କରିବା ସୁବୁଦ୍ଧିର କାର୍ଯ୍ୟ ।

Image

 

ପରିବାରରେ ସାରବାନ୍ ଖାଦ୍ୟ

 

ଏହି ପୁସ୍ତକରେ ପାରିବାରିକ ସ୍ୱାସ୍ଥ୍ୟବିଧାନ ବିଷୟରେ ଦୁଇଗୋଟି ପ୍ରବନ୍ଧରେ ସାଧାରଣ ଭାବରେ ସ୍ୱାସ୍ଥ୍ୟର ଆଲୋଚନା ହୋଇଅଛି । ବର୍ତ୍ତମାନ ପ୍ରବନ୍ଧରେ ଆମ୍ଭମାନଙ୍କ ଖାଦ୍ୟ ଉପରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ୱାସ୍ଥ୍ୟ କିପରି ନିର୍ଭର କରେ ତାହାର କଥଞ୍ଚିତ ଆଲୋଚନା କରାଯିବ ।

ଜଣେ ଖ୍ୟାତିନାମା ଖାଦ୍ୟତତ୍ତ୍ୱବିତ୍ ଡାକ୍ତର Sir Robert Mc larrison, C.I.E., M.D., D.Sc., Li.D., F.R.C.P., Major General I.M.S., ଆମ ଦେଶର ବିଭିନ୍ନ ପ୍ରଦେଶରେ ଯେଉଁ ଖାଦ୍ୟ ଖିଆହୁଏ ତାହା ମୂଷାମାନଙ୍କୁ ଖାଇବାକୁ ଦେଇ ଯେଉଁ ଫଳ ପାଇଥିଲେ ତାହା ତଳେ ଦିଆଗଲା । ଏହି ମୂଷାମାନେ ଏକ ମାଆଠାରୁ ଜନ୍ମିଥିଲେ ଓ ଏମାନଙ୍କର ଓଜନ ପରୀକ୍ଷା ପୂର୍ବରୁ ସମାନ ଥିଲା ।

୧.

ଶିଖମାନଙ୍କ ଖାଦ୍ୟ ଖାଇଥିବା ମୂଷାର ଓଜନ ୨୩୫ ଗ୍ରାମ

୨.

ପଠାଣମାନଙ୍କ ଖାଦ୍ୟ ଖାଇଥିବା ମୂଷାର ଓଜନ ୨୩୦ ଗ୍ରାମ

୩.

ମରହଟାମାନଙ୍କ ଖାଦ୍ୟ ଖାଇଥିବା ମୂଷାର ଓଜନ ୨୨୫ ଗ୍ରାମ

୪.

କ୍ୟାନାରିମାନଙ୍କ ଖାଦ୍ୟ ଖାଇଥିବା ମୂଷାର ଓଜନ ୧୮୫ ଗ୍ରାମ

୫.

ବଙ୍ଗାଳିମାନଙ୍କ ଖାଦ୍ୟ ଖାଇଥିବା ମୂଷାର ଓଜନ ୧୮୦ ଗ୍ରାମ

୬.

ମାନ୍ଦ୍ରାଜିମାନଙ୍କ ଖାଦ୍ୟ ଖାଇଥିବା ମୂଷାର ଓଜନ ୧୫୫ ଗ୍ରାମ

 

୧ ତୋଳା = ୧୧.୪ ଗ୍ରାମ

 

ଆମ ଦେଶରେ ସୈନ୍ୟ ବିଭାଗରେ ଅଧିକାଂଶ ଶିଖ, ପଠାଣ ଓ ମରହଟା ଜାତିର ଲୋକ । ବଙ୍ଗାଳି, ମାନ୍ଦ୍ରାଜି ଓ ଓଡ଼ିଆ ଖୁବ୍ କମ୍‌ ଅଛନ୍ତି । ଓଡ଼ିଆ ପ୍ରାୟ ନାହାନ୍ତି କହିଲେ ଚଳେ । ଏହାର କାରଣ କଣ ? ଉପରଲିଖିତ ଖାଦ୍ୟ ତାଳିକାରେ ଏହାର କାରଣ ସ୍ପଷ୍ଟ ରହିଅଛି । ଦିନ ଥିଲା ଓଡ଼ିଆ ସାଗର ପାର ହୋଇ ଅନ୍ୟ ସ୍ଥାନରେ ଏକ ସାମ୍ରାଜ୍ୟ ସ୍ଥାପନ କରିପାରିଥିଲା। ସମ୍ରାଟ ଖାରବେଳ ଓଡ଼ିଆ ପାଇକଙ୍କୁ ନେଇ ଭାରତବର୍ଷର ପ୍ରାୟ ବାରପଣ ଅଧିକାର କରି ପାରିଥିଲେ । ଆମେ ସେହି ଓଡ଼ିଆଙ୍କର ବଂଶଧର ହୋଇ ସାମାନ୍ୟ ସିପାହୀ ହେବା ନିମିତ୍ତ ଅନୁପଯୁକ୍ତ ବୋଲି ବିବେଚିତ ହେଉଅଛୁଁ । ଜାତିର ଏହି ଅବନତିର ଏକ ପ୍ରଧାନ କାରଣ ହେଉଅଛି ଖାଦ୍ୟ ।

 

ପ୍ରଶ୍ନ ହୋଇପାରେ ଆମର ପୂର୍ବ ପୁରୁଷମାନେ ଯେଉଁ ଭାତ ଡାଲି ତରକାରି ଖାଉଥିଲେ ଆମେ ତ ସେଇଆ ଖାଉଛେଁ, ତେବେ ଆମ ଖାଦ୍ୟରେ ଦୋଷ ରହିଲା କେଉଁଠାରେ ? ଦୋଷ ରହିଅଛି ଭାତ ଡାଲି ତରକାରି ଖାଇ ନ ଜାଣିବାରେ । ତାହା କଅଣ ବିଚାର କରାଯାଉ । ଶିଖ ଓ ପଠାଣ ଖାଆନ୍ତି ରୁଟି, ସେହି ରୁଟି ତିଆରି ହୁଏ ହାତପେଷା ଗୋଟା ଗହମର ଅଟାରୁ । ଏହି ଅଟାରେ ଗହମର ସମସ୍ତ ଅଂଶ ଚୂନା ହୋଇ ରହିଥାଏ । ଦେହ ବଢ଼ିବା ନିମିତ୍ତ ଯାହା ଦରକାର ବ୍ୟବହାର କରୁଥିବାରୁ ସେମାନଙ୍କ ଦେହ ଭଲ ବଢ଼େ । ଆମେ କିନ୍ତୁ ଯେଉଁ ଚାଉଳ ଭାତ କରି ଖାଉଁ ତାହା ଗୋଟା ବା ଅକ୍ଷତ ଚାଉଳ ନୁହେଁ । ଚାଉଳକୁ ଆମେ କୁଟି କାଣ୍ଡି ତାହାର ସାର ଫୋପାଡ଼ି ଦେଉଁ, ସିଝେଇ ପେଜ ଗାଳି ତାକୁ ନଳାରେ ଅଜାଡ଼ି ଦେଉଁ । ଆମର ପ୍ରଧାନ ଖାଦ୍ୟ ଚାଉଳକୁ ସାରହୀନ କରି ଖାଇବାରୁ ଆମର ଏହି ଦୈହିକ ଅଧୋଗତି ହୋଇ ଅଛି । ଆମ ପୂର୍ବପୁରୁଷମାନେ ତେବେ ଚାଉଳକୁ କିପରି ବ୍ୟବହାର କରୁଥିଲେ ? ଆମେ ଯେମିତି ବ୍ୟବହାର କରୁଛେଁ ସେମିତି କେବେହେଁ ନୁହେଁ । ଓଡ଼ିଆରେ ଗୋଟିଏ ପ୍ରବଚନ ଅଛି । କେହି କାହାର ନିଖୁଣ ସୌନ୍ଦର୍ଯ୍ୟ ଦେଖିଲେ କହେ, ‘‘ସେ ସତେ ଯେମିତି ଗୋଟିଏ ଚାଉଳରେ ଗଢ଼ା’’ । ଗୋଟିଏ ଚାଉଳ ଅର୍ଥାତ୍ ଗୋଟା ଚାଉଳ ଅର୍ଥାତ୍ ସେହି ଚାଉଳ, ଯାହା ଦେହରୁ କିଛି ଖସି ଯାଇ ନାହିଁ, ଅର୍ଥାତ୍ ଅକ୍ଷତ । ଅକ୍ଷତ ଶବ୍ଦର ଅନ୍ୟ ଅର୍ଥ ମଧ୍ୟରେ ଏକ ଅର୍ଥ ହେଉଅଛି ଅରୁଆ ଚାଉଳ, କିନ୍ତୁ ବର୍ତ୍ତମାନ ସର୍ବସାଧାରଣରେ ବ୍ୟବହୃତ ହେଉଥିବା ଅରୁଆ ଚାଉଳ କଦାପି ଅକ୍ଷତ ନୁହେଁ । ଅକ୍ଷତ ସେହି ଚାଉଳ ଯାହା ଉପରୁ ତଷୁ କେବଳ ଯାଇଅଛି ଓ ଅନ୍ୟ କିଛି ତିଳେ ସୁଦ୍ଧା ନଷ୍ଟ ହୋଇ ନାହିଁ । ଆମ୍ଭେମାନେ ବାରମ୍ବାର ପରୀକ୍ଷା କରି ଦେଖି ଅଛୁଁ ଏହି ଅକ୍ଷତ ଚାଉଳ ଯେପରି ସମଧିକ ପୁଷ୍ଟିକର ସେହିପରି ଲଘୁପାକ ମଧ୍ୟ; କାରଣ ଚାଉଳରେ ଥିବା ଶ୍ୱେତସାରକୁ ଜୀର୍ଣ୍ଣ କରିବା ନିମିତ୍ତ ଯାହା ଆବଶ୍ୟକ ତାହା ଅନ୍ୟାନ୍ୟ ସାର ସହିତ ଚାଉଳର ଉପର ଆବରଣରେ ଥାଏ । ଏହି ଉପର ଆବରଣଟି କଣ୍ଡା ହେଲାବେଳେ ଚାଲିଯାଇ ଚାଉଳକୁ ଶକ୍ତିହୀନ କରିପକାଏ ।

 

ଗୋଟିଏ ଧାନ ଆଣ, ତା ଉପରୁ ଧୀର କରି ନଖରେ ଚୋପା ବା ତଷୁକୁ ଛଡ଼ାଇଦିଅ । ଦେଖିବ ସେହି ଚାଉଳର ଦୁଇ ପ୍ରାନ୍ତ ସମାନ ନୁହେଁ । ଏକ ପ୍ରାନ୍ତର ଆଗର ଠିକ୍ ତଳ ସାମାନ୍ୟ ଟିକିଏ ଚେପଟା ହୋଇ ଅଳ୍ପ ଖାଲୁଆ ହୋଇଯାଇଅଛି । ଏହି ସ୍ଥାନରେ ରହିଅଛି ଧାନର ମଞ୍ଜି ଯେଉଁଠାରୁ ଭବିଷ୍ୟତରେ ବାହାରିବ ଗଜା । ଗଜା ବା ଶିଶୁଟିକୁ ବାହାର କରିବା ନିମିତ୍ତ ନାନାପ୍ରକାରର ସାର ଆବଶ୍ୟକ, ସେ ସମସ୍ତ ଏହିଠାରେ ଅତିଛୋଟ ଆକାରରେ କେନ୍ଦ୍ରୀଭୁତ ହୋଇ ରହିଅଛି । ଧାନ କୁଟିଲା ବେଳେ ଏହି କଣିଟି ଖସିଯାଏ, କାଣ୍ଡିଲା ବେଳେ ସାରପୂର୍ଣ୍ଣ ଉପର ଆବରଣ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ଚାଲିଯାଏ । ଭାତ ରନ୍ଧାହେବା ପୂର୍ବରୁ ଚାଉଳ ଧୁଆହୁଏ-। ଏଥିରେ ବହୁତ ସାର ଚାଲିଯାଏ, ତାପରେ ପେଜ ଗଳାହୁଏ । ଏହିପରି କୁଟା, କଣ୍ଡା, ଧୁଆ, ସିଝା ହୋଇ ଧୋବ ଫର ଫର ଭାତ ଯେତେବେଳେ ଆମ ଥାଳିକୁ ଆସେ ସେତେବେଳେ ସେଥିରେ ଦେହ ଗଢ଼ିବା ନିମିତ୍ତ ସାର ଖୁବ୍ କମ୍ ଥାଏ । ଆମର ପୂର୍ବ ପୁରୁଷମାନେ ଏପରି ଚାଉଳ ଯଦି ବ୍ୟବହାର କରିଥାଆନ୍ତେ ତେବେ ସୌନ୍ଦର୍ଯ୍ୟର ଆଦର୍ଶ ସେମାନେ ଗୋଟା ବା ଅକ୍ଷତ ଚାଉଳରେ ଦେଖି ନଥାନ୍ତେ ଏବଂ ଉପରୋକ୍ତ ପ୍ରବଚନ ପରି ସୁନ୍ଦର କଥାଟିଏ ଆମ ଭାଷାରେ ପଶିନଥାନ୍ତା ।

 

ଆମେ ତେବେ ଚାଉଳ କିପରି ତିଆରି କରିବା ଓ ଭାତକୁ କିପରି ରାନ୍ଧିବା ? ଏ ପ୍ରଶ୍ନର ଠିକ୍ ଉତ୍ତର ଦେବା ପୂର୍ବରୁ ଖାଦ୍ୟର ପ୍ରାକୃତିକ ଉପାଦାନ ସମ୍ବନ୍ଧରେ କିଛି ଆଲୋଚନା ଆବଶ୍ୟକ । ଆମର ପ୍ରତ୍ୟେକ ସାଧାରଣ ଖାଦ୍ୟକୁ ବିଶ୍ଳେଷଣ କଲେ ସେଥିରେ ଆମେ ଛଅ ପ୍ରକାର ବିଭିନ୍ନ ଜିନିଷ ପାଉଁ; ଯଥା:- (୧) ପାଣି, (୨) ସ୍ନେହସାର ବା ଫ୍ୟାଟ୍, (୩) ଶ୍ୱେତସାର ବା ଷ୍ଟାଚି, (୪) ପୁଷ୍ଟିସାର ବା ପ୍ରୋଟିନ୍, (୫) ଧାତଲବଣ ବା ମିନରାଲ ଏବଂ (୬) ଜୀବନିକା ବା ଭିଟାମିନ୍ । ଏହି ଛଅ ପ୍ରକାର ଜିନିଷ ମଧ୍ୟରେ ପୁଷ୍ଟିସାର, ଧାତବଲବଣ ଓ ଜୀବନିକା ଆମ ଦେହକୁ ଗଢ଼ିବାରେ ଓ କ୍ଷୟ ପୂରଣ କରିବାରେ ଆବଶ୍ୟକ । ତେଣୁ ଖାଦ୍ୟତତ୍ତ୍ୱଜ୍ଞମାନେ ଏଗୁଡ଼ିକୁ ରକ୍ଷାକାରୀ-(Protective) ଖାଦ୍ୟ କହନ୍ତି । ଶ୍ୱେତସାର, ସ୍ନେହସାର ଓ ପାଣି ଦେହ ଇଞ୍ଜିନକୁ ଚଳାଇବା ନିମିତ୍ତ ଶକ୍ତି ଦିଅନ୍ତି । ମଟର ଗାଡ଼ିରେ ପେଟ୍ରୋଲ ଯାହାକରେ ଆମ ଦେହରେ ଏ ଗୁଡ଼ିକର କାର୍ଯ୍ୟ ତାହା । ଅକ୍ଷତ ଚାଉଳରେ ଏହି ଛଅ ପ୍ରକାର ଜିନିଷ ରହିଅଛି । କିନ୍ତୁ କାଣ୍ଡିଆ ଧୋବ ଚାଉଳର ଭାତ ପ୍ରାୟ କେବଳ ଶ୍ୱେତସାର । ଏହା ଦେହକୁ ଚଳେଇବା ନିମିତ୍ତ ଶକ୍ତି ଦିଏ ମାତ୍ର । ଗଢ଼ିବା ଓ ବଢ଼େଇବା ନିମିତ୍ତ ଏଥିରେ ପ୍ରାକୃତିକ ଉପାଦାନ ପ୍ରାୟ ନାହିଁ କହିଲେ ଚଳେ । ପୁଷ୍ଟିସାର, ଧାତୁସାର ଓ ଜୀବନିକା ଥାଏ ଉପର ଆବରଣରେ, ତେଣୁ ଚାଉଳକୁ କାଣ୍ଡିବା ଆଦୌ ଉଚିତ ନୁହେଁ-। ଭାତ ରାନ୍ଧିବା ପୂର୍ବରୁ ଚାଉଳକୁ ଧୋଇଲେ ଏଥିରେ ଥିବା ‘ଖ’ ଜୀବନିକା ଜଳଦ୍ରବ ହୋଇଥିବାରୁ ଧୋଇ ହୋଇ ଚାଳିଯାଏ । ଚାଉଳ ଧୁଆ ହେଲେ ଯେତେ ସାର ନଷ୍ଟହୁଏ ପେଜ ଫୋପାଡ଼ି ଦେଲେ ସେତେ ହୁଏ ନାହିଁ । ତେଣୁ ଖାଇବା ଚାଉଳ ପ୍ରକୃତରେ ଅକ୍ଷତ ହେବା ଉଚିତ । ଆମର ପୂର୍ବ ପୁରୁଷମାନେ ଚାଉଳର ନାମ ସେଥିନିମିତ୍ତ ଅକ୍ଷତ ରଖି ଦେଇ ଯାଇଅଛନ୍ତି । ବର୍ତ୍ତମାନ ସମାଜରେ ପ୍ରାୟ କେହି ଏହା ବ୍ୟବହାର କରନ୍ତି ନାହିଁ । ଧାନରୁ କିପରି ଏହା ବାହାରେ ଲୋକେ ଭୁଲିଗଲେଣି-। ତେବେ ଅକ୍ଷତ ସ୍ଥାନରେ ଆମେ ଅକଣ୍ଡା ଅଧୁଆ ଉଷୁନା ଚାଉଳର ଅଗଳା ଭାତ ବ୍ୟବହାର କରନ୍ତେ ତେବେ ଆମର ଖାଦ୍ୟ ଏପରି ସାରହୀନ ହୁଅନ୍ତା ନାହିଁ ।

 

ଅରୁଆ ନଖାଇ ଉଷୁନା ଚାଉଳ କାହିଁକି ଖାଇବ ? ଅରୁଆ ଅକ୍ଷତ ହେଲେ ଆଦର୍ଶ ହେଲା; କିନ୍ତୁ ସାଧାରଣ ପ୍ରଚଳିତ ଅରୁଆ ଚାଉଳରୁ କେବଳ କଣିଟି ଯେ ଖସି ଯାଇଥାଏ ତାହା ନୁହେଁ, ବାହାର ଆବରଣରୁ ବହୁତ ପୃଷ୍ଟିକର ଅଂଶ କୁଟିଲା ବେଳେ ଚାଲଯାଇଥାଏ । ଧାନକୁ ଉଷେଇଁ ଦେଲେ କଣି ସହିତ ବାହାର ଆବରଣ ଏପରି ଭାବରେ ଚାଉଳ ଦେହରେ ମିଶିଯାଏ ଯେ କୁଟିବାଦ୍ୱାରା ତାହା ସହଜରେ ଅପସାରିତ ହୋଇପାରେ ନାହିଁ ।

 

ପୁଷ୍ଟିସାରକୁ ଇଂରେଜୀରେ ପ୍ରୋଟିନ୍ କହନ୍ତି । ଏହି ପ୍ରୋଟିନ୍ ଶବ୍ଦଟି ଗ୍ରୀକ୍ ଭାଷାରୁ ଆସିଅଛି । ଏହାର ଆକ୍ଷରିକ ଅର୍ଥ ‘‘ମୁଁ ସବୁଠାରୁ ବଡ଼’’ । ପ୍ରକୃତରେ ଖାଦ୍ୟର ଅନ୍ୟାନ୍ୟ ପାଞ୍ଚଟି ପୁଷ୍ଟିସାର ଉପାଦାନ ମଧ୍ୟରେ ଏହା ବିଶିଷ୍ଟ ସ୍ଥାନ ପାଇବାର ଯୋଗ୍ୟ, କାରଣ ଖାଦ୍ୟରେ ଏହା ଯଥେଷ୍ଟ ଥିଲେ ଦେହ ଗଢ଼ି ହୁଏ । ଦେହ ରୂପ ଘରରେ ଏହା ଇଟା ପଥର ପରି କାମ ଦିଏ । ତେବେ ଆମର କେଉଁ ଖାଦ୍ୟରେ ଏହା ବେଶି ପରିମାଣରେ ମିଳେ ? ଆମର ସବୁ ଖାଦ୍ୟରେ ଏହା ଊଣା ଅଧିକ ଅଛି, କିନ୍ତୁ ବେଶିଥାଏ ଦୁଧ, ଅଣ୍ଡା, ମାଛ, ମାଂସ ଓ ଡାଲିରେ । ପ୍ରାୟ ପଚିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭେମାନେ ବଢ଼ୁଁ, ଅର୍ଥାତ୍ ଦେହ ଭିତରର ହାଡ଼ ଯନ୍ତ୍ର ଶିରାପ୍ରଶିରା ପ୍ରଭୃତି ପଚିଶ ପାର ହୋଇଗଲେ ଆଉ ବଢ଼ନ୍ତି ନାହିଁ; ତେଣୁ ବଢ଼ିବା ବୟସରେ ଯଦି ଖାଦ୍ୟରେ ଦୁଧ, ଦହି, ମାଛ, ମାଂସ ଉପଯୁକ୍ତ ପରିମାଣରେ ଥାଏ, ସେମାନେ ସେଥିପାଇଁ ଭଲ ବଢ଼ନ୍ତି । ଆମ ଖାଦ୍ୟରେ ତାହା କମ ଥାଏ, ତେଣୁ ଆମେ ସେମାନଙ୍କ ତୁଳନାରେ ଦୁର୍ବଳ ଓ ଆକାରରେ ଛୋଟ ହୋଇଥାଉଁ । ଆମ ପିଲାଏ ଯଦି ବଢ଼ିବା ବୟସରେ ଦିନକେ ଖୁବ୍ କମରେ ତିନିପା ଖାଣ୍ଟି ଦୁଧ ପିଇ ପାରନ୍ତେ ତେବେ ପୁଷ୍ଟିକର ଓ ଧାତୁସାର ନିମିତ୍ତ ଆମକୁ ଭାବିବାକୁ ପଡ଼ନ୍ତା ନାହିଁ । ଆମ ମଧ୍ୟରେ ଶତକଡ଼ା ୫ଜଣଙ୍କୁ ସୁଦ୍ଧା ଖାଣ୍ଟି ଦୁଧ ମିଳୁ ନାହିଁ । ମାଛ, ମାଂସ, ଅଣ୍ଡା ତ ଅନେଇକଙ୍କୁ ସପନ । ଡାଲି - ମୁଗ, ବିରି, କୋଳଥ, ହରଡ଼, ଆଦି ଆମର ଏଥିନିମିତ୍ତ ପ୍ରଧାନ ସମ୍ବଳ; କିନ୍ତୁ ଡାଲିରେ ଥିବା ପୁଷ୍ଟିସାରକୁ ଆମେ ସହଜରେ ଜୀର୍ଣ୍ଣ କରିପାରୁ ନାହିଁ । ଡାଲି ରନ୍ଧା ହେଲା ବେଳେ ଏପରି ହେବ ଯେ ତାହାର ଦାନା ଆଦୌ ଦେଖାଯିବ ନାହିଁ, ଏକାବେଳକେ ସିଝି ଫିଟି ଯାଇଥିବ; ତାହାହେଲେ ଆମେ ଡାଲିକୁ ଆଂଶିକ ଜୀର୍ଣ୍ଣ କରି ପାରିବା; କିନ୍ତୁ ଗୋଟିଏ ସହଜ ଉପାୟରେ ଏହି ଡାଲି ବଡ଼ ଚଞ୍ଚଳ ହଜମ ହୋଇଯାଏ ଓ ରନ୍ଧାଡାଲି ଅପେକ୍ଷା ଶତଗୁଣ ଫଳ ଦେଇଥାଏ ।

 

ଏହା ହେଉଅଛି ମୁଗକୁ ଗଜା କରିଦେବା । ଗଜାମୁଗ ଖାଲି ମୁଗ ଅପେକ୍ଷା କାହିଁକି ଅଧିକତର ଫଳ ଦିଏ ବିଚାର କରାଯାଉ । ଦୁଧ ଗୋଟିଏ ପରିପୂର୍ଣ୍ଣ ଖାଦ୍ୟ, କାରଣ ଗୋଟିଏ ଜୀବନକୁ ବଢ଼ାଇବା ନିମିତ୍ତ ଖାଦ୍ୟରେ ଯେଉଁ ୬ଟି ଉପାଦାନ ଯେଉଁ ଅନୁପାତରେ ଆବଶ୍ୟକ ତାହା ଦୁଧରେ ସେହି ଅନୁପାତରେ ଓ ଉପଯୁକ୍ତ ପରିମାଣରେ ଥାଏ । ଅଣ୍ଡା ମଧ୍ୟ ସେହିପରି । ମୁଗ କିମ୍ବା ଯେ କୌଣସି ଶସ୍ୟରୁ ଯେତେବେଳେ ଗଜା ବାହାରିଲା ସେ ଗଜାଟି ହେଲା ତାହାର ଶିଶୁ, ମୁଗ ଦାନା ବର୍ତ୍ତମାନ ହେଲା ସେହି ଗଜା ବା ଶିଶୁର ଖାଦ୍ୟ । ଚେର ହେବା ପର୍ଯ୍ୟନ୍ତ ଦାନାଟିକୁ ଖାଇ ଗଜା ବା ଶିଶୁଟି ବଢ଼ିବ । ଯେଉଁ ଦାନା ପୂର୍ବେ ସହଜରେ ଜୀର୍ଣ୍ଣ ହେଉନଥିଲା ବର୍ତ୍ତମାନ ଶିଶୁର ଖାଦ୍ୟ ହୋଇଯିବାରୁ ସହଜରେ ଜୀର୍ଣ୍ଣ ହେବା ଅବସ୍ଥାକୁ ଆସିଲା ଓ ପୂର୍ବେ ଯେଉଁ ଜୀବନିକା ଏଥିରେ ନଥିଲା ଗଜା ବାହାରି ପଡ଼ିଲା ଉତ୍ତାରୁ ସେଗୁଡ଼ିକ ଶିଶୁଟିକୁ ବଢ଼ାଇବା ନିମିତ୍ତ ଚାଲିଆସିଲେ । ଏଥିରେ ‘କ’ ‘ଗ’ ଓ ‘ଙ’ ଜୀବନିକା ଯଥେଷ୍ଟ ପରିମାଣରେ ଥାଏ । ଏହି ଗଜା ବିଭିନ୍ନ ଶସ୍ୟକୁ ଆମେ ଗଛଦୁଧ କହିଲେ କଥାଟା ଭୁଲ ହେବ ନାହିଁ । ପ୍ରକୃତରେ ଏହା ଗଛ ଶିଶୁର ଦୁଧ ଅଟେ । ଆମେ ଯେତେବେଳେ ପ୍ରାଣୀ ଦୁଧ ପାଉନାହୁଁ, ଉପଯୁକ୍ତ ପରିମାଣରେ ମାଛ ମାଂସ ଓ ଅଣ୍ଡା କିଣି କଅଣ ମୁଣ୍ଡରେ ହାତ ଦେଇ ବସିବା ଓ ତାହା ଅଭାବ ହେତୁ ଖଣ୍ଡିଆ, ଖାବରା, ବାଙ୍ଗରା ହୋଇ ବଢ଼ିବା ? ଆମର ତ ଅଧିକାଂଶ ଏପରି ବଢ଼ୁଛନ୍ତି । କିନ୍ତୁ ଶିଖ ପିଲା କିମ୍ବା ସାହେବ ପିଲାଙ୍କ ଆଗରେ ଆମ ପିଲାଏ ଛିଡ଼ାହେଲେ ଆମକୁ ଲାଜ ମାଡ଼ୁଛି । ତେଣୁ ଦୁଧ ନ ମିଳିଲେ ତାହାର ଅଭାବ ଆମେ ବହୁତ ପରିମାଣରେ ଗଜାମୁଗ ଖାଇ ପୂରଣ କରିପାରିବା । ଗଜାମୁଗର ବ୍ୟବହାର ଏମିତି କିଛି ଗୋଟାଏ ନୂଆକଥା ନୁହେଁ । ଆମ ସମାଜରେ ଏହା କେଉଁ କାଳୁ ରହିଅଛି-। ତାକୁ ଛାଡ଼ି, ବଜାରର ପାଟିସୁଆଦିଆ ଅଥଚ ପେଟସୁଆଦିଆ ଖାଦ୍ୟ ଖାଇ ଆମେ ଭେଣ୍ଡା ନ ହୋଇ ମେଣ୍ଢା ହୋଇଗଲୁଣି । ଏହା କଅଣ ବରାବର ଚାଲିଥିବ ? ପୁଷ୍ଟିସାର ଧାତୁସାର ଓ ଜୀବନିକା ପୂର୍ଣ୍ଣ ହୋଇଥିବାରୁ କିଛି କିଛି ଗଜାମୁଗ ପ୍ରତିଦିନ ପ୍ରତ୍ୟେକ ଖିଆଣିରେ ରହିବା ଉଚିତ । ଆମ୍ଭେମାନେ ଏପରି କହୁଅଛୁ, ତାହାର କାରଣ ହେଉଅଛି ଆମେ ସାଧାରଣ ଭାବରେ ଯେପରି ପ୍ରତିଦିନ ଆମର ଭାତ ଡାଲି ଖାଉଅଛୁଁ ତାହା ଏହା ତିଆରି ଯେ ସେଥିରେ ରନ୍ଧାକାରୀ ଖାଦ୍ୟର ପରିମାଣ ବଡ଼ କମ୍ ଥାଏ । ଗଜାମୁଗ ସେ ଅଭାବକୁ ବହୁତ ପୂରଣ କରନ୍ତା । ସାହେବମାନେ ଡାଲିକୁ ଗରିବର ମାଂସ କହନ୍ତି (Poorman's beaf), ସେହିପରି ଆମ୍ଭେମାନେ ଗଜାମୁଗକୁ କହୁଁ ଗରିବର ଦୁଧ ।

 

ପନି ପରିବାରୁ ଚୋପା ଛଡ଼ାଇ ରାନ୍ଧିବା ଉଚିତ ନୁହେଁ । ଜୀବନିକା - ଯାହା ଖଦ୍ୟରେ ନଥିଲେ ଆମ ଦେହ ଖାଦ୍ୟସ୍ଥିତ ସାର ଗ୍ରହଣ କରିପାରେ ନାହିଁ - ଆସେ ସୂର୍ଯ୍ୟ କିରଣରୁ, ଏହା ଫଳ କିମ୍ବା ପନିପରିବାର ଉପରେ ପଡ଼େ, ତେଣୁ ଉପର ଆବରଣରେ ଯେତେ ଜୀବନିକା ଥାଏ ଭିତର ଶସ ଭିତରେ ସେତେ ନଥାଏ, ସମୟ ସମୟରେ ଆଦୌ ନଥାଏ । ଆଳୁ କିମ୍ବା ଯେ କୌଣସି ମୂଳ ଜାତୀୟ ଖାଦ୍ୟ ପଦାର୍ଥ ସୂର୍ଯ୍ୟ କିରଣ ପାଉ ନଥିବାରୁ ତାହାର ଜୀବନିକା ଚୋପା ସାଙ୍ଗରେ ଲାଗିକରି ଥାଏ । ଚୋପାକୁ ଛଡ଼ାଇ ଦେଲେ ଜୀବନିକାତକ ଚାଲିଯାଏ । ଚୋପାକୁ ଖାଇଲେ ଲାଭ ଛଡ଼ା କ୍ଷତି ନାହିଁ, ତେବେ ଯଦି କେହି ଚୋପା ଖାଇବାକୁ ନାରାଜ ହୁଅନ୍ତି, ତାହାହେଲେ ଚୋପା ସହିତ ପରିବା ରନ୍ଧା ହେଉ ଓ ଖାଇବା ବେଳେ ଚୋପାକୁ କାଢ଼ି ଫୋପାଡ଼ି ଦିଆଯାଇ ପାରେ । ସିଝିବାସମୟରେ ଚୋପାରେ ଲାଗିଥିବା ସାର ଶସ୍ୟର ଚାରିଆଡ଼କୁ ଖେଳେଇ ହୋଇଯାଏ; ତେଣୁ ଖାଦ୍ୟ ହିସାବରେ ଏହାର ମୂଲ୍ୟ ଅଧିକ କମିଯାଏ ନାହିଁ । କାଟିବା ଆଗରୁ ପନିପରିବା ଧୋଇନେବା ଭଲ, କାଟି ସାରି ଧୋଇଲେ ବହୁତ ଧାତୁସାର ପାଣିରେ ମିଶି ଚାଲିଯାଏ । କଟା କଦଳୀ, ବାଇଗଣ ପ୍ରଭୃତି ଧୁଆ ପାଣିରେ ଯେଉଁ ରଙ୍ଗ ଦେଖାଯାଏ ତାହା ଉକ୍ତ ପରିବାରେ ଥିବା ଧାତୁ ନିମିତ୍ତ । ଏହି ଧାତୁ ଆମର ବିଶେଷ ଲୋଡ଼ା ।

 

ଶାଗ ଓ କଞ୍ଚାପତ୍ର ପ୍ରତିଦିନ ଖାଇବା ଆବଶ୍ୟକ । ଖାଦ୍ୟ ହିସାବରେ ଏହାର ସ୍ଥାନ ଉଚ୍ଚ ଏବଂ ବିଶେଷ ପୃଷ୍ଟିକର ଯେ ଶାଗ ବେଶି ଖାଇଲେ ସହଜରେ ଜୀର୍ଣ୍ଣ ହୁଏ ନାହିଁ ଓ ଦେହର କ୍ଷତି କରିଥାଏ । ପ୍ରତ୍ୟେକ ଶାଗ ବା ସବୁଜ ପତ୍ରରେ ଯେଉଁ ‘ଗ’ ଜୀବନିକା ମିଳେ, ତାହା ଅଧିକ ଉତ୍ତାପରେ ନଷ୍ଟ ହୋଇଯାଏ, ତେଣୁ ଏହା ବେଶି ସିଝାଇବା ଉଚିତ ନୁହେଁ । ଧନିଆ, ପୋଦିନା ଓ ଭୃଷୁଙ୍ଗା ପତ୍ରର ଚଟଣି ବ୍ୟବହାର କଲେ ଆମ୍ଭେମାନେ କଞ୍ଚାପତ୍ର ଖାଇଥାଉ । ଅନେକ ମନେ କରନ୍ତି ଏଥିରେ ସାର ନାହିଁ; ଏହା ସମ୍ପୂର୍ଣ୍ଣ ଭୁଲ । ପ୍ରତିଦିନ କିଛି କଞ୍ଚାପତ୍ର କିମ୍ବା ପାଚିଲା ଫଳ ଖାଇବା ଏକ ପରମ ହିତକର ଅଭ୍ୟାସ ଅଟେ । ଯେ କୌଣସି ଗୋଟା ଶସ୍ୟ [ଅକ୍ଷତ ଚାଉଳ, ଗହମ, ମାଣ୍ଡିଆ ଆଦି, କିଛି ଖାଣ୍ଟି ଦୁଧ, ଶାଗ ବା କଞ୍ଚାପତ୍ର ସହିତ ଖିଆହେଲେ ଦେହ ବଢ଼ିବା ନିମିତ୍ତ ଯାହା ଦରକାର ସବୁ ଦେଇପାରିବ ।

 

ଏଥିରୁ ଜଣାପଡ଼ିବ ଯେଉଁ ନାଲି ଅକାଣ୍ଡିଆ ଚାଉଳ, ଗୋଟା ଡାଲି ଓ ଶାଗକୁ ଆମେ ଖାଦ୍ୟ ହିସାବରେ ଅନାଦର କରୁ ତାହା ଯଦି ଉପଯୁକ୍ତ ଭାବରେ ବ୍ୟବହାର କରାଯାନ୍ତା ତେବେ ଆମର ଦୈହିକ ଅବନତି ଏପରି ସାଂଘାତିକ ହୁଅନ୍ତା ନାହିଁ । ଜଣେ ବଡ଼ ଖାଦ୍ୟତତ୍ତ୍ୱବିତ୍ କହିଅଛନ୍ତି–ମନୁଷ୍ୟ ସାରହୀନ ଖାଦ୍ୟ ଖାଇ ବଞ୍ଚି ରହିପାରେ ଏବଂ କ୍ୱଚିତ୍ ଜାଣିପାରେ ଯେ ତାହାର ଶକ୍ତି ସାମର୍ଥ୍ୟ କମିଯାଉଅଛି । ଆମର ଠିକ୍ ଏହିପରି ହୋଇଅଛି ।

Image

 

ପରିବାରରେ ନାରୀର ସ୍ଥାନ

 

ଆମ୍ଭମାନଙ୍କ ଦେଶର ଧର୍ମଶାସ୍ତ୍ରରେ ଲେଖାଅଛି, ‘‘ଯେଉଁ ଗୃହରେ ନାରୀ ପୂଜା ପାଆନ୍ତି, ଦେବତା ସେହି ଗୃହକୁ ଆଶୀର୍ବାଦ କରନ୍ତି’’ ଏବଂ ଆମ୍ଭମାନଙ୍କ ଦେଶର ଶାସ୍ତ୍ରକାରମାନେ ମଧ୍ୟ ନାରୀଙ୍କୁ ଲକ୍ଷ୍ମୀସ୍ୱରୂପିଣୀ ବୋଲି କଳ୍ପନା କରିଅଛନ୍ତି । ଶାସ୍ତ୍ରକାରମାନଙ୍କର ଏ ସବୁ ଉକ୍ତିରୁ ସାଧାରଣତଃ ମନେ ହୁଏ, ଏ ଦେଶର ସମାଜରେ ଓ ପରିବାରରେ ନାରୀରସ୍ଥାନ ଖୁବ୍ ଉଚ୍ଚ ଥିଲା । ନାନା ଘାତପ୍ରତିଘାତରେ ଏ ଦେଶର ମନୁଷ୍ୟତା ଯେପରି ହୀନ ହୋଇ ଯାଇଅଛି, ଏ ଦେଶର ନାରୀର ସ୍ଥାନ ମଧ୍ୟ ଆଜି ସେପରି ଉଚ୍ଚ ନାହିଁ । ଶିକ୍ଷା, ସଭ୍ୟତାରେ ଆଜି ଏ ଦେଶର ପୁରୁଷର ସ୍ଥାନ ଯେତେ ନୀଚ, ନାରୀ ତାହାଠାରୁ ନୀଚତର ଆସନରେ ରହିଅଛି । କିନ୍ତୁ ପରିବାରରେ ନାରୀର ସ୍ଥାନ ଉଚ୍ଚ ଥିବା ଆବଶ୍ୟକ । ନାରୀ ପରିବାରର ପରିଚାଳନା - ନାରୀର ପରିଚାଳନା ଉପରେ ପରିବାରର ଶାନ୍ତି ଓ ଶୃଙ୍ଖଳା ବହୁ ପରିମାଣରେ ନିର୍ଭର କରେ । ଦକ୍ଷ ଓ ପରିଶ୍ରମୀ ନର ତାହାର ମୁଣ୍ଡଝାଳ ଗୋଡ଼ରେ ମାରି ବାହାରୁ ଯାହା ଅର୍ଜନ କରି ଆଣେ, ସେତକ ରଖି ଥୋଇ ଯଥୋପଯୁକ୍ତ ବ୍ୟବହାରରେ ଲଗାଇବାର ଭାର ପରିବାରର ନାରୀଙ୍କ ଉପରେ । ଯେଉଁ ପରିବାରର ନାରୀମାନେ ଘର ଭିତରର କାର୍ଯ୍ୟକୁ ସୁନ୍ଦରରୂପେ ଚଳାଇ ପାରନ୍ତି, ସେ ପରିବାରର ପୁରୁଷଙ୍କୁ ଘରର ବାହାରେ ପରିଶ୍ରମ କରିବା ପରେ ପୁଣି ଘର ଭିତରର କାମ ଦେଖି ଘର୍ମାକ୍ତ ହେବାକୁ ହୁଏ ନାହିଁ । ପରିବାରରେ ନାରୀ ତା’ର ସ୍ଥାନର ମର୍ଯ୍ୟାଦା ବୁଝି କାର୍ଯ୍ୟ କରି ପାରିବାଲାଗି ଯଥେଷ୍ଟ ଶିକ୍ଷା ଆବଶ୍ୟକ । ଏ ଶିକ୍ଷା କେବଳ ବିଦ୍ୟାଳୟରୁ ଲାଭ ହୁଏ ନାହିଁ । ବିଦ୍ୟାଳୟ ଶିକ୍ଷା ସଙ୍ଗେ ନାନା ଆଚାର ବ୍ୟବହାର ବାଟେ ଏ ଶିକ୍ଷା ନାରୀ ଲାଭ କରିବାର ସୁବିଧା ପାଇଥାଏ । ବିଦ୍ୟାଳୟ ଶିକ୍ଷା ଅବଶ୍ୟ ପ୍ରଥମ ସୋପାନ । ଏହି ଶିକ୍ଷା ଦ୍ୱାରା ଅଜ୍ଞାନ ଅନ୍ଧକାର ଦୂର ହୋଇ ଜୀବନର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ନାରୀର ପ୍ରାଥମିକ ଜ୍ଞାନ ଲାଭ ହୁଏ । ମାତ୍ର ବୟୋବୃଦ୍ଧି ସଙ୍ଗେ ସଙ୍ଗେ ପାରିବାରିକ ଜୀବନରେ ଏ ଜ୍ଞାନ ବୃଦ୍ଧି ଲାଭ କରେ । ଆମ ଦେଶରେ ଆଜିକାଲି ଅନେକ ସ୍ଥଳରେ ଦେଖାଯାଏ ଯେ, ପରିବାରର କୌଣସି ଗୁରୁତର ବିଷୟର ସମାଧାନରେ ସ୍ତ୍ରୀଲୋକମାନଙ୍କ ମତାମତକୁ ଅପେକ୍ଷା କରନ୍ତି ନାହିଁ । ଏପରି ମଧ୍ୟ କେହି କେହି କହିଥାନ୍ତି, ‘‘ମାଇପିମାନଙ୍କୁ କ’ଣ ଗୋଟାଏ ପଚାରିବା ? ଆମ୍ଭେମାନେ ଯାହା ଭାବିବା ଠିକ୍ ତାହା କରିଯିବା ।’’ କିନ୍ତୁ ଏପରି କଥାଟା ବଡ଼ ଭ୍ରମାତ୍ମକ ଓ ଏହାର କୁଫଳ ପରିବାରକୁ ଓ ସମାଜକୁ ନଷ୍ଟ କରୁଅଛି । ଆମ୍ଭେମାନେ ସ୍ତ୍ରୀଲୋକମାନଙ୍କୁ ଏହିପରି ନୀଚତା ଚିହ୍ନି ଦେବା ଦ୍ୱାରା ସେମାନେ ଆପେ ଆପେ ନୀଚରୁ ନୀଚତର ହୋଇ ଯାଉଛନ୍ତି । କୌଣସି କାର୍ଯ୍ୟ ଭାବି ଚିନ୍ତି ଠିକ୍ କରିବା କାହାରି ଏକଚାଟିଆ କାମ ନୁହେଁ । ଏ ସବୁରେ ପୁରୁଷର ଅଧିକାର ବା କ୍ଷମତା ଅଛି, ସ୍ତ୍ରୀର ମଧ୍ୟ ସେହିପରି ଅଛି । ସ୍ୱାଧୀନ ଚିନ୍ତା କରି ମତ ପ୍ରକାଶ କରିବାକୁ ଅଧିକାର ନଦେଇ ପୁରୁଷ ସ୍ତ୍ରୀଜାତିର ଚିନ୍ତାଶକ୍ତିକୁ ଦିନକୁଦିନ ଖର୍ବ କରି ଦେଇଅଛି । ପରିବାରର ଛୋଟ ବଡ଼ ସବୁ କାର୍ଯ୍ୟର ବିଚାର କଲାବେଳେ ପରିବାରର ସ୍ତ୍ରୀଲୋକମାନଙ୍କର ମତାମତ ନେଲେ କେବଳ ଯେ ସେମାନଙ୍କର ଚିନ୍ତା କରିବାର ଅବସର ମିଳେ ତାହା ନୁହେଁ, ସେମାନଙ୍କ ମତ ପାରିବାରିକ କାର୍ଯ୍ୟରେ ବହୁ ସୁଫଳ ପ୍ରସବ କରିଥାଏ । ପୁରୁଷ ଅପେକ୍ଷା ସ୍ତ୍ରୀର ପରିବାରର ସମୁହ ଉନ୍ନତି ଦେଖିବା ସକାଶେ ଅଧିକ ସୁଯୋଗ ରହିଅଛି; ତେଣୁ ତା’ର ମତ ଲୋଡ଼ିବା ପରିବାରର ମଙ୍ଗଳ ପକ୍ଷରେ ବିଶେଷ ଆବଶ୍ୟକ । ଏହିପରି ଛୋଟ ବଡ଼ ସବୁ କାର୍ଯ୍ୟ କଲାବେଳେ ପୁରୁଷମାନଙ୍କ ସଙ୍ଗେ ପରିବାରର ସ୍ତ୍ରୀଲୋକମାନେ ମତାମତ ପ୍ରକାଶ କରୁ କରୁ ସୋମାନଙ୍କର ଜ୍ଞାନ ଓ ବିଚାରଶକ୍ତିର ସମ୍ୟକ ପରିଚାଳନା ହୋଇ ସେମାନଙ୍କ ଦୃଷ୍ଟିର ପରିସର ବଢ଼ିଥାଏ । ପରିବାରରେ ପୁରୁଷମାନେ ନାରୀକୁ ପାରିବାରିକ କୌଣସି ପ୍ରଶ୍ନ ସମାଧାନରେ ବିଚାର କରିବାକୁ ସମାନ ଆସନ ଦେଲେ ନାରୀର ବିଚାରହୀନତା ଅପବାଦ ସହଜରେ ଘୁଞ୍ଚିଯିବ । ପ୍ରକୃତରେ ନାରୀର ବିଚାର କରିବାର ଶକ୍ତି ଯଥେଷ୍ଟ ଅଛି । ପୁରୁଷ ସେ ଶକ୍ତିର ବ୍ୟବହାର କରିବାକୁ ଅବସର ନଦେବାରୁ ପରିବାରର ନାନା ସମସ୍ୟା ନାରୀର ବିଚାରଶକ୍ତିର ସାହାଯ୍ୟ ଲାଭରୁ ବହୁ ସ୍ଥଳରେ ବଞ୍ଚିତ ହୋଇଥାଏ । ଏହି ସମବେତ ବିଚାରରେ ଆଉ ଗୋଟିଏ ଉପକାର ଅଛି । ପରିବାରର ମୁଖ୍ୟ କର୍ତ୍ତା ଯଦି ଏକାକୀ ବିଚାର କରି ସବୁ କାର୍ଯ୍ୟ କରି ଯାଆନ୍ତି, ତେବେ ତାହା ସମସ୍ତଙ୍କର ବୁଦ୍ଧି ବିଚାର ତ ଲାଭ କରି ପାରେ ନାହିଁ, ଏହା ଏକ କଥା; ଦୈବଦୁର୍ବିପାକରୁ କର୍ତ୍ତାଙ୍କର ଆକସ୍ମିକ ଅକାଳବିୟୋଗ ଘଟିଲେ ବା କୌଣସି କାରଣରୁ ସେ କାର୍ଯ୍ୟଚାଳନା ପାଇଁ ଅକ୍ଷମ ହେଲେ, ପରିବାରର କାର୍ଯ୍ୟକଳାପ ଅନ୍ୟମାନଙ୍କୁ ଜଣା ନ ଥିବାରୁ ଅନେକ ସ୍ଥଳରେ ଏପରି ଘଟଣାରେ ପରିବାର ବିଷମ ଦୁରବସ୍ଥାରେ ପତିତ ହୁଏ । ପରିବାରର ବିବିଧ କାର୍ଯ୍ୟର ବିଚାର କଲାବେଳେ ସ୍ତ୍ରୀ ପୁରୁଷ ସମସ୍ତେ ମିଳିମିଶି ବିଚାର କଲେ ସମସ୍ତଙ୍କର ସମ୍ମିଳିତ ଚିନ୍ତାରେ କାର୍ଯ୍ୟର ସମାଧାନ ସହଜ ହୁଏ ଏବଂ ଭବିଷ୍ୟତରେ କିଛି ଆବଶ୍ୟକ ହେଲେ ସମସ୍ତେ ପରିବାର ଭିତରେ କାର୍ଯ୍ୟଟି ଜାଣିଥିବାରୁ ସେ ବିଷୟରେ ବିଶେଷ ଅସୁବିଧା ଭୋଗ କରିବାକୁ ପଡ଼େ ନାହିଁ । ପୁଅ ଝିଅ ବିଭାଘରଠାରୁ ଜମିବାଡ଼ି କିଣା ବିକା ପର୍ଯ୍ୟନ୍ତ ସବୁ କାର୍ଯ୍ୟର ବିଚାର କଲାବେଳେ ପରିବାରର ପୁରୁଷମାନେ ସ୍ତ୍ରୀଲୋକମାନଙ୍କ ମତାମତ ଲୋଡ଼ିଲେ ସେମାନଙ୍କର ତ ବିଚାରଶକ୍ତିର କ୍ରମବିକାଶ ଘଟେ ଏବଂ ସେଥି ସଙ୍ଗେ ସଙ୍ଗେ ପରିବାରର ଭଲମନ୍ଦ, ଲାଭାଲାଭ ସବୁ ବିଷୟ ଜାଣି ସ୍ତ୍ରୀଲୋକମାନେ ପ୍ରୟୋଜନ ଅନୁସାରେ ପରିବାରର ପରିଚାଳନାରେ ମୁଖ୍ୟ ଭାବରେ ସାହାଯ୍ୟ କରି ପରିବାର ସୁବିଧା ଲାଭ କରନ୍ତି । ଆମ ଦେଶରେ ସ୍ତ୍ରୀଲୋକମାନେ ଯେ ଏଡ଼େ ନିରାଶ୍ରୟ ହୁଅନ୍ତି, ତାହା ସେମାନଙ୍କର ଜ୍ଞାନହୀନତାରୁ । ଆମ ଦେଶର ପୁରୁଷମାନେ ସ୍ତ୍ରୀଲୋକମାନଙ୍କୁ ପରିବାରରେ ମଧ୍ୟ ଯଥେଷ୍ଟ ଅଧିକାର ଦେଇ ପାରିବାରିକ ଜୀବନର ସମ୍ୟକ ଜ୍ଞାନ ଲାଭ କରିବାର ଉପଯୁକ୍ତ ବ୍ୟବସ୍ଥା କରନ୍ତି ନାହିଁ । ବେଶି ପାଠ ପଢ଼ି ନ ଥିଲେ ମଧ୍ୟ ପରିବାରର ସ୍ତ୍ରୀଲୋକଙ୍କୁ ପାରିବାରିକ ଆୟ ବ୍ୟୟ ଭୂସମ୍ପତ୍ତି ପ୍ରଭୃତି ବିଷୟରେ କ୍ରମେ କ୍ରମେ ପରିଚୟ କରାଇ ଦେଲେ ସେମାନେ ସେ ସବୁରେ ଜ୍ଞାନ ଲାଭ କରି ପାରିବାରିକ ପରିଚାଳନାରେ ପୁରୁଷକୁ ଯଥେଷ୍ଟ ସାହାଯ୍ୟ କରି ପାରନ୍ତି । ଯେଉଁ ପରିବାରର ସ୍ତ୍ରୀଲୋକମାନଙ୍କ ଉପରେ ସମ୍ପତ୍ତିର ରକ୍ଷଣାବେକ୍ଷଣ ଭାର ପଡ଼ିଅଛି, ସେମାନେ ଯେ ସେ କାର୍ଯ୍ୟରେ ପଶ୍ଚାତ୍‌ପଦ ହୋଇଅଛନ୍ତି, ତାହା ନୁହେଁ । ବରଂ ସେମାନେ ପୁରୁଷ ଅପେକ୍ଷା ଅଧିକ ନିଷ୍ଠା ଓ ତତ୍ପରତା ସହିତ ପ୍ରୟୋଜନ ଅନୁସାରେ ରକ୍ଷଣାବେକ୍ଷଣ କରି ପରିବାରର ଭୂସମ୍ପତ୍ତି ରକ୍ଷା କରିବା ଦୃଷ୍ଟାନ୍ତ ବହୁଳ ପରିମାଣରେ ଦେଖିବାକୁ ମିଳେ ।

 

ସମାଜରେ ନାରୀର ସ୍ଥାନ ପୁରୁଷର ସ୍ଥାନ ଅପେକ୍ଷା କମ୍ ଦାୟିତ୍ୱପୂର୍ଣ୍ଣ ନୁହେଁ । ସେ ସବୁ ଦାୟିତ୍ୱ ସମ୍ୟକ୍ ହୃଦୟଙ୍ଗମ କରି ତାହାର ଯଥୋପଯୁକ୍ତ ପୁରୁଷ ଓ ସ୍ତ୍ରୀ ଦିଓଟି ଡେଣାକୁ ସମାନ କାର୍ଯ୍ୟକ୍ଷମ ଓ ସବଳ ନ କଲେ ଆଉ ଏଣିକି ସମାଜପକ୍ଷୀ ଉଡ଼ି ପାରିବା ଅସମ୍ଭବ । ନାରୀକୁ ପରିବାରର ଭିତର ପାଇଁ ଶିକ୍ଷିତା ଓ ସମର୍ଥା କରି ଦେଲେ ପୁରୁଷ ଅନେକ ପରିମାଣରେ ତାହାର ନିଜର କଷ୍ଟ ଓ ଦାୟିତ୍ୱରୁ ରକ୍ଷା ପାଇପାରିବ । ନାରୀ ପରିବାରରେ କନ୍ୟାରୂପେ, ସ୍ତ୍ରୀରୂପେ, ମାତାରୂପେ ନାନାଭାବରେ ପରିବାରର ମଙ୍ଗଳରେ ସଂଶ୍ଳିଷ୍ଟା । ପରିବାରରୁ ନାରୀକୁ ବାଦ୍ ଦେଲେ ବା ସେଠାରେ ତାକୁ ଅକ୍ଷମ କଲେ କେବଳ ଯେ ପରିବାର ବିକଳାଙ୍ଗ ହୁଏ ତାହା ନୁହେଁ, ପରିବାର ତାହାର ଉତ୍ତମାଙ୍ଗ ହରାଇ ବସେ । ଏ ଦେଶର ପରିବାରକୁ ସ୍ନେହସିକ୍ତ ଓ ମଧୁମୟ କରିବାକୁ ହେଲେ, ଏ ଦେଶର ଶିଶୁକୁଳର ପ୍ରାଥମିକ ଶିକ୍ଷାଭିତ୍ତିକୁ ସୁଦୃଢ଼ କରିବାକୁ ଇଚ୍ଛା କଲେ ଏ ଦେଶର ପରିବାରରେ ନାରୀର ସ୍ଥାନକୁ ଶିକ୍ଷା ଓ ଆଦର୍ଶଦ୍ୱାରା ଉଚ୍ଚ କରିବାକୁ ପଡ଼ିବ । ଏ ଦେଶରେ କୌଣସିକାଳେ ଧନର ଗର୍ବରେ ଗୌରବ ନାହିଁ, ଚରିତ୍ରର ସୌରଭରେ ହିଁ ଏ ଦେଶର ଗୌରବ । ଏ ଦେଶର ନାରୀର ଆଦର୍ଶ ସୀତା, ସାବିତ୍ରୀ । ଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗାଙ୍କୁ ଏ ଦେଶର ନାରୀ ଆଦର୍ଶ ଦେବୀରୂପେ ଅର୍ଚ୍ଚନା କରେ । ଏ ଦେଶର ନାରୀର ପ୍ରାଣରେ ଏତେ ଦୁରବସ୍ଥାରେ ମଧ୍ୟ ସେ ପ୍ରାଚୀନଆଦର୍ଶ ରହିଅଛି । ସ୍ୱାମୀ ବିବେକାନନ୍ଦ କହିଅଛନ୍ତି–‘‘ଭାରତ ଗର୍ବ କରିବାର ତା’ର ଯଶ ଗୌରବ ସବୁ ହରାଇଅଛି । ଯଦି ତା’ର ଗୌରବର କିଛି ଅଛି ତାହା ସ୍ତ୍ରୀମାନେ । ଆଜି ଏ ଦୁର୍ଦ୍ଦିନରେ ମଧ୍ୟ ଭାରତୀୟ ନାରୀ ଆଜି ତା’ର ମାନସମ୍ମାନ ଅକ୍ଷୁର୍ଣ୍ଣ ରଖିଅଛି । ‘‘ଜ୍ଞାନ, ଭକ୍ତି, ତ୍ୟାଗ ଓ ପବିତ୍ରତାର ସେହି ଉଚ୍ଚ ଆଦର୍ଶ ଏ ଦେଶର ନାରୀପ୍ରାଣରେ ପୁଣି ପୂର୍ଣ୍ଣ ଭାବରେ ଜାଗ୍ରତ କରିବାକୁ ହେବ । ଏ ଦେଶର ପୁରୁଷନାରୀକୁ ଆଉ ଅବଜ୍ଞାଚକ୍ଷୁରେ ଦେଖିଲେ ଚଳିବ ନାହିଁ । ନାରୀକୁ ମନୁଷ୍ୟର ସମ୍ମାନ ଦେବାକୁ ହେବ । ମନେ ରଖିବାକୁ ହେବ, ସମାଜରେ ଓ ପରିବାରରେ ପୁରୁଷର ଯେପରି ମୂଲ୍ୟ ଓ ସ୍ଥାନ ଅଛି, ନାରୀର ସେହିପରି ଅଛି । ନାରୀର ଶାରୀରିକ, ମାନସିକ ଓ ଆଧ୍ୟତ୍ମିକ ଉନ୍ନତି ଏ ଦେଶର ପରିବାରର ଭିତ୍ତିକୁ ପୁଣି ଦୃଢ଼ ଓ ସବଳ କରିନେବ । ପୁରୁଷର ଓ ନାରୀର ଶିକ୍ଷା ଏକ ପ୍ରକାରର ନ ହେଉ; କିନ୍ତୁ ନାରୀ ପାଇଁ ତା’ର ଜୀବନର ଉପଯୋଗୀ ଶିକ୍ଷାର ବ୍ୟବସ୍ଥା କରିବାକୁ ହେବ । ପରିବାର ଭିତରେ ତା’ର କାର୍ଯ୍ୟକ୍ଷେତ୍ର ରହୁ, ସେଥିରେ କ୍ଷତି ନାହିଁ; କିନ୍ତୁ ସେଠାରେ ସେ ଶିକ୍ଷା, ସଭ୍ୟତାର ଆଲୋକ ପାଇ ତା’ର ଦେଶର ରୀତି ନୀତି ଆଚାର ବ୍ୟବହାର ପରିପୂର୍ଣ୍ଣ ଭାବରେ ରକ୍ଷା କରି ମଧ୍ୟ ଜଗତରେ ବିଚ୍ଛିନ୍ନ ହୋଇ ରହିବ ନାହିଁ - ତାହାର ଶକ୍ତି ସାମର୍ଥ୍ୟର ବିକାଶ ବା ଅଭିବୃଦ୍ଧିଲାଗି ଯେପରି କିଛି ଅଭାବ ନ ହୁଏ । ଏ ଦେଶର ନାରୀର ଜୀବନରେ ଯେପରି ଗୌରବ ଓ ସୌରଭ କାଳେ କାଳେ ରହି ଆସିଅଛି, ତାହା ଜଗତ୍ ସମକ୍ଷରେ ଦେଖାଇବାର କଥା । ଏ ଦେଶର ନାରୀ ରାଣୀ ହୋଇ ସ୍ୱାମୀ ପାଇଁ ବନବାସିନୀ ହୋଇପାରେ; ଏ ଦେଶର ନାରୀ ଯମ ହାତରୁ ନିଜର ପତିକୁ ଉଦ୍ଧାର କରିବାକୁ ଆପଣାର ଜୀବନ ପଣ କରି ପାରେ; ଏ ଦେଶର ନାରୀଜାତି କୁଳର ମାନ ମର୍ଯ୍ୟାଦା ରକ୍ଷା କରିବା ଲାଗି ନିଜ ହାତରେ ଅଗ୍ନିକୁଣ୍ଡ ଜାଳି ସେଥିରେ ହସି ହସି ଆପେ ଆପଣାକୁ ଆହୁତି ଦେଇପାରେ । ଏହାଠାରୁ ବଳି ଆଉ କେଉଁ ଦେଶର ନାରୀର ଆଦର୍ଶ ଉଚ୍ଚ ହୋଇଅଛି ? ଯେଉଁ ଜାତିର ଧର୍ମ, ପୁରାଣ, ଇତିହାସ ନାରୀର ଏହି ଉଚ୍ଚ ଆଦର୍ଶରେ ପୂର୍ଣ୍ଣ, ସେ ଦେଶର ପାରିବାରିକ ଜୀବନରେ ନାରୀକୁ ଶିକ୍ଷା, ସଭ୍ୟତାରେ ଉଚ୍ଚ ସ୍ଥାନ ନଦେଲେ ଆଜି ସେ ଜାତିର ଗତି ବା ମୁକ୍ତି ସମ୍ଭବନର ହୋଇ ପାରିବ କି ?

Image

 

ପରିବାରରେ ଅର୍ଥର ମୂଲ୍ୟ ଓ ବ୍ୟବହାର

 

ଏପରି ସମୟ ଥିଲା, ଯେଉଁ ସମୟରେ ଲୋକେ ‘‘ଅର୍ଥମନର୍ଥ’’ କଥାଟା ଭାବି ପାରୁଥିଲେ, କିନ୍ତୁ ବର୍ତ୍ତମାନ ଦେଶରେ ସେ ଭାବ ନାହିଁ - ବରଂ ସେ ଦିଗରେ ଚିନ୍ତା ସମ୍ପୂର୍ଣ୍ଣ ଭାବରେ ବିଭିନ୍ନ ମୁଖିନୀ । ଆଜିକାଲି ଆମ୍ଭେମାନେ ଏପରି ଗୋଟିଏ ଯୁଗରେ ଉପସ୍ଥିତ, ଯେଉଁଥିରେ ପ୍ରତି ମୁହୂର୍ତ୍ତରେ ମନେ ହେଉଅଛି, ଯେପରି ଅର୍ଥ ଏ ସଂସାରଶକଟର ଏକମାତ୍ର ଚକ୍ର, ସେହି ସୁଦର୍ଶନ ଚକ୍ରର ଆଶ୍ରା ନେଲେ ଏ ଭବସିନ୍ଧୁକୁ ପାର ହୋଇ ପାରିବା । କେବଳ ମାତ୍ର ଅର୍ଥର ଆଶ୍ରୟ ନେଲେ ଏ ଯୁଗରେ ମନୁଷ୍ୟ ସଂସାରବାରିଧିକୁ ଡେଇଁ ଯିବାକୁ ସମର୍ଥ ହେବ ବୋଲି ଅନେକଙ୍କର ବିଶ୍ୱାସ ।

 

ଅର୍ଥ ବିଷୟରେ ଦାର୍ଶନିକ ବ୍ୟାଖ୍ୟ ଯାହା ଥାଉ ପଛକେ, ଅର୍ଥ ଯେ ଆମ୍ଭମାନଙ୍କ ପରିବାରରେ ଗୋଟିଏ ଅତି ପ୍ରୟୋଜନୀୟ ପଦାର୍ଥ, ଏହା କାହାକୁ ବୁଝାଇବାକୁ ହେବ ନାହିଁ । ଯେଉଁ ପରିବାରରେ ଅର୍ଥର ଅଭାବ ଘଟେ, ସେଠାରେ ନାନା ଅନର୍ଥ ଘଟିବାର ଦେଖା ଯାଇଥାଏ; ତେଣୁ ପରିବାରର ପରିଚାଳନାରେ ଅର୍ଥର ମୂଲ୍ୟ ଓ ବ୍ୟବହାର ବିଷୟରେ ପାରିବାରିକମାନଙ୍କର ସମ୍ୟକ୍ ଜ୍ଞାନ ଥିବା ପ୍ରୟୋଜନୀୟ ।

 

ଅର୍ଥ ଉପାର୍ଜନ କରିବାକୁ ସମସ୍ତଙ୍କର ମନ ଥିଲେ ହେଁ ସମସ୍ତେ ଆଶାନୁରୂପ ଧନ ଲାଭ କରି ପାରନ୍ତି ନାହିଁ । ସତ୍ ମାର୍ଗରେ ରହି ଧନାର୍ଜନର ମାର୍ଗ ଅନ୍ୱେଷଣ କରିବା ପରିବାରର ମୁଖ୍ୟ ବ୍ୟକ୍ତିମାନଙ୍କର କର୍ତ୍ତବ୍ୟ । କଠିନ ପରିଶ୍ରମ କରି ଧନାର୍ଜନ କଲେ ସେହି ଧନଦ୍ୱାରା ନିଜର ବ୍ୟକ୍ତିଗତ ଭାବରେ ଏବଂ ପରିବାରର ସମୂହଭାବରେ ସୁଖ ସ୍ୱାଚ୍ଛନ୍ଦ୍ୟ କ୍ରୟ କରାଯାଇ ପାରେ । ଧନଲାଭ ସକାଶେ ହିତାହିତ ଜ୍ଞାନଶୂନ୍ୟ ହେବା ଅବଶ୍ୟ ସୁବୁଦ୍ଧିର କାର୍ଯ୍ୟ ନୁହେଁ; କିନ୍ତୁ ଅର୍ଥ ଉପାର୍ଜନ କରିବା ସକାଶେ ବଳ, ବୟସ ଥିବାବେଳେ ପରିଶ୍ରମ ନକରିବା ନିଜ ପ୍ରତି ଓ ପରିବାର ପ୍ରତି ଆତ୍ମଘାତିନୀ ନୀତି ।

 

ଅର୍ଥଦ୍ୱାରା ଯେ କେବଳ ପରିବାରର ସ୍ୱାଚ୍ଛନ୍ଦ୍ୟ କ୍ରୟ କରାଯାଇ ପାରେ ତାହା ନୁହେଁ, ପରିବାରରେ ଅର୍ଥ ଥିବା ଏକ ପ୍ରଧାନ ବଳ ଓ ସମ୍ମାନ । ଏ ଯୁଗରେ ଯାହା ଘରେ ଯେତେ ଧନ ସମ୍ପତ୍ତି, ତାହାର ସେହି ପରିମାଣରେ ବାହାରରେ ମାନ, ସମ୍ମାନ ଓ ପ୍ରତିପତ୍ତି । ତେଣୁ ପରିବାରର ମାନ ସମ୍ଭ୍ରମ ରକ୍ଷା କରିବା ସକାଶ ପରିବାରସ୍ଥ ବୟସ୍କ ବ୍ୟକ୍ତିମାନଙ୍କର ବିବିଧ ସତ୍ ଉପାୟରେ ଅର୍ଥାର୍ଜନ ଲାଗି ପରିଶ୍ରମ କରିବା ସର୍ବଥା ଉଚିତ । ସୁଖ ସ୍ୱଚ୍ଛନ୍ଦରେ ଖାଇବା ପିଇବା ରହିବା କହ, ପିଲାମାନଙ୍କର ପାଠ ପଢ଼ାର ସୁବ୍ୟବସ୍ଥା କରିବା କହ, ଦାନ ଧର୍ମ ପ୍ରଭୃତି କରି ସୁନାମ ଓ ପୁଣ୍ୟ ଅର୍ଜନ କରିବା କହ, ସବୁ କାର୍ଯ୍ୟ ପାଇଁ ଏ ଯୁଗରେ ଅର୍ଥର ଯଥେଷ୍ଟ ଆବଶ୍ୟକତା ରହିଅଛି । ତାହାଛଡ଼ା ତ ପରିବାରର ମାନ ସମ୍ମାନ ସମାଜରେ ରଖିବାପାଇଁ ଅର୍ଥର ମୂଲ୍ୟ ଯଥେଷ୍ଟ । ଏ ସବୁ ଦିଗରୁ ଦେଖିବାକୁ ଗଲେ ଆଜିକାଲି ଯୁଗର ପରିବାରଟିକୁ ସୁଖ, ଶାନ୍ତି ଓ ସମୃଦ୍ଧି ଦେବାକୁ ଇଚ୍ଛା କଲେ ସେଠାରେ ଅର୍ଥର ମୂଲ୍ୟ ଖୁବ୍ ବେଶି । ସମୟ ଥିଲା, ଯେତେବେଳେ ଏ ଦେଶରେ ‘ଅର୍ଥ ଅନର୍ଥର ମୂଳ’ ଏହି ନୀତି ଲୋକେ ଅନୁଭବ କରି ପାରୁଥିଲେ । ବର୍ତ୍ତମାନ ଯୁଗ ପରିବର୍ତ୍ତନରେ ଅର୍ଥ ମାନ, ସମ୍ଭ୍ରମ ଓ ଯଶକୀର୍ତ୍ତିର ମୂଳଭିତ୍ତି ବୋଲି ସମସ୍ତେ ବୁଝିଲେଣି । ଏପରି ଅବସ୍ଥାରେ ସର୍ବପ୍ରଯତ୍ନରେ ଅର୍ଥୋପାର୍ଜନ ପାଇଁ ଦୃଷ୍ଟି ଦେବା ପାରିବାରିକମାନଙ୍କର ପ୍ରଧାନ କର୍ତ୍ତବ୍ୟ ।

 

ପରିବାରରେ ଅର୍ଥର ମୂଲ୍ୟ ଯେତେବେଳେ ଏତେ ଅଧିକ ଏବଂ ତାହାର ସଦବ୍ୟବହାର ପରିବାର ପ୍ରତି ଏତେ ମଙ୍ଗଳପ୍ରଦ, ତାହାର ଲାଭ ଲାଗି କି ଉପାୟ ଅବଲମ୍ବନ କରାଯାଇ ପାରେ, ତାହା ବର୍ତ୍ତମାନ ଦେଖାଯାଉ । ପରିବାରର ବୟସ୍କ ଓ ସମର୍ଥ ବ୍ୟକ୍ତିମାନେ ପରିଶ୍ରମ କରିବା ଦ୍ୱାରା ଯେପରି ପରିବାରର ଅର୍ଥାଗମ ହୋଇପାରେ ବା ଅର୍ଥର ଅପବ୍ୟବହାର ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବା ଉଚିତ । ଏ ବିଷୟରେ ପରିବାରର ପୁରୁଷ ଓ ସ୍ତ୍ରୀ ଉଭୟଙ୍କର ସମାନ ଦୃଷ୍ଟି ଥିବା ଆବଶ୍ୟକ-। ଆମ୍ଭମାନଙ୍କ ଦେଶରେ ଅନେକ ସ୍ଥଳରେ ବିଶ୍ୱାସ, କେବଳ ଘରର ପୁରୁଷମାନେ ଅର୍ଥ ଅର୍ଜନ କରିବାର ଗୁରୁଭାର ନେବାକୁ, ଦାୟୀ, ସ୍ତ୍ରୀଲୋକମାନଙ୍କର କାର୍ଯ୍ୟ ସେହି ଅର୍ଥର ବ୍ୟବହାର ବା ଖର୍ଚ୍ଚ କରିବା । ଏ କଥାଟା ପୂର୍ଣ୍ଣ ସତ୍ୟ ନୁହେଁ । ଅବଶ୍ୟ ପୁରୁଷ ଯେତେ ସମୟ ଓ ଶକ୍ତି ଦେଇ ଅର୍ଥ ଅର୍ଜନ କରି ପାରେ, ସ୍ତ୍ରୀମାନଙ୍କର ସେ ଶକ୍ତି ବା ସୁବିଧା ନାହିଁ । ତଥାପି ସେମାନଙ୍କ ହାତରେ ଯେ ପରିବାରର ଅର୍ଥରକ୍ଷାର ଉପାୟ ନାହିଁ, ଏହା କହିବା ଠିକ୍ ନୁହେଁ । ବରଂ ଘରର ସ୍ତ୍ରୀଲୋକଙ୍କର ଅର୍ଥ ପ୍ରତି ସୁବିଚାରରେ ଘରେ ଲକ୍ଷ୍ମୀ ରହିଥାନ୍ତି । ପୁରୂଷ ଯେଡ଼େ କର୍ମଦକ୍ଷ ଓ ଯେତେ ପରିଶ୍ରମୀ ହେଉ ପଛକେ ଅଥବା ଯେତେ ଅଧିକ ଧନାର୍ଜନ କରୁ ନା କାହିଁକି, ଘର ଭିତରେ ସ୍ତ୍ରୀଲୋକମାନେ ଯଦି ସେହି ଅର୍ଥର ରକ୍ଷଣାବେକ୍ଷଣ ପ୍ରତି ଯଥୋଚିତ ଦୃଷ୍ଟି ନ ଦିଅନ୍ତି ଏବଂ ସେହି ଅର୍ଥର ଯେପରି ଅପବ୍ୟବହାର ନହୁଏ ତାହା ମଧ୍ୟ ନ ଦେଖନ୍ତି, ପୁରୁଷର କଷ୍ଟାର୍ଜିତ ସମସ୍ତ ଧନ କିଛି ସୁଫଳ ପ୍ରସବ କରିପାରେ ନାହିଁ । ଏହା ଛଡ଼ା ଘରେ ସ୍ତ୍ରୀଲୋକମାନେ ମଧ୍ୟ ନିଜ ନିଜର ଚେଷ୍ଟା ଓ ପରିଶ୍ରମଦ୍ୱାରା ଅର୍ଥାଗମର ଉପାୟ କରି ପାରନ୍ତି । ଏହି ଓଡ଼ିଶା ଦେଶର ଦକ୍ଷିଣାଞ୍ଚଳରେ କୁମୁଟି ଘରର ସ୍ତ୍ରୀଲୋକମାନେ ଖଲିପତ୍ର ସିଇଁ ଓ ଆଚାର ପ୍ରସ୍ତୁତ କରି ସେଥିରୁ ଯେଉଁ ଧନଲାଭ ହୁଏ, ତାହାଦ୍ୱାରା ପ୍ରଚୁର ଅର୍ଥ ରଖି ପାରିଥିବାର ଦୃଷ୍ଟାନ୍ତ ବିରଳ ନୁହେଁ । କୁମୁଟି ଘରର କେବଳ ଗରିବ ପରିବାର ଯେ ଏ ବୃତ୍ତି କରନ୍ତି ତାହା ନୁହେଁ, ଖୁବ୍ ବଡ଼ ଧନୀ କୁମୁଟି ଘରର ସ୍ତ୍ରୀଲୋକମାନେ ମଧ୍ୟ ଏହିପ୍ରକାର ପରିଶ୍ରମ କରି ଅର୍ଥାର୍ଜନ କରିବାକୁ କେବେହେଁ ଅପମାନଜନକ ମନେ କରନ୍ତି ନାହିଁ । ବରଂ ତାହା ସେମାନଙ୍କର ଗୋଟିଏ ଜାତୀୟ ଅର୍ଥାଗମ ପନ୍ଥା ବୋଲି ପରିଗଣିତ ହୋଇ ଯାଇଅଛି-। ଏହିପରି ଖୁବ୍ ବଡ଼ ଓ ପଦସ୍ଥ ପରିବାରର ସ୍ତ୍ରୀଲୋକମାନେ ନିଜର ଅବସର ସମୟତକ ଅଳସଭାବରେ ବାଜେ ଗଳ୍ପ ଗୁଜବରେ ନ କଟାଇ ଚାଙ୍ଗୁଡ଼ିବୁଣା, ଆସନବୁଣା, ଚିତ୍ରବିଦ୍ୟା, ସିଲାଇକାର୍ଯ୍ୟ ବା ଅନ୍ୟ କିଛି ଅର୍ଥାର୍ଜନମୂଳକ କାର୍ଯ୍ୟରେ ନିୟୋଜିତ କଲେ ସେମାନେ ନିଜ ନିଜକୁ ଆଳସ୍ୟର ହସ୍ତରୁ ରକ୍ଷା କରନ୍ତେ ଏବଂ ନିଜେ ନିଜେ ଆତ୍ମଚେଷ୍ଟା ଦ୍ୱାରା କିଛି ଅର୍ଥାର୍ଜନ କରିବାର ଆତ୍ମପ୍ରସାଦ ମଧ୍ୟ ଲାଭ କରନ୍ତେ । ଆମ ଦେଶର ସ୍ତ୍ରୀଲୋକମାନେ ନିଜ ଚେଷ୍ଟାଦ୍ୱାରା କିଛି ଅର୍ଥାର୍ଜନ କରିବାର ସାମର୍ଥ୍ୟ ଅର୍ଜନ କରୁ ନଥିବାରୁ ସେମାନେ ଆପଣା ଆପଣାକୁ ବଡ଼ ଅସହାୟ ଓ ପରଭାଗ୍ୟୋପଜୀବୀ ଅବସ୍ଥାରେ ସର୍ବଦା ରଖିଥାଆନ୍ତି । ଏ ଅବସ୍ଥା ଏ ଦେଶ ପକ୍ଷରେ ଏବଂ ମାନବ ସମାଜର ସ୍ୱଜାତି ପକ୍ଷରେ ବଡ଼ ଅବିଚାର । ଆହୁରି ମଧ୍ୟ ଏହା ଏ ଦରିଦ୍ର ଦେଶର ଦାରିଦ୍ର୍ୟର ଏକ ବିଶିଷ୍ଟ କାରଣ । ସମାଜର ଅର୍ଦ୍ଧେକ ବ୍ୟକ୍ତି କେବଳ ଅପର ଅର୍ଦ୍ଧେକ ବ୍ୟକ୍ତିଙ୍କର ଭାଗ୍ୟ ଓ ଉପାର୍ଜନକୁ ଅନାଇ ସର୍ବଦା ବସି ରହିବେ, ଏହା ଅର୍ଥ ନୈତିକ ଦିଗରୁ ଏକ ବିଷମ ଭ୍ରମ ଓ ଦୁର୍ନୀତି । ତେଣୁ କହୁଅଛୁ ନାରୀମାନଙ୍କର ନିଜର ଉନ୍ନତି ଦିଗରୁ କହ, ଏ ଦେଶର ଦାରିଦ୍ର୍ୟ ଦିଗରୁ କହ ବା ପରିବାରର ସୁଖଶାନ୍ତି ଆଣିବା ଦିଗରୁ କହ; ପୁରୁଷମାନଙ୍କ ପରି ସ୍ତ୍ରୀଲୋକମାନଙ୍କର ଅର୍ଥାର୍ଜନର ଦକ୍ଷତା ଅର୍ଜନ କରିବା ସର୍ବଥା ଆବଶ୍ୟକ । ଏହାଦ୍ୱାରା ଏକାଧାରରେ ପରିବାରର ସୁଖଶାନ୍ତି ଆସେ ଏବଂ ଏ ଦେଶର ସ୍ତ୍ରୀଜାତିର ଜୀବନରୁ ଅସହାୟତା ଦୋଷ ବହୁ ପରିମାଣରେ କଟିଯାଏ । ଆମ ଦେଶର ସ୍ତ୍ରୀଲୋକମାନେ ପତିବିୟୋଗରେ ଯେପରି ନିଜକୁ ଅସହାୟ ମନେ କରନ୍ତି, ତାହା ସେମାନଙ୍କର ଉପାର୍ଜନ କ୍ଷମତାର ଅପାରଗତାରୁ ବେଶି ଜାତ ହୁଏ । ସେମାନେ ନିଜେ ନିଜ ଗୋଡ଼ରେ ଠିଆହେବାକୁ ଶିଖିଲେ ସେମାନଙ୍କର ଏ ଅସହାୟତା ଦୂର ହୋଇ ସେମାନଙ୍କ ଜୀବନରେ ଆତ୍ମନିର୍ଭରଶୀଳତା ଆପେ ଆପେ ଆସିବ । ଆଜିକାଲି ଆମ୍ଭମାନଙ୍କର ଶିକ୍ଷାକ୍ଷେତ୍ରଗୁଡ଼ିକ କେବଳ କେତେଗୁଡ଼ିଏ ଶୁଦ୍ଧବାକ୍ୟ ରଚନା ଓ ସାହିତ୍ୟକ ଉତ୍କର୍ଷଲାଭର ସ୍ଥଳ ହୋଇଅଛି । ଜୀବନ ସଙ୍ଗରେ ସେ ସବୁ ଶିକ୍ଷାର କିଛି ମେଳ ନ ହେବାରୁ ସେ ସବୁ ଶିକ୍ଷାଦ୍ୱାରା ଏ ଦେଶର ହାହାକାର ଚତୁର୍ଦ୍ଦିଗ ଅଧିକ ନିନାଦିତ ହେଉଅଛି । ସେ ସବୁ ଶିକ୍ଷାକ୍ଷେତ୍ର, ବିଶେଷତଃ ପ୍ରାଥମିକ ଶିକ୍ଷାକ୍ଷେତ୍ରଗୁଡ଼ିକରେ ବାଣିଜ୍ୟ ବ୍ୟବସାୟଗତ ଶିକ୍ଷା ବାଧ୍ୟତାମୂଳକ ଭାବରେ ଦିଆଗଲେ ଏ ଦେଶର ଗରିବ ଦୁଃଖୀମାନଙ୍କର ଭବିଷ୍ୟତ ଉପାୟର କିଛି ମାର୍ଗ ଖୋଲା ହୁଅନ୍ତା ଏବଂ ସ୍କୁଲରେ ଶିକ୍ଷାପ୍ରାପ୍ତ ଯୁବକଗୁଡ଼ିକ କେବଳ ଧୋବଧାଉଳିଆ ବଗପକ୍ଷୀ ପରି ନ ହୋଇ ସେମାନଙ୍କର ଦରିଦ୍ର ପରିବାର ରକ୍ଷାର ଉପାୟ ହୋଇ ପାରନ୍ତେ । ଆମ୍ଭମାନଙ୍କର ସ୍କୁଲମାନଙ୍କରେ ଏ ସବୁ ଧରଣର ପ୍ରାଥମିକ ପାରିଶ୍ରମିକ ଶିକ୍ଷା ଦିଆହେବାର କର୍ତ୍ତାମାନେ ଯଦି ବିଦ୍ୟାଳୟର ଶିକ୍ଷା ସଙ୍ଗରେ ଘରେ ପୁଅ ଝିଅମାନଙ୍କୁ ହାତ ଗୋଡ଼ ଚଳାଇ କିଛି କିଛି ଶିଳ୍ପ ବାଣିଜ୍ୟ ବ୍ୟବସାୟଗତ ଶିକ୍ଷା ଦିଅନ୍ତେ, ସେମାନେ ପିଲାଦିନରୁ ଅଳ୍ପ ହେଉପଛକେ କିଛି ହେଲେ ଅର୍ଥ ଉପାର୍ଜନ କରିବାର ଆନନ୍ଦ ଅର୍ଜନ କରନ୍ତେ । ଆମ ଦେଶର ସାଧାରଣ ଲୋକଙ୍କର ଦୈନିକ ହାରାହାରି ଆୟ ଯେପରି ଅତି ଅଳ୍ପ, ସେଥିରେ ପରିବାରର ସ୍ତ୍ରୀଲୋକମାନେ ଓ ବାଳକ ବାଳିକାମାନେ ନିଜ ନିଜର ଅବସର ସମୟରେ କିଛି କିଛି ଅର୍ଥ ଉପାର୍ଜନ କରିବାକୁ ଶିକ୍ଷା କଲେ ସେମାନେ ପରିଶ୍ରମ କରି ଆତ୍ମପ୍ରସାଦ ଲାଭ କରନ୍ତେ ଏବଂ ସେମାନଙ୍କର ପରିଶ୍ରମଲବ୍ଧ ଅର୍ଥଦ୍ୱାରା ଦରିଦ୍ର ପରିବାରର ଆୟ ମଧ୍ୟ କଥଞ୍ଚିତ୍ ବୃଦ୍ଧିପ୍ରାପ୍ତ ହୁଅନ୍ତା । ଯେଉଁ ପରିବାର ଅଭାବଗ୍ରସ୍ତ ନୁହେଁ, ସେପରି ପରିବାରର ସ୍ତ୍ରୀ ଓ ବାଳକ ବାଳିକାମାନେ ଯେଉଁ ଅର୍ଥ ନିଜର ଶାରୀରିକ ପରିଶ୍ରମଦ୍ୱାରା ଅବସର ସମୟରେ ଅର୍ଜନ କରିବେ, ତାହା ସେମାନଙ୍କ ନିଜ ନିଜର ବ୍ୟକ୍ତିଗତ ଧନ ରୂପେ ଗଚ୍ଛିତ ରଖିଲେ ସମୟରେ ତାହାଦ୍ୱାରା ସେମାନଙ୍କ ନିଜ ନିଜର କେତେକ ଖର୍ଚ୍ଚ ମଧ୍ୟ ଉଠି ପାରିବ । ପରିବାରର ସ୍ତ୍ରୀଲୋକ ଓ ବାଳକ ବାଳିକାମାନଙ୍କ ସେମାନଙ୍କର ଅବସର ସମୟରେ କିଛି କିଛି ଅର୍ଥାଗମର ପନ୍ଥା ଶିଖାଇଦେଲେ ତାହାଦ୍ୱାରା ଏକାଧାରରେ ସେମାନଙ୍କର ବ୍ୟକ୍ତିଗତ ଜୀବନର ଯେପରି ଉନ୍ନତି ହୁଏ, ପରିବାରର ମଧ୍ୟ ସେହିପରି ନୀତି ଓ ଆଦର୍ଶ ଉଚ୍ଚ ହୁଏ । ଏ ଦରିଦ୍ର ଦେଶରେ, ଏ ହତଭାଗ୍ୟ ଦେଶରେ, ସାନ ବଡ଼, ଉଚ୍ଚ ନୀଚ, ସ୍ତ୍ରୀ ପୁରୁଷ, ବାଳକ ବାଳିକା ସମସ୍ତଙ୍କର ସମାନ ଭାବରେ ହାଡ଼ଭଙ୍ଗା ପରିଶ୍ରମ କରିବା ଏ ଦେଶର ଦାରିଦ୍ର୍ୟ ଓ ଦୂରଦୃଷ୍ଟ ଦୂର କରିବାର ଏକମାତ୍ର ପନ୍ଥା । କି ପରିବାରରେ, କି ବିଦ୍ୟାଳୟରେ, କି କର୍ମକ୍ଷେତ୍ରରେ ସର୍ବତ୍ର ଏହି ପରିଶ୍ରମର ମହିମା - କଥାରେ ନୁହେଁ କାର୍ଯ୍ୟରେ ଆଲୋଚିତ ହେଲେ ଏ ଦେଶର, ଏ ସମାଜର ଉନ୍ନତି ସମ୍ଭବପର ହୋଇପାରେ ।

 

ଏ ତ ଗଲା ପରିବାରରେ ଅର୍ଥ ଅର୍ଜନର କଥା । କେବଳ ଅର୍ଜନ କଲେ ଯଥେଷ୍ଟ ଲାଭ ହେବ ନାହିଁ । ଅର୍ଜିତ ଅର୍ଥର ବ୍ୟବହାର ଉପରେ ଲାଭାଲାଭ ବେଶି ନିର୍ଭର କରେ । ଜଣେ ଦକ୍ଷ ସଂଯତ ପାରିବାରିକ ଥରେ କହିଥିଲେ, ‘‘ଅମୁକ ଲୋକ କେତେ ଅର୍ଜନ କରନ୍ତି, ସେ କଥା ମୋତେ କହିଲେ, ମୁଁ ତାଙ୍କର ଅବସ୍ଥାର ସମ୍ୟକ ଜ୍ଞାନ ଲାଭ କରି ପାରିବି ନାହିଁ; ସେ କେତେ ଖର୍ଚ୍ଚ କରନ୍ତି, ସେହି କଥା ତାଙ୍କର ଅବସ୍ଥା ଜାଣିବାର ଶ୍ରେଷ୍ଠ ଉପାୟ ।’’ ବାସ୍ତବିକ ଏ କଥାଟି ଖୁବ୍ ସତ୍ୟ । ସହସ୍ର ସହସ୍ର ଟଙ୍କା ଅର୍ଜନ କରି ତାହାର ସଦ୍‌ବ୍ୟବହାର କରି ନପାରି ଅନେକ ଲୋକ ଫକୀର ହେବାର ଦେଖାଯାଇଅଛି ଏବଂ ଅଳ୍ପ ଆୟରେ ସଂଯତ ଓ ମିତାଚାରୀ ଲୋକେ ଅଋଣୀ ହୋଇ ନିଜର ଜୀବନଯାତ୍ରା ସୁଖ ଶାନ୍ତିରେ ନିର୍ବାହ କରିବାର ଦୃଷ୍ଟାନ୍ତ ମଧ୍ୟ ସମୟ ସମୟରେ ଦେଖିବାକୁ ମିଳିଥାଏ । ତେଣୁ ଅର୍ଥର ଉପାର୍ଜନ ପାଇଁ ଯେପରି ସତର୍କ ଦୃଷ୍ଟି ଆବଶ୍ୟକ ଅର୍ଥର ବ୍ୟୟ ପାଇଁ ମଧ୍ୟ ତତୋଽଧିକ ସତର୍କତା ଲୋଡ଼ା । ବିଶେଷତଃ ଯେଉଁମାନଙ୍କର ଆୟ ଅଳ୍ପ ଏବଂ ସଂସାରଯାତ୍ରା ନିର୍ବାହରେ ଦାୟିତ୍ୱ ଓ ଜଞ୍ଜାଳ ବେଶି, ସେମାନଙ୍କ ପକ୍ଷରେ ଆଗ ପଛ ପଦ ପଦକେ ସାବଧାନ ହୋଇ ଖର୍ଚ୍ଚ କରିବା ଏକାନ୍ତ ଆବଶ୍ୟକ । ପରିବାରରେ ଯେଉଁ ସବୁ ବିପଦ ଅଛି, ତାହା ମଧ୍ୟରେ ଋଣଭାରର ବିପଦ ସର୍ବାପେକ୍ଷା ବିଶେଷ ଯନ୍ତ୍ରଣାଦାୟକ । ଯେଉଁ ପରିବାର ସୌଭାଗ୍ୟରୁ ଅଋଣୀ ହୋଇ ଚଳିପାରେ, ତାହାର ସୁଖଶାନ୍ତି ଲାଭ କରିବାର ସମ୍ଭାବନା ବେଶି ।

 

ପରିବାରର ସୁଖଶାନ୍ତି ଆଣିବା ଲାଗି ଅର୍ଥର ମୂଲ୍ୟ ଏତେ ଅଧିକ ଥିବା ଅବସ୍ଥାରେ ସେହି ଅର୍ଥର ଅର୍ଜନ ଲାଗି ପରିବାରସ୍ଥ ସମସ୍ତଙ୍କର ପରିଶ୍ରମ କରିବା ଏବଂ ସେହି ଅର୍ଥର ବ୍ୟବହାରରେ ଯଥେଚ୍ଛାଚାରୀ ନ ହେବା ପରିବାରର ଶୁଭ ଲକ୍ଷଣ। ପରିବାରରେ ପ୍ରତିକାର୍ଯ୍ୟରେ ଏଥିପ୍ରତି ସମ୍ୟକ୍ ଦୃଷ୍ଟି ଦେଲେ ପରିବାରର ସାନ ବଡ଼ ସମସ୍ତେ ଅର୍ଥ ବିଷୟରେ ସଂଯତ ଓ ସାବଧାନ ହେବାକୁ ଶିକ୍ଷା କରି ପାରିବେ ।

Image

 

ପରିବାରରେ ସଜ୍ଜନ ସଙ୍ଗ

 

‘‘ସାଧୁ ସଜ୍ଜନ ସଙ୍ଗତରେ

ଧନ୍ୟ ଯେ ନିତ୍ୟ ବାସ କରେ ।

ସଜ୍ଜନ ସଙ୍ଗେ ସଦା ରହି

ପବିତ୍ର କର ଏହି ମହୀ ।’’

ମଧୁସୂଦନ ।

 

ପରିବାରରେ ସ୍ୱଭାବଚରିତ୍ରର ଶୁଦ୍ଧିରକ୍ଷା କରିବା ବିଷୟରେ ନାନା କଥା ଆଲୋଚିତ ହୋଇଅଛି । ଏ ବିଷୟଟି କହିବା ଯେଡ଼େ ସହଜ, କାର୍ଯ୍ୟରେ ପରିଣତ କରି ପାରିବା ସେପରି ସହଜ ନୁହେଁ । ଶିକ୍ଷା, ଉପଦେଶ ପ୍ରଭୃତି ବିବିଧ ଉପାୟ ଦ୍ୱାରା ପରିବାରର ନୈତିକ ଶୁଦ୍ଧି ଆସିବାର ଚେଷ୍ଟା କରାଯାଇପାରେ । ଏହି ଶୁଦ୍ଧି ଆଣିବା ପାଇଁ ମୁଖ୍ୟ ଭାବରେ ଚେଷ୍ଟା ବା ଉପଦେଶ ସାଧାରଣତଃ ବିଶେଷ ଭାବରେ ଫଳପ୍ରଦ ହୋଇ ନଥାଏ । ଉପଦେଶ ଦେଇ ସ୍ୱଭାବ ଚରିତ୍ରର ମାଧୁର୍ଯ୍ୟ ବିକଶିତ କରାଇପାରିବାଠାରୁ ଆଦର୍ଶଦ୍ୱାରା ସେହି କାର୍ଯ୍ୟଟି କରାଇ ପାରିଲେ ସହଜ ଓ ସ୍ୱାଭାବିକ ଉପାୟରେ ସେ କାର୍ଯ୍ୟ ସାଧିତ ହୋଇପାରେ । ପିଲାଙ୍କୁ ଭଲ ହୁଅ, ସଚ୍ଚରିତ୍ର ହୁଅ, ଏପରି ମୁଖ୍ୟ ଭାବରେ ଉପଦେଶ ଦେଲେ ସେ ଶିକ୍ଷା ବଳରେ ଜୀବନର ଉନ୍ନତି ସହଜରେ ହୋଇ ପାରେ ନାହିଁ । ଗୌଣ ଭାବରେ କିପରି ପରିବାରର ନୈତିକ ଉନ୍ନତି ହୋଇପାରେ, ତାହାର ଟିକିଏ ଆଭାସ ଦିଆଯାଉ । ପରିବାରର ପୁଣ୍ୟବାନ୍ ବ୍ୟକ୍ତିମାନଙ୍କର ଆଦର୍ଶ ଓ ଆଚରଣ ସେହି ପରିବାରର ଅଳ୍ପବୟସ୍କ ବ୍ୟକ୍ତିମାନଙ୍କର ସ୍ୱଭାବ ଚରିତ୍ର ଗଠନ ବିଷୟରେ ଯେ ବିଶେଷ ଭାବରେ ସାହାଯ୍ୟ କରେ, ସେଥିରେ ସନ୍ଦେହ ନାହିଁ । ତାହାଛଡ଼ା ଅନ୍ୟ କେତେଗୁଡ଼ିଏ ଉପାୟଦ୍ୱାରା ପରିବାରର ସ୍ୱଭାବ ଚରିତ୍ର ନିୟନ୍ତ୍ରିତ କରାଯାଇ ପାରେ । ସଦଗ୍ରନ୍ଥ ଅଧ୍ୟୟନ, ସତ୍ ଉପଦେଶ ଶ୍ରବଣଦ୍ୱାରା ମନୁଷ୍ୟ ମନର ଗତି ବହୁ ପରିମାଣରେ ପରିବର୍ତ୍ତିତ ହୋଇଥାଏ । ପରିବାରରେ ନାନାବିଧ ସୁଖପାଠ୍ୟ ସଦଗ୍ରନ୍ଥ ପଠିତ ବା ଆଲୋଚିତ ହେବାର ଉପାୟ କରି ସେଥିପ୍ରତି ପାରିବାରିକମାନଙ୍କର ଦୃଷ୍ଟି ଆକର୍ଷଣ କରି ପାରିଲେ ଅନେକ ମଙ୍ଗଳ ସାଧିତ ହୋଇପାରେ । ପୁସ୍ତକ ପାଠ ଭଳି ନିର୍ଦ୍ଦୋଷ ସତସଙ୍ଗ ଖୋଜି ପାଇବା କଠିନ । ଉତ୍ତମ ପୁସ୍ତଗୁଡ଼ିକ ପୁରାକାଳର ଓ ଆଧୁନିକ ଯୁଗର ଶ୍ରେଷ୍ଠ ବ୍ୟକ୍ତମାନଙ୍କର ମାନସିକ ଶ୍ରେଷ୍ଠ ଚିନ୍ତାରାଶିର ଆଧାର । ସେ ସବୁ ଯୁଗ ଯୁଗ ଧରି ମାନବ ସମାଜକୁ ସାଧୁ ପଥ ପ୍ରଦର୍ଶନ କରି ଆସିଅଛନ୍ତି ଏବଂ ଭବିଷ୍ୟତରେ ବହୁକାଳ ସେହି ପୁଣ୍ୟ କାର୍ଯ୍ୟ କରିବେ । ପରିବାର ମଧ୍ୟରେ ସମସ୍ତଙ୍କ ପ୍ରାଣରେ ସୁଖପାଠ ନୀତିଗର୍ଭକ ପୁସ୍ତକ ପାଠ କରିବାର ପିପାସା ଜନ୍ମାଇ ପାରିଲେ ଏବଂ ପରିବାର ଭିତରେ ସମସ୍ତଙ୍କର ବ୍ୟବହାର ଲାଗି ଗୁଡ଼ିଏ ପୁସ୍ତକ ସଂଗ୍ରହ କରି ରଖି ଦେଲେ ସେଗୁଡ଼ିକର ସଦ୍ ବ୍ୟବହହାର ହେବାର ପୂର୍ଣ୍ଣ ସମ୍ଭାବନା ଅଛି । ପୁସ୍ତକ ପାଠ ଛଡ଼ା ପରିବାର ଭିତରେ ରାମାୟଣ, ମହାଭାରତ, ଭାଗବତ ପ୍ରଭୃତି ପୁରାଣ ପାଠର ନିୟମିତ ବନ୍ଦୋବସ୍ତ କରାଗଲେ ଏବଂ କଥକ ପ୍ରଭୃତି ମଧ୍ୟେ ନୀତିଗର୍ଭକ ଉପଦେଶମାନ ବକ୍ତୃତା ଛଳରେ ପ୍ରକାଶ କଲେ ପରିବାରର ସମସ୍ତେ ସେ ସବୁଦ୍ୱାରା ମନ୍ତ୍ରମୁଗ୍ଧ ପରି ଆକୃଷ୍ଟ ହୋପାରିବେ ଏବଂ ସେସବୁ ନୀତିଗର୍ଭକ ଆଖ୍ୟାନଗୁଡ଼ିକ ପରିବାରସ୍ଥ ଲୋକଙ୍କର ମାନସିକ ଓ ଆଧ୍ୟତ୍ମିକ ଉନ୍ନତି ଦିଗରେ ଯଥେଷ୍ଟ ସାହାଯ୍ୟ କରି ପାରିବ । ସୁବିଧା ହେଲେ ମାଜିକ ଲଣ୍ଟର୍ଣ୍ଣ ସହାଯ୍ୟରେ ନୀତି, ଧର୍ମ ଓ ସ୍ୱାସ୍ଥ୍ୟ ବିଷୟକ ପ୍ରସ୍ତାବମାନ ଦେଖାଇ ଦେଇପାରିଲେ ସମସ୍ତେ ବିଶେଷତଃ ବାଳକ ବାଳିକାମାନେ ଆନନ୍ଦ ସଙ୍ଗେ ସଙ୍ଗେ ଉପଦେଶଗୁଡ଼ିକ ହୃଦୟରେ ଅକ୍ଳେଶରେ ଅଙ୍କିତ କରି ନେଇ ପାରିବେ । ଏହା ଛଡ଼ା ଆଉ ଗୋଟିଏ ଉପାୟ ଅଛି, ଯାହାଦ୍ୱାରା ପରିବାର ଭିତରେ ସାଧୁ ଆଚରଣ ସହଜରେ ସଂକ୍ରାମିତ ହୋଇପାରେ, ତାହା ସାକ୍ଷାତ ସଜ୍ଜନସଙ୍ଗ । ପରିବାରର ଯେଉଁ ଶିକ୍ଷିତ ସଚ୍ଚରିତ୍ର ବନ୍ଧୁ ବାନ୍ଧବମାନେ ଥିବେ, ସେମାନଙ୍କୁ ସମୟ ସମୟରେ ପରିବାରକୁ ଅଣାଇ ସେମାନଙ୍କ ସଙ୍ଗରେ କେବଳ ଅଧିକ ବୟସ୍କମାନେ ନୁହନ୍ତି, ଛୋଟ ବଡ଼ ପିଲାମାନଙ୍କୁ ମିଳାମିଶା କରିବାର ସୁବିଧା ଦେଲେ ସେମାନଙ୍କର ଭାବପ୍ରବଣ କୋମଳ ମନ ସେହି ସାଧୁ ସଜ୍ଜନଙ୍କ ସାହଚର୍ଯ୍ୟଦ୍ୱାରା ଅନେକ ଭାବ ଗ୍ରହଣ କରିପାରିବାର ସୁବିଧା ପାଇଥାଏ । ଅନେକ ବଡ଼ ଲୋକଙ୍କର ଜୀବନ ଚରିତ୍ର ଆଲୋଚନା କଲେ ଦେଖାଯାଏ ଯେ, ସେମାନଙ୍କ ପିତା ମାତାମାନେ ସେହି ବଡ଼ ଲୋକଙ୍କ ବାଲ୍ୟ ଓ ଯୌବନକାଳକୁ ଏହିପରି ସାଧୁ ସଜ୍ଜନଙ୍କ ସାକ୍ଷାତ ସମ୍ବନ୍ଧଦ୍ୱାରା ନିର୍ମଳ ଓ ପବିତ୍ର କରି ପାରିଥିଲେ ଏବଂ ଉତ୍ତର ଜୀବନରେ ତାହା ବହୁ ସୁଫଳ ପ୍ରସବ କରିଥିଲା । ସେହି ସାଧୁ ସଜ୍ଜନମାନେ ପରିବାର ଭିତରକୁ ଆସି ଧର୍ମ, ସାହିତ୍ୟ ବା ସମାଜ ସମ୍ବନ୍ଧରେ ନାନା ଆଲୋଚନା କଲାବେଳେ ସେ ସବୁର ଭାବ ନାନା ଭାବରେ ପରିବାରର ସମସ୍ତଙ୍କ ଉପରେ କାର୍ଯ୍ୟ କରି ପାରିଥିଲା । ପରିବାରର କର୍ତ୍ତା ପ୍ରଭୃତିଙ୍କର ଦେଖିବା ଉଚିତ ଯେ, ପରିବାରର ସବୁ ଲୋକେ ଏହିପରି ବନ୍ଧୁ ସମ୍ମିଳନୀର ସୁଖ ସମ୍ଭୋଗରୁ ଯେପରି ବଞ୍ଚିତ ନ ହୁଅନ୍ତି । ଏହି ସବୁ ମିଳନ ମୁଖ୍ୟ ଭାବରେ ଉପଦେଶ ଦେବାର ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ହେଉ ନ ଥିବାରୁ ତାହାର କାର୍ଯ୍ୟ ଅଧିକ ଫଳପ୍ରଦ ହୋଇଥାଏ । ଖିଆପିଆ, ମଉଜମଜଲିସ, ହସଖେଳ ଭିତର ଦେଇ ଯେଉଁ ଶିକ୍ଷା ବା ଉପଦେଶ ଆସେ, ତାହା ହୃଦୟକୁ ଯେପରି ଅଧିକାର କରେ, ମୁଖ୍ୟ ଗୁରୁବାକ୍ୟ ସେପରି କରିପାରେନାହିଁ । ଏହି ସବୁ ବନ୍ଧୁ ମିଳନରୂପ ସାଧୁସଙ୍ଗ ପରିବାର ଭିତରେ ଯେତେ ଅଧିକ ହୋଇପାରେ, ପରିବାରରେ ନିଜର ଅବସ୍ଥା ଓ ସୁବିଧା ଦେଖି ତାହାର ବନ୍ଦୋବସ୍ତ କରିବା ଉଚିତ । ବାସ୍ତବିକ ଏହିପରି ସାଧୁ ସଜ୍ଜନମାନଙ୍କର କ୍ଷଣିକ ସଙ୍ଗଲାଭ ନାନା ଜଞ୍ଜାଳପୂର୍ଣ୍ଣ ଭବସାଗର ପାର ହେବାରେ ନୌକାର କାର୍ଯ୍ୟ କରେ । ଜୀବନ ଧନ୍ୟ ହୁଏ । ସେ ଏକା ଭାଗ୍ୟବାନ, ଯାହାର ବାଲ୍ୟ, କୌମାର ଏବଂ ଯୌବନ ଏହିପରି ସାଧୁଜନମାନଙ୍କ ସାହଚର୍ଯ୍ୟରେ ନିର୍ମଳ ଓ ପବିତ୍ର ରହେ । ଯେଉଁମାନଙ୍କର ସ୍ୱଭାବ ଚରିତ୍ର ପବିତ୍ର ଓ ମଧୁର ବା ଯେଉଁମାନେ ବିଦ୍ୟା, ବିନୟ, ସୌଜନ୍ୟ, ଶିଷ୍ଟାଚାର, ତ୍ୟାଗ ପ୍ରଭୃତିରେ ବିଖ୍ୟାତନାମା, ସେହିପରି ସଜ୍ଜନଙ୍କର ପଦଧୂଳିଦ୍ୱାରା ପରିବାରର ଗୃହ ଯେପରି ସାମୟିକ ଭାବରେ ପବିତ୍ର ହୁଏ, ସେଥିପ୍ରତି ପାରିବାରିକମାନଙ୍କର ଦୃଷ୍ଟି ଥିବା ସମ୍ୟକ ଉଚିତ । ଏସବୁ ସାମୟିକ ସାହଚର୍ଯ୍ୟରୁ ଯାହା ଫଳ ଲାଭ ହୁଏ, ତାହା ବହୁ ଶାସ୍ତ୍ର ଅଧ୍ୟୟନରୁ ବା ବହୁ ଉପଦେଶ ଶ୍ରବଣରୁ ହୁଏ ନାହିଁ । ଏହିପରି ସାଧୁ ସଜ୍ଜନମାନଙ୍କ ସଙ୍ଗସୁଖଜାତ ଶିକ୍ଷା ଜ୍ୱଳନ୍ତ, ଜୀବନ୍ତ; ତାହାର ତୁଳନା ଅନ୍ୟତ୍ର ମିଳିବା ସହଜ ନୁହେଁ-। ଯଦି ଏପରି ସାଧୁ ସଜ୍ଜନମାନଙ୍କୁ ପରିବାରକୁ ଆଣି ପାରିବା ସହଜ ନୁହେଁ । ତେବେ ପରିବାରର ପିଲାମାନଙ୍କୁ ନେଇ ସାମୟିକଭାବରେ ସେମାନଙ୍କ ସଙ୍ଗେ ଦେଖା ସାକ୍ଷାତ୍ କରାଇ ଆଣିବା ମଧ୍ୟ କମ ସୁଫଳପ୍ରଦ ନୁହେଁ । ମୋଟ କଥା, କୌଣସି ଉପାୟରେ ପରିବାରର ଲୋକେ ଯେପରି ସାଧୁ, ସଜ୍ଜନ, ଜ୍ଞାନୀ, ସଚ୍ଚରିତ୍ର ଲୋକମାନଙ୍କ ସଙ୍ଗରେ ମିଳିମିଶି ପରିବାର ସୁଯୋଗ ପାଆନ୍ତି, ତାହାର ଉପାୟ ବିଧାନ କରିବାକୁ ଚେଷ୍ଟା କରିବା ପାରିବାରିକ ନୈତିକ ଉନ୍ନତି କରିବାର ଏକ ଶ୍ରେଷ୍ଠ ଉପାୟ । ଏହି ସବୁ ଭାବି ଚିନ୍ତି ନାନାବିଧି ଗୌଣଭାବରେ ପରିବାରର ନୈତିକ, ଆଧ୍ୟାତ୍ମିକ ଓ ମାନସିକ ଉନ୍ନତିର ବ୍ୟବସ୍ଥା କରି ପାରିଲେ ସେଠାରେ ସୁଖଶାନ୍ତିର ବୀଜ ବପନ କରାଯାଇପାରେ-। ପରିବାରରେ ଯଦି ସୁଖ ଶାନ୍ତି ଓ ପବିତ୍ରତା ନ ରହିଲା, ସେ ପରିବାରବାସଠାରୁ ଅରଣ୍ୟବାସ ବରଂ ଶ୍ରେୟସ୍କର । ପାରିବାରିକ କର୍ତ୍ତାଙ୍କର ପ୍ରଧାନ କର୍ତ୍ତବ୍ୟ ଯେ, ସେ ସର୍ବପ୍ରଯତ୍ନରେ ପରିବାରିକମାନଙ୍କ ମଧ୍ୟରେ ଯେପରି ସୁନୀତି, ସଦାଚାର, ସତ୍‌କର୍ମର ଆଦର ବୃଦ୍ଧିପ୍ରାପ୍ତ ହେବ, ତାହାର ଉପାୟ ଉଦ୍ଭାବନ କରିବେ ଏବଂ ସମୂହଭାବରେ ଯେପରି ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିବ, ତାହାର ଯତ୍ନ କରିବେ ।

Image

 

ପରିବାରରେ ଧନର ସଦ୍‌ବ୍ୟବହାର

 

‘‘ଧନ ଅର୍ଜିଲେ ଧର୍ମ କରି

ଧର୍ମେ ପ୍ରାପତ ନରହରି ।’’

 

ପରିବାରରେ ଧନର ଆବଶ୍ୟକତା ବିଷୟରେ ଏଥିପୂର୍ବେ ବହୁବାର ଏହି ପୁସ୍ତକରେ ବର୍ଣ୍ଣିତ ହୋଇଅଛି । ଧନର ଏକ ବ୍ୟବହାର ଏହା ଯେ ଏହାରିଦ୍ୱାରା ପରିବାରର ଅନେକ ଅଭାବ ଅସୁବିଧା ଦୂର କରାଯାଇ ପରିବାରର ସୁଖସ୍ୱାଚ୍ଛନ୍ଦ୍ୟ ଲାଭ କରାଯାଏ । ଏ ଧନଦ୍ୱାରା ଆମ୍ଭର ନିଜର ଅଭାବ ଅସୁବିଧା ଦୂର କରିବା ବ୍ୟତୀତ ଅନ୍ୟ ମହତ୍ତ୍ୱର କାର୍ଯ୍ୟ ମଧ୍ୟ କରାଯାଇପାରେ । ଏହା ହିଁ ଧନର ପ୍ରକୃଷ୍ଟ ସଦ୍‌ବ୍ୟବହାର । ନିଜର, ନିଜ ପରିବାରର ଏବଂ ନିଜର ଭବିଷ୍ୟତ ବଂଶଧରମାନଙ୍କର ସୁଖସୁବିଧା ଧନଦ୍ୱାରା ବ୍ୟବସ୍ଥା କରି ପାରିବା ଅବଶ୍ୟ କର୍ତ୍ତବ୍ୟ । ମାତ୍ର ଏହି ଧନର ସାହାଯ୍ୟରେ ଦାନଧର୍ମ ଅନୁଷ୍ଠିତ ହୋଇ ପାରିଲେ ଧନର ପ୍ରକୃତରେ ସଦ୍‌ବ୍ୟବହାର ହୋଇଥାଏ । ଦାନଧର୍ମ ମହାଧର୍ମ । ସେଥିପାଇଁ ଧର୍ମଶାସ୍ତ୍ରର ବଚନ ଏହା ଯେ ‘‘It is more blessed to give than to receive.’’ ଗ୍ରହଣ କରିବାଠାରୁ ଦାନ କରିବା ମହତ୍ତର ଓ ଉଚ୍ଚତର କାର୍ଯ୍ୟ । ଏହି ଧର୍ମଶିକ୍ଷା ଯେ କରିଅଛନ୍ତି ତାହାଙ୍କ ଜୀବନରେ ଶାନ୍ତିସୁଖ ରାଜତ୍ୱ କରିଥାଏ-। ଯାହାର ଏ ଦାନଧର୍ମରେ ସଦଭ୍ୟାସ ନାହିଁ ତାହାଙ୍କର ଜୀବନରେ ନାନା ସୁଖ ସ୍ୱାଚ୍ଛନ୍ଦ୍ୟ ଥିଲେ ସୁଦ୍ଧା ତାହା ମରୁଭୂମି ସଦୃଶ । ସେମାନଙ୍କ ଜୀବନରେ ଅନ୍ୟ ନାନାବିଧ କୃତକାର୍ଯ୍ୟତା ଲକ୍ଷିତ ହେଉଥିଲେ ହେଁ ତାହା ଭିତରେ ଜୀବନର ପୂର୍ଣ୍ଣତା, ସର୍ବାଙ୍ଗୀନ ଉନ୍ନତି ନ ଥାଏ । ଯଦି ଧନଦ୍ୱାରା ଜୀବସଂସାରର ମଙ୍ଗଳ ସାଧିତ ନ ହେଲା ସେ ଧନର ପ୍ରକୃତ ସଦ୍‌ବ୍ୟବହାରର କେଉଁଠାରେ ରହିଲା ? ଅନ୍ୟ ପାଞ୍ଚଜଣଙ୍କର ଜୀବନରୁ ଦୁଃଖ କାଳିମା ପୋଛିଦେଇ ସେମାନଙ୍କ ଜୀବନ ଉପରେ ଟିକିଏ ସୁଖଶାନ୍ତିର ବିମଳରଶ୍ମି ବିଞ୍ଛି ଦେଇ ନପାରିଲେ ଧନର ପ୍ରକୃତ ସଦ୍ ବ୍ୟବହାର ହେଲା ନାହିଁ ବୋଲି ମନେ କରିବାକୁ ହେବ । ନିଜର ସହଯାତ୍ରୀଙ୍କର କିଛି ଉପକାର କରି ନ ପାରିଲେ ସଂସାରୀ ଜୀନନର ସାର୍ଥକତା ରହିଲା କେଉଁଠାରେ ?
 

ଗୁଡ଼ାଏ ଧନସମ୍ପତ୍ତି ନ ହେଲେ ଦାନ ଧର୍ମ ଅଭ୍ୟାସ କରିବା ଠିକ୍ ନୁହେଁ, ଏପରି ଯୁକ୍ତି କେହି କେହି କରିଥାନ୍ତି । ମାତ୍ର ଏପରି ଯୁକ୍ତି ଭିତ୍ତିହୀନ । ଆମର ପ୍ରଚୁର ସମ୍ପତ୍ତି ନ ହେବା ଯାଏ ରୋଗୀ, ଦୁଃଖୀ, ଅନାଥ, ଆତୁରଙ୍କର ସେବା କାର୍ଯ୍ୟ ବନ୍ଦ କରି ରଖିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ଧନ ସମ୍ପତ୍ତି ବଢ଼ିବାର କିଛି ସୀମା ନାହିଁ ବା ଜୀବନର ସ୍ଥିରତା କିଛି ଠିକ୍ ନାହିଁ । ଏପରି ଅବସ୍ଥାରେ ଯେ ଯେଉଁପରି ଅବସ୍ଥାରେ ଥିବେ ସେ ତାଙ୍କର ନିଜର ଅବସ୍ଥାରେ ଯେତେଦୂର ସମ୍ଭବ ଏହି ଦାନ ଧର୍ମ ପ୍ରତିପାଳନ କରି ପାରିଲେ ପାରିବାରିକ ଏକ ମହା ଧର୍ମ ପ୍ରତିପାଳିତ ହୁଏ । ମନୁଷ୍ୟର ମନୁଷ୍ୟ ପ୍ରତି କର୍ତ୍ତବ୍ୟ ଚିରକାଳ ରହିଅଛି । ଏହି ଅଧିକାରୀ ହେବା ଯେ ନିତାନ୍ତ ଆବଶ୍ୟକ, ତାହା ନୁହେଁ । ଯାହା ଜୀବନ ପ୍ରତି ମଧୁମୟ ଏବଂ ଜୀବନରେ କରଣୀୟ ସେସବୁ ସାଧୁକର୍ମ । ଜୀବନ ପଥରେ ଗତି କରିବା ସଙ୍ଗେ ସଙ୍ଗେ ଅଭ୍ୟାସ ନ କଲେ ଜୀବନର ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ । ଯେପରି ପରିଶ୍ରମ ଓ ମିତବ୍ୟୟିତା ଅଭ୍ୟାସ କରି ଧନ ଅର୍ଜନ କରିବା ଆବଶ୍ୟକ, ସେହିପରି ଅର୍ଜିତ ଧନର ସଦ୍ ବ୍ୟବହାର କରି ଦାନଧର୍ମର ପୁଣ୍ୟ ଅର୍ଜନ କରିବା ଗୃହସ୍ଥ ପକ୍ଷରେ ପରମ ଆଦରଣୀୟ କାର୍ଯ୍ୟ । ଧନ ବୃଦ୍ଧି ସଙ୍ଗେ ସଙ୍ଗେ ଯେ ନିଜର ହୃଦୟର ଦାନଧର୍ମକୁ ବଢ଼ାଇ ପାରନ୍ତି ସେ ସଂସାରରେ ଧନ୍ୟ । ସେପରି ବ୍ୟକ୍ତି ଜଗତର ଅଳଙ୍କାର ଓ ମାନବ ସମାଜର ବନ୍ଧୁ । ପକ୍ଷାନ୍ତରେ କୃପଣ ବ୍ୟକ୍ତି ସଂସାରରେ ଘୃଣ୍ୟ ଜୀବ ମାତ୍ର–ଏପରି ଲୋକକୁ କେହି ସ୍ନେହ କରେ ନାହିଁ ବା ଏପରି ଲୋକ କାହାକୁ ସ୍ନେହ କରେ ନାହିଁ । ତେଣୁ ପ୍ରତିଲୋକ ଜୀବନଯାତ୍ରା ଆରମ୍ଭ କରିବା ସଙ୍ଗେ ସଙ୍ଗେ ଦାନଧର୍ମରେ ନିଜର ଶକ୍ତି ସାମର୍ଥ୍ୟ ଅନୁସାରେ ନିଜକୁ ଦୀକ୍ଷିତ କରିବା ସର୍ବତୋଭାବରେ ଆବଶ୍ୟକ ।

 

ଦାନଧର୍ମ ପାଇଁ କାର୍ଯ୍ୟକ୍ଷେତ୍ର ଚତୁର୍ଦ୍ଦିଗରେ ପଡ଼ି ରହିଅଛି । ସେବାଧର୍ମ ପାଇଁ ଚାରିଆଡ଼େ ହାହାକାର ପଡ଼ିଅଛି । କେତେ ରୋଗୀ ଦୁଃଖୀ, ଅନାଥ ଆତୁର କେତେ ରୂପରେ ମାନବର ସେବା ଲୋଡ଼ୁ ଅଛନ୍ତି । ଭଗବାନଙ୍କର ବ୍ୟକ୍ତିଗତ ଭାବରେ ଆମ୍ଭେମାନେ କିଛି ସେବା କରି ପାରିବା ସମ୍ଭବପର ନୁହେଁ, କିନ୍ତୁ ଏହି ଦୀନ ଦରିଦ୍ରଙ୍କ ସେବା କରି ଆମ୍ଭେମାନେ ଭଗବତ୍ ସେବା କରିପାରୁଁ । ଏହି ଦାନଧର୍ମ ବାଟରେ ଆମ୍ଭେମାନେ ଭଗବାନଙ୍କୁ ସେବା କରିପାରୁଁ, ପୂଜା କରିପାରୁଁ । ଏହି ପୂଜାକୁ ଭଗବାନ ବେଶି ଆଦର କରନ୍ତି । ଯେ ଆନନ୍ଦରେ ସ୍ୱଚ୍ଛ ପ୍ରାଣରେ ମୁକ୍ତ ହୃଦୟରେ ଅନାଥ ଆତୁରଙ୍କର ସେବା କରନ୍ତି ସେହିମାନେ ପ୍ରଭୁଙ୍କର ପରମ ପ୍ରିୟ । ବାକ୍ୟରେ ସ୍ନେହ କରିବାକୁ ଭଗବାନ ଲୋଡ଼ନ୍ତି ନାହିଁ । ଭଗବାନ ଲୋଡ଼ନ୍ତି କାର୍ଯ୍ୟରେ ଦୀନ ଦରିଦ୍ର ଅନାଥ ଆତୁରଙ୍କର ସେବା । ଯେ କାର୍ଯ୍ୟରେ ସତ୍ୟରେ ଏହି ସେବାଧର୍ମ ଗ୍ରହଣ କରନ୍ତି ସେ ଆରପାରିରେ ଭଗବାନଙ୍କର ସିଂହାସନ ପାର୍ଶ୍ୱରେ ଆସନ ପାଆନ୍ତି; ସେହିପରି ପୁଣ୍ୟାତ୍ମା ଭଗବାନଙ୍କର ସାନ୍ନିଧ୍ୟ ସୁଖ ସୌଭାଗ୍ୟ ଲାଭ କରିଥାନ୍ତି ।

 

ଏହି ଧର୍ମ କେବଳ ଟଙ୍କା କଉଡ଼ିରେ ସୀମାବଦ୍ଧ ନୁହେଁ । ଅଜ୍ଞାନକୁ ଜ୍ଞାନ, ଅସମର୍ଥକୁ ସାମର୍ଥ୍ୟ ଦେବା ମଧ୍ୟ ଅନ୍ନଦାନ, ବସ୍ତ୍ରଦାନ, ଔଷଧିଦାନ ପରି ମଙ୍ଗଳକର । ଏହିପରି ସାତ୍ତ୍ୱିକ ଦାନଧର୍ମରେ ଯେ ନିଜକୁ ଦୀକ୍ଷିତ କରି ପାରନ୍ତି ସେ ପ୍ରକୃତରେ ଧନର ସଦ୍ ବ୍ୟବହାର କରନ୍ତି । ଏହିପରି ଦାନଶୀଳ, ପରମହିତୈଷୀ ଜୀବ ସମାଜର ବନ୍ଧୁମାନେ କାଳେ କାଳେ ଅମର ହୋଇ ରହନ୍ତି ଏବଂ ସେମାନଙ୍କର ପୁଣ୍ୟସ୍ମୃତି ମାନବ ସମାଜକୁ ଊର୍ଦ୍ଧ୍ୱରୁ ଊର୍ଦ୍ଧ୍ୱତର ପ୍ରଦେଶକୁ ନେବାକୁ ସମର୍ଥ ହେଉଅଛି । ଏହିପରି ସର୍ବସ୍ୱତ୍ୟାଗୀମାନଙ୍କ ବିଷୟରେ ଧର୍ମଶାସ୍ତ୍ରର ବଚନ, ‘‘Make all we can, save all we can, give all we can’’ ଆମ୍ଭେମାନେ ଯେତେପାରିବା ପରିଶ୍ରମ କରି ଅର୍ଜନ କରିବା; ଯେତେ ଅର୍ଜନ କରିବା ସବୁ ମୁକ୍ତ ପ୍ରାଣରେ ଦାନ କରିବା। ଏହିପରି ଦାନରେ ଧନର ସାର୍ଥକତା, ପରିଶ୍ରମର ସାର୍ଥକତା, ମାନବ ଜୀବନର ସାର୍ଥକତା ।

Image

 

ପରିବାରରେ ନାରୀର କଳାବିଦ୍ୟା

 

ପରିବାରର ପୁତ୍ରକନ୍ୟାମାନେ ନାନା କଳାବିଦ୍ୟାରେ ସୁନିପୁଣ ହେଲେ ଯେପରି ପରିବାରର ଶ୍ରୀବୃଦ୍ଧି ହୁଏ, ଦରିଦ୍ର ପରିବାର ପକ୍ଷରେ ମଧ୍ୟ ସେପରି ଅଳ୍ପାଧିକ ପରିମାଣରେ ଜୀବନଯାତ୍ରା ନିର୍ବାହରେ ସହାୟତା ମିଳେ । ପରିବାରର ମୁଖ୍ୟ ବ୍ୟକ୍ତିମାନେ ଚେଷ୍ଟା କଲେ ଦେଖି ପାରିବେ, ପିଲାମାନଙ୍କର କେଉଁ କେଉଁ କଳାବିଦ୍ୟାର ସ୍ୱାଭାବିକ ପ୍ରବୃତ୍ତ ଅଛି । କାହାର ଚିତ୍ରବିଦ୍ୟାରେ ଥାଇପାରେ, କାହାର ଗାଇବାରେ ଥାଇପାରେ, କାହାର ବଜାଇବାରେ ଥାଇପାରେ, କାହାର ବା କାଇଁଶି ଚାଙ୍ଗୁଡ଼ିବୁଣାରେ ଥାଇପାରେ, ଏହିପରି ନାନା ବିଷୟରେ ପିଲାମାନଙ୍କର ରୁଚି ଥାଇପାରେ । ଏହି ରୁଚିର କର୍ଷଣ କରିବା ପାଇଁ ପିଲାଦିନରୁ ପିଲାମାନଙ୍କ ସମ୍ମୁଖରେ ଏହି ସବୁ ପାଞ୍ଚପ୍ରକାର ପଦାର୍ଥର ସମାବେଶ କରାଗଲେ ସେମାନେ ନିଜ ନିଜର ରୁଚି ଅନୁସାରେ ଯେଉଁ ବିଷୟରେ ଇଚ୍ଛା, ଉତ୍କର୍ଷ ଦେଖାଇବାକୁ ସମର୍ଥ ହୁଅନ୍ତି । ପିଲାମାନଙ୍କ ସମ୍ମୁଖରେ ଏହି ସବୁ ବିବିଧ କଳାବିଦ୍ୟା ରଖାଗଲେ, ସେମାନେ କ୍ରୀଡ଼ାଛଳରେ ସେ ସବୁର ଆଲୋଚନାରେ ପ୍ରବୃତ୍ତ ହୁଅନ୍ତି ଏବଂ ସେଥିଭିତରୁ ସେମାନଙ୍କ ରୁଚି ଅନୁସାରେ ଉତ୍କର୍ଷ ଜଣାପଡ଼େ । ପିଲାମାନଙ୍କର ବିଶେଷତଃ ବାଳିକାମାନଙ୍କର ଏହି କଳା ବିଦ୍ୟା ଦିଗରେ ଉତ୍କର୍ଷ ସାଧନ କରାଇବା ପରିବାର ପକ୍ଷରେ ବଡ଼ ଶୁଭକର । ପରିବାର ଯଦି ସମୃଦ୍ଧ ହୁଏ, ପରିବାର ଭିତରର ନାରୀମାନଙ୍କର କଳାବିଦ୍ୟା ସମୃଦ୍ଧ ପରିବାରର ଶୋଭା ସୌନ୍ଦର୍ଯ୍ୟର ପରିବର୍ଦ୍ଧନରେ ସାହାଯ୍ୟ କରେ, ଏବଂ ପରିବାର ଯଦି ଦରିଦ୍ର ହୁଏ, ତେବେ ନାରୀମାନଙ୍କର କଳାବିଦ୍ୟା ସେ ପରିବାରର ଧନାଗମର ଉପାୟସ୍ୱରୂପ ବ୍ୟବହୃତ ହୋଇପାରେ । ତେଣୁ ମନେହୁଏ, ଆମ୍ଭମାନଙ୍କ ଦେଶର ବାଳିକା ବିଦ୍ୟାଳୟମାନଙ୍କରେ ବିଶେଷ ଭାବରେ ଏହି ସବୁ କଳାବିଦ୍ୟାର ଶିକ୍ଷା ଓ ଆଲୋଚନା ହେଲେ ଏ ଦେଶର ନାରୀଶିକ୍ଷାର କାର୍ଯ୍ୟ ବହୁ ପରିମାଣରେ ସୁସାଧିତ ହୋଇପାରେ । ବାଳିକାମାନଙ୍କୁ ବିଶେଷତଃ ଯେଉଁମାନେ ବେଶି ଦୂର ଶିକ୍ଷାଲାଭ କରିବାକୁ ଅସମର୍ଥ, ସେମାନଙ୍କୁ ଗାଇବା, ବଜାଇବା, ଚିତ୍ର କରିବା, ମୂର୍ତ୍ତି ଗଠନ କରିବା, ବିବିଧ ପ୍ରକାର ସିଲାଇ କରିବା ପ୍ରଭୃତି ଶିକ୍ଷା ଦିଆ ଗଲେ ଏ ଦରିଦ୍ର ଦେଶର ପରିବାରରେ ଓ ନାରୀଜୀବନରେ ନବ ରେଖାପାତ ହୋଇପାରେ । ଅନେକ ସ୍ଥଳରେ ଦେଖାଯାଇଥାଏ ଯେ, କେତେକ ବାଳିକା ଗଣିତ, ସାହିତ୍ୟ, ଭୂଗୋଳ, ଇତିହାସ ପ୍ରଭୃତି ଆୟତ୍ତ କରିବାକୁ ସେପରି ଚଞ୍ଚଳ ନୁହନ୍ତି, ମାତ୍ର ବିବିଧ କଳାବିଦ୍ୟାରେ ହଠାତ୍ ମନ ପ୍ରବେଶ କରି ପାରନ୍ତି । ସେ ସବୁ ଦେଖି ବ୍ୟକ୍ତିଗତ ଅଭିରୁଚି ବୁଝି ବାଳିକାମାନଙ୍କୁ ବିଭିନ୍ନ କଳାବିଦ୍ୟାରେ ଶିକ୍ଷିତା କରାଇପାରିଲେ ଏ ଦେଶର ନାରୀ ଜୀବନ ପରିମାର୍ଜିତ ହୋଇପାରିବାର ପୂର୍ଣ୍ଣ ସମ୍ଭାବନା ଅଛି । ବିବିଧ କଳାବିଭୂଷିତ ଦେଉଳ ଅଟ୍ଟାଳିକାପୂର୍ଣ୍ଣ ଏ ଉତ୍କଳ ଦେଶରେ ନାରୀର ହସ୍ତପଦ ଯେପରି କଳାପାଇଁ ବିଶେଷ ଭାବରେ ଉପଯୁକ୍ତ ବୋଲି ବୋଧ ହୁଏ । ଏ ଦେଶରେ କିଛି ଶିକ୍ଷା ନଥାଇ ଏ ଦେଶର ପଲ୍ଲୀଗ୍ରାମରେ ସ୍ତ୍ରୀଲୋକମାନେ କାନ୍ଥ ବାଡ଼ରେ ଯେପରି ବିବିଧ ଛାନ୍ଦବନ୍ଧ ଚିତ୍ରିତ ଛବିସବୁ ଲେଖିଥାଆନ୍ତି; ତାହା ଦେଖି ବିଦେଶୀୟ ପଣ୍ଡିତମାନେ ମଧ୍ୟ ମୁଗ୍ଧ ହୋଇଥିବାର ଆମ୍ଭମାନଙ୍କୁ ଜଣାଅଛି । ଓଡ଼ିଆ ଘରର ଝିଅ ବୋହୂଙ୍କ ହାତର କାଇଁଶି ଚାଙ୍ଗୁଡ଼ି ମଧ୍ୟ ସୁଶିକ୍ଷିତ ବିଦେଶୀୟଙ୍କର ପ୍ରଶଂସା ଆଣିଥାଏ । ସେହିପରି ଗୀତ, ବାଦ୍ୟ, ନୃତ୍ୟ ପ୍ରଭୃତିରେ ଏ ଦେଶର ବାଳିକାମାନଙ୍କୁ ଶିକ୍ଷିତା କରାଇ ପାରିବା ବୋଧହୁଏ ବେଶି ସହଜ । ଏ ଦେଶର ଜଳବାୟୁରେ ଏହି ସବୁ ବିବିଧ କଳା ବହୁକାଳରୁ ଯେପରି ରହି ଆସିଅଛି, ଟିକିଏ ଦେଖି ଚାହିଁ ଧରି ପାରିଲେ ଅନାୟାସରେ ଆୟତ୍ତ ହୋଇପାରିବ । ଏ ସବୁ କଳାର ମୂଲ୍ୟ ଆଜିକାଲି ସଂସାରରେ ମଧ୍ୟ ଖୁବ୍ ବେଶୀ । ଗୀତ, ବାଦ୍ୟ, ନୃତ୍ୟ, ଚିତ୍ରବିଦ୍ୟା, ସୀବନ ପ୍ରଭୃତି ବିବିଧ କଳାବିଦ୍ୟାରେ ଉତ୍କର୍ଷ ଅର୍ଜନ କରି ପାରିଲେ ଆଧୁନିକ ସଂସାରରେ ସହଜରେ ଅର୍ଥ ଓ ଖ୍ୟାତି ମିଳିପାରେ ।

 

ଏ ସବୁ କଳାବିଦ୍ୟାର ଟିକିଏ ବିପଦ ଅଛି । ବିପଦ କିଛି ନୁହେଁ, ଏହା ଆମ୍ଭମାନଙ୍କର ନିଜର ହାତଗଢ଼ା ବିପଦ ବୋଲି ମନେହୁଏ । ବୁଝି ବିଚାରି କାର୍ଯ୍ୟ ନକରି କେବଳ ଅପରକୁ ଅନୁକରଣ କଲେ ଯେଉଁ ବିପଦ ଆସିପାରେ, ଏହା ସେହିପରି ବିପଦ । ଏହି ସବୁ କଳାବିଦ୍ୟାରୁ କେତେକ କଳାରେ ଶିକ୍ଷିତା ନାରୀମାନେ ସାଧାରଣ ଲୋକଙ୍କୁ ଆମୋଦ ପ୍ରମୋଦ ଦାନରେ ସେମାନଙ୍କ କଳାବିଦ୍ୟା ବ୍ୟୟ କରୁଥିବାର ସ୍ଥାନେ ସ୍ଥାନେ ଦେଖାଯାଉଅଛି । କେତେକ ମନ୍ଦ ପଦାର୍ଥର ଆମଦାନି ପରି ଏହା ଗୋଟିଏ ବିଦେଶର ଆମଦାନି ପଦାର୍ଥ । ପାଶ୍ଚାତ୍ୟ ଦେଶର ଅନୁକରଣରେ ଏ ଦେଶର ଭଦ୍ର ପରିବାରର ବୟସ୍କା କନ୍ୟା ଓ ବଧୂମାନେ ସ୍ଥାନେ ସ୍ଥାନେ ସାଧାରଣଙ୍କ ସମକ୍ଷରେ ନୃତ୍ୟ, ଗୀତ କରୁଅଛନ୍ତି । ଏ ଦେଶର କେତେକ ପ୍ରଦେଶରେ ଏହା ଚଳି ଆସୁଥିବାରୁ ଭୟ ହେଉଅଛି, ଅନୁକରଣ ହାଉଆରେ ଏହା ପାର୍ଶ୍ୱବର୍ତ୍ତୀ ପ୍ରଦେଶମାନଙ୍କରେ ମାଡ଼ିଯିବ । ଏଥିପ୍ରତି ତୀକ୍ଷ୍‌ଣ ଦୃଷ୍ଟି ରଖିବା ପ୍ରୟୋଜନ । ନାରୀର ସବୁ କଳାବିଦ୍ୟା ସେତିକିବେଳେ ସାର୍ଥକ, ଯେତେବେଳେ ସ୍ୱାମୀ ତାହା ଉପଭୋଗ କରେ । ବାହାରର ଲୋକଙ୍କୁ ତୁପ୍ତି ଦେବା ସକାଶେ ଗୃହସ୍ଥ ବଧୂର କଳା ଆଲୋଚନାର ପ୍ରୟୋଜନୀୟତା ନାହିଁ । ସେଥିପାଇଁ ସ୍ୱତନ୍ତ୍ର ଶ୍ରେଣୀର ନାରୀ ଅଛନ୍ତି । ଏହି ହିସାବରେ ଦେଖିଲେ ମନେ ହୁଏ, ଗୃହସ୍ଥବଧୂର ସାଧାରଣଙ୍କ ସମକ୍ଷରେ ନୃତ୍ୟ ଗୀତ ପ୍ରଭୃତି କଳାବିଦ୍ୟାରେ ପାରଦର୍ଶିତା ଦେଖାଇବା ଏ ଦେଶର ଅବସ୍ଥା ଓ ପରିସ୍ଥିତି ପକ୍ଷରେ ଉଚିତ ନୁହେଁ । ଏ ବିଷୟରେ ଆମ୍ଭମାନଙ୍କର ପାଶ୍ଚାତ୍ୟ ଦେଶର ଅନ୍ଧ-ଅନୁକରଣ ସମାଜର ସୁଖ ସମୃଦ୍ଧି ଓ ସଦାଚାର ମୂଳରେ କୁଠାରଘାତ କରିବାର ଆଶଙ୍କା ଅଛି ।

 

ନାରୀ ବିବିଧ କଳାବିଭୂଷିତା ହୋଇ ପରିବାରର ଆନନ୍ଦ ଉତ୍ସବରେ ସହାୟତା କରୁ ଏବଂ ପରିବାର ସେ ସବୁ କଳାବିଦ୍ୟାର ସଂସ୍ରବରେ ଆସି ମାର୍ଜିତ ଓ ସୁସଂସ୍କୃତ ହେଉ । ଏ ସବୁ କଳାବିଦ୍ୟା ମଧ୍ୟ ଦରିଦ୍ର ପରିବାର ପକ୍ଷରେ ଅର୍ଥାର୍ଜନର ଏକ ସହଜ ଓ ସୁନ୍ଦର ଉପାୟ । କିନ୍ତୁ ଏତିକି କଥା, ପରିବାରରେ କଳାବିଦ୍ୟାର ଆଲୋଚନା ଯେପରି ପରିବାରର ନୀତି ଓ ଆଚାରକୁ ନଷ୍ଟ ନ କରେ ।

Image

 

Unknown

ପରିବାରରେ ସ୍ତ୍ରୀଲୋକମାନଙ୍କର ସ୍ୱାସ୍ଥ୍ୟ

 

ପରିବାରରେ ସ୍ୱାସ୍ଥ୍ୟର ମୂଲ୍ୟ କେତେ, ତାହା ପରିବାରରେ କେହି ଅସୁସ୍ଥ ନହେଲେ ସହଜରେ ବୁଝିହେବ ନାହିଁ । ପରିବାରର ସବୁ ସମ୍ପଦଠାରୁ ସ୍ୱାସ୍ଥ୍ୟସମ୍ପଦ ବେଶି ମୂଲ୍ୟବାନ୍ । ଗରିବ ମୂଲିଆ ଲୋକଟିଏ ତାର ସୁସ୍ଥ ସବଳ ପିଲାପିଲିଗୁଡ଼ିକ ନେଇ କୁଡ଼ିଆଘରେ ଯେଉଁ ସୁଖ, ଶାନ୍ତି ଓ ଆନନ୍ଦ ପାଏ, ସ୍ୱାସ୍ଥ୍ୟସମ୍ପଦ ହରାଇ ବଡ଼ଲୋକ ତାର ଅନ୍ୟ ସବୁ ପ୍ରକାର ସୁବିଧା ପାଇ ମଧ୍ୟ ସେ ସୁଖ ପାଇପାରେନାହିଁ । ଶାରୀରିକ ସ୍ୱାସ୍ଥ୍ୟ ଗୋଟିଏ ବଡ଼ ମୂଲ୍ୟବାନ ସମ୍ପତ୍ତି । ପରିବାରର ସମସ୍ତେ ତାହାକୁ ରକ୍ଷା କରିବାକୁ ଚେଷ୍ଟା କରିବା ସବୁ ସମୟରେ ଉଚିତ ।

 

ପରିବାରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ତ ବାଞ୍ଛନୀୟ । ସ୍ତ୍ରୀଲୋକମାନଙ୍କର ସ୍ୱାସ୍ଥ୍ୟ ନାନା କାରଣରୁ ଭଲ ଭାବରେ ଦେଖିବା ପରିବାରର ମଙ୍ଗଳ ପକ୍ଷରେ ବିଶେଷ ଭାବରେ ଆବଶ୍ୟକ । ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ସେମାନଙ୍କ ନିଜର ମଙ୍ଗଳ ଓ ସେମାନଙ୍କର ପିଲାମାନଙ୍କର ମଙ୍ଗଳ ନିର୍ଭର କରେ । ମାଆମାନେ ସୁସ୍ଥ ସବଳ ନହେଲେ ସେମାନଙ୍କ ପିଲାମାନେ ସୁସ୍ଥ ସବଳ ହୁଅନ୍ତି ନାହିଁ । ଏ ଦିଗରୁ ଦେଖିବାକୁ ଗଲେ ବର୍ତ୍ତମାନ ବଂଶ ଓ ଭବିଷ୍ୟତ ବଂଶ ଉଭୟ ଦିଗରେ ସ୍ୱାସ୍ଥ୍ୟଲାଗି ସ୍ତ୍ରୀଲୋକମାନଙ୍କର ସ୍ୱାସ୍ଥ୍ୟ ଏକାନ୍ତ ଆବଶ୍ୟକ ।

 

ଆଜିକାଲି ଭଦ୍ର ପରିବାରରେ ସ୍ତ୍ରୀଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟହୀନତା ବେଶି ପରିମାଣରେ ଦେଖାଯାଏ । ତାହାର ଏକମାତ୍ର କାରଣ ଶାରୀରିକ ପରିଶ୍ରମର ଅଭାବ । ବିଶୁଦ୍ଧ ପବନ ଓ ଉଜ୍ଜଳ ସୂର୍ଯ୍ୟାଲୋକ ଜୀବଜଗତର ପ୍ରାଣ । ଯେ ଯେତେ ପରିମାଣର ଏ ଦୁଇଟି ଲାଭ କରିପାରେ, ସେ ସେହି ପରିମାଣରେ ଜୀବନୀଶକ୍ତି ସଞ୍ଚୟ କରିଥାଏ । ଆଧୁନିକ ଯୁଗରେ ବଡ଼ ବଡ଼ ସହରମାନଙ୍କରେ ଭଦ୍ରପରିବାରର ସ୍ତ୍ରୀଲୋକମାନଙ୍କ ମଧ୍ୟରେ କ୍ଷୟ ରୋଗର ପ୍ରାଦୁର୍ଭାବ ପରିଲକ୍ଷିତ ହେଉଅଛି । ଅଳ୍ପ ବୟସରେ ବିବାହ ଓ ମାତୃତ୍ୱ ସଙ୍ଗେ ସଙ୍ଗେ ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟକର ବାସସ୍ଥାନ, ବିଶୁଦ୍ଧ ବାୟୁ ଓ ପ୍ରଚୁର ସୂର୍ଯ୍ୟାଲୋକର ଅଭାବ ଘଟିବାରୁ ଆଜିକାଲିର ନଗରବାସିନୀ ସ୍ତ୍ରୀମାନେ ନାନା ରୋଗପ୍ରପୀଡ଼ିତା ହୋଇ ବହୁ ସଂଖ୍ୟାରେ ମୃତ୍ୟୁ ମୁଖରେ ବର୍ଷକୁବର୍ଷ ପଡ଼ୁଅଛନ୍ତି । ଘରର ଦୈନିକ ନାନା କାର୍ଯ୍ୟ ନିଜେ ନିଜେ କଲେ ସେଥିରେ କେବଳ ଯେ ଘରର ଶୃଙ୍ଖଳା ଓ ମିତବ୍ୟୟିତା ରକ୍ଷିତ ହୁଏ, ତାହା ନୁହେଁ, ତାହାଦ୍ୱାରା ମଧ୍ୟ ସ୍ତ୍ରୀଲୋକମାନେ ପରିଶ୍ରମ କରି ସୁସ୍ଥ, ସବଳ ଓ ଦୀର୍ଘଜୀବୀ ହୁଅନ୍ତି । ସହରର କ୍ଷୁଦ୍ର ସଂକୀର୍ଣ୍ଣ ବାୟୁଚଳାଚଳଶୂନ୍ୟ ଅନ୍ଧାକାରମୟ ଘର ଭିତରେ ଦରିଦ୍ର ପରିବାରର ଲୋକ ଆବଦ୍ଧ ରହି କ୍ରମେ କ୍ରମେ ଜୀବନୀଶକ୍ତି ହରାଇ ମୃତ୍ୟୁମୁଖରେ ପତିତ ହେଉଅଛନ୍ତି । ଏପରି ଦରିଦ୍ର ମଧ୍ୟବିତ୍ତଶ୍ରେଣୀ ଲୋକମାନେ ସହରରୁ ମଫସଲକୁ ଯାଇ ସେଠାରେ ବିଶୁଦ୍ଧ ଖାଦ୍ୟ, ପ୍ରଚୁର ବିଶୁଦ୍ଧ ବାୟୁ ଓ ଉଜ୍ଜଳ ସୂର୍ଯ୍ୟାଲୋକ ଉପଭୋଗ କରିବା ସର୍ବତୋଭାବରେ ବିଧେୟ । ଯଦି ପୁରୁଷମାନେ ସହରର କାର୍ଯ୍ୟକ୍ଷେତ୍ର ପରିତ୍ୟାଗ କରି ନପାରନ୍ତି, ସ୍ତ୍ରୀ ଲୋକମାନେ ମଫସଲରେ ରହି ସ୍ୱାସ୍ଥ୍ୟ ଶାନ୍ତି ଉପଭୋଗ କରିବା ସଙ୍ଗେ ସଙ୍ଗେ ଦୀର୍ଘଜୀବନ ଲାଭ କରିବାପାଇଁ ପ୍ରୟାସ କରିବା ସର୍ବ ପ୍ରଯତ୍ନରେ ବିଧେୟ ।

 

ଆଜିକାଲି ସାଧାରଣ ମଧ୍ୟବିତ୍ତ ପରିବାରରେ ଆଉ ଗୋଟିଏ ରୋଗ ଦେଖାଯାଏ । ଅନେକ ସ୍ଥଳରେ ଏପରି ପରିବାର ସ୍ତ୍ରୀଲୋକମାନଙ୍କ ଆଳସ୍ୟର ବଶବର୍ତ୍ତୀ ହୋଇ ଅନର୍ଥକ ବାଜେ ଗଳ୍ପ, ତାସ, ସତରଞ୍ଜ ଖେଳ, ଲଘୁସାହିତ୍ୟ ପାଠରେ ନଷ୍ଟ କରିବାକୁ ସେମାନଙ୍କର ଜୀବନର କାର୍ଯ୍ୟ ବୋଲି ମନେକରିଥାଆନ୍ତି । ଏପରି ଜୀବନଯାପନ ସେମାନଙ୍କ ପରିବାରପ୍ରତି ଓ ମାନବ ସମାଜପ୍ରତି ଯେ କେବଳ ଅହିତକର ତାହା ନୁହେଁ । ଏହା ସେମାନଙ୍କ ନିଜ ନିଜ ଜୀବନପ୍ରତି ଆତ୍ମାଘାତିନୀ ନୀତି । ସେମାନଙ୍କ ଏପରି ଜୀବନ ଯାପନ କରିବାଦ୍ୱାରା କ୍ରମେ କ୍ରମେ ନିଜର ଶରୀରକୁ ବହୁବିଧ ରୋଗର ଆଧାର କରିପକାନ୍ତି ଏବଂ ନିଜେ ନିଜକୁ ଏହିପରି ବିଷ ଦେଇ ଅଳ୍ପ ସମୟରେ ଇହ ସଂସାରରୁ ବିଦାୟ ନେଇଥାଆନ୍ତି । ସ୍ତ୍ରୀଲୋକମାନେ ଯଦି ଘରକାମ କରି ବିବିଧ ଶାରୀରିକ ପ୍ରରିଶ୍ରମ କରନ୍ତି, ସେମାନଙ୍କ ପ୍ରାଣରେ ଆନନ୍ଦ ଖେଳିବ; ସେମାନଙ୍କ ମୁଖମଣ୍ଡଳ ସ୍ୱାସ୍ଥ୍ୟର ରଶ୍ମୀରେ ଉଦ୍ଭାସିତ ହେବ; ସେମାନଙ୍କ ଗାତ୍ରର ଚର୍ମ ଉଜ୍ଜଳ ଓ ସୁନ୍ଦର ଦିଶିବ; ସେମାନଙ୍କର ଧମନୀରେ ରୋଗନାଶକ ବିଶୁଦ୍ଧ ଲୋହିତ ରକ୍ତ ପ୍ରଭାବିତ ହେବ; ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ସୁନ୍ଦର ଓ ସୁଗଠିତ ହେବ; ସେମାନଙ୍କ ଯୌବନଶ୍ରୀ ବହୁଦିନସ୍ଥାୟୀ ହେବ; ସେମାନଙ୍କ ମନରେ ସାହାସ, ତେଜ ଓ ନବ ନବ ବୁଦ୍ଧି ଆସିବ; ସେମାନଙ୍କର ଓଷ୍ଠ, ନଖ ଓ ଆଖି ଢଳରେ ଲାଲ ରକ୍ତକଣିକା ପ୍ରଚୁର ପରିମାଣରେ ଦେଖା ଦେବ ଏବଂ ଆଜିକାଲି ବହୁ ସ୍ଥଳରେ ଦେଖାଯାଉଥିବା ରକ୍ତହୀନତା ରୋଗ ଓ ଯକ୍ଷ୍ମାରୋଗ ଭଦ୍ରପରିବାରରୁ ଅନ୍ତର୍ହିତ ହେବ । ଏ ଦେଶର ବଡ଼ ଘରର ଏବଂ ମଧ୍ୟବିତ୍ତ ଘରର ସ୍ତ୍ରୀଲୋକମାନେ ନିଶ୍ଚୟ ଯେପରି ପରିଶ୍ରମ କରନ୍ତି, ସେଥିପ୍ରତି ପ୍ରତି ପରିବାରରେ ସମଧିକ ଦୃଷ୍ଟିଥିବା ଏକାନ୍ତ ଆବଶ୍ୟକ । ଏତକ ପ୍ରତି ଦୃଷ୍ଟି ନ ରଖିଲେ ଏ ନିରର୍ଥକ ବାବୁଗିରି ରୂପ ଆଳସ୍ୟରେ ପଡ଼ି ଏ ଦେଶର ପରିବାରଗୁଡ଼ିକ ଧନରେ, ମନରେ ଓ ସ୍ୱାସ୍ଥ୍ୟରେ ଏକାବେଳକେ ରସାତଳଗାମୀ ହୋଇଯିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ବ୍ୟକ୍ତିବିଶେଷକୁ, ପରିବାରକୁ ବା ସମାଜକୁ ଆଳସ୍ୟ ପରି ଆଉ କେହି ନରକ ଦିଗକୁ ବେଶି ଦ୍ରୁତଗତିରେ ଟାଣି ନେଇ ପାରେ ନାହିଁ ।

 

ପରିଶ୍ରମର ଅଭାବରୁ ଆଜିକାଲିର ଭଦ୍ର ପରିବାରର ସ୍ତ୍ରୀଲୋକମାନଙ୍କ ମଧ୍ୟରେ ଅନେକ ସ୍ଥଳରେ ରକ୍ତହୀନତା, କ୍ଷୁଧାମାନ୍ଦ୍ୟ ରୋଗ ଦେଖାଯାଏ । କୌଣସି କୌଣସି ସ୍ଥଳରେ ଏ ରୋଗର ପ୍ରଦୁର୍ଭାବରେ ଯକ୍ଷ୍ମାରୋଗ ଜାତ ହୋଇ ଅଳ୍ପକାଳ ମଧ୍ୟରେ ପ୍ରାଣ ବିନାଶ ଘଟାଇଦିଏ । ବିଶୁଦ୍ଧ ରକ୍ତ ଜୀବନର ସାର ପଦାର୍ଥ, ତାର ଅଭାବ ଘଟିଲେ ନାନା ରୋଗ ଜାତ ହୋଇଥାଏ । ରକ୍ତହୀନତାରୁ ପରିପାକ ଶକ୍ତିର ଗୋଳମାଳ ଘଟେ । କ୍ଷୁଧାମାଦ୍ୟ, ଅଜୀର୍ଣ୍ଣ, ନାନାବିଧ ଶୂଳ ରୋଗ ରକ୍ତହୀନତାର ଅବଶ୍ୟମ୍ଭାବୀ ଫଳ । ରକ୍ତହୀନତାରୁ କ୍ଷୁଧାମାନ୍ଦ୍ୟ ମଧ୍ୟ ଜାତ ହୁଏ ଏବଂ କ୍ଷୁଧାମାନ୍ଦ୍ୟ ରକ୍ତହୀନତା ରୋଗକୁ କ୍ରମେ କ୍ରମେ ବୃଦ୍ଧି କରେ ।

 

ଏସବୁରୁ ସ୍ତ୍ରୀଲୋକମାନଙ୍କୁ ରକ୍ଷା କରିବାର ଏକମାତ୍ର ଉପାୟ ସେମାନଙ୍କୁ ଆଳସ୍ୟପରାୟଣ ନକରି ଗୃହର ବିବିଧ ଦୈନଦିନ କାର୍ଯ୍ୟରେ ଖଟାଇବାରେ ଅଭ୍ୟାସ କରାଇନେବା । ଅତି ସାଧାରଣ ଅବସ୍ଥାରେ ଗୃହସ୍ଥଙ୍କ ଗୃହରେ ଆଜିକାଲି ପୂଜାରୀ ଚାକର ନ ହେଲେ କାମ ଚଳୁ ନାହିଁ । କେତେବର୍ଷ ବର୍ଷ ପୂର୍ବେ ଏ ଦେଶରେ ଏ ରୋଗ ନ ଥିଲା । ବଡ଼ଲୋକଙ୍କ କଥା ସ୍ୱତନ୍ତ୍ର । ସାଧାରଣ ମଧ୍ୟବିତ୍ତ ଗୃହର ସ୍ତ୍ରୀଲୋକମାନେ ଆପଣା ଆପଣାର ଗୃହକାର୍ଯ୍ୟ ଆନନ୍ଦରେ କରି ପାରୁଥିଲେ ଏବଂ ତାହାଦ୍ୱାରା ସେମାନେ ସ୍ୱସ୍ଥ୍ୟ ଓ ବଳ ଲାଭ କରୁଥିଲେ । ଓଡ଼ିଆ ଜାତି ଅନ୍ୟ କେତେକ ବିଷୟରେ ଯେପରି ଅନ୍ଧ ଅନୁକରଣପ୍ରିୟତାର ବଶବର୍ତ୍ତୀ ହୋଇ କେତେଗୁଡ଼ାଏ ମନ୍ଦ ଅଭ୍ୟାସ ଶିଖିଅଛି-ଏ ପୂଜାହାରୀ ଚାକର-ନିର୍ଭରତା ସେହିପରି ଗୋଟିଏ । ଅବଶ୍ୟ ଯେଉଁଠାରେ ବହୁକୁଟୁମ୍ବର ଘର ଅଥବା ସ୍ତ୍ରୀଲୋକମାନେ ସଂଖ୍ୟା କମ୍ ବା ସ୍ତ୍ରୀଲୋକମାନଙ୍କ ସ୍ୱାସ୍ଥ୍ୟ ମନ୍ଦ ସେ ସବୁ ସ୍ଥଳରେ ପାଚକ, ଚାକର, ଚାକରାଣୀ ରଖିବା ଉଚିତ । ମାତ୍ର ଅଯଥା ଭାବରେ ସେମାନଙ୍କ ସଂଖ୍ୟା ବୃଦ୍ଧି କରିଦେଇ ନିଜର ଆଳସ୍ୟ ଓ ରୋଗ ବୃଦ୍ଧି କରିବାର ପଥ ପରିଷ୍କାର କରିବା ସୁବୁଦ୍ଧିର କଥା ନୁହେଁ । ପାଚକ, ଚାକର ରଖିଲେ ମଧ୍ୟ ଘରର ସ୍ତ୍ରୀଲୋକମାନେ ସେମାନଙ୍କ କାର୍ଯ୍ୟ ଦେଖା ଦେଖି କରିବା ଏବଂ ସେମାନଙ୍କୁ କେତେକ କାର୍ଯ୍ୟରେ ସାହାର୍ଯ୍ୟ କରିବା ଗୃହସ୍ଥ ପକ୍ଷରେ ସର୍ବଦା ଉଚିତ । ସୁଗୃହିଣୀଙ୍କ କାର୍ଯ୍ୟ ହେଉଅଛି, ସବୁ କାର୍ଯ୍ୟ ସେ ନିଜେ ଦେଖିବେ ଏବଂ ଯେତେଦୂର ସେ ପାରିବେ, ନିଜ ହାତରେ କରିନେବ । ଯେଉଁ ଗୃହର ସ୍ତ୍ରୀଲୋକମାନେ କେହି କାହାକୁ ଅପେକ୍ଷା ନକରି ଘରର କାର୍ଯ୍ୟକୁ କରି ନିଅନ୍ତି, ସେହି ଘର ସୁରୁଖୁରୁରେ, ସୁଖଶାନ୍ତିରେ ଚଳିଯାଏ । ଯେଉଁ ଘରେ ଘରର କାମ କରିବାକୁ ସ୍ତ୍ରୀଲୋକମାନେ କୁଣ୍ଠିତ ହୁଅନ୍ତି, ସେଠାରେ ସୁଖଶାନ୍ତି ରହିବା ସହଜ ନୁହେଁ । ପରିବାରର ସୁଖ, ଶାନ୍ତି ଓ ଆନନ୍ଦ ଆଣିବାକୁ ହେଲେ କି ପୁରୁଷ, କି ସ୍ତ୍ରୀ ସମସ୍ତଙ୍କର ଆନନ୍ଦରେ ଗୃହକର୍ମ କରିବାକୁ ମନ ବଳାଇବା ଉଚିତ । ସେଥିରେ ହିଁ ଘରର ସୁଖଶାନ୍ତି ଓ ବ୍ୟକ୍ତିଗତ ଭାବରେ ସମସ୍ତଙ୍କର ସୁଖ ଶାନ୍ତି ଓ ସ୍ୱାସ୍ଥ୍ୟ ସମ୍ଭବପର । ପରିଶ୍ରମ କରିବାକୁ ମନୁଷ୍ୟ ଜନ୍ମ ହୋଇଅଛି । କି ସ୍ତ୍ରୀ, କି ପୁରୁଷ, ସମସ୍ତେ ନିଜ ନିଜ ଅବସ୍ଥାରେ ଯଥୋପଯୁକ୍ତ ପରିଶ୍ରମ ନ କଲେ ମାନବଜନ୍ମର ଉଦ୍ଦେଶ୍ୟ ସଫଳ ହୋଇପାରିବ ନାହିଁ । ଆଧୁନିକ ଯୁଗର ଏ ଦେଶର ପାରିବାରିକ ଜୀବନର ନାନା ରୋଗ ଓ ଅସୁସ୍ଥତା ହେତୁ ଆଳସ୍ୟ ଓ କର୍ମବିମୁଖତା । ଏ ଦେଶର ଦାରିଦ୍ରତାର ମଧ୍ୟ ଏହା ଗୋଟିଏ ପ୍ରଧାନ ହେତୁ । ସର୍ବ ପ୍ରଯତ୍ନରେ ଏ ଦେଶର ପରିବାରରୁ ଏବଂ ସର୍ବକ୍ଷେତ୍ରରୁ ଆଳସ୍ୟକୁ ତଡ଼ି ପାରିଲେ ପୁଣି ଏ ଦେଶ ସୁଶ୍ରୀ, ସୁନ୍ଦର ଓ ଶ୍ରୀଯୁକ୍ତ ହେବ ଏଥିରେ ସନ୍ଦେହ ନାହିଁ ।

Image

 

ପରିବାରରେ ଜୀବନର ପବିତ୍ରତା

 

‘‘The parents can not do everything but they can live clean, temperate lives, watching not only the purity of their food and drink but also the purity of thr their thoughts. A clean body and a clean mind are the essentials for healthy genes. This is the greatest and best gift. The children may not develop genius or become distinguished in art, muise or literature, but they will grow into what is a nation's chief wealth, vigorous, clean, healthy individuals.’’

 

ଏ ଦେଶର ସାଧାରଣ ଭାବରେ ଏ କଥାଟି ପ୍ରଚଳିତ ଅଛି ଯେ, ‘‘ପିତା ମାତା ସୁକୃତରୁ ପୁତ୍ର ହୁଏ ସୁଖୀ ।’’ ଏ କଥା ବଡ଼ ମୂଲ୍ୟବାନ । ବାସ୍ତବିକ ପିତାମାତାଙ୍କର ସୁଗୁଣ ସନ୍ତାନସନ୍ତତିଙ୍କର ଅମୂଲ୍ୟ ସମ୍ପଦ । ଯେଉଁ ସନ୍ତାନ ଗୁଣବାନ୍, ଚରିତ୍ରବାନ୍ ପିତାଙ୍କର ସାହଚର୍ଯ୍ୟ ଲାଭ କରେ, ସେ ବଡ଼ ଭାଗ୍ୟବାନ୍ । ସନ୍ତାନ ଜନ୍ମ ସଙ୍ଗେ ସଙ୍ଗେ ପିତା ମାତାଙ୍କର ଯେ ଏକ ମହାନ୍ ଦାୟିତ୍ୱ ରହିଛି ତାହା ଏ ଦେଶର ଅଳ୍ପ ଲୋକେ ହୃଦୟଙ୍ଗମ କରି ଥାନ୍ତି । ଏ ଦାୟିତ୍ୱ ସନ୍ତାନଜନ୍ମର ବହୁ ପୂର୍ବରୁ ପିତାମାତାଙ୍କର ଥିବା ଉଚିତ । ପିତା ମାତା ଯାହା ଧନସମ୍ପତ୍ତ ରଖିଯାଆନ୍ତି ତାହା ସନ୍ତାନସନ୍ତତିମାନେ ଉତ୍ତରାଧିକାରୀ ସୂତ୍ରେ ଲାଭ କରନ୍ତି, ଏ କଥା ଯେପରି ସତ୍ୟ,ସେମାନଙ୍କର ଧନ ସମ୍ପତ୍ତଠାରୁ ବହୁ ଗୁଣରେ ମୂଲ୍ୟବାନ ସେମାନଙ୍କ ସ୍ୱଭାବ ଚରିତ୍ର ଲାଭ କରିବାର କଥା। ପିତାମାତାମାନଙ୍କର ଶରୀର ଓ ମନର ସ୍ୱାସ୍ଥ୍ୟ ଲାଭ କରି ସେହି ବଳରେ ଦେଶର ଓ ସମାଜର ଗଣ୍ୟମାନ୍ୟ ବ୍ୟକ୍ତି ହେବାର ଅଧିକାର ଲାଭ କରିବା ସନ୍ତାନ ପକ୍ଷରେ ଏକ ପରମ ସମ୍ପଦ । ଏହି ବିବେଚନାରେ ପ୍ରତି ପିତା ମାତାର ପ୍ରଧାନ କର୍ତ୍ତବ୍ୟ ଯେ, ସେ ଯେପରି ତାହାର ଶରୀରର ଓ ମନର ଅଖଣ୍ଡ ନିର୍ଦ୍ଦୋଷ ସ୍ୱାସ୍ଥ୍ୟ ନିଜର ସନ୍ତାନ ସନ୍ତତିଙ୍କୁ ଦାନ କରିବାକୁ ସମର୍ଥ ହୁଏ । ସନ୍ତାନସନ୍ତତିଙ୍କ ପ୍ରତି ପିତାମାତାଙ୍କର ଏହା ଏକ ମହାନ୍ ପବିତ୍ର କର୍ତ୍ତବ୍ୟ । ଏ ଗୁରୁ ଦାୟିତ୍ୱର କଥା ଚିନ୍ତା କଲେ ବାସ୍ତବିକ ଆତଙ୍କ ଉପସ୍ଥିତ ହୁଏ । ପିତାମାତାଙ୍କର ଶରୀରର ସାମାନ୍ୟ ଅଂଶବିଶେଷର ମୂର୍ତ୍ତି ଯେପରି ସନ୍ତାନସନ୍ତତି ଲାଭ କରନ୍ତି, ସେମାନଙ୍କ ଶରୀରିକ, ମାନସିକ ଓ ଅଧ୍ୟାତ୍ମିକଶକ୍ତି, ସାମର୍ଥ୍ୟ, ଦୋଷ ଗୁଣ ମଧ୍ୟ ସେହିପରି ସନ୍ତାନମାନଙ୍କଠାରେ ମୂର୍ତ୍ତି ପରିଗ୍ରହ କରେ । ସବୁ ପିତାମାତା ନିଜ ନିଜର ସନ୍ତାନସନ୍ତତିମାନଙ୍କୁ ଜ୍ଞାନ-ବିଜ୍ଞାନରେ ବା ଶିଳ୍ପ-ସାହିତ୍ୟରେ ଖ୍ୟାତନାମା କରାଇ ପାରନ୍ତି ନାହିଁ-ସେଥିପାଇଁ ଯେପରି ଅବସ୍ଥା ଆବଶ୍ୟକ, ତାହା କିଛି ସବୁ ପିତାମାତାଙ୍କର ନାହିଁ । ମାତ୍ର ସବୁ ପିତାମାତା ନିଜର ପୁତ୍ରକନ୍ୟାଙ୍କ ପ୍ରତି ନିଜର କର୍ତ୍ତବ୍ୟ ହୃଦୟଙ୍ଗମ କଲେ ସେମାନେ ଯେପରି ଶରୀର ଓ ମନରେ ସୁସ୍ଥ ସବଳ ଓ ବିଶୁଦ୍ଧ ହୋଇ ପାରନ୍ତି, ତାହାର ବ୍ୟବସ୍ଥା କରି ପାରନ୍ତି । ଜ୍ଞାନ-ବିଜ୍ଞାନରେ ବଡ଼ ହେବାର ସୌଭାଗ ସମସ୍ତଙ୍କ ପାଖକୁ ଆସେ ନାହିଁ-କିନ୍ତୁ ଶୁଦ୍ଧ ନିର୍ମଳ ଚରିତ୍ରର ଅଧିକାରୀ ହୋଇ ସୁସ୍ଥ ସବଳ ଶରୀର ଧାରଣ କରି ଜୀବନଯାତ୍ରା ନିର୍ବାହ କରିବାର ସୁଯୋଗ ଲାଭ କରିବା ବିଷୟରେ ପ୍ରତି ପିତାମାତା ଅନେକ ପରିମାଣରେ ସାହାର୍ଯ୍ୟ କରିପାରନ୍ତି । ଏହି ସାହାଯ୍ୟରେ ବେଶୀ ଅଂଶ ପିତାମାତାଙ୍କର ନିଜର ଜୀବନଯାପନର ପଦ୍ଧତି ଉପରେ ନିର୍ଭର କରେ-। ଯେଉଁ ପିତାମାତା ଇଚ୍ଛା କରନ୍ତି ଯେ, ତାଙ୍କର ସନ୍ତାନ ସନ୍ତତିମାନେ ସୁସ୍ଥ, ସବଳ, ଆନନ୍ଦମୟ ଓ ବିଶୁଦ୍ଧ ଜୀବନ ଯାପନ କରିବେ, ସେମାନେ ସନ୍ତାନ ଜନ୍ମର ବହୁ ପୂର୍ବରୁ ନିଜେ ନିଜେ ସେହିପରି ଜୀବନ ଯାପନ କରିବାକୁ ଅଭ୍ୟସ୍ତ ଥିବା ଉଚିତ । ପିତାମାତାମାନେ ସଂଯତ ଶୁଦ୍ଧ ଜୀବନଯାପନ କଲେ ସନ୍ତାନସନ୍ତତିମାନଙ୍କ ଜୀବନ ଉପରେ ମୁଖ୍ୟ ଓ ଗୌଣଭାବରେ ତାହାର ଛାୟା ପଡ଼େ । ପିତାମାତାମାନେ ସନ୍ତାନ ସନ୍ତତିଙ୍କର ଖାଦ୍ୟର ବିଶୁଦ୍ଧତା ପ୍ରତି ମଧ୍ୟ ସମ୍ୟବ ଦୃଷ୍ଟି ଦେବା ଏକାନ୍ତ ଆବାଶ୍ୟକ । ଯଦି ପିତାମାତା ସନ୍ତାନମାନଙ୍କୁ ବିଶୁଦ୍ଧ ଶରୀର ଓ ବିଶୁଦ୍ଧ ମନ ଦାନ କରି ପାରନ୍ତି, ତାହାଠାରୁ ଆଉ ଅଧିକ ବଡ଼ ଦାନ କିଛି ସେମାନଙ୍କଠାରୁ ଆଶା କରାଯାଇ ନ ପାରେ । ସନ୍ତାନସନ୍ତତି ପ୍ରତି ପିତାମାତାଙ୍କର ଏହାଠାରୁ ଆଉ ଗୁରୁତର କର୍ତ୍ତବ୍ୟ ନାହିଁ କହିଲେ ଚଳେ । ପୁତ୍ରକନ୍ୟାମାନେ ଜନ୍ମ ସଙ୍ଗେ ସଙ୍ଗେ ଉତ୍ତରଧିକାରୀସୂତ୍ରେ ବିଶୁଦ୍ଧ ଶରୀର ଓ ବିଶୁଦ୍ଧ ମନ ପାଇଲେ ପାରିପାର୍ଶ୍ଚିକ ଅବସ୍ଥା ଭିତରେ ତାହା ସତେଜ ଓ ଜାଗ୍ରତ ହୋଇ ସୁସ୍ଥ ସବଳ ମନୁଷ୍ୟତା ଲାଭ କରିବାକୁ ସମର୍ଥ ହୋଇ ପାରେ ।

 

ଏ କଥା ସମସ୍ତେ ଜାଣନ୍ତି ଏବଂ କହନ୍ତି ଯେ, ଜାତିର ପ୍ରଧାନ ସମ୍ପତ୍ତ ସେ ଜାତିର ଯୁବକ ଯୁବତୀମାନେ । କିନ୍ତୁ ଆମ ଦେଶର ଜୀର୍ଣ୍ଣଶୀର୍ଣ୍ଣ କଙ୍କାଳମୟ ଅସ୍ଥିଚର୍ମସାର ଯୌବନଶ୍ରୀଭ୍ରଷ୍ଟ ଯୁବକଯୁବତୀ ଦଳ ଆମ ଦେଶର ସମ୍ପତ୍ତ ନୁହନ୍ତି-ସେମାନେ ଏ ଦେଶର ବିପତ୍ତ । ସେମାନେ ସହଜରେ ସହଳ ଜାତିକୁ ବିନାଶର, ବିପତ୍ତର ଗହ୍ୱରରେ ନିକ୍ଷେପ କରି ଦିଅନ୍ତି । ଜାତିର ଯୁବଶକ୍ତି ଯେତେବେଳେ ଶ୍ରୀସୌନ୍ଦର୍ଯ୍ୟରେ ଉଜ୍ଜଳ ଓ ତେଜୋମୟ ହୁଏ, ସେତେବେଳେ ଜାତିର ମୁକ୍ତିର ମାର୍ଗ ସହଜ, ସୁଗମ ଓ ସୁଖମୟ ହୁଏ । ପ୍ରତି ଜାତିଭକ୍ତର କର୍ତ୍ତବ୍ୟ ସେ ଯେପରି ଜାତିର ଯୁବଶକ୍ତି ଯୋବନଶ୍ରୀରେ ପରିପୂର୍ଣ୍ଣ ହୁଏ, ତାହାର ସର୍ବବିଧ ଉପାୟ ବିଧାନ କରିବା । ଏ କର୍ତ୍ତବ୍ୟ ପ୍ରତି ଅବହେଳା କଲେ ଜାତିର ଧ୍ୱଂସ ସୁନିଶ୍ଚିତ ।

 

ଜାତିର ପୁତ୍ରକନ୍ୟାମାନଙ୍କୁ ଶରୀରରେ, ମନରେ ସୁସ୍ଥ ସବଳ ଶ୍ରୀଯୁକ୍ତ କରିବାପାଇଁ ବ୍ୟକ୍ତିଗତ ସୁନୀତିର ଯେପରି ଅବାଶ୍ୟକତା ଅଛି, ସାମାଜିକ ସୁନୀତି ମଧ୍ୟ ସେହିପରି ପ୍ରୟୋଜନୀୟ । ପିତାମାତା ପ୍ରଭୃତି ପରିବାରର ବ୍ୟକ୍ତିବର୍ଗ ନିଜେ ଛୋଟ ବଡ଼ ସବୁଥିରେ ପବିତ୍ରତାମୟ ବିଶୁଦ୍ଧ ଜୀବନଯାପନ ନକଲେ ସନ୍ତାନସନ୍ତତିମାନେ ଶୁଦ୍ଧ ପବିତ୍ର ହେବାର ସମ୍ଭାବନା ଖୁବ୍‌ କମ୍ । ପିତାମାତାଙ୍କର ଦୁର୍ନୀତିମୂଳକ ଜୀବନ ସନ୍ତାନମାନଙ୍କୁ ସେମାନଙ୍କର ନୈତିକପଥରେ ନାନା ବାଧା ଦେଇଥାଏ । ଯେଉଁମାନେ ନିଜ ନିଜର ସନ୍ତାନସନ୍ତତିମାନଙ୍କୁ ଶରୀରରେ ଓ ମନରେ ସୁସ୍ଥ, ସବଳ, ସଂଯତ ଓ ଶ୍ରୀଯୁକ୍ତ କରିବାକୁ ଇଚ୍ଛା କରନ୍ତି, ସେମାନେ ନିଜେ ନିଜେ ସେପରି ହେବାକୁ ଯତ୍ନବାନ୍‌ ହେବେ । ଏ ସବୁ ଦିଗରେ ଆଦର୍ଶ ବା ଆଚରଣ ଉପଦେଶ ଅପେକ୍ଷା ବହୁଗୁଣରେ ମୂଲ୍ୟବାନ୍ ଓ କାର୍ଯ୍ୟକାରୀ ।

 

ବ୍ୟକ୍ତିଗତ ସୁନୀତି ପରି ସାମାଜିକ ସୁନୀତି ମଧ୍ୟ ପାରିବାରିକ ଜୀବନର ପବିତ୍ରତା ଆନୟନ ପକ୍ଷରେ ଏକ ପ୍ରଧାନ ସହାୟ । ଏ ଦେଶରେ ଶିଶୁବଳି, ନରବଳି, ସତୀ ପ୍ରଭୃତି ବହୁ ଦୁର୍ନୀତିମୂଳକ ସାମାଜିକ ଅନୁଷ୍ଠାନ ଏ ଦେଶର ବ୍ୟକ୍ତିଗତ ଜୀବନର ପବିତ୍ରତା ବହୁକାଳରୁ ନଷ୍ଟ କରି ଦେଇଅଛି । ଏସବୁ ପରି ଆହୁରି କେତେକ ଅନିଷ୍ଟକର ସାମାଜିକ ପ୍ରଥା ଆମ୍ଭମାନଙ୍କ ପରିବାର ଭିତରେ ରହି ପାରିବାରିକ ପବିତ୍ରତା ନଷ୍ଟ କରୁଅଛି । ସେସବୁ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଦେବାପ୍ରତି ପରିବାରରେ କର୍ତ୍ତାର ପବିତ୍ର କର୍ତ୍ତବ୍ୟ । ପବିତ୍ର ବୈବାହିକ ସୂତ୍ରରେ ଆବଦ୍ଧ ହୋଇ ମଧ୍ୟ କେତେକ ଉଚ୍ଚ ଜାତିର ହିନ୍ଦୁଙ୍କ ଘରେ ଦାସୀ ରହିବା ଏବଂ ସେହି ଦାସୀମାନେ ଶୁଦ୍ଧ ପବିତ୍ର ଜୀବନଯାପନ ନ କରିବା ପ୍ରଥା ପ୍ରଚଳିତ ଥିବାର ଦେଖାଯାଏ । ଏ ପ୍ରଥା ଯେପରି ଦୁର୍ନୀତିମୂଳକ ସେହିପରି ମଧ୍ୟ ପାରିବାରିକ ଶାନ୍ତିସୁଖବିନାଶକ । ଆମ୍ଭମାନଙ୍କ ପୁରୁଷମାନଙ୍କର ଯେ ବିବାହିତ ସ୍ତ୍ରୀମାନଙ୍କ ପ୍ରତି ଗୁରୁ କର୍ତ୍ତବ୍ୟ ଓ ପବିତ୍ର ଦାୟିତ୍ୱ ରହିଅଛି, ଏହା ସମାଜର ନୈତିକ ଉନ୍ନତି ଆଶା କରିବା ବୃଥା । ଏ ଦେଶରେ ସ୍ତ୍ରୀଲୋକମାନଙ୍କର ଆଚରଣର ବିଶୁଦ୍ଧତା, ଚରିତ୍ରର ପବିତ୍ରତାପତି ଯେପରି ତୀକ୍ଷ୍‌ଣ ଦୃଷ୍ଟି ଦେବାର ବ୍ୟବସ୍ଥା ଅଛି, ତାହା ଅବଶ୍ୟ ସମାଜର ମଙ୍ଗଳ ଲାଗି ବିଶେଷଭାବରେ ପ୍ରୟୋଜନୀୟ । ମାତ୍ର ସେଥି ସଙ୍ଗେ ସଙ୍ଗେ ପୁରୁଷମାନଙ୍କର ସ୍ୱଭାବ ଚରିତ୍ରର ବିଶୁଦ୍ଧତା ପ୍ରତି ସମ୍ୟକ୍‌ଦୃଷ୍ଟି ଦେବାର ବ୍ୟବସ୍ଥା ନ ଥିବା ଏ ଦେଶର ଅମଙ୍ଗଳର ଏକ ପ୍ରଧାନ କାରଣ । ନୀତି ବା ଧର୍ମ ପୁରୁଷ ପ୍ରତି ଯେପରି ପ୍ରଯୋଜ୍ୟ । ଯେଉଁ ଶିଥିଳତା ବା ଦୁର୍ନୀତି ସ୍ତ୍ରୀଜାତିକୁ ସମାଜରୁ ବାହାର କରିଦେଇ ପଥର ଭିକାରୁଣୀ କରେ, ସେହିପରି ଦୁର୍ନୀତି ପୁରୁଷ ପ୍ରତି ଦୋଷାବହ ନ ହେବାର ବିଚାର ସାମାଜିକ ପକ୍ଷପାତିତା ଓ ନ୍ୟାୟ ବିଚାରର ଅଭାବ ବ୍ୟତୀତ ଆଉ କିଛି ନୁହେଁ ବୋଲି ପ୍ରତି ନ୍ୟାୟପରାୟଣ ବ୍ୟକ୍ତି ସ୍ୱୀକାର କରିବେ । ବିବାହତ ଜୀବନରେ ସ୍ତ୍ରୀର ପତି ଯେପରି ଗୁରୁ ନାତି ବା ଧର୍ମର ବ୍ୟବସ୍ଥା ଅଛି, ପତିର ମଧ୍ୟ ସ୍ତ୍ରୀ ପ୍ରତି ସେହିପରି ଗୁରୁ କର୍ତ୍ତବ୍ୟ ରହିଅଛି । ପତି ଓ ପତ୍ନୀ ପରସ୍ପର ପ୍ରତି ଅବ୍ୟଭିଚାରୀ ହେବେ, ଏହା ବିବାହର ମୂଳମନ୍ତ୍ର । ଏହାର ବଳରେ ସ୍ତ୍ରୀ ଓ ପୁରୁଷ ଯଥାର୍ଥରୂପେ ଏକ ହୁଅନ୍ତି; ସେମାନେ ପରସ୍ପର ଓ ସେମାନଙ୍କର ସନ୍ତାନମାନଙ୍କର ସବୁ ବିଷୟରେ ବିଶ୍ୱାସଭାଜନ ହୁଅନ୍ତି । ଏହି ନୀତି ପାଳନ କଲେ ସ୍ତ୍ରୀ ସତୀ ଓ ପୁରୁଷ ସାଧୁ ପଦର ଉପଯୁକ୍ତ ହୁଅନ୍ତି । ସେଥିପାଇଁ ବ୍ୟବସ୍ଥାପକ ମନୁ କହିଅଛନ୍ତି–

 

‘‘ସନ୍ତୁଷ୍ଟୋ ଭାର୍ଯ୍ୟୟା ଭର୍ତ୍ତା ଭାର୍ଯ୍ୟା ଭର୍ତ୍ତ୍ରା ତଥୈବଚ

ଯସ୍ମିନ୍ନେବ କୁଳେ ନିତ୍ୟଂ କଲ୍ୟାଣ୍ୟଂ ତକ୍ରୈବ ଧ୍ରୁବଂ ।

 

ଅର୍ଥାତ୍ ଯେଉଁ ଗୃହରେ ପତି ପତ୍ନୀ ପ୍ରତି ଓ ପତ୍ନୀ ପତି ପ୍ରତି ଏକାନ୍ତ ଅନୁରକ୍ତ ସେହି ପରିବାରରେ ସର୍ବଦା ଶୁଭ ହୁଏ। ଦୁଃଖର କଥା, ଏ ଦେଶର ସମାଜନୀତିରେ ସ୍ତ୍ରୀ ପ୍ରତି କଠୋରତା ଯେତେ ଅଧିକ, ପୁରୁଷ ପ୍ରତି ନୈତିକ ନିୟମର ଶିଥିଳତା ସେହିପରି ସର୍ବଜନବିଦିତ । ଏହି ବିଶୃଙ୍ଖଳା ହେତୁ ଆମ୍ଭମାନଙ୍କ ସମାଜରେ ନ୍ୟାୟ ବିଚାରର ସ୍ଥାନ ନାହିଁ । ଏହି ଅବିଚାର ଦେଖି ଆଧୁନିକ ଶିକ୍ଷିତ ନାରୀସମାଜ ପୁରୁଷର ଦୁର୍ନୀତିକୁ ଶତଗୁଣରେ ଧିକ୍‌କାର କରୁଅଛି । ସମାଜରୁ ଓ ପରିବାରରୁ ବ୍ୟକ୍ତିଗତ ଜୀବନରେ ଏସବୁ ଅପବିତ୍ରତାକୁ ସ୍ଥାନଭ୍ରଷ୍ଟ ନ କଲେ ଏ ଜାତି ସୁସ୍ଥ ସବଳ ଓ ଆନନ୍ଦମୟ ହୋଇ ପାରିବ ନାହିଁ । ଧର୍ମ ନାମରେ, ନୀତି ନାମରେ ୫।୭ ବର୍ଷ ବୟସରେ କନ୍ୟା ଏ ଦେଶରେ ବିବାହ ବନ୍ଧନ ଆବଦ୍ଧ ହୋଇପାରେ, ୧୨।୧୩ ବର୍ଷ ଜୀର୍ଣ୍ଣଶୀର୍ଣ୍ଣ ରୁଗ୍‌ଣ ଶିଶୁର ମାତା ହୋଇପାରେ । ଯଦି କେହି ହୃଦୟବାନ୍ ବ୍ୟକ୍ତି ଜାତିରୁ ବା ସମାଜରୁ ଏ ଦୁର୍ନୀତିର ଉଚ୍ଛେଦସାଧନ ଲାଗି ଯତ୍ନ କଲା, ସେ ଏ ସମାଜରୁ ଏ ଦେଶର ସାମାଜିକମାନଙ୍କ ଚକ୍ଷୁରେ ଦେଶଦ୍ରୋହୀ । ଏ ଦେଶ କାମଲପାଶାର ରାଜ୍ୟ ହୋଇଥିଲେ ଏକ ଦିନରେ ସାମାଜିକ କୁସଂସ୍କାର ହୋଇଥିଲେ ଏକ ଦିନରେ ସାମାଜିକ କୁସଂସ୍କାର ଦୂର ହୋଇଥିଲେ ଏକ ଦିନରେ ସାମାଜିକ କୁସଂସ୍କାର ଦୂର ହୋଇଯାଇ ପାରନ୍ତା । ମାତ୍ର ଭାରତବର୍ଷ ଭିନ୍ନ ରାଜ୍ୟ । ନାମ ଦିଗରୁ ଭାବି ଚିନ୍ତି ଏ ଦେଶ ସରକାର ଧର୍ମ ଓ ସମାଜ ଦିଗରେ ବିଶେଷ କାରଣ ନ ଥିଲା ହସ୍ତକ୍ଷେପ କରିବାକୁ ପରାଙ୍ମୁଖ । ଏପରି ଅବସ୍ଥାରେ ଏ ଦେଶରେ ବ୍ୟକ୍ତିଗତ ଭାବରେ ଓ ଦଳଗତ ଭାବରେ ଯାହା ନୀତି ଦିଗରୁ ବା ଅସୁନ୍ଦର ଓ ଅହିତକର ତାହା ବିରୁଦ୍ଧରେ ପ୍ରବଳ ଉଦ୍ୟମ ନ ହେଲେ ଏ ଦେଶର ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇବା ସଙ୍ଗରେ ଏ ଦେଶର ଦୁର୍ନୀତି ବା ଅପଧର୍ମର ବିନାଶସାଧନ ହେବାର କିଛିମାତ୍ର କାରଣ ନାହିଁ । ବ୍ୟକ୍ତିଗତ ଜୀବନରେ ଓ ସାମାଜିକ ଜୀବନରେ ନୈତିକ ସୁରୁଚିକୁ ଅବହେଳା କରିବା କୌଣସି ଶିକ୍ଷିତ ବ୍ୟକ୍ତିର ଉଚିତ ନୁହେଁ । ଏ ଦିଗରେ କିଛିମାତ୍ର ଶିଥିଳତା କଲେ ତାହା ବଂଶପରମ୍ପରା ସମସ୍ତଙ୍କର ଅମଙ୍ଗଳ କରିବ । ଜ୍ଞାନଚକ୍ଷୁରେ, ବିଚାରବୁଦ୍ଧିରେ ଯାହା ସୁରୁଚି ବା ସୁନୀତିର ପରିପନ୍ଥୀ ବୋଲି ବୋଧ ହେବ, ତାହାର ପ୍ରଶୟ ଦେବା କାପୁରୁଷତା ଛଡ଼ା ଆଉ କିଛି ନୁହେଁ । ସାହସର ସହିତ କେହି ଏହି ସବୁ ସାମାଜିକ ଦୁର୍ନୀତିମାନଙ୍କ ବିରୁଦ୍ଧରେ ହସ୍ତ ଉତ୍ତୋଳନ ନ କରିବାରୁ ଏ ଦେଶର ସାମାଜିକ ଜୀବନରେ ଏତେ ଅବିଳତା ବଦ୍ଧମୂଳ ହୋଇ ରହିଅଛି । ସାମାଜିକ ଅଭିବୃଦ୍ଧି ପାଇଁ ବ୍ୟକ୍ତିଗତ ଜୀବନରେ ସତ୍‌ସାହସ ବିଶେଷଭାବରେ ଆବଶ୍ୟକ । ଅବଶ୍ୟ ‘ଶାରଦା ଆଇନ’ ପ୍ରଚଳିତ ହେବା ଦିନରୁ ବିବେକବାନ୍ ବ୍ୟକ୍ତିମାନେ ସ୍ଥାନେ ସ୍ଥାନେ ଏ ପ୍ରାଚୀନ ବୈବାହିକ ନୀତି ପାଳନକୁ ଘୃଣାଚକ୍ଷୁରେ ଦେଖି ନିଜର ସନ୍ତାନସନ୍ତତିଙ୍କର ବିବାହ ବୟସ କିଞ୍ଚିତ ଅଧିକ କରୁଅଛନ୍ତି ଅଥବା ଯଥାସମ୍ଭବ ବୟସ କିଞ୍ଚିତ ଅଧିକ କରୁଅଛନ୍ତି , ମାତ୍ର ଅଧିକାଂଶ ସ୍ଥଳରେ ଗୋପନରେ ବିବାହ କାର୍ଯ୍ୟ ସମାହିତ ହୋଇ ଆଇନର ବିରୁଦ୍ଧାଚରଣ କରାଯାଉଛି ଓ ମୁର୍ଖ ସାମାଜିକମାନେ ଏ ବେଆଇନ କାର୍ଯ୍ୟକୁ ପ୍ରଶୟ ଦେଉଅଛନ୍ତି ।

 

ଏ ଦେଶରେ ଯେ ଅନ୍ଧ, ପଙ୍ଗୁ, ରୁଗ୍‌ଣ ସନ୍ତାନ ଦେଖିବାକୁ ମିଳନ୍ତି, ସେଥିମଧ୍ୟରୁ ଅଧିକାଂଶ ଏ ଦେଶର ପୁରୁଷମାନଙ୍କର ଦୁର୍ନିତୀର ବିଷମୟ ଫଳ । ଏଦେଶର ପୁରୁଷମାନଙ୍କର ସୁନୀତି ବା ସଦାଚାରଣର ଅଭାବରୁ ଏ ଦେଶର ଶାରୀରିକ ଓ ମାନସିକ ଅଧୋଗତି ନାନା ଭାବରେ ନାନା କ୍ଷେତ୍ରରେ ଦେଖାଯାଉଅଛି । ପୁରୁଷମାନେ ନିଜେ ଧର୍ମଶାସ୍ତ୍ରର ରଚୟିତା ଥିବାରୁ ବୋଧହୁଏ ସେମାନଙ୍କ ନିଜ ନିଜ ପ୍ରତି ନୀତି ବା ରୁଚିର କଠୋରତାର ବ୍ୟବସ୍ଥା କରି ନାହାନ୍ତି । ସେହି ଶିଥିଳତା ଏଦେଶର ଅବନତିର ଏକ ପ୍ରଧାନ କାରଣ । ଯାହା ସୁନୀତି ବା ସୁରୁଚି, ତାହା ପୁରୁଷ ବା ସ୍ତ୍ରୀ ଦୁହିଁଙ୍କ ପ୍ରତି ସମାନ ଭାବରେ ପ୍ରଯୋଜ୍ୟ । ଏ ନ୍ୟାୟନୀତିର ସଦ୍‌ବ୍ୟବହାର ନ ହେବାଯାଏ ଏ ଦେଶ ବା ସମାଜ ସଭ୍ୟ ଦେଶ ସଙ୍ଗରେ ଏକାସନରେ ବସିବାକୁ ଦାବି କରିବା ଅନ୍ୟାୟ ଓ ଅଯୌକ୍ତିକ । ପିତାମାତାଙ୍କର ଅଙ୍ଗପ୍ରତ୍ୟଙ୍ଗ ସେମାନଙ୍କର ଶିଶୁସନ୍ତାନମାନଙ୍କର କ୍ଷୁଦ୍ର ଅଙ୍ଗପ୍ରତ୍ୟଙ୍ଗରେ ପ୍ରତିଫଳିତ ହେବା ଯେପରି ସୁନିଶ୍ଚତ, ସେମାନଙ୍କର ମାନସିକ ଚିନ୍ତା ଓ ଆଧ୍ୟାତ୍ମିକ ଗଠନ ସେହିପରି ଶିଶୁମାନଙ୍କର ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିବା ସୁପ୍ରମାଣିତ । ଏ ଦାୟିତ୍ୱଜ୍ଞାନ ଆମ ଦେଶର ପ୍ରତି ପିତା ମାତା ହୃଦୟଙ୍ଗମ କରି ସନ୍ତାନମାନଙ୍କ ପ୍ରତି ସେମାନଙ୍କ ପ୍ରତି ସେମାନଙ୍କର ଗୁରୁ କର୍ତ୍ତବ୍ୟ ପାଳନ କଲେ, ଏ ଦେଶ ଓ ସମାଜ ସୁଖସମୃଦ୍ଧିରେ ପୁଣି ଆନନ୍ଦମୟ ଓ ସମୁଚ୍ଛ୍ୱଳ ହୋଇ ଉଠିବ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

Image

 

ପରିବାରର ବାସଭୂମି ଓ ବାସଗୃହ

 

ଆମ୍ଭମାନଙ୍କ ଦେଶରେ ପରିବାରର ବାସଭୂମି ଓ ବାସଗୃହ ଦୋଷରୁ ଅନେକ ସମୟରେ ଆମ୍ଭେମାନେ ନାନାପ୍ରକାର ରୋଗରେ ଅକ୍ରାନ୍ତ ହୋଇଥାଉଁ । ଅନେକେ ଏ ବିଷୟରେ ସମ୍ପୂର୍ଣ୍ଣ ଉଦାସୀନ । କେହି କେହି କିଛି କମ୍ ଖର୍ଚ୍ଚ ହେବ ବୋଲି ସନ୍ତସନ୍ତିଆ ଓ ଅସ୍ୱାସ୍ଥ୍ୟକର ସ୍ଥାନରେ ବାସଗୃହ ନିର୍ମାଣ କରିଥାଆନ୍ତି । କେହି କେହି ଘର ଭିତରେ ପବନ ଯିବା ଆସିବା କରିବାପାଇଁ ଯଥେଷ୍ଟ ଝରକା ରଖନ୍ତି ନାହିଁ । ଏହାଦ୍ୱାରା ଶରୀରର କି ଅସୀମ କ୍ଷତି ହୁଏ, ତାହା ସମସ୍ତଙ୍କର ଜାଣିବା ଉଚିତ । ସାମାନ୍ୟ ଦୃଷ୍ଟି ଦେଲେ ଏହିପରି ଆତ୍ମକୃତ ବ୍ୟାଧିହସ୍ତରୁ ଆପଣାକୁ ବହୁ ପରିମାଣରେ ରକ୍ଷା କରାଯାଇପାରେ । ଏ ସବୁ ବିଷୟରେ ସ୍ୱାସ୍ଥ୍ୟର ନିୟମାନୁସାରେ ରହିଲେ ମନୁଷ୍ୟ ଦୀର୍ଘଜୀବୀ ହୋଇପାରେ । ଅତଏବ ଏ ଦିଗରେ ଦୃଷ୍ଟି ରଖି ନିଜ ନିଜର ସ୍ୱାସ୍ଥ୍ୟର ଉନ୍ନତି କରିବାକୁ ସମସ୍ତଙ୍କର ଚେଷ୍ଟା କରିବା କର୍ତ୍ତବ୍ୟ । ସ୍ୱାସ୍ଥ୍ୟ ଭଲ ରହିଲେ ସନ୍ତାନସନ୍ତତି ଚିରରୁଗ୍‌ଣ ହୁଅନ୍ତି ନାହିଁ ଏବଂ ତାହାଦ୍ୱାରା ନିଜ ବଂଶର ଓ ମାତୃଭୂମିର ବହୁ ମଙ୍ଗଳ ସାଧିତ ହୁଏ ।

 

ବିଶୁଦ୍ଧ ବାୟୁ ଜୀବଶରୀରରେ ଯେପରି ବିଶୁଦ୍ଧ ରକ୍ତ ଉତ୍ପାଦନର ପ୍ରଧାନ ଉପକରଣ, ସେହିପରି ଦୂଷିତ ବାୟୁ ସ୍ୱାସ୍ଥ୍ୟ ପକ୍ଷରେ ହାନିକାର । ଏଥିପାଇଁ ପ୍ରତି ଗୃହରେ ବାୟୁ ଚଳାଚଳ ସକାଶେ ଯଥେଷ୍ଟ ପରିମାଣରେ କବାଟ ଓ ଝରକା ରହିବା ଆବଶ୍ୟକ ।

 

ଜଳ ଜୀବନରକ୍ଷାର ଆଉ ଗୋଟିଏ ପ୍ରଧାନ ଉପାଦାନ । ଏଥିପାଇଁ ଜଳର ଗୋଟିଏ ନାମ ଜୀବନ । ଜଳଦ୍ୱାରା ଶରୀରର କେତେକାଂଶ ନିର୍ମିତ ହୁଏ ଏହା ରକ୍ତକୁ ତରଳ ଅବସ୍ଥାରେ ରଖେ ଓ ଶରୀରରୁ ଦୂଷିତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଶରୀର ଭିତରେ ପ୍ରାୟ ତିନିଭାଗ ଜଳ ଅଛି । ଏଥିପାଇଁ ବାସଗୃହ ନିର୍ମାଣ ସମୟରେ ଉତ୍ତମ ପାନୀୟଜଳର ବ୍ୟବସ୍ଥା କରିବା ସର୍ବଥା କର୍ତ୍ତବ୍ୟ ।

 

ଉଚ୍ଚ ସ୍ଥାନ ଓ କଠିନ ମାଟି ଉପରେ ବାସସ୍ଥାନ ନିର୍ମାଣ କରି ଚତୁଷ୍ପାର୍ଶ୍ୱସ୍ଥ ଭୂମିକୁ ତୃଣଦ୍ୱାରା ଆଚ୍ଛାଦିତ କରି ରଖିବା ଉଚିତ । ଆମ୍ଭମାନଙ୍କ ଦେଶରେ ଦକ୍ଷିଣଦ୍ୱାରୀ ଗୃହ ସର୍ବପେକ୍ଷା ସ୍ୱାସ୍ଥ୍ୟକର । ଗୋଟିଏ ଦେଶ ପ୍ରଚଳିତ କଥା ଅଛି–

 

‘‘ଦକ୍ଷିଣଦ୍ୱାରୀ ଘରର ରଜା,

ପୂର୍ବଦ୍ୱାରୀ ତାହାର ପ୍ରଜା,

ପଶ୍ଚିମଦ୍ୱାରୀ ସର୍ବଦା ତାପ,

ଉତ୍ତରଦ୍ୱାରୀ ଘରର ପାପ ।

 

ଏଥିରୁ ବୁଝାଯାଉଅଛି ଯେ, ଏ ଦେଶର ଲୋକ ବହୁକାଳରୁ ବାସ୍ଥାନର ସ୍ୱାସ୍ଥ୍ୟ ବିଷୟରେ ସମ୍ୟକ୍‌ଜ୍ଞାନ ଲାଭ କରିଥିଲେ ।

 

ବାସଗୃହ ନିକଟରେ ବଡ଼ ବଡ଼ ଗଛ ଥିବା ଆବଶ୍ୟକ ଏବଂ ଗୃହ ଭିତରେ ବାୟୁ ଓ ଆଲୋକ ପ୍ରବେଶ କରବା ନିମିତ୍ତ ବଡ଼ ବଡ଼ କବାଟ ଓ ଝରକା ରଖିବା ସର୍ବତୋଭାବରେ ବିଧେୟ-। ଘର ନିକଟରେ ବଡ଼ ବଡ଼ ଗଛ ରହିଲେ ତାହାଦ୍ୱାରା ବାୟୁର କାର୍ବଲିକ୍ ଏସିଡ୍‌ ଗ୍ୟାସ୍ କମିଯାଏ । ଦିନରେ ଗଛତଳ ବାୟୁରେ ଅଧିକ ପରିମାଣରେ ଜୀବନ ପ୍ରତି ହିତକର ଅକ୍‌ସିଜେନ୍ ଥାଏ । ଘର ଭିତରେ କିମ୍ବା ବାରଣ୍ଡାରେ ବୃକ୍ଷାଦି ରୋପଣ କରିବା ଅବିଧେୟ ଏବଂ ରାତ୍ରିକାଳରେ ଗଛତଳେ ଶୋଇବା ନିଷିଦ୍ଧ । ଘରର ବାହାର ପଟରେ ତୁଳସୀ ଗଛର ବଗିଚା ରଖବା ସ୍ୱାସ୍ଥ୍ୟକର ଓ ଖୁବ୍ ହାତକର । ତୁଳସୀଗଛ ମ୍ୟାଲେରିଆ ଜ୍ୱରର ବିନାଶକ ବୋଲି ଡ଼ାକ୍ତରମାନେ ମତ ପ୍ରକାଶ କରିଅଛନ୍ତି । ଘରର ନିକଟରେ ବେଲ, ଝାଉଁ ଓ ନିମ୍ୱଗଛ ମଧ୍ୟ ଲଗାଇବା ଉତ୍ତମ ।

 

ଗୋମେଷାଦି ପଶୁମାନଙ୍କର ଗୁହାଳ ବାସଗୃହକୁ ଲଗାଇ ନିର୍ମାଣ କରିବା ଠିକ୍ ନୁହେଁ । ରୋଷେଇଘର ଓ ରୋଷେଇ ସରଞ୍ଜାମ ରଖିବା ଭଣ୍ଡାରଗୃହ ସ୍ୱତନ୍ତ୍ର ହେବା ଆବଶ୍ୟକ । ରୋଷେଇଘରୁ ଧୂଆଁ ବାହାରିଯିବା ଲାଗି ବ୍ୟବସ୍ଥା କରିବା ଉଚିତ । ପାଇଖାନା ବାସସ୍ଥାନ ହତାର ଏକ କୋଣରେ ଦୂରକୁ ରଖିବା ବିଧେୟ । ଯେଉଁ ଦିଗରୁ ପବନ ଘର ଭିତରକୁ ଆସେ, ସେ ପାଖକୁ ପାଇଖାନା ନିର୍ମାଣ କରିବା ଉଚିତ ନୁହେଁ ।

 

ପଥରରେ ବା ଇଟାରେ ତିଆରି କୋଠାଘର ସବୁଠାରୁ ଉକ୍ତୃଷ୍ଟ । ଏହା ଅଭାବରେ ମାଟିର କାନ୍ଥ ଓ ଛଣର ଛପର ଘର ମଧ୍ୟ ସୁବିଧାଜନକ । ଘରର ମୂଳଦୁଆ (ମୂଳଭିତ୍ତି) କଠିନ ପଥର ଉପରୁ ଆରମ୍ଭ ହେବା ଖୁବ୍ ସ୍ୱାସ୍ଥ୍ୟପ୍ରଦ । ପଥର ଅଭାବରେ ମୂଳଦୁଆ ଖୁବ୍ ଶକ୍ତ କରି ପିଟି ତାହା ଉପରେ ଘର ତିଆରି କରିବା ସ୍ୱାସ୍ଥ୍ୟପ୍ରଦ । ତାହା ନ ହେଲେ ଭୂମଧ୍ୟସ୍ଥ ଜଳ ଓ ଦୂଷିତ ବାଷ୍ପ ଉଠି ଘରର ସ୍ୱାସ୍ଥ୍ୟ ନଷ୍ଟ କରି ଦେଇପାରେ । ଘରର ଚଟାଣ ରାସ୍ତାର ଭୂମି ଉପରୁ ଅନ୍ତତଃ ଦୁଇହାତ ଉଚ୍ଚ ହେବା ଆବଶ୍ୟକ । କୋଠାଘର ହେଲେ ଛାତର ପାଣି କୌଣସି ମତେ କାନ୍ଥ ଉପରେ ପଡ଼ିବା ଉଚିତ ନୁହେଁ । ସେହି ଛାତ ଉପରର ପାଣି ବାହାରି ଯିବାପାଇଁ ପ୍ରଶସ୍ତ କାର୍ନିସ୍-(କାନୁସ) ରଖି ସେଥି ସଙ୍ଗେ ଲମ୍ବା ନଳ ଯୋଗ କରିଦେଲେ ଛାତ ଉପରର ପାଣି ଅକ୍ଳେଶରେ ବାହାରକୁ ଚାଲି ଯାଇପାରେ ।

 

ପିଲାମାନଙ୍କର ଖେଳିବା ଓ ପଢ଼ିବା ଘର ସର୍ବଦା ଶୁଷ୍କ ରହିବା ଉଚିତ ଏବଂ ସେ ଘରେ ଯେପରି ପ୍ରଚୁର ପରିମାଣରେ ଆଲୋକ ବାୟୁ ଗମନାଗମନ କରି ପାରେ ତହିଁ ପ୍ରତି ଉପାୟ ବିଧାନ କରାଯିବା ଉଚିତ । ବାସଗୃହ ମଧ୍ୟରେ ପିଲା ଜନ୍ମ ପାଇଁ ସୂତିକାଗୃହ (ଅନ୍ତୁଡ଼ିଶାଳ)ଟିଏ ରହିବା ଗୃହସ୍ଥ ପକ୍ଷରେ ପ୍ରୟୋଜନୀୟ । ସେ ଘରଟି ଯେପରି ବେଶ୍ ସ୍ୱାସ୍ଥ୍ୟକର ହୁଏ ତାହା ଦେଖିବା ଖୁବ୍ ପ୍ରୟୋଜନୀୟ । ସେ ଘର ଭିତରେ ଯେପରି ଉତ୍ତମରୂପେ ବାୟୁ ପରିଚାଳନା ହୋଇପାରେ ଏବଂ ଆଲୋକ ଅବାଧରେ ପ୍ରବେଶ କରିପାରେ, ତାହାର ଉପାୟ ବିଧାନ କରିବା ଉଚିତ । ଭଲ ସୂତିକାଘରର ଅଭାବରୁ ପ୍ରତିବର୍ଷ ଅନେକ ଶିଶୁ ଅସ୍ୱାସ୍ଥ୍ୟକର ଗୃହରେ ଜନ୍ମ ହୋଇ ଯଥେଷ୍ଟ ଆଲୋକ ଓ ପବନ ନ ପାଇ ଅକାଳ ମୃତ୍ୟୁର କବଳରେ ପଡ଼ୁଅଛନ୍ତି । ସୂତିକା ଗୃହଟି ଯେପରି ଶୁଷ୍କ ଓ ଉଚ୍ଚ ହୁଏ ଏବଂ ସେଥିରେ ଆଲୋକର ଓ ପବନର ଚଳାଚଳ ପ୍ରତି ଯେପରି କିଛି ମାତ୍ର ବାଧା ବାଧା ନ ପଡ଼େ ତାହା ଦେଖିବା ଗୃହସ୍ଥର ଏକ ପ୍ରଧାନ କର୍ତ୍ତବ୍ୟ ।

 

ପୋତା ମାଟି ଉପରେ ଘର ତିଆରି କରିବା ଉଚିତ ନୁହେଁ । ଏପରି ସ୍ଥାନରେ ଘର ତିଆରି କଲେ ଘର ଫାଟିଯାଇ ପାରେ ବା ବସି ଯାଇପାରେ । ଯଦି ଏପରି ସ୍ଥାନରେ ଘର କରିବାକୁ ଆବଶ୍ୟକ ହୁଏ ତେବେ କଠିନ ଟାଣ ମାଟି ହାବୁଡ଼ିବା ପର୍ଯ୍ୟନ୍ତ ମୂଳଦୂଆ ଖୋଳି ସେ ସ୍ଥାନକୁ ଚୂନ ଓ ଇଟାଗୁଣ୍ଡି ଦେଇ ଉତ୍ତମରୂପେ ପିଟି ନେଇ ସେଠାରୁ ସାବଧାନ ଭାବରେ ମୂଳଦୁଆ ଉଠାଇ ପାରିଲେ ଘର ଫାଟି ଯିବାର ଭୟ ରହେ ନାହିଁ ଏବଂ ଘରର ଚଟାଣ ଓ କାନ୍ଥ ଶୁଷ୍କ ରହିପାରେ ।

 

ଖରଚ କମ୍ ଆଶାରେ ଅଳ୍ପ ଓସାର କାନ୍ଥ ଗାନ୍ଥନି କରି ପକ୍କା ଘର କରିବା ଠିକ୍‌ ନୁହେଁ । କାରଣ ଏପରି ଘର ଗ୍ରୀଷ୍ମ କେଳରେ ଅତିଶୟ ଗରମ ଓ ଶୀତ ଦିନରେ ଅତିଶୟ ଥଣ୍ଡା ହୁଏ । ଥଣ୍ଡା ଘର ସ୍ୱାସ୍ଥ୍ୟ ପକ୍ଷରେ ଅନୁପଯୁକ୍ତ ଏବଂ ଏପରି ଘରେ ବାସ କଲେ ସର୍ବଦା ପୀଡ଼ା ହେବାର ସମ୍ଭାବନା ଥାଏ । ଘରର ଚଟାଣ ବା ତଳ କଠିନ ପଦାର୍ଥଦ୍ୱାରା ପ୍ରସ୍ତୁତ ହେବା ଉଚିତ । ତାହାଦ୍ୱାରା ଘରର ଭିତର ଓଦା ହେବାର ଭୟ ନ ଥାଏ ଏବଂ ଭୂମଧ୍ୟସ୍ଥ ଦୂଷିତ ବାୟୁ ଓ ଜଳଦ୍ୱାରା ବାସଗୃହ ଦୂଷିତ ହୋଇ ପାରେ ନାହିଁ । ଘରେ ବାୟୁର ଗମନାଗମନ ପାଇଁ ଯଥେଷ୍ଟ କବାଟ ଓ ଖିଡ଼ିକି ରଖିବା ଏକାନ୍ତ ଆବଶ୍ୟକ । ଯେଉଁ ଗୃହର ଗ୍ରୀଷ୍ମକାଳରେ ଥଣ୍ଡାଏବଂ ଶୀତକାଳରେ ଗରମ ଯେଉଁ ଗୃହର ତଳ ବା ଚଟାଣ ସର୍ବଦା ଶୁଷ୍କ ଥାଏ ଏବଂ ଯେଉଁ ଗୃହ ଭିତରେ ପବନ ଓ ଆଲୋକ ସ୍ୱଚ୍ଛନ୍ଦରେ ଯିବା ଆସିବା କରିପାରେ, ସେହିପରି ଗୃହ ସ୍ୱାସ୍ଥ୍ୟକର ଓ ବାସର ଉପଯୋଗୀ ।

 

ପକ୍କା ଘର ହେଲେ ପ୍ରତିବର୍ଷ କାନ୍ଥ ଆଦିକୁ କଲି ଚୂନ ଦ୍ୱାରା ସଫା କରିଦେବା ଉଚିତ୍ । ମାଟି ଘର ହେଲେ ବର୍ଷକ ଭିତରେ ଥରେ ଦୁଇଥର ଘରର କାନ୍ଥ ପ୍ରଭୃତି ଲିପି ପୋଛି ଦେବା କର୍ତ୍ତବ୍ୟ । ମାସକ ଭିତରେ ଦୁଇଚାରି ଥର ମାଟି ଘରର ଚଟାଣକୁ ମାଟି ଗୋବର ପକାଇ ଲିପାପୋଛା କଲେ ଘରର ଅବସ୍ଥା ଭଲରହେ ଏବଂ ଘର ସ୍ୱାସ୍ଥ୍ୟକର ହୁଏ ।

 

ବାସଗୃହର ଭୂମି ଉପରର ପାଣି ମଇଳା ପ୍ରଭୃତି ଯେପରି ତଳକୁ ଶୋଷି ହୋଇ ନ ଯାଇ ଗଡ଼ିକରି ଚାଲିଯାଏ ତାହାର ବ୍ୟବସ୍ଥା କରିବା ଉଚିତ । ଘରର ଚାରିପାଖର ଜମି ଢାଲୁ ହେଲେ ଘରର ଚାରି ଦିଗରେ ପାଣି ଜମି ନ ରହି ସହଜରେ ଗଡ଼ିଯାଏ । ଘରର ହତା ଭିତରେ ବେଶି ଖୋଲା ଜାଗା ଥିଲେ ଇଉକାଲିପ୍‌ଟସ୍‌ ଓ ସୂର୍ଯ୍ୟମୁଖୀ ଲଗାଇଲେ ମାଟି ତଳର ଜଳ ଶୁଖି ଘରକୁ ସ୍ୱାସ୍ଥ୍ୟକର କରେ । ଖାଲଭୂମି, ଶ୍ମଶାନଭୂମି, ମଇଳା ଓ ଆବର୍ଜନା ପ୍ରଭୃତି ଜମିଥିବା ଭୂମି କିମ୍ୱା ଶସ୍ୟ କ୍ଷେତ୍ରରେ ବାସଭୂମି ନିର୍ମାଣ କରିବା ଉଚିତ ନୁହେଁ । ଓଦା ଭୂମିରେ ଘର କଲେ ଅନେକ ପ୍ରକାର ରୋଗରେ ପଡ଼ିବାକୁ ହୁଏ; ଏଣୁ ଉଚ୍ଚ ଭୂମିରେ ଘର କରିବା ଉଚିତ । ଟାଙ୍ଗି ଜମି ବା ବାଲୁକାମୟ ସ୍ଥାନର ଉଚ୍ଚ ଭୂମିରେ ବାସଗୃହ ନିର୍ମାଣ କଲେ ତାହା ସର୍ବଦା ସ୍ୱାସ୍ଥ୍ୟପ୍ରଦ ହୁଏ ।

 

ପୁରାତନ ବା ନିମ୍ନଭୂମି ପ୍ରାୟଶଃ ନଗରର ଆବର୍ଜନା ପ୍ରଭୃତିଦ୍ୱାରା ପୂର୍ଣ୍ଣ ହୁଏ ଏବଂ ଏ ସବୁ ସ୍ଥାନରୁ ଅସ୍ୱାସ୍ଥ୍ୟକର ବାଷ୍ପ ବାହାରି ନିକଟବର୍ତ୍ତୀ ବାୟୁକୁ ଦୂଷିତ କରେ । ସେଥିପାଇଁ ଏପ୍ରକାର ସ୍ଥାନ ବାସଗୃହ ପକ୍ଷରେ ଅସ୍ୱାସ୍ଥ୍ୟକର ।

 

ଖାଲ ଭୂମିରେ ଯେଉଁଠାରେ ଅଧିକ ପରିମାଣରେ ଉଭିଦ ଜନ୍ମେ ଏବଂ ଯେଉଁ ସ୍ଥାନର ଭୂମି ସଛିଦ୍ର ଓ ଯେଉଁ ଭୂମିରେ ଉଭିଦ ବା ଜାନ୍ତବ ପଦାର୍ଥ ଅଧିକ ପରିମାଣରେ ସଢ଼େ, ସେପରି ସ୍ଥାନରେ ମ୍ୟାଲେରିଆ ଜ୍ୱରର ବିଶେଷ ପ୍ରାଦୁର୍ଭାବ ହୁଏ । ମଶକଦ୍ୱାରା ଏହି ରୋଗର ଜୀବାଣୁ ଏକ ବ୍ୟକ୍ତିର ଦେହରୁ ଅନ୍ୟ ବ୍ୟକ୍ତି ଦେହକୁ ଯାଏ ଏବଂ ଏହାଦ୍ୱାରା ପାନୀୟ ଜଳ ମଧ୍ୟ ଦୂଷିତ ହୁଏ । ଯେଉଁ ସକଳ ନିମ୍ନଭୂମି ସମତଳ, ସେହି ସ୍ଥାନରୁ ଜଳ ବାହାରି ଯିବାର ଉପାୟ ଭଲ ଭାବରେ ନ ଥାଏ, ଜଳ ଜମି ରହେ, ସେହିପରି ଭୂମି ମ୍ୟାଲେରିଆର ଅବାସସ୍ଥଳ ହୋଇପଡ଼େ । ଏ ପ୍ରକାର ଭୂମିରେ ଜାନ୍ତବ ପଦାର୍ଥର ପରିମାଣ ଅଧିକ ଥାଏ ଏବଂ ଉଭିଦ ପଦାର୍ଥ ମଧ୍ୟ ଅଧିକ ପରିମାଣରେ ଜନ୍ମେ । ବାସଭୂମିର ଚାରିଫାଖରୁ ଜଳ ବାହାରି ଯିବାର ବାଟ ଖୋଲିଦେଲେ, ବାସଭୂମି ନିକଟରେ ଥିବା ବଣ, ବୁଦା ପ୍ରଭୃତିକୁ କାଟି ସଫା କରିଦେଲେ ଏବଂ ପଚା ସଢ଼ା ପୋଖରୀର ପଙ୍କୋଦ୍ଧାର କରି ବିଶୁଦ୍ଧ ନିର୍ମଳ ପାନୀୟ ଜଳର ବ୍ୟବସ୍ଥା କରି ପାରିଲେ ମ୍ୟାଲେରିଆ ଜ୍ୱରର ପ୍ରକୋପରୁ ନିଷ୍କୃତି ମିଳି ପାରିବ, ଏଥିରେ ସନ୍ଦେହ ନାହିଁ । ବାସଗୃହ ନିକଟବର୍ତ୍ତୀ କୂପର ଜଳ କୌଣସି ରୂପେ ଦୂଷିତ ହେଲେ ପରମାଙ୍ଗନେଟ୍‌ ଅଫ ପୋଟାସ୍‌ ପକାଇ ପରିଶୋଧନ କଲେ ସର୍ବପ୍ରକାର ଜୀବାଣୁ ନଷ୍ଟ ହୋଇ ଉକ୍ତ କୂପଜଳ ପୁନର୍ବାର ପାନୋପଯୋଗୀ ହୋଇପାରେ । ଯେଉଁଠାରେ ଉତ୍ତମ ପାନୀୟ ଜଳର ବ୍ୟବସ୍ଥା ନାହିଁ ସେଠାରେ ସର୍ବଦା ଜଳକୁ ଗରମ କରି ବାଲି, କୋଇଲାର ଫିଲଟର୍‌ ବା ଶୋଧନଯନ୍ତ୍ର ସାହାଯ୍ୟରେ ଜଳକୁ ପରିଶୋଧିତ କରି ସେହି ଜଳକୁ ପିଇବା ଉଚିତ । ପାନୀୟ ଜଳ ବିଶୁଦ୍ଧ ହେଲେ ହଇଜା, ଟାଇଫଏଡ୍‌ ଜ୍ୱର ଓ ଆମାଶୟ ପ୍ରଭୃତି ରୋଗମାନଙ୍କ ହସ୍ତରୁ ଅବ୍ୟାହତି ମିଳେ । ଏଥିପାଇଁ ବାସଗୃହ ସଙ୍ଗରେ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାରିବାରିକ ସ୍ୱାସ୍ଥ୍ୟରକ୍ଷାର ଏକ ପ୍ରଧାନ ଅଙ୍ଗ । ତେଣୁ ସେହି ପାନୀୟ ଜଳ ସମ୍ୱନ୍ଧରେ ବିଶେଷ ଲକ୍ଷ୍ୟ ରଖିବା ଆବଶ୍ୟକ ।

 

ଭୂମିର ଆର୍ଦ୍ରତା ଓ ନିମ୍ନସ୍ତରରେ ଜଳର ବହୁଳତା ଅନୁସାରେ ଗୃହବାସୀଙ୍କର ନାନାପ୍ରକାର ପୀଡ଼ା ହୋଇଥାଏ । ଭୂମିର ଆର୍ଦ୍ରତା ବଢ଼ିଲେ ଭୂମି ଶୀତଳ ହୁଏ ଏବଂ ଉପରିସ୍ଥ ବାୟୁ ଜଳୀୟବାଷ୍ପରେ ପୂର୍ଣ୍ଣ ହୁଏ । ଏପରି ସ୍ଥାନରେ ବାସ କରୁଥିବା ଲୋକମାନେ ସର୍ଦି, କାଶ, ବାତ, ଯକ୍ଷ୍ମା, ନିଉମୋନିଆ, ସ୍ନାୟୁଶୂଳ ପ୍ରଭୃତି ରୋଗରେ ଆକ୍ରାନ୍ତ ହୁଅନ୍ତି । ଓଦା ଭୂମିରେ ଜାନ୍ତବ ପଦାର୍ଥ ବାୟୁ ଓ ଉତ୍ତାପ ସଂଯୋଗରେ ବିଗଳିତ ହୋଇ ଦୂଷିତ ବାଷ୍ପ ଉତ୍ପାଦନ କରେ ଏବଂ ସେହି କାରଣରୁ ଉକ୍ତ ସ୍ଥାନ ସହଜରେ ଅସ୍ୱାସ୍ଥ୍ୟକର ହୁଏ । ବାସଭୂମି ଶୁଷ୍କ ନରହିଲେ ମ୍ୟାଲେରିଆ ଜ୍ୱର, ଟାଇଫଏଡ୍‌ ଜ୍ୱର, ହଇଜା, ଗ୍ରୀଷ୍ମକାଳୀନ ଉଦରାମୟ, ଆମାଶୟ ଓ ଡିପ୍‌ଥେରିଆ (ଆଖିଧରା) ପ୍ରଭୃତି ରୋଗ ଉତ୍ପନ୍ନ ହୋଇପାରେ । ଏହି ସବୁ କାରଣରୁ ବାସଗୃହ ସକାଶେ ସର୍ବ ପ୍ରଥମରୁ ଉତ୍ତମ ଭୂମି ଠିକ୍‌ କରିବା ଉଚିତ । ବାସଗୃହର ଭୂମି ଭଲ ନହେଲେ ସେ ଗୃହରେ ବାସ କରିବା ଯନ୍ତ୍ରଣାଦାୟକ । ସେପରି ଅସ୍ୱାସ୍ଥ୍ୟକର ଗୃହରେ ବାସ କଲେ ସାମାନ୍ୟ କାରଣରୁ ସର୍ବଦା ନାନାପ୍ରକାର କଠିନ ପୀଡ଼ା ହେବାର ସମ୍ଭାବନା ଥାଏ ଏବଂ ଚିରରୁଗ୍ଣ ହେବାକୁ ହୁଏ । ଅସ୍ୱାସ୍ଥ୍ୟକର ଗୃହରେ ବାସ କରିବାଯୋଗୁଁ ଲୋକଙ୍କ ଜୀବନୀଶକ୍ତି କ୍ରମଶଃ ହ୍ରାସ ହେଉଥାଏ ଏବଂ ସେହିରୂପ ଅବସ୍ଥାରେ ବ୍ୟାଧିର ଜୀବାଣୁ ଶରୀରରେ ପ୍ରବେଶ କଲେ ତାହା ପ୍ରବଳରୂପେ ଆକ୍ରମଣ କରେ ଏବଂ ଶୀଘ୍ର ଅକାଳରେ ମୃତ୍ୟୁମୂଖରେ ପଡ଼ିବାକୁ ହୁଏ । ଆମ୍ଭେମାନେ ଏହିରୂପେ ଅଜ୍ଞାତ ଭାବରେ କାର୍ଯ୍ୟ କରି ମୃତ୍ୟୁକୁ ଆଲିଙ୍ଗନ କରିଥାଉଁ ।

 

ଇଂରେଜମାନେ ସର୍ବଦା ଉତ୍ତମ ଗୃହରେ ବାସ କରନ୍ତି, ଉତ୍ତମ ପରିଚ୍ଛଦ ପିନ୍ଧନ୍ତି ଏବଂ ନିୟମିତ ଭାବରେ ଉତ୍ତମ ଆହାର କରନ୍ତି ବୋଲି ଆମ୍ଭମାନଙ୍କ ଅପେକ୍ଷା ଦୀର୍ଘଜୀବୀ ହୁଅନ୍ତି । ସେମାନେ ବିଶେଷ ସାବଧାନରେ ଥାଆନ୍ତି ବୋଲି ପ୍ରାୟ ସଂକ୍ରାମକ ବ୍ୟାଧିଦ୍ୱାରା ଆକ୍ରାନ୍ତ ହୁଅନ୍ତି ନାହିଁ । କିନ୍ତୁ ଆମ୍ଭେମାନେ ଏ ସବୁ ବିଷୟରେ ସମ୍ପୁର୍ଣ୍ଣ ଉଦାସୀନ । ଯେଉଁ ବୟସରେ ଶତକରା ଜଣେ ଇଂରେଜର ମୃତ୍ୟୁ ହୁଏ ସେହି ବୟସରେ ଶତକରା ପ୍ରାୟ ତିନିଜଣ ଭାରତବାସୀ କାଳଗ୍ରାସରେ ପତିତ ହୋଇଥାନ୍ତି ।

 

ବାୟୁ ପରିଚାଳନ ପାଇଁ ବାସଗୃହରେ ଯେପରି କବାଟ ଓ ଝରକା ରଖିବା ଆବଶ୍ୟକ, ସେହିପରି ପ୍ରତ୍ୟେକ ଘରେ, ଯେପରି ଦିନରେ ଅନ୍ତତଃ ଥରେ ସୂର୍ଯ୍ୟ କିରଣ ପ୍ରବେଶ କରି ପାରେ ତାହାର ବ୍ୟବସ୍ଥା କରିବା ଉଚିତ । ତାହାଦ୍ୱାରା ଗୃହର ଉତ୍ତାପ ସମଭାବରେ ଥାଏ ଏବଂ ଗୃହର ଆର୍ଦ୍ରତା କେତେକ ପରିମାଣରେ କମିଯାଏ । ଘର ଭିତରକୁ ବାୟୁ ଓ ସୂର୍ଯ୍ୟକିରଣର ଅବାଧ ପ୍ରବେଶ ନ ହେବାରୁ ଆଜିକାଲି ଯକ୍ଷ୍ମାରୋଗର ଏତେ ପ୍ରାଦୁର୍ଭାବ ଦେଖାଯାଉଅଛି । ସାଧାରଣତଃ ଦେଖାଯାଇଥାଏ ଯେ, ଶୀତକାଳ ରାତ୍ରିରେ ଗୋଟିଏ କୋଠରିରେ ଅନେକ ସ୍ଥଳରେ ଏକାଧିକ ଲୋକ ଶୁଅନ୍ତି । ସେମାନେ ଯେ କେବଳ ଆପାଦମସ୍ତକ ଘୋଡ଼ି ହୋଇ ଶୁଅନ୍ତି, ତାହା ନୁହେଁ, ଘରର ଦ୍ୱାର ଓ ଝରକା ସବୁକୁ ଭଲ କରି ବନ୍ଦ କରି ରଖନ୍ତି, କୌଣସିଠାରେ ଟିକିଏ କିଛି ରନ୍ଧ୍ର ଥିଲେ ସେ ଛିଦ୍ରକୁ କାଗଜ ବା କନା ଦେଇ ବନ୍ଦ କରି ଦିଅନ୍ତି ଓ ଘର ଭିତରକୁ ଯେପରି ଟିକିଏ ହେଲେ ବାହାରର ବାୟୁ ପ୍ରବେଶ ନ କରିବ ତାହାର ବ୍ୟବସ୍ଥା କରନ୍ତି । ଏହାର ଏହି ଫଳ ହୁଏ ଯେ, ଏହିପରି ଅବସ୍ଥାରେ କିଛିକାଳ ବାସ କଲେ ଯକ୍ଷ୍ମାରୋଗର ବୀଜାଣୁ ସେମାନଙ୍କର ଏହି ଅସ୍ୱାସ୍ଥ୍ୟକର ଗୃହରେ ପ୍ରବେଶ କରେ ଏବଂ ସେମାନଙ୍କର ଶରୀରକୁ ଆକ୍ରମଣ କରେ । ସେହି କୋଠରିରେ ବଦ୍ଧ ପବନ ଥାଏ ଓ ସେଥି ସଙ୍ଗେ ସର୍ବାଙ୍ଗ ଆଚ୍ଛାଦିତ ରହିବାରୁ ସେହି ରୁଦ୍ଧ ଓ ଦୂଷିତ ପବନ ଶ୍ୱାସ ପ୍ରଶ୍ୱାସରୂପେ ପୂନଃପୂନଃ ଗୃହୀତ ଓ ପରିତ୍ୟକ୍ତ ହୁଏ । ସମସ୍ତ ରାତ୍ରି ଏହିପରି ଚାଲେ । ଅଧିକାଂଶ ସ୍ଥଳରେ ଗୋଟିଏ କୋଠରିରେ ଗୋଟିଏ ପୁରୁଷ, ତାହାର ସ୍ତ୍ରୀ ଓ ଶିଶୁ ସନ୍ତାନଗଣ ଶୟନ କରନ୍ତି । ଏମାନଙ୍କ ଭିତରେ କାହାରି କାହାରି ମଧ୍ୟ ଅନ୍ଧକାରଭୀତି ଥାଏ; ସେଥିଯୋଗୁଁ କୌଣସ କୌଣସିଠାରେ ସମସ୍ତ ରାତ୍ରି ଘର ଭିତରେ ଆଲୁଅ ମଧ୍ୟ ଜଳୁଥାଏ; ସୁତରାଂ ଏପରି କୋଠରିର ବାୟୁ କିପରି ବିଷାକ୍ତ ହୁଏ ତାହା ସହଜରେ ଅନୁମାନ କରାଯାଇ ପାରେ । ରାତ୍ରି ପରେ ରାତ୍ରି ଏହିପରି ବିଷାକ୍ତ ବାୟୁ ସେବନ କଲେ ହୃଦ୍‌ଯନ୍ତ୍ର ଯେ ଦୁର୍ବଳ ହେବ ଏବଂ ତାହା ଯେ ଯକ୍ଷ୍ମାରୋଗର ଉପଯୁକ୍ତ ବାସଭୂମିରେ ପରିଣତ ହେବ ଏଥିରେ ବିଚିତ୍ରତା କିଛି ନାହିଁ । ଏସବୁ ବିପଦରୁ ଗୃହକୁ ରକ୍ଷା କରିବାର ଏକମାତ୍ର ଉପାୟ ଶୁଷ୍କ ଉଚ୍ଚ ଭୂମିରେ ବାସଗୃହ ନିର୍ମାଣ କରି ସେଥିରେ ଯେପରି ବାୟୁ ଓ ସୂର୍ଯ୍ୟ କିରଣ ଅବାଧରେ ପ୍ରବେଶ କରିବ ତାହାରି ଉପାୟ ବିଧାନ କରିବା ଏବଂ ସବୁ ସମୟରେ ଘର ଭିତରକୁ ନିର୍ମଳ ପବନର ପ୍ରବାହକୁ ଛାଡ଼ି ଦେବା ।

 

ଅନେକ ସମୟରେ ଆମ୍ଭମାନଙ୍କର ବାସଗୃହ ଓ ବାସଗୃହରେ ଥିବା ଦ୍ରବ୍ୟାଦି ଧୂଳିପୂର୍ଣ ହୋଇଯାଏ; ତାହା ଆମ୍ଭେମାନେ ଲକ୍ଷ୍ୟ କରି ନଥାଉଁ । ଧୂଳିକଣା ସଙ୍ଗରେ ନାନାପ୍ରକାର ଜୀବାଣୁ ଆସି ପାରନ୍ତି, ତେଣୁ ସେ ବିଷୟରେ ସାବଧାନ ହେବା ସର୍ବଦା ଆବଶ୍ୟକ । ମଝିରେ ମଝିରେ ଗରମ ପାଣିରେ ଖଣ୍ତେ କନା ଓଦା କରି ଘରର ଛବି, ଟେବ୍‌ଲ, ବାକ୍‌ସ ଓ ଅନ୍ୟ ଉପକରଣମାନ ପୋଛି ସଫା କରି ଦେବା ଉଚିତ । ଟେବ୍‌ଲ, ବାକ୍‌ସ ପ୍ରଭୃତି ଉପରେ କନା ପଡ଼ିଥିଲେ ତାକୁ ପ୍ରତିଦିନ ଝାଡ଼ିଦେବା ଏବଂ ପ୍ରତି ସପ୍ତାହରେ ଅନ୍ତତଃ ଥରେ ଧୋଇ ଦେବା ଉଚିତ । ଏହିପରି ନିୟମାଧୀନ ହୋଇ ରହିଲେ ଆମ୍ଭେମାନେ ନାନାପ୍ରକାର ରୋଗର ହସ୍ତରୁ ମୁକ୍ତ ହୋଇ ପାରିବା ।

Image

 

ପରିବାରରେ ଈଶ୍ୱର ଚିନ୍ତା

 

‘‘God should always be with us; we shuld always feel Him with us in thought, word and action." [Ranade]

 

କି ବ୍ୟକ୍ତିଗତ ଜୀବନ କି ପାରିବାରିକ ଜୀବନ ସବୁଥିରେ ସୁଖ ଶାନ୍ତି ସର୍ବଦା ଲାଭ କରିବା ଅତି ଅଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ଭାଗ୍ୟରେ ଘଟିଥାଏ । ପରିବାର ଭିତରେ ବହୁ ଲୋକର ମିଳନ ଥିବାରୁ ସବୁ ସମୟରେ କିଛି ନା କିଛି ଅସୁବିଧା ଅଶାନ୍ତି ଅବଶ୍ୟଥାଏ । କେତେଗୁଡ଼ିଏ ଦୁଃଖ ବା ଅସୁବିଧାର ପ୍ରତିକାର ଅଛି, କେତେଗୁଡ଼ିଏ ଦୁଃଖର ପ୍ରତିକାର ନାହିଁ । ସେଗୁଡ଼ିକୁ ‘‘ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି’’ ନୀତିରେ ସହିବାକୁ ହୁଏ । ସମୟ ସମୟରେ ମନୁଷ୍ୟ ଜୀବନରେ ଏପରି ଦୁଃଖ ବିପଦ ଆସି ପହଞ୍ଚେ ଯେ ସେ ସବୁକୁ ଛାତିକୁ ପଥର କରି ସହିବା ଛଡ଼ା ଅନ୍ୟ ଉପାୟ ନାହିଁ । ଈଶ୍ୱର ନିର୍ଭର ଭାବ ନ ଥିଲେ ଦୁଃଖ ସହିବାର ଗୁଣ ସହଜରେ ଆସେନାହିଁ । ସେହି ଈଶ୍ୱର ନିର୍ଭରଭାବ ଜୀବନର ଏକ ପରମ ମହୌଷଧି । ଦୁଃଖର ତୀବ୍ରତା ଯେତେବେଳେ ଏତେ ଅଧିକ ହୁଏ ଯେ ହୃଦୟ ଫାଟିଗଲା ପରି ଲାଗେ ସେତେବେଳେ ସଂସାରର କୌଣସି ସାନ୍ତ୍ୱନା ଦୁଃଖର ସେ ତୀବ୍ରତାକୁ ଲାଘବ କରପାରେ ନାହିଁ । କେବଳ ଈଶ୍ୱରଚିନ୍ତା, ଈଶ୍ୱରନିର୍ଭରଭାବ ଏବମ୍ୱିଧ ଦୁଃଖ ଶୋକର ଏକମାତ୍ର ସାନ୍ତନା ବିଧାୟକ ଉପାୟ ।

 

ଈଶ୍ୱର ସର୍ବତ୍ର ଆମ୍ଭ ନିକଟରେ ଅଛନ୍ତି; ଏହି ଭାବ ପାରିବାରିକ ଜୀବନରେ ବଦ୍ଧମୂଳ ହେଲେ ପରିବାରର ସୁଖଶାନ୍ତି ବହୁ ପରିମାଣରେ ବୃଦ୍ଧିପ୍ରାପ୍ତ ହୁଏ । ଈଶ୍ୱରଙ୍କର ଅସ୍ତିତ୍ୱ ଆମ୍ଭମାନଙ୍କର ପ୍ରତି ଚିନ୍ତାରେ, ପ୍ରତି ବାକ୍ୟରେ, ପ୍ରତି କାର୍ଯ୍ୟରେ ଅନୁଭବ କରିବା ଉଚିତ । ଯେ ଏହା କରିପାରେ ସେ ପ୍ରକୃତ ଚରିତ୍ରବାନ୍‌ । ଏହି ଈଶ୍ୱରଚିନ୍ତା ବାଲ୍ୟକାଳରୁ ଯେପରି ପରିବାରର ସମସ୍ତଙ୍କ ମନରେ ଜାଗ୍ରତ ହୁଏ ସେଥିପ୍ରତି ଦୃଷ୍ଟିଦେବା ନୈତିକ ଉନ୍ନତି ଦିଗରୁ ଏକ ପ୍ରଧାନ କାର୍ଯ୍ୟ-। ସମ୍ପଦରେ, ବିପଦରେ ଦୁଃଖରେ, ସୁଖରେ ସବୁ ଅବସ୍ଥାରେ ଈଶ୍ୱରଙ୍କର ଆଜ୍ଞାବହ ଭୃତ୍ୟ ହୋଇ ପାରିବାର ସୌଭାଗ୍ୟ ଲାଭ କରି ପାରିବା ପାରିବାରିକ ଜୀବନର ଏକ ଶ୍ରେଷ୍ଠ ସମ୍ପଦ । ଏହି ଈଶ୍ୱରଚିନ୍ତା ପରିବାର ଭିତରେ ଆପେ ଆପେ ଆପେ ନାହିଁ । ଅନ୍ୟାନ୍ୟ ସର୍ବ ସଦ୍‌ଗୁଣ ପରି ଏହାକୁ ଲାଭ କରିବାକୁ ଯତ୍ନ ଆବଶ୍ୟକ । ଈଶ୍ୱରଚିନ୍ତା ସର୍ବ ରୋଗର, ସର୍ବ ବିପଦର ଶାନ୍ତି ବିଧାୟକ ଶ୍ରେଷ୍ଠ ଉପାୟ । ଯେତେବେଳେ ସବୁ ଉପାୟ, ସବୁ ଔଷଧି ଅକୃତକାର୍ଯ୍ୟ ହୁଏ ଭଗବାନଙ୍କ ଉପରେ ଏହି ନିର୍ଭର ଚିନ୍ତା କେବଳ ଅସ୍ଥିର ମନରେ ସ୍ଥିରତା ଆଣେ, ଦଗଧ୍‌ ପ୍ରାଣରେ ଚନ୍ଦନ ଲେପନ କରେ ।

 

ଦୈନିକ ଜୀବନରେ ପରିବାରର ଈଶ୍ୱରଚିନ୍ତା କରିବାର ନିର୍ଦ୍ଦିଷ୍ଟ ସମୟ ଥିବା ବିଶେଷ ପ୍ରୟୋଜନୀୟ । ଘରେ ପିତା, ମାତା, ଭ୍ରାତା, ଭଗିନୀ ବାଳକବାଳିକା ସମସ୍ତେ ଏକତ୍ର ବସି ପ୍ରତ୍ୟହ ଈଶ୍ୱର ନାମ ନେବାର ବ୍ୟବସ୍ଥା ଥିବା ପାରିପାରିକ ଜୀବନର ଏକ ପରମ ବ୍ୟବସ୍ଥା । ପାରିବାରିକ ସମବେତ ଉପାସନା ବ୍ୟତୀତ ବୟସ୍କମାନେ ନିଜେ ନିଜେ ଏକାକୀ ଈଶ୍ୱର ନାମ ନେବାର ବନ୍ଦୋବସ୍ତ ଥାଇପାରେ । ମାତ୍ର ଶିଶୁ ବାଳକ ବାଳିକା ସମସ୍ତଙ୍କ ଧରି ପିତା ମାତା ପ୍ରଭୃତି ସମବେତ ଈଶ୍ୱରପ୍ରାର୍ଥନା କଲେ ସେ ଭାବ ପରିବାରରେ ବହୁ ସୁଫଳ ପ୍ରସବ କରେ ।

 

ପରିବାରରେ ଖାଇବା ଘର, ଶୋଇବା ଘର ପ୍ରଭୃତି ପରି ପ୍ରାର୍ଥନା ଘରଟିଏ ସ୍ୱତନ୍ତ୍ର ହୋଇ ରହିଥିବା ଆବଶ୍ୟକ । ସେ ଘରକୁ ଯେପରି ପ୍ରାର୍ଥନା ବେଳେ କୌଣସି କୋଳାହଳ ନଯାଏ ତାହାର ବ୍ୟବସ୍ଥା ଥିବା ଉଚିତ । ପିଲାମାନେ ପିତା ମାତାଙ୍କ କୋଳରେ ବସି ନାମ ନେବାର ଅଭ୍ୟାସ ଲାଭ କଲେ ଈଶ୍ୱରଚିନ୍ତା ଆପେ ଆପେ ସେମାନଙ୍କ ମନକୁ ଅଧିକାର କରିବ ଏବଂ ବୟୋବୃଦ୍ଧି ସଙ୍ଗେ ସଙ୍ଗେ ସେମାନେ ଭଗବଦ୍‌ଭକ୍ତି, ସଦଭ୍ୟାସ ଲାଭ କରିବାକୁ ସମର୍ଥ ହେବେ।

 

‘ନାମେ ଭକ୍ତି, ଜୀବେ ଦୟା’ ଜୀବନର ମଳିନତା, ଆବିଳତା ଦୂର କରିବା ସକାଶେ ପରମ ଉପାୟ । ଏ ଉଭୟ ଉପାୟରେ ଯେପରି ଚିତ୍ତଶୁଦ୍ଧି ଆସେ ସେହିପରି ସଂସାରଦଗ୍‌ଧ ବିଷାକ୍ତ ପ୍ରାଣରେ ଶାନ୍ତି ସୁଧା ଢାଳି ହୁଏ ।

 

ଦେବ ମନ୍ଦିରରେ ବା ପରିବାରର ପ୍ରାର୍ଥନା ଘରେ ଯେଉଁ ଠାରେ ଯାହାକୁ ସୁବିଧା ପରିବାରର ସମସ୍ତେ ଯେପରି ପ୍ରତ୍ୟହ ଈଶ୍ୱରଙ୍କର ନାମ ନିଅନ୍ତି ଏବଂ ନିବିଷ୍ଟ ଚିତ୍ତରେ ସେହି ସର୍ବ ଶକ୍ତିର ଆଧାର, ସର୍ବ ଶାନ୍ତିର ଆକର ପରମପିତାଙ୍କର କରୁଣା ଭିକ୍ଷା କରିବାକୁ ଅଭ୍ୟାସ କରନ୍ତି ସେଥିପ୍ରତି ପାରିବାରିକ ଅଭିଭାବକଙ୍କର ଦୃଷ୍ଟି ଥିବା ପରିବାରର ଆଧ୍ୟାତ୍ମିକ ଉନ୍ନତିର ପ୍ରକୃଷ୍ଟ ପନ୍ଥା ।

 

ଦୈନନ୍ଦିନ ଜୀବନରେ ଈଶ୍ୱର ନାମ ନେବାର ବ୍ୟବସ୍ଥା ରହିଲେ ମନରେ ଶାନ୍ତି ଆସେ; ସଂସାରର କୋଳାହଳର ତୀବ୍ରତା କମିଯାଏ; ହୃଦୟ ଆପେ ଆପେ ନିର୍ମଳ ହୋଇଯାଏ । ଯେଉଁ ପରମ ପିତାଙ୍କଠାରୁ ଆମ୍ଭେମାନେ ଧନ ଜନ ଜୀବନ ସମସ୍ତ ଲାଭ କରିଅଛୁଁ’’, ଯେ ଆମ୍ଭମାନଙ୍କର ପରମ ବିପଦ ବେଳେ ଏକମାତ୍ର ସହାୟ, ଯାହାଙ୍କର କୃପା କଣିକା ଲାଭ କଲେ ଏ ସଂସାରର ବିବିଧ ବାଧା ବିଘ୍ନ ଅକ୍ଳେଶରେ ଦୂର ହୋଇଯାଏ, ସେହି ସର୍ବ-ସୁଖ-ବିଧାତା ମହେଶ୍ୱରଙ୍କୁ ପ୍ରାଣରେ ଅନୁଭବ କର ତାଙ୍କର ଧର୍ମ ପଥରେ ଚଳିବାଠାରୁ ବଳି ଆଉ ଜୀବନର ମହତ୍ତର ଉଚ୍ଚତର କର୍ତ୍ତବ୍ୟ କଣ ହୋଇପାରେ ? ଯେତେବେଳେ ଏ ଘୋର କଳିକାଳରେ ତୋପ କମାଣର ଶବ୍ଦରେ ଦଶଦିଗ ନିତ୍ୟନିୟତ ମୁଖରିତ, ସେହି ସମୟରେ ହରିନାମ ନେବାଠାରୁ ବଳି ଶରୀର ମନ ଆତ୍ମାର ମଙ୍ଗଳ-ବିଧାୟକ ଉପାୟ ଆଉ କିଛି ଅଛି ବୋଲି ମନେ ହେଉ ନାହିଁ । ଏହା ଧର୍ମପଥ ପ୍ରଦର୍ଶନ କରିବ, ହୃଦୟକୁ ନିର୍ମଳ କରିବ ଓ ଜୀବନରେ ସୁଖ, ସନ୍ତୋଷ ଓ ଶାନ୍ତି ଆଣିବ । ପରିବାରରେ ସୁଖଶାନ୍ତି ସମୃଦ୍ଧିର ଏ ସୁନୀତି ପାଳନ କରିବା ପ୍ରତି ସମସ୍ତଙ୍କର ଶୁଭମତି ରହିବା ପରିବାର ପକ୍ଷରେ, ସମାଜ ପକ୍ଷରେ ଓ ଜାତି ପକ୍ଷରେ ପରମ ମଙ୍ଗଳର ପଥ ।

Image

 

ପରିବାରରେ ଛୋଟ ଛୋଟ ଅଭ୍ୟାସ

 

‘‘ପାନ ବିଡ଼ି ନୁହେଁ ସାମାନ୍ୟ ନିଶା

ଜଣାପଡ଼େ ନାହିଁ, ଟାଣେ ପଇସା,

ଦେଶଧନ ଦେଇ ବିଦେଶୀ ପୋଷା ।’’

 

‘‘ପ୍ରେମ ବିଶ୍ୱାସର କ୍ଷୁଦ୍ର କର୍ମମାନ

ମଧୁମୟ ହେମହାରେ,

ଦେବଲୀଳାଭୂମି ସରଗ ସଙ୍ଗରେ

ବାନ୍ଧଇ ଏହି ସଂସାରେ।’’

 

ମନୁଷ୍ୟର ଅନ୍ତର୍ନିହିତ ପବିତ୍ର ବୃତ୍ତଗୁଡ଼ିକୁ ସାମାଜିକ ଜୀବନରେ ପ୍ରସ୍ଫୁଟିତ କରାଇ ବଂଶପରାମ୍ପରାକ୍ରମେ ମାନବସମାଜରେ ସେଥିର ଉତ୍ତରୋତ୍ତର ବିକାଶର ଉପାୟ କରିବା ସକାଶେ ହିନ୍ଦୁର ସାମାଜିକ ଜୀବନ କଳ୍ପିତ ହୋଇଥିଲା। ସେହି ଅନୁସାରେ ମଧ୍ୟ ଦୈନଦିନ ପାରିବାରିକ ଜୀବନ ଯାପନ କରିବାକୁ ସେ ଅଭ୍ୟାସ କରୁଥିଲା । କ୍ରମେ ଅଧୋଗତି ପାଇ ସେ ମୌଳିକ ମହତ୍‌ କଳ୍ପନା ଭିତରେ ନାନା ଅପଚାର ପଶି ଯାଇଅଛି । ସାମାଜିକ ଓ ପାରିବାରିକ ଜୀବନର ସେ ମାନବିକତା, ସେ ପବିତ୍ରତା, ସେ ଧର୍ମଭାବ, ସେ ସ୍ନେହ, ଶ୍ରଦ୍ଧା, ପ୍ରେମ, ପ୍ରୀତି ଆଉ ରହୁ ନାହିଁ । ନୈତିକ ଦୃଷ୍ଟିରୁ ଯାହାକୁ ଗର୍ହିତ କାର୍ଯ୍ୟ ବୋଲି ସମସ୍ତେ କହିବେ, ସେପରି ବିବିଧ କାର୍ଯ୍ୟ ସାମାଜିକ ଓ ପାରିବାରିକ ଜୀବନରେ ପଶି, ଆଜି ଦେଶକୁ ଓ ସମାଜକୁ ଅନ୍ତଃସାରଶୂନ୍ୟ କରି ଦେଉଅଛି । ସେ ସବୁ ଗର୍ହିତ କାର୍ଯ୍ୟ ବହୁକାଳ ହେଲା ଚଳିବାରୁ ସେଥିପ୍ରତି ବିକାର ମଧ୍ୟ ଗଲାଣି । ଏହାହିଁ ଅବସ୍ଥାର ଶୋଚନୀୟତାର ଶେଷ ପରିଣତି । ଆଜି ଏ ଦେଶର ପାରିବାରିକ ଜୀବନ ଯେ ଶୋଚନୀୟ ହୋଇ ଆସୁଅଛି, ଏବଂ ନୀତି ଓ ଚରିତ୍ରଗତ ଆଦର୍ଶ ଓ ଆଚରଣ ଯେ ଅତି ଶିଥିଳ ଓ ଅଧୋମୁଖୀ ହୋଇଅଛି ଏବଂ ଏପରି ହେବାଦ୍ୱାରା ଜୀବନର ପବିତ୍ରତା ଓ ମାଧୁରୀ ଯେ ନଷ୍ଟ ହେଉଅଛି, ଏହା ସମସ୍ତଙ୍କର ଅବଲୋକନ କରି ମଧ୍ୟ ସେଥିପ୍ରତି ତୀକ୍ଷ୍‌ଣ ଦୃଷ୍ଟି ନ ଦେବା ଏ ଦେଶର ସାମାଜିକ ଜୀବନର ଜଡ଼ତା ବା ଅବସାଦର ସୂଚନା ମାତ୍ର ଦେଉଅଛି । ଏ ଦୁର୍ଗତିର ପଥରୋଧ କରା ନ ଗଲେ ଏ ଦରିଦ୍ର ଦେଶର ଏକମାତ୍ର ସମ୍ୱଳ ସରଳ ନିରାଡ଼ମ୍ୱର ସାମାଜିକ ଓ ପାରିବାରିକ ଜୀବନ ମୂଳରେ ଯେ କୁଠାରଘାତ ହେବ, ଏହା ଠିକ୍‌ କରିବାକୁ କଳ୍ପନାରେ ବିଶେଷ ପ୍ରୟୋଜନ ହେବ ନାହିଁ ।

 

ପରିବାରରେ ବିଭିନ୍ନ ବୟସର ଓ ବିଭିନ୍ନ ପ୍ରକୃତିର ଲୋକ ବାସ କରନ୍ତି; ତେଣୁ ପରିବାରର ଆଚାର ବ୍ୟବହାର ନିୟନନ୍ତ୍ରିତ କରିବାକୁ ହେଲେ ଶ୍ରେଣୀର ଲୋକଙ୍କ ହୃଦୟ ଓ ମନ ସ୍ପର୍ଶ କଲାଭଳି ଆଚାର ବ୍ୟବହାର ପ୍ରବର୍ତ୍ତିତ ହେବା ଆବଶ୍ୟକ । ଛୋଟ ଛୋଟ ପିଲାମାନେ ବଡ଼ ଅନୁକରଣପ୍ରିୟ; ପରିବାରର ବୟସ ବ୍ୟକ୍ତିମାନେ ମଧ୍ୟ ପରିବାରର ପ୍ରଚଳିତ ଆଚାର ବ୍ୟବହାରରେ ସାଧାରଣତଃ ଆବଦ୍ଧ ହେବାକୁ ମନ ବଳାଇଥାଆନ୍ତି । ଏପରି ଅବସ୍ଥାରେ ପରିବାରର ଆଚାର ବ୍ୟବହାର ଓ ଅଭ୍ୟାସ ଉପରେ ପରିବାରର ମଙ୍ଗଳ ବହୁ ପରିମାଣରେ ନିର୍ଭର କରେ ।

 

ଯେଉଁ ପରିବାରରେ ଦାନଧର୍ମର କାର୍ଯ୍ୟମାନ ଅନୁଷ୍ଠିତ ହୁଏ ପିଲାମାନଙ୍କର ମନ ପିଲାଦିନରୁ ସେହିସବୁ କାର୍ଯ୍ୟପ୍ରତି ଆକୃଷ୍ଟ ହୁଏ । କେତେକ ପରିବାରର କର୍ତ୍ତା ସେମାନଙ୍କର ପିଲାମାନଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସେମାନଙ୍କୁ ସଙ୍ଗରେ ନେଇ ଦୀନ ଦରିଦ୍ର ଲୋକମାନଙ୍କୁ ପିଲାଙ୍କୁ ଦେଖାଇ ପିଲାଙ୍କ ଦ୍ୱାରା ସେମାନଙ୍କୁ କିଛି କିଛି ଦାନ କରି ସେମାନଙ୍କ ଅନାଥ ଆତୁର ଲୋକଙ୍କ ପ୍ରତି ମନୁଷ୍ୟର କର୍ତ୍ତବ୍ୟ ଶିକ୍ଷା ଦେଇଥାନ୍ତି । ଏହିପରି ଭାବରେ ପରିବାରରେ ଛୋଟ ବଡ଼ ବହୁ ନୀତିଶିକ୍ଷା ପିଲାମାନେ ପାଇ ଥାଆନ୍ତି। ପକ୍ଷାନ୍ତରେ ଘରର ମୁରଚ୍ଚି ବା ଊର୍ଦ୍ଧ ବୟସ୍କ ବ୍ୟକ୍ତିମାନେ ପାନ, ତମାଖୁ, ବିଡ଼ି, ସିଗାରେଟ୍‌ ପ୍ରଭୃତି ଖାଇଲେ ସେ ଘରର ପିଲାମାନେ ସ୍ୱତଃ ସେ ସବୁ ପ୍ରତି ଆକୃଷ୍ଟ ହୁଅନ୍ତି ଏବଂ ସହଜରେ ସେ ସବୁ ଅଭ୍ୟାସର ଦାସ ହୁଅନ୍ତି । ଯେଉଁ ଘରେ ଲୋକେ ବିଡ଼ି, ସିଗାରେଟ୍‌ ଖାଆନ୍ତି, ସେ ଘରର ଛୋଟ ପିଲାମାନେ ଖଣ୍ତିଆ ବିଡ଼ି ସିଗାରେଟ ପାଇଲେ ପାଟିରେ ମାଡ଼ି ବିଡ଼ି ଖାଇବାର ଅନୁକରଣ କରିବା ଦୃଶ୍ୟ ଅନେକେ ଦେଖିଥିବେ । ଏହିପରି ଆହୁରି ବଡ଼ ବଡ଼ ନିଶାର ମଧ୍ୟ ସହଜ ଅନୁସରଣ ବା ଅନୁକରଣ ହେବାର ଦୃଷ୍ଟାନ୍ତ ଅନେକ ପରିବାରରେ ମିଳିଥାଏ । ଏ ସବୁ ଉତ୍ପାତରୁ ପରିବାରକୁ ରକ୍ଷା କରିବାର ଏକମାତ୍ର ଉପାୟ ପରିବାରର ଅଧିକ ବୟସ୍କ ବ୍ୟକ୍ତିମାନେ ଯେଉଁ ନୀତି ପ୍ରଚାର କରିବାକୁ ଇଛା କରନ୍ତି ସେ ସବୁ ନୀତି ସେମାନେ ନିଜେ ନିଜେ ସାଳନ କରିବେ । ସେହି ଆଦର୍ଶ ହିଁ ପ୍ରକୃତ ପ୍ରଚାରର କାର୍ଯ୍ୟ କରିବ ।

 

ପିଲାଦିନରୁ ଦୈନନ୍ଦିନ ଜୀବନରେ ଗୁଡ଼ିଏ ଛୋଟ ଛୋଟ ଅଭ୍ୟାସ ଭଲ ଦିଗରେ କରାଇ ପାରିବାଠାରୁ ବଳି ଅଧିକ କିଛି ବଡ଼ ଉପକାର ପିଲାମାନଙ୍କ ପ୍ରତି କରାଯାଇ ନ ପାରେ । ଛୋଟ ଛୋଟ ଭଲ ଅଭ୍ୟାସଗୁଡ଼ିକ ଥରେ ବଦ୍ଧମୂଳ ହେଲେ ସାରାଜୀବନ ତାହା ଶୁଭ ଫଳ ଦିଏ; ତେଣୁ ପରିବାରର ମୁଖ୍ୟ ବ୍ୟକ୍ତିମାନଙ୍କର କର୍ତ୍ତବ୍ୟ ସେମାନେ ନିଜେ ଭଲ ଅଭ୍ୟାସ କରି ପିଲାମାନଙ୍କର ମନକୁ ସେହି ଦିଗକୁ ଆକର୍ଷଣ କରିବେ । ସକାଳୁ ସହଳ ବିଛଣାରୁ ଉଠିବା, ନିୟମିତ ଭାବରେ ହାତ, ମୁଖ ଧୋଇବା, ଦାନ୍ତ ଘଷିବା, କିଛି ସମୟ ବୁଲିବା, କିଛି ବ୍ୟାୟମ କରିବା, ପଢ଼ାପଢ଼ିରେ ମନ ଦେବା, ଠିକ୍‌ ସମୟରେ ଗାଧୋଇବା, ଖାଇବା, ନିରଳସ ଭାବରେ ଦିନ ତମାମ କାର୍ଯ୍ୟରେ ଲିପ୍ତ ରହିବା, ରାତ୍ରିରେ ସହଳ ଖାଇ ନିଶ୍ଚିନ୍ତ ମନରେ ସହଳ ଶୋଇବା, ପ୍ରତ୍ୟହ ନିୟମିତ ଭାବରେ ପ୍ରଭୁଙ୍କର ନାମ ନେବା ପ୍ରଭୃତି ସହଜ ଅଭ୍ୟାସଗୁଡ଼ିକ ବୟସ୍କମାନେ ପାଳନ କଲେ ପରିବାରର ପିଲାମାନେ ଅକ୍କେଶରେ ସେହି ସବୁ ଅଭ୍ୟାସ କରି ନେବେ ଏବଂ ସେମାନଙ୍କର ଜୀବନ କଳରେ ଚାଲିଲା ପରି ଆପେ ଆପେ ସହଜରେ ନିୟନ୍ତ୍ରିତ ହୋଇଯିବ । ଏହିପରି ଭାବରେ ଦେଖିବାକୁ ଗଲେ ଯାହା ପ୍ରଥମେ ସାମାନ୍ୟ ଛୋଟ ଅଭ୍ୟାସ ବୋଲି ମନେ ହୁଏ, ତାହା ସବୁ ଭବିଷ୍ୟତରେ ମହା ସୁଫଳର ନିଦାନ ହୁଏ । ଛୋଟ ଛୋଟ ଅଭ୍ୟାସଗୁଡ଼ିକ ସୁପରିଚାଳିତ ହେଲେ ସେଗୁଡ଼ିକ ଜୀବନକୁ ମହାବଳଶାଳୀ କରି ପାରେ । ପରିବାରରେ ଯେଉଁ ମାନେ ମୁଖ୍ୟବ୍ୟକ୍ତି, ସେମାନେ ଏହି ଅଭ୍ୟାସଗୁଡ଼ିକ ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେଲେ ସେମାନଙ୍କ ପରିବାରର ଭବିଷ୍ୟତ ମହାଶୁଭମୟ ହୋଇ ପାରିବ ।

 

ସାଧାରଣ ଗୃହସ୍ଥଙ୍କ ଗୃହରେ ସମସ୍ତେ ଉଚ୍ଚଶିକ୍ଷାର ସୁବିଧା ଲାଭ କରି ପାରିବେ ନାହିଁ । ମାତ୍ର ସମସ୍ତଙ୍କର ଜୀପନଯାପନ କରିବାର ସୁପଥ ଲାଭ କରିବାର ଆବଶ୍ୟକତା ଅଛି । ସେଥିପାଇଁ ପ୍ରତି ପରିବାରର ମୁଖ୍ୟବ୍ୟକ୍ତିଙ୍କର ପ୍ରଧାନ ଓ ପ୍ରଥମ କର୍ତ୍ତବ୍ୟ ଯେ, ସେ ନିଜର ଅବସ୍ଥାକୁ ଦେଖି ପରିବାରର ପିଲାମାନେ ଯେପରି ସଦୁପାୟରେ ଜୀବିକାର୍ଜ୍ଜନ କରିବାକୁ ସମର୍ଥ ହେବେ, ତାହାର ଉପାୟ ଖୋଜି ବାହାର କରିବେ । ସେ ଉପାୟ ଖୋଜିବା ନିମିର୍ତ୍ତ ଯେଉଁ ଛୋଟ ଛୋଟ ଅଭ୍ୟାସଗୁଡ଼ିକ ସାହାଯ୍ୟ କରି ପାରେ, ସେ ଗୁଡ଼ିକର ସଦ୍‌ବ୍ୟବହାର କରି ପାରିଲେ ସେ ଉପାୟ ସହଜରେ କରତଳଗତ ହୋଇପାରେ ।

 

ଅଭ୍ୟାସଗୁଡ଼ିକ ଛୋଟ ବୋଲି ସେ ଗୁଡ଼ିକୁ ଅବହେଳା କରିବା ଉଚିତ ନୁହେଁ । ଅଭ୍ୟାସଗୁଡ଼ିକ ଯଦି ସୁପଥରେ ସାହାଯ୍ୟ କରେ, ସେଗୁଡ଼ିକ ଯେତେ ଛୋଟ ହେଉ ପଛକେ, ସେଗୁଡ଼ିକର ସାହାଯ୍ୟ ଜୀବନର ଅଭିବୃଦ୍ଧି ପକ୍ଷରେ ସର୍ବଥା ପ୍ରୟୋଜନୀୟ । ସେହିପରି ମନ୍ଦଦିଗରେ ସାମାନ୍ୟ ଅଭ୍ୟାସଗୁଡ଼ିକୁ ସାମାନ୍ୟ ବୋଲି ଅବହେଳା କିରିବା ବିଜ୍ଞୋଚିତ କାର୍ଯ୍ୟ ନୁହେଁ । ସେହି ସାମାନ୍ୟ ବିଷ ବୀଜଗୁଡ଼ିକ ମହା ବିଷବୃକ୍ଷ ସମହକୁ ଜନ୍ମ ଦେଇ ପାରେ । ସେତେବେଳେ ସେଥିରୁ ଉଦ୍ଧାରର ଉପାୟ ମିଳିବା କଷ୍ଟକର ହେବ ।

 

ଛୋଟ ଛୋଟ ଅଭ୍ୟାସଗୁଡ଼ିକ ବଡ଼ କାର୍ଯ୍ୟ ନୁହେଁ; କିନ୍ତୁ ସେଗୁଡ଼ିକ ବଡ଼ କାର୍ଯ୍ୟମାନଙ୍କର ଜନକ । ଜନ୍ମ ସମୟରୁ ସେଗୁଡ଼ିକ ପ୍ରତି ତୀକ୍ଷ୍‌ଣଦୃଷ୍ଟି ଦେଇ ସେଗୁଡ଼ିକର ଗୁଣ ବା ଦୋଷ ଦେଖି ଅଭିବୃଦ୍ଧି ବା ବିନାଶ ପାଇଁ ଯତ୍ନ କରିବା ପ୍ରତ୍ୟେକ ବୃଦ୍ଧିମାନ ଗୃହସ୍ଥଙ୍କ ପ୍ରଧାନ କର୍ତ୍ତବ୍ୟ ।

Image

 

ପରିବାରର ପରିଣତି

 

ପରିବାରର ଆରମ୍ଭ ଅତି କ୍ଷୁଦ୍ର ହେଲେ ହେଁ ତାହାର ପରିଣତ ସୁଦୂରବିସ୍ତୃତ । ପିତାମାତା ପୁତ୍ରକନ୍ୟା ଅମୀୟସ୍ୱଜନଙ୍କର କ୍ଷୁଦ୍ର ଗୋଷ୍ଠୀରେ ପରିବାରର ଜନ୍ମ ସତ, ମାତ୍ର ତାହାର କାର୍ଯ୍ୟକଳାପର ଫଳ ସେଠାରେ ଆବଦ୍ଧ ହୋଇ ନ ଥାଏ । ପରିବାର ରାଷ୍ଟ୍ରର ମୂଳଭିତ୍ତି । ପରିବାରରୁ ଯାହାର ଆରମ୍ଭ ହୁଏ ତାହା ସହଜରେ ସମାଜରେ ବିସ୍ତୃତ ହୁଏ ଏବଂ ସମାଜରୁ ତାହା ଅବଲୀଳାକ୍ରମେ ରାଜ୍ୟରେ ବିସ୍ତୃତି ଲାଭ କରେ । ତେଣୁ ପାରିବାରିକ ଦୋଷଗୁଣ ସବୁ କ୍ରମେ କ୍ରମେ ସମାଜର ଓ ଦେଶର ଦୋଷଗୁଣ ରୂପେ ବିସ୍ତାରିତ ହୋଇଥାଏ । ପରିବାରର ଏହି ବିସ୍ତାରକ୍ରିୟା ଏହାକୁ କ୍ଷୁଦ୍ରତାରେ ଆବଦ୍ଧ ନ କରି ବହୁଦୂର ପ୍ରସାରିତ କରିଥାଏ । ସେଥିପାଇଁ ଦେଶର ବା ସମାଜର ଉନ୍ନତି ବାଞ୍ଚ୍ଥା କଲେ କ୍ଷୁଦ୍ର ପରିବାରଟିକୁ ମୂଳଭିତ୍ତି ମନେ କରି ସେଠାରେ ସୁଗୁଣର ବୀଜ ବପନ କରିବାକୁ ଆବଶ୍ୟକ ହୁଏ । ଦେଶ ବା ସମାଜ ଯେଉଁଠାରେ ବହୁ ସୁଗୁଣର ଆକାର, ପରିବାରରୁ ସେହି ସବୁ ଗୁଣ ସଂକ୍ରମିତ ହୋଇଥାଏ । ପକ୍ଷାନ୍ତରେ ଯେଉଁ ସବୁ ଦୁର୍ଗଣ ଦେଶ ବା ସମାଜକୁ ଅନ୍ତଃସାରଶୂନ୍ୟ କରି ଶେଷରେ ସର୍ବନାଶ ଆଣିଥାଏ ସେ ସବୁର ଦୁର୍ନୀତି ପ୍ରଥମତଃ କ୍ଷୁଦ୍ର ପରିବାରର କ୍ଷୁଦ୍ର ପ୍ରକୋଷ୍ଠରେ ଜନ୍ମଲାଭ କରିଥାଏ । ପରିବାରରେ ଯୁବକଯୁବତୀମାନଙ୍କର ଅଳସ ଜୀବନ, ବିଳାସ ପ୍ରବୃତ୍ତ, ଅସତ୍‌ ମାର୍ଗ, କଳୁଷିତ ହୃଦୟ ଦ୍ୱାରା ସେମାନଙ୍କର ଅକ୍ଷୟଶକ୍ତି ଶିଥିଳ ହୋଇ ପଡ଼େ, କର୍ମ ଅନୁପଯୋଗୀ ହୋଇ ଆସେ–ଫଳରେ ଦେଶର ପତନ, ସମାଜର ଧ୍ୱଂସ। ସେଥିପାଇଁ ଜାତୀୟ ମଙ୍ଗଳ ନ୍ୟସ୍ତ ରହିଅଛି କ୍ଷୁଦ୍ର ପରିବାରର ବାଳକବାଳିକାଙ୍କ ଉପରେ, ଯୁବକ ଯୁବତୀଙ୍କ ଉପରେ । ସେହିମାନଙ୍କର କର୍ମାର୍ଜିତ ବିଜ୍ଞତା ଦ୍ୱାରା ଦେଶର ଭାଗ୍ୟ ନିୟନ୍ତ୍ରିତ ହେବ ।

 

ସାଧାରଣ ଦୃଷ୍ଟିରେ ପରିବାରଟି କ୍ଷୁଦ୍ର ଦେଖାଗଲେ ହେଁ ତାହାର ଫଳ ବହୁଦୂରବ୍ୟାପୀ । ପରିବାରର ମଙ୍ଗଳ ଓ ହିତାହିତ ଉପରେ ସମାଜର ଓ ଦେଶର ହିତାହିତ ନିର୍ଭର କରେ । ଯେଉଁ ମାନେ ଦେଶହିତକାମୀ, ସମାଜପରିଚାଳକ ସେମାନେ ପରିବାରରୁ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଥାନ୍ତି । ଦେଶ ବା ସମାଜର ପ୍ରକାଣ୍ତ ବଟବୃକ୍ଷ ପରିବାରର କ୍ଷୁଦ୍ରବୀଜ ମଧ୍ୟରେ ଗୁପ୍ତଭାବରେ ଲୁକ୍କାୟିତ ଥାଏ । ସେହି କ୍ଷୁଦ୍ର ବୀଜଟିକୁ ଯଥୋଚିତ ରୂପେ ରକ୍ଷଣାବେକ୍ଷଣ କରି ପାରିଲେ ଦେଶର ସର୍ବାଙ୍ଗୀନ ଉନ୍ନତି କରାଯାଇପାରେ । ପ୍ରତି ନିଷ୍ଠାପର ଦେଶସେବକ ଦେଶର ଉନ୍ନତି ବିଷୟ ଚିନ୍ତା କଲାବେଳେ ତାହାର ମୂଳଭିତ୍ତି ଯେ କ୍ଷ୍ରଦ୍ର ପରିବାରରେ ରହିଅଛି ତାହା ଯେପରି ଭୁଲି ନ ଯାଆନ୍ତି । ପରିବାରରେ ପ୍ରଥମତଃ ବ୍ୟକ୍ତିଗତ ତ୍ୟାଗ, ମନର ଶୁଦ୍ଧି ଓ ହୃଦୟର ନିଷ୍ଠାର ଅଙ୍କୁରୋଦ୍‌ଗମ ହୋଇଥାଏ । ସେହି ଅଙ୍କୁର କାଳକ୍ରମେ ବର୍ଦ୍ଧିତ ହୋଇ ଦେଶ ବା ସମାଜକୁ ଶକ୍ତି ଦିଏ। ନିଜକୁ ସଂଯତ ରଖିବା, ନିଜର ବିଚାର ଓ ଆଚାରକୁ ଆଦର୍ଶର ଉପଯୋଗୀ କରିବା, ସାଧନା ବଳରେ ସିଦ୍ଧିକୁ କରତଳଗତ କରି ପାରିବାର ମୂଳମନ୍ତ୍ର ପାରିବାରିକ ଜୀବନରୁ ମାନବ ଗ୍ରହଣ କରି ବୟୋବୃଦ୍ଧି ସଙ୍ଗେ ସଙ୍ଗେ ସେ ସବୁକୁ ଦେଶ ଓ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ନିୟୋଜିତ କରିଥାଏ ।

 

ଯେଉଁ ଜାତି ବା ସମାଜ ପୃଥିବୀ ପୃଷ୍ଠରେ ଉନ୍ନତ ହୋଇଅଛି ତାହାର କାରଣ ଅନୁସନ୍ଧାନ କଲେ ଦେଖାଯିବ ଯେ ସେହି ଜାତିର ପାରିବାରିକ ଜୀବନରେ ଉନ୍ନତିର କ୍ଷୁଦ୍ର ବୀଜ ରୋପିତ ହୋଇ କ୍ରମେ କ୍ରମେ ସେଥିରୁ ବୃକ୍ଷ ଜନ୍ମି ଦେଶ ବା ସମାଜର ମଙ୍ଗଳ ସାଧନ କରିଅଛି । ପ୍ରତି ସଭ୍ୟ ବା ଉନ୍ନତ ଦେଶର ସଭ୍ୟତା ଏହି ମୂଳ ମନ୍ତ୍ରରେ ପରିଚାଳିତ । ସାହସ, ବିକ୍ରମ, ଶକ୍ତି, ସଂଯମ ଯାହା ସବୁ ଜାତୀୟ ସମ୍ପତ୍ତି ରୂପେ ପରିଗଣିତ ହୋଇଥାଏ ଏବଂ ଯେଉଁ ସବୁ ଗୁଣରୁ ଜାତୀୟ ସମୃଦ୍ଧିର ଜନ୍ମ ହୁଏ ସେହି ସବୁ ଦିନକରେ ଜାତି ବା ସମାଜ ଲାଭ କରି ନ ଥାଏ । ତାହା କ୍ରମବୃଦ୍ଧି ନିୟମରେ ଜାତି ଲାଭ କରିଥାଏ। ଏହି କ୍ରମବୃଦ୍ଧି ପରିବାରରୁ ଆରମ୍ଭ ହୋଇ କ୍ରମେ କ୍ରମେ ମୁକୁଳିତ ଓ ପୁଷ୍ପିତ ହୋଇ ସମାଜ ଓ ଦେଶର ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ । ଶେଷରେ ସେ ଗୁଡ଼ିକ ଜାତିର ବିଶେଷତ୍ୱ ବା ସ୍ୱଧର୍ମ ରୂପେ ବିଶ୍ୱସମାଜରେ ପରିଚିତ ହୁଏ।

 

ଜାତି ବା ସମାଜକୁ ଦୃଢ଼, ସବଳ ବା ସୁନ୍ଦର କରିବାକୁ ଇଚ୍ଛା କଲେ କ୍ଷୁଦ୍ର ପରିବାରଟିକୁ ନିର୍ଦ୍ଦୋଷ, ସବଳ ଓ ସୁନ୍ଦର କରିବାକୁ ଚେଷ୍ଟା କରିବା ଉଚିତ । ପରିବାରର ଉନ୍ନତି ବିନା ଜାତି ବା ଦେଶର ଉନ୍ନତି କଦାପି ସମ୍ଭବପର ନୁହେଁ । ପରିବାର ଓ ଦେଶ ବିଭିନ୍ନ ଦିଗରେ ଗତି କରିବା ଅସମ୍ଭବ । ଦେଶର ସୁନୀତି ବା ଦୁନୀତି ଖୋଜି ଦେଖିଲେ ପରିବାର ଭିତରେ ଦେଖାଯିବ । ପରିବାରର ଅନ୍ତୁଡ଼ିଶାଳରେ ଜାତି ବା ଦେଶ ଶିଶୁରୂପେ ଜନ୍ମ ଲାଭ କରି କ୍ରମବର୍ଦ୍ଧିତ ହୋଇ ବିଶ୍ୱମାନବ ସନ୍ତାନ ରୂପେ ପରିଚିତ ହୁଏ । ବିଶ୍ୱମାନବର ଉଚ୍ଚକୁଳର ମହତ୍ତ୍ୱ ଲାଭ କରିବାରେ ତାହାର ଯେଉଁ ଗୁଣ ସବୁ ଲୋଡ଼ା ହୁଏ ତାହା ସେ ପରିବାରରୁ ପ୍ରଥମେ ଗ୍ରହଣ କରିଥାଏ । ସେହି ମାତୃକୋଳରେ ପ୍ରଥମେ ଅଲକ୍ଷିତ ଭାବରେ, ପରେ ଶୈଶବ ବା ବାଲ୍ୟ ଜୀବନରେ ଯେଉଁ ଗୁଣ ବା ଦୋଷ ସେ ଲାଭ କରେ ତାହା ମୃଣ୍ମୟ ପାତ୍ରର ଜନ୍ମର ଦାଗ ପରି ଆଉ ଲିଭେ ନାହିଁ; ଚିରଜୀବନ ତାହା ରହିଯାଏ । ମାନବ ଯେ ବ୍ରହ୍ମସୁତ ବ୍ରହ୍ମତନୟା ବୋଲି ମହତ୍ତ୍ୱ ଲାଭ କରେ ତାହାର ଆଦ୍ୟ ପରିଚୟ ସେ ପରିବାରରୁ ଲାଭ କରିଥାଏ ସେ ଯେ ଧର୍ମରେ ବଳୀୟାନ୍‌, କର୍ମରେ ମହୀୟାନ ଏବଂ ନ୍ୟାୟରେ ଗରୀୟାନ୍‌ ହୋଇ ପାରେ ତାହାର ଆଦି ଶିକ୍ଷାମନ୍ଦିର ସେହି କ୍ଷୁଦ୍ର ପରିବାରଟି । ମାନବ ଯେ ବିଶ୍ୱବିଧାତାଙ୍କର ଅଭୟବାଣୀ ‘‘ଉତ୍ତଷ୍ଠତ, ଜାଗ୍ରତ, ପ୍ରାପ୍ୟ ବରାନ୍ନିବୋଧତ’’ ପ୍ରାଣରେ ଗ୍ରହଣ କରି ଜୀବନକୁ ସୁନ୍ଦର ସବଳ କରି ପାରୁଅଛି ଏବଂ ଧର୍ମବୀର, କର୍ମବୀର, ସତ୍ୟବୀର ରୂପେ ବିଶ୍ୱସଂସାରରେ ସମାଦୃତ ହୋଇ ପାରୁଅଛି ତାହାର ପ୍ରଥମ ଶିକ୍ଷା କ୍ଷେତ୍ର ସେହି କ୍ଷୁଦ୍ର ପରିବାର । କ୍ଷୁଦ୍ର ପରିବାରର ପ୍ରାଥମିକ ସୁଶିକ୍ଷା ବଳରେ ଦେଶମାତୃକା କୋଟି କୋଟି ସନ୍ତାଙ୍କର ଜ୍ଞାନପ୍ରେମ ପୁଣ୍ୟୋଜ୍ଜ୍ୱଳ କମନୀୟ ବଦନମଣ୍ଡଳ ଦର୍ଶନ କରି ଆନନ୍ଦ ଗଦ୍‌ଗଦ କଣ୍ଠରେ କହନ୍ତି : - ‘‘କୁଳଂ ପବିତ୍ରଂ ଜନନୀ କୃତାର୍ଥା ।’’

Image

 

ପରିବାରର ସାର୍ଥକତା

 

ପରିବାର ସମାଜ ବ ଜାତିର ମୂଳପିଣ୍ଡ । ଜାତିର ବା ଦେଶର ଯାହା ସମୂହ ଉନ୍ନତି ହୁଏ ତାହା ସର୍ବ ପ୍ରଥମେ ଏହି କ୍ଷୁଦ୍ର ପରିବାର ଭିତରେ ଆରବ୍‌ଧ ହୁଏ । ଦେଶର ବା ଜାତିର ଯେଉଁ ଗୁଣ ଗୁଡ଼ିକ ଜାତୀୟ ଗୁଣ ବୋଲି ଖ୍ୟାତି ଲାଭ କରେ ସେ ସବୁର ଆରମ୍ଭ ପରିବାର ଭିତରେ କର୍ତ୍ତବ୍ୟପରାୟଣତା କହ, ଆତ୍ମନିର୍ଭରଶୀଳତା କହ, ଚିରତ୍ରବଳ କହ, ରୋଗଶୂନ୍ୟତା କହ ଯାହା ଜାତି ବା ଦେଶର ଜୀବନର ମୁଳଭିତ୍ତି ତାହା ସବୁ ପାରିବାରିକ ଜୀବନରୁ ଜନ୍ମଲାଭ କରି କ୍ରମବିକାଶ ବଳରେ ଦେଶମୟ ହୋଇ ଉଠେ । ଏହି ସବୁ ସଦ୍‌ଗୁଣ ଶେଷରେ ଦେଶ ଓ ସମାଜକୁ ଶାନ୍ତି ଓ କଲ୍ୟାଣରେ ପରିପୂର୍ଣ୍ଣ କରିଦିଏ ।

 

ପରିବାର ପରସ୍ପର ପ୍ରତି କର୍ତ୍ତବ୍ୟ ଶିଖାଇବାର ଏକ ପ୍ରକୃଷ୍ଟ କ୍ଷେତ୍ର । ଯେଉଁ ପରିବାରରେ ପ୍ରତି ବ୍ୟକ୍ତି ନିଜ ନିଜର କର୍ତ୍ତବ୍ୟ ପାଳନ କରନ୍ତି ସେ ପରିବାର ସର୍ବ ସୁଖର, ସର୍ବ ଶାନ୍ତିର ଆଧାର ହୁଏ । ପକ୍ଷାନ୍ତରେ ଯେଉଁ ପରିବାରର ବ୍ୟକ୍ତିବିଶେଷଙ୍କର ଉପାୟ ଉପରେ ଅନ୍ୟମାନେ ଗଳଗ୍ରହ ହୁଅନ୍ତି ବା ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଦାୟିତ୍ୱ ଉପଲବ୍‌ଧି ନକରନ୍ତି ସେ ପରିବାର ଅଚିରେ ନାନା ଅଶାନ୍ତି ଓ ବିଶୃଙ୍ଖଳାରେ ପୂର୍ଣ୍ଣ ହୁଏ । ପରିବାରର ସମସ୍ତେ ନିଜ ନିଜର କର୍ତ୍ତବ୍ୟ ବୁଝି କେହି କାହାରି ଉପରେ ନିର୍ଭର ନକରି ଆତ୍ମନିର୍ଭରଶୀଳ ନହେଲେ ପରିବାରର ଶାନ୍ତି ସମୃଦ୍ଧି ଆସିପାରେ ନାହିଁ । ପରିବାରରେ ପରସ୍ପର ଭିତରେ ଏକ ଗୁରୁ ଦାୟିତ୍ୱ ରହିଅଛି । ସେ ଦାୟିତ୍ୱ ବାହାରର ଆଇନ ଠିକ୍‌ କରିନାହିଁ; ତାହା ପାରିବାରିକମାନେ ନିଜେ ନିଜେ ଠିକ୍‌ କରି ନିଜ ମୁଣ୍ଡରେ ମୁଣ୍ଡେଇ ନେବା ଉଚିତ । ପରିବାର ବିଭିନ୍ନ ସମ୍ବନ୍ଧର ଲୋକ ଥିବା ଅବସ୍ଥାରେ କାହା ପ୍ରତି କେଉଁ କର୍ତ୍ତବ୍ୟ ପାଳନୀୟ ତାହାର ସମ୍ୟକ ଆଲୋଚନା କରି ଜୀବନକୁ ନିୟନ୍ତ୍ରିତ କରି ପାରିଲେ ପାରିବାରିକ ଜୀବନ ସୁଖମୟ ହୁଏ । ଯେଉଁ ପରିବାରର ଲୋକମାନେ ଏ କର୍ତ୍ତବ୍ୟ, ଦାୟିତ୍ୱ ପାଳନ କରିବାକୁ ଶିଖିନାହାନ୍ତି ସେ ପରିବାର ସୁଖଶାନ୍ତିର ଆଧାର ନହୋଇ ବିଶୃଙ୍ଖଳା, ଅଶାନ୍ତି ଓ ଦୁଃଖ ଦାରିଦ୍ର୍ୟର କେନ୍ଦ୍ର ହୋଇଥାଏ । ପରିବାରର ମଙ୍ଗଳ ସାଧନ କରିବାକୁ ଏବଂ ପରିବାରକୁ ସୁଖମୟ ଓ ଶାନ୍ତିମୟ କରି ରଖିବାକୁ ବାସନା ଥିଲେ ପରିବାରର ସମସ୍ତେ ଆଲୋଚନା କରି କିପରି ସମସ୍ତେ ନିଜ ନିଜର ଦାୟିତ୍ୱ ବହନ କରିପାରନ୍ତି ତାହାର ଉପାୟ ବିଧାନ କରିବା ପ୍ରଧାନ ଓ ପ୍ରଥମ କର୍ତ୍ତବ୍ୟ-

 

ପାରିବାରିକ ଜୀବନର ସଫଳତାର ପ୍ରଥମ ଲକ୍ଷଣ ଶୃଙ୍ଖଳା । ଯେଉଁ ପରିବାର ନିୟମରେ ସୁରଖୁରରେ ଚାଲିଥାଏ, ଯେଉଁ ଠାରେ କେଁ କଟର ନାହିଁ, ବୁଝିବାକୁ ହେବ ସେ ପରିବାର ସୁନିୟମରେ ପରିଚାଳିତ । ପରିବାର ନିୟମରେ ପରିଚାଳିତ ହେଲେ କୌଣସି ଗଣ୍ଡଗୋଳ ରହେ ନାହିଁ । ତାହାର ଫଳରେ ସୁଖ ଶାନ୍ତି ଓ ସନ୍ତୋଷ ଆପେ ଆପେ ସେପରି ପରିବାରରେ ରାଜପଣ କରେ । ପରିବାରକୁ ଶାନ୍ତି ଓ କଲ୍ୟାଣଭରା କରିବାକୁ ହେଲେ ସେଠାରେ ସର୍ବପ୍ରଥମେ ଶୃଙ୍ଗଳା ଓ ବିଧି ବିଧାନ ଥିବା ଆବଶ୍ୟକ । ଯେଉଁ ପରିବାର ଯଥେଚ୍ଛା କ୍ରମେ ଚାଳିତ ତାହା ବେଶୀଦିନ ଚଳି ପାରେ ନାହିଁ ଯେଉଁଠାରେ ସଂଯମ ଓ ସୁନୀତି ଅଛି ସେହି ପରିବାର ଏକା ବହୁକାଳ ସୁପ୍ରତିଷ୍ଠିତ ହୋଇ ଚଳିପାରେ; ସେହି ପରିବାରରେ ଶାନ୍ତି ସନ୍ତୋଷ ଓ ପରସ୍ପର ସ୍ନେହ ମମତା ରହିପାରେ । ନିଜ ନିଜର କର୍ତ୍ତବ୍ୟଜ୍ଞାନ ଓ ପରିବାର ପ୍ରତି ଦାୟିତ୍ୱ ପାରିବାରିକମାନଙ୍କ ମନରେ ଜାଗ୍ରତ କରାଇ ନ ଦେଲେ ଏବଂ ସେହି ଭାବ ସେମାନଙ୍କ ମନରେ ବଦ୍ଧମୂଳ ନ ହେଲେ ପାରିବାରିକ ଜୀବନ ସଫଳତା ଲାଭ କରିପାରେ ନାହିଁ । ପାରିବାରିକମାନେ ଦାୟିତ୍ୱଜ୍ଞାନସମ୍ପନ୍ନ ଚତୁର ବ୍ୟକ୍ତି ହେବା ପ୍ରୟୋଜନୀୟ । ସେମାନଙ୍କର ସୁନୀତି ଓ ସଦାଚାର ଉପରେ ପରିବାରର ଚରମ ଉତ୍କର୍ଷ ନିର୍ଭର କରେ । ସେପରି ପରିବାର ସତକୁ ସତ ସମାଜର ଓ ଦେଶର ମୁକ୍ତିର ପ୍ରଥମ ସୋପାନ ହୋଇଥାଏ । ଶାନ୍ତି, ଶୃଙ୍ଖଳା, ସନ୍ତୋଷ, ଅତିଥେୟତା, ଈଶ୍ୱର ନିର୍ଭରଭାବ ସୁପରିଚାଳିତ ପରିବାରର ବହିର୍ଲକ୍ଷଣ । ଏହିସବୁ ସୁଗୁଣରେ ବିଭୂଷିତ ହୋଇ ପରିବାର ‘‘ବୈକୁଣ୍ଠ ସମାନ’’ ସୁଖ ସମୃଦ୍ଧି ଲାଭ କରିବାକୁ ସମର୍ଥ ହୋଇଥାଏ । ଏହିପରି ପରିବାରରେ ବାସ କରିବାର ପୁଣ୍ୟ ଅଧିକାର ଲାଭ କରିପାରି ପାରିବାରିକ ମୁକ୍ତ କଣ୍ଠରେ ପରିପୂର୍ଣ୍ଣ ପ୍ରାଣରେ ଜୀବନବିଧାତାଙ୍କୁ ଡାକି ପାରେ : -

 

‘‘As ror me and my house,

we would serve thee Lord,"

ପ୍ରଭୋ ପରମ ଶରଣ,

ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ ।’’

Image